ମୃତ୍ୟୁ ଏମିତି ଆସିବ କେହି ଜାଣିନଥିଲେ । ବିବାହ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିଲେ । କିନ୍ତୁ ଶବ ହୋଇ ଫେରିଲେ । ବାହାଘର ଶୋଭାଯାତ୍ରା ଚାଲିଥିବା ବେଳେ ଅଘଟଣ l ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଲା ଡିଜେ ସାଉଣ୍ଡ ଗାଡି l ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ଜଣ ଗୁରୁତର ଆହତ ହୋଇଛନ୍ତି ।
ସୂଚନା ଅନୁସାରେ ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା କଦଳୀପାଳ ଜୁଆଙ୍ଗସାହିରେ ବାହାଘର ଶୋଭାଯାତ୍ରା ଚାଲିଥିବା ବେଳେ ସାହି ମଝିରେ ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲା ଡିଜେ ସାଉଣ୍ଡ ଗାଡି l ଫଳରେ ଛଅ ଜଣଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା ।
ଅଧିକ ପଢନ୍ତୁ:କଲେଜ କାନ୍ଥରେ ପିଟିହେଲା ଗାଡ଼ି, ବର ସମେତ ଚାଲିଗଲା ୮ ଜଣଙ୍କ ଜୀବନ
Also Read
ସ୍ଥାନୀୟ ଲୋକ ଗୁରୁତର ମାନଙ୍କୁ ତୁରନ୍ତ ୧୦୮ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ଅଁଳାବେରେଣୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ l ସେଠାରେ ଢେଙ୍କାନାଳ ଗୁଡିଆନାଳି ଅଞ୍ଚଳର ମଣ୍ଟୁ ପଲେଇଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ହେବାରୁ ଡାକ୍ତର ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ l ସେଠାରେ ତାଙ୍କର ମୃତ୍ୟୁ ହୋଇଛି l
ଅନ୍ୟ ପାଞ୍ଚ ଜଣଙ୍କ ଚିକିତ୍ସା ଏବେବି ଜାରି ରହିଛି l ତେବେ ସମ୍ପର୍କୀୟଙ୍କ ବାହାଘରରେ ଯୋଗ ଦେବାକୁ ଆସି ଏଭଳି ଅଘଟଣ ଘଟିଥିବା ଯୋଗୁଁ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି l