• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବହୁଚର୍ଚ୍ଚିତ ଶିକ୍ଷୟିତ୍ରୀ ମମିତା ମେହେର ମୃତ୍ୟୁ ମାମଲା ର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା । ହତ୍ୟା ମାମାଲରେ ସଜା କାଟୁଥିବା ଗୋବିନ୍ଦ ସାହୁ କଣ୍ଟାବାଞ୍ଜି ଜେଲ୍ ଭିତରେ ଥିବା ଏକ ଛୋଟ ଗଛରେ ଗାମୁଛା ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏହି ଘଟଣା ପରେ ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ମେଡିକାଲରେ ଗୋବିନ୍ଦଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର । ଆଜି କୋର୍ଟରେ ହାଜର ହୋଇ ଥାଆନ୍ତେ ଗୋବିନ୍ଦ, ହେଲେ ତା’ ପୂର୍ବରୁ ସେ ନିଜର ଜୀବନ ନେଇ ଯାଇଛନ୍ତି । ତେବେ କିଭଳି ଜେଲ୍‌ ଭିତରେ ସେ ଏପରି କରିଛନ୍ତି, ତାହା ଅସ୍ପଷ୍ଟ ରହିଛି । 

 ଗୋବିନ୍ଦ ସାହୁ ଆତ୍ମହତ୍ୟା ପରେ ସରକାରଙ୍କୁ ଘେରିଛି ବିଜେପି । ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ମହିଳା ମୋର୍ଚ୍ଚା ସଭାପତି ସ୍ମୃତି ପଟ୍ଟନାୟକ ।  ଗୋବିନ୍ଦ ସାହୁକୁ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ କରାଯାଇଛି । ଗୋବିନ୍ଦର ମୃତ୍ୟୁ ପରେ ମାମଲାରେ ସମ୍ପୃକ୍ତି ଥିବା ବିଧାୟକ ଦିବ୍ୟଶଙ୍କର ମିଶ୍ରଙ୍କୁ କ୍ଲିନ୍‌ଚିଟ୍‌ ମିଳିଯିବ । ଏଠି ଯିଏ ସତ ଜାଣିଛି, ତାକୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରାଯାଏ, ନହେଲେ ହତ୍ୟା କରିଦିଆଯାଏ । ଏଭଳି କେସ୍‌କୁ କ୍ଲୋଜ୍‌ କରିବାରେ ସଫଳ ହେଉଛି ଏ ସରକାର । ଏ ସରକାର ଅପରାଧୀର ସରକାର ବୋଲି ସ୍ମୃତି କହିଛନ୍ତି । 

ଅଧିକ ପଢ଼ନ୍ତୁ: 'ଗୋବିନ୍ଦ ସାହୁଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ?'

ଅନ୍ୟପଟେ ଗୋବିନ୍ଦଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା । ସେ କହିଛନ୍ତି , ମମିତା ମାମଲାରେ ଗୋବିନ୍ଦ ସହ ପୂର୍ବତନ ମନ୍ତ୍ରୀଙ୍କ ସଂପୃକ୍ତି ଥିଲା।  ଗୋବିନ୍ଦଙ୍କୁ ପୂର୍ବତନ ମନ୍ତ୍ରୀ ମୁକ୍ତି ପାଇଁ କଥା ଦେଇଥିଲେ, ହାତ ଛାଡ଼ିଦେଲେ । ତେବେ କୋର୍ଟରେ ମମିତାଙ୍କ ବାପା, ମା ସାକ୍ଷୀ ଦେଇଥିଲେ । ମୁକ୍ତିର ବାଟ ବନ୍ଦ ଦେଖି ଗୋବିନ୍ଦ ପ୍ରବଳ ମାନସିକ ଚାପରେ ଥିଲେ । ପୂର୍ବତନ ମନ୍ତ୍ରୀଙ୍କ ପାଇଁ ଗୋବିନ୍ଦଙ୍କୁ ଜେଲରେ ଜ୍ୱାଇଁପୁଅ ଚର୍ଚ୍ଚା ମିଳୁଥିଲା ବୋଲି ସେ କହିଛନ୍ତି । 

କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ କଲେଜର ଶିକ୍ଷୟିତ୍ରୀ ଥିବା ମମିତା ମେହେର ୨୦୨୧ ଅକ୍ଟୋବର ୮ ତାରିଖରେ ନିଖୋଜ ଥିଲେ । ଏନେଇ ଥାନାରେ ଏତଲା ଦେବା ପରେ ପୁଲିସ୍ ତତ୍ପର ହୋଇ ଉଠିଥିଲା । ତେବେ ଗୋବିନ୍ଦ ସାହୁର ନାଁ ସାମ୍ନାକୁ ଆସିବା ପରେ ପୁଲିସ୍ ଖୋଳତାଡ଼ ଆରମ୍ଭ କରିଥିଲା । ଏହା ପରେ ଗୋବିନ୍ଦକୁ ଧରି ଜେରା କରିଥିଲା । ଜେରା ପରେ ପୂରା କାହାଣୀ ସାମ୍ନାକୁ ଆସିଥିଲା। 

ଛାନଭିନ୍ ପରେ ଜଣାପଡ଼ିଲା ମମିତା ମେହେରଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ମମିତାଙ୍କୁ ମହାଲିଙ୍ଗ କଲେଜ ସଭାପତି ଗୋବିନ୍ଦ ହତ୍ୟା କରି ଗାତରେ ପକାଇ ନିଆଁ ଲଗାଇ ପୋଡ଼ି ଦେଇଥିବା ଅଭିଯୋଗ ହୋଇଥିଲା । ସେ ମମିତାଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଥିଲା । ହତ୍ୟା ପରେ ପଡ଼ିଆରେ ପୋତି ଦେଇଥିବା ଗୋବିନ୍ଦ ସ୍ୱୀକାର କରିଥିଲା । ଏହି ମାମଲାରେ ସେ ଗିରଫ ହୋଇ ଜେଲ୍‌ରେ ଥିଲେ । ତେବେ ଗୋବିନ୍ଦ ସହିତ ତତ୍କାଳୀନ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପର୍କ ସାମ୍ନାକୁ ଆସିବା ପରେ ରାଜ୍ୟ ରାଜନୀତି ଉଷ୍ମ ହୋଇଥିଲା ।