• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଗୋବିନ୍ଦ ସାହୁର ସୁଇସାଇଡ୍ । କଣ୍ଟାବାଞ୍ଜି ଜେଲ୍ ପରିସରରେ ଆତ୍ମହତ୍ୟା । ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲା ର ମୁଖ୍ୟ ଅଭିଯୁକ୍ତ । ଇଏ ସେହି ଗୋବିନ୍ଦ ସାହୁ, ଯିଏ ଆଜି କଣ୍ଟାବାଞ୍ଜି ଜେଲ୍ ପରିସରରେ ଥିବା ଏକ ଗଛରେ ଗାମୁଛା ଲଗାଇ ଜୀବନ ହାରିଛି । ସମୟ ସକାଳ ୯ରୁ ସାଢ଼େ ୯ଟା । ଗୋବିନ୍ଦକୁ ଝୁଲନ୍ତା ଅବସ୍ଥାରେ ଦେଖି ତୁରନ୍ତ ସ୍ଥାନୀୟ ମେଡିକାଲ ନିଆଯାଇଥିଲା । ହେଲେ ଡାକ୍ତର ସେଠି ମୃତ ଘୋଷଣା କରିଥିଲେ ।

ଘଟଣାକୁ କିନ୍ତୁ ଆଦୌ ସହଜରେ ଗ୍ରହଣ କରିପାରୁ ନାହାନ୍ତି ଗୋବିନ୍ଦଙ୍କ ପତ୍ନୀ ସୁଷମା ସାହୁ । ସାଂଘାତିକ ଅଭିଯୋଗ ଆଣି କହିଛନ୍ତି ଏହା ଏକ ପ୍ରି-ପ୍ଲାନ୍‌ଡ ମର୍ଡର । ତାସହ ସୁଷମା କହିଛନ୍ତି ତାଙ୍କ ସ୍ୱାମୀ ଜଣେ ଷ୍ଟ୍ରଙ୍ଗ ଲୋକ, କେବେ ବି ଆତ୍ମହତ୍ୟା କରିବେନି । ଏଥିପାଇଁ ପ୍ରଶାସନ ଦାୟୀ । ଜେଲ୍‌ରେ ତାଙ୍କୁ ସୁରକ୍ଷିତ ରଖିବା କଥା । କାଲି ଦିନ ୧୧ଟାରେ ଘରକୁ ଫୋନ୍ କରି ଭଲମନ୍ଦ ବୁଝିଥିଲେ, ଆଜି କେମିତି ଆତ୍ମହତ୍ୟା କଲେ ବୋଲି ପ୍ରଶ୍ନ କରିଛନ୍ତି ସୁଷମା । ତାସହ ସ୍ୱାମୀ ଗୋବିନ୍ଦଙ୍କୁ ଷଡ଼ଯନ୍ତ୍ର କରି ହତ୍ୟା କରାଯାଇଥିବା ନେଇ କଳାହାଣ୍ଡିର କେ.ଗାଁ ଥାନାରେ ଲିଖିତ ଅଭିଯୋଗ କରିବା ସହ ନ୍ୟାୟ ମାଗିଛନ୍ତି ସୁଷମା ।

ବଡ଼ କଥା ହେଲା ଗୋବିନ୍ଦ ସାହୁର ଆଜି ବଙ୍ଗୋମୁଣ୍ଡା ଜେଏମ୍ଏଫ୍‌ସି କୋର୍ଟରେ ହାଜିରା ଥିଲା, ହେଲେ ତାପୂର୍ବରୁ ସେ କରିଛି ଆତ୍ମହତ୍ୟା । ଘଟଣା ଯେତିକି ଆଶ୍ଚର୍ଯ୍ୟପୂର୍ଣ୍ଣ ସେତିକି ରହସ୍ୟାବୃତ୍ତ । କାହିଁକି ଆତ୍ମହତ୍ୟା କଲେ ଗୋବିନ୍ଦ ସାହୁ ? କଣ ତାଙ୍କ ଉପରେ ବଡ଼ ଧରଣର ଚାପ ପଡ଼ୁଥିଲା କି ? ଜେଲ୍ ପରିସରରେ ପୁଣି କେମିତି ଆତ୍ମହତ୍ୟା କଲା ଜଣେ ବିଚାରାଧୀନ କଏଦୀ ? କଣ କରୁଥିଲେ ସୁରକ୍ଷାକର୍ମୀ ? ଏସବୁ ମାଳ ମାଳ ପ୍ରଶ୍ନ ଚିହ୍ନ ଲାଗିଥିବା ବେଳେ ଘଟଣାରେ ଚରମ ବିଭାଗୀୟ ଅବହେଳାକୁ ସ୍ୱୀକାର କରିଛନ୍ତି ଜେଲ୍ ଡିଆଇଜି ।

ଅଧିକ ପଢ଼ନ୍ତୁ: ପତ୍ନୀଙ୍କ ବଡ଼ ବୟାନ ! ‘ମମିତା ମେହେରଙ୍କୁ ହତ୍ୟା କରିନଥିଲେ ଗୋବିନ୍ଦ ସାହୁ’

ସମ୍ବଲପୁର ରେଞ୍ଜ ଡିଆଇଜି ଅନସୂୟା ଜେନାଙ୍କୁ ୨୪ ଘଣ୍ଟାରେ ତଦନ୍ତ ରିପୋର୍ଟ ମଗାଯାଇଛି । ରିପୋର୍ଟ ଆସିଲେ ଦୋଷୀଙ୍କ ବିରୋଧରେ ଆକ୍ସନ ହେବ । ଏଣେ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ ଡିଜି । ଜଣେ ଡିଏସ୍‌ପିଙ୍କ ନେତୃତ୍ୱରେ ୪ ଜଣିଆ ଟିମ୍ ଗୋବିନ୍ଦ ମୃତ୍ୟୁର ଖୋଳତାଡ଼ ପାଇଁ କଣ୍ଟାବାଂଜିରେ ପହଞ୍ଚିଛନ୍ତି । ସେହିପରି ସାଇବର ଏକ୍ସପର୍ଟ ଏବଂ ଫୋରେନସିକ୍ ଏକ୍ସପର୍ଟଙ୍କୁ ନେଇ ଏକ ଟିମ୍ ବି କଣ୍ଟାବାଂଜି ଜେଲ୍‌କୁ ଯାଇ ପ୍ରମାଣ ସଂଗ୍ରହ କରିଛି । ଏସବୁ ଭିତରେ ଜେଲ୍‌ରେ ଗୋବିନ୍ଦ ସାହୁ ମୃତ୍ୟୁ ମାମଲାରେ ନିଜ ଆଡୁ ମାମଲା କରି ରିପୋର୍ଟ ତଲବ କରିଛନ୍ତି ରାଜ୍ୟ ମାନବାଧିକାର କମିଶନ । ୧୫ ଦିନ ଭିତରେ ରିପୋର୍ଟ ଦେବାକୁ ଜେଲ୍ ବିଭାଗ ଡିଜି ଓ ବଲାଙ୍ଗିର SPଙ୍କୁ ନିର୍ଦ୍ଦେଶ ଦେଇଛନ୍ତି OHRC ।

ତେଣେ ଜେଲ୍ ଭିତରେ ନିଜ ମହକିଲ ଗୋବିନ୍ଦ ସାହୁର ଆତ୍ମହତ୍ୟାକୁ ନେଇ ତାଙ୍କ ଓକିଲ ଆଶ୍ଚର୍ଯ୍ୟ ପ୍ରକଟ କରିଥିବାବେଳେ ସରକାରୀ ଓକିଲ କିନ୍ତୁ ପୁରା ଘଟଣା କୋର୍ଟ ଓ ପୋଲିସଙ୍କ ଉପରେ ଛାଡ଼ିଛନ୍ତି ।

୨୦୨୧ ମସିହାର ଶେଷ ତିନି ମାସ ସାରା ରାଜ୍ୟକୁ ହଲଚଲ୍ କରିଥିଲା ମମିତା ହତ୍ୟା ମାମଲା । ବଲାଙ୍ଗିର ତୁରେକେଲା ଥାନା ଝର୍ନି ଗାଁର ମମିତା ମେହେର କଳାହାଣ୍ଡିର ମହାଲିଙ୍ଗ ସନ୍‌ସାଇନ୍ ଇଂଲିଶ ମିଡିୟମ ସ୍କୁଲରେ ପଢ଼ାଉଥିଲେ । ୨୦୨୧ ଅକ୍ଟୋବର ୮ରେ ହଠାତ୍ ନିଖୋଜ ହୋଇଥିଲେ ମମିତା । ପରିବାର ଲୋକେ ଅକ୍ଟୋବର ୧୩ରେ ସିନ୍ଧେକେଲା ଥାନାରେ ନିଖୋଜ ଅଭିଯୋଗ କରିଥିଲେ । ପୋଲିସ, ସନ୍ଦେହରେ ସ୍କୁଲ ପରିଚାଳନା କମିଟି ଅଧ୍ୟକ୍ଷ ଗୋବିନ୍ଦ ସାହୁକୁ ଥାନାରେ ଅଟକ ରଖିଥିବାବେଳେ ସେ ଚମ୍ପଟ ମାରିଥିଲା । ପରେ ପୋଲିସ୍ ତାକୁ ବଙ୍ଗୋମୁଣ୍ଡା ଥାନା ବୁଢ଼ୀପଦର ଗାଁରୁ ଧରିଥିଲା । ଅକ୍ଟୋବର ୧୯ରେ ମହାଲିଙ୍ଗର ନିର୍ମାଣାଧୀନ ଷ୍ଟାଡିୟମର ଏକ ଗାତ ଭିତରୁ ମମିତାଙ୍କ ଦରପୋଡ଼ା ମୃତଦେହ ମିଳିଥିଲା । ଏହି ମାମଲାରେ ଗିରଫ ହୋଇଥିଲେ ଗୋବିନ୍ଦ ଓ ତା ସହଯୋଗୀ ରାଧେ ।

ତେବେ ଗୋବିନ୍ଦଙ୍କ କଜେଲକୁ ପୂର୍ବତନ ମନ୍ତ୍ରୀ ଦିବ୍ୟଶଙ୍କ ମିଶ୍ରଙ୍କ ବାରମ୍ବାର ଗସ୍ତ ସହ ଦୋଷୀଙ୍କୁ ସୁରକ୍ଷା ପ୍ରଦାନ ଓ ଘଟଣାକୁ ଚାପି ଦେବାକୁ ଉଦ୍ୟମ ଅଭିଯୋଗରେ ତମ୍ବିତୋଫାନ କରିଥିଲେ ବିରୋଧୀ । ଏମିତିକି ମନ୍ତ୍ରୀପଦରୁ ଦିବ୍ୟଶଙ୍କରଙ୍କ ଇସ୍ତଫା ସହ ତାଙ୍କୁ ଗିରଫ ଦାବି ବି ତେଜିଥିଲା । ହେଲେ ଆଜି ଗୋବିନ୍ଦର ରହସ୍ୟଜନକ ମୃତ୍ୟୁ ପୁରା ମାମଲାରେ ନୂଆ କେଁ ସୃଷ୍ଟି କରିଛି ।