• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବହୁଚର୍ଚ୍ଚିତ ହନିଟ୍ରାପ୍ କୁଇନ୍ ଅର୍ଚ୍ଚନା ନାଗ୍‌ ଙ୍କ ଆର୍ଥିକ ସାମ୍ରାଜ୍ୟରେ ପଶିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ହନିଟ୍ରାପ୍ ଓ ବ୍ଲାକ୍‌ମେଲିଂ କରି କାହାଠୁ କେଉଁ ଉପାୟରେ ବହୁ କୋଟିର ଧନସଂପତ୍ତି ହାସଲ କରିଥିଲେ ନାଗ-ଚାନ୍ଦ ଦମ୍ପତ୍ତି ? ତାର ଖୋଳତାଡ଼ ଆରମ୍ଭ କରିଛି ଇଡି । ଅର୍ଚ୍ଚନାଙ୍କ ବାପ ଘରଠୁ ଶାଶୁଘର, କଳାହାଣ୍ଡି ରୁ କ୍ୟାପିଟାଲ୍ ଯାଏଁ ଏକକାଳୀନ ଇଡି ଛାପା ମାରିଛି । ପ୍ରାଥମିକ ଅନୁସନ୍ଧାନରୁ, ବ୍ୟାଙ୍କ ବଦଳରେ ସିଧାସଳଖ ହାତରେ ନଗଦ କାରବାର ହୋଇଛି । ଯେଉଁଁଥିରେ ବହୁ ବଡ଼ ବଡ଼ିଆଙ୍କ ସଂପୃକ୍ତିର ସୁରାଗ୍ ମିଳିଥିବାରୁ ଇଡି ସମସ୍ତଙ୍କୁ ସ୍କାନରରେ ରଖିଛି ।

ତେବେ କେଉଁ ଟଙ୍କାରେ ଛିଡ଼ା ହୋଇଛି ଅର୍ଚ୍ଚନାଙ୍କ ଭୁବନେଶ୍ୱର ସତ୍ୟବିହାରର ଆଲିସାନ କୋଠା ? କେଉଁ ବାଟ ଦେଇ ଅର୍ଜିତ ଟଙ୍କାରେ ରାଜକୀୟ ଜୀବନ ଜୀଉଁଥିଲେ ଅର୍ଚ୍ଚନା ନାଗ ? କାହା ଟଙ୍କାରେ ଏକାଧିକ ସୌଖିନ ଯାନବାହନ କିଣି ନିଜର ସଉକ ମେଣ୍ଟାଉଥିଲେ ଏହି ନାଗ-ଚାନ୍ଦ ଦମ୍ପତ୍ତି ? କୌଣସି ଆଖିଦୃଶିଆ ଆୟ ନଥାଇ କେମିତି ପାହାଡ଼ ଭଳି ଧନ ସମ୍ପତ୍ତିର ମାଲିକ ବନିଗଲେ ଏମାନେ ? ଉତ୍ତର ଖୋଜିବାକୁ ରାଜ୍ୟର ଛଅ ଛଅଟି ସ୍ଥାନରେ କଡ଼ା ସୁରକ୍ଷା ବଳୟ ଭିତରେ ଆଜି ଛାପା ମାରିଛି ଇଡି ।

କଳାହାଣ୍ଡିର କେସିଙ୍ଗା ସ୍ଥିତ ପୈତୃକ ବାସଭବନ, ଭୁବନେଶ୍ୱର ସ୍ଥିତ ସତ୍ୟବିହାର କୋଠା, ଜଳେଶ୍ୱରରେ ଥିବା ଅର୍ଚ୍ଚନାଙ୍କ ଶାଶୁଘରେ ଏକକାଳୀନ ରେଡ୍ ହୋଇଛି । କେବଳ ଏହି ୩ଟି ସ୍ଥାନ ନୁହେଁ, ବ୍ଲାକମେଲିଂ ଅଭିଯୋଗ ଆଣି ଅର୍ଚ୍ଚନା ବିରୋଧରେ ଖଣ୍ଡଗିରି ଥାନାରେ ଏତଲା ଦେଇଥିବା ପୀଡ଼ିତାଙ୍କ କଟକ ସ୍ଥିତ ବାଙ୍କି ଘରେ ବି ଚଢ଼ାଉ ହୋଇଛି । ତେବେ ଚଢ଼ାଉ ବେଳେ କୌଣସି ସ୍ଥାନରେ ଅର୍ଚ୍ଚନା କିମ୍ବା ସ୍ୱାମୀ ଜଗବନ୍ଧୁଙ୍କ ନିକଟ ସଂପର୍କିୟଙ୍କୁ ଇଡି ପାଇନଥିବା କୁହାଯାଉଛି ।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଫୋକସ୍‌ରେ ରହିଛି, ଅର୍ଚ୍ଚନା ଓ ଜଗବନ୍ଧୁଙ୍କ କଳାଟଙ୍କା କାରବାର ସହ ବେନାମୀ ଟଙ୍କା ଅର୍ଜନର ଉତ୍ସ ଓ ପ୍ରଭାବଶାଳୀଙ୍କ ସଂପୃକ୍ତି । କାରଣ ୪ ବର୍ଷ ଭିତରେ ବହୁ କୋଟି ସମ୍ପତ୍ତିର ମାଲିକ ବନିଛନ୍ତି ନାଗ-ଚାନ୍ଦ ଦମ୍ପତ୍ତି । ଉଭୟଙ୍କର ଏକ ପ୍ରଡକ୍ସନ ହାଉସ ବି ଥିଲା । ସେହି ପ୍ରଡକ୍ସନ ହାଉସ୍‌ରୁ କେତେ ଆୟ ହେଉଥିଲା ? ସିନେ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ଭଳି ଆଉ କାହା କାହାକୁ ବ୍ଲାକମେଲିଂ କରି ଟଙ୍କା ଆଦାୟ କରୁଥିଲେ ଅର୍ଚ୍ଚନା ?

ଜଗବନ୍ଧୁଙ୍କ ସହଯୋଗୀ ଖଗେଶ୍ୱରଙ୍କ ସେକେଣ୍ଡ ହ୍ୟାଣ୍ଡ୍ କାର୍ ବିଜନେସ୍‌ରେ କେତେ ଅର୍ଥ ବିନିଯୋଗ କରିଛନ୍ତି ନାଗ-ଚାନ୍ଦ ଦମ୍ପତ୍ତି ? ଏ ସବୁର ଖୋଳତାଡ଼ କରି ଖଗେଶ୍ୱରଙ୍କ ଭିଙ୍ଗାରପୁର କୁରାଙ୍ଗ ଶାସନ ସ୍ଥିତ ଗଙ୍ଗେଶ୍ୱର ଘରେ, ଭୁବନେଶ୍ୱର ହଂସପାଳ ଓ ରସୁଲଗଡ଼ ସ୍ଥିତ ସେକେଣ୍ଡ ହ୍ୟାଣ୍ଡ ଗାଡ଼ି ସୋ ରୁମ୍‌ରେ ଇଡି ରେଡ୍ କରିଛି । ରସୁଲଗଡ଼ରେ ୨୦୧୦ରୁ ୨୦୧୯ ଯାଏଁ ଖଗେଶ୍ୱର ପୁରୁଣା ଗାଡ଼ି ବ୍ୟବସାୟ କରୁଥିଲେ । ୨୦୧୯ ପରେ ଖଗେଶ୍ୱର ନିଜ ବ୍ୟବସାୟକୁ ହଂସପାଳ ଉଠାଇ ନେଇଥିଲେ ।

ଇଡିର ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି, ଆକାଉଣ୍ଟ ବଦଳରେ ଅର୍ଚ୍ଚନା ହାତାହାତି କ୍ୟାସ୍ କାରବାର କରିଛନ୍ତି । ତାସହ ଆର୍ଥିକ କାରବାର ସଂପର୍କିତ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ବି ମିଳିଛି । ଆଶଙ୍କା କରାଯାଉଛି, ବହୁ ପ୍ରଭାବଶାଳୀ ନେତା, ମନ୍ତ୍ରୀ ଏବଂ ସରକାରୀ ବାବୁଙ୍କ ଲିଙ୍କ୍ ରହିଛି । ତେବେ କିଏ ସେହି ପ୍ରଭାବଶାଳୀ ବ୍ୟକ୍ତିମାନେ ? ସେନେଇ କୌଣସି ସ୍ପଷ୍ଟ ହୋଇନଥିବାବେଳେ ବିରୋଧୀ ବିଜେପି ଓ କଂଗ୍ରେସ ଶାସକ ବିଜେଡି ଆଡ଼କୁ ଇଙ୍ଗିତ କରିଛନ୍ତି । ଅନ୍ୟପଟେ ବିଜେଡି କହିଛି, ଅଯଥାରେ ଭ୍ରମ ସୃଷ୍ଟି କରାଯାଉଛି ।

ଅର୍ଚ୍ଚନା ମାମଲାରେ କଟକ ବାଙ୍କିର ପୀଡ଼ିତାଙ୍କ ଘରେ ଇଡିର ରେଡ୍ ବେଳେ ପୀଡ଼ିତାଙ୍କ ମା କାଠଫାଳିଆରେ ସାମ୍ବାଦିକଙ୍କୁ ଆକ୍ରମଣ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଏନେଇ ସାମ୍ବାଦିକ ମାନଙ୍କ ପକ୍ଷରୁ ବାଙ୍କୀ ଥାନାରେ ଏତଲା ଦିଆଯାଇଛି ।