• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ରାତି ୧୧ଟାରେ ଜଣେ ଦୁର୍ବୃତ୍ତ ଆସିଲା । ବ୍ୟବସାୟୀଙ୍କୁ ସିଧା ଗୁଳି କଲା । ଏହା ପରେ ସାରା ସହରରେ ଚହଳ ପଡିଗଲା । କିଏ ଓ କାହିଁକି ହତ୍ୟା କଲା ସହରର ଜଣାଶୁଣା ବ୍ୟବସାୟୀ ଗୋପାଳ ଖେମକାଙ୍କୁ । ଏହି ଅଜଣା ଦୁର୍ବୃତ୍ତ ବାଇକରେ ଆସିଥିଲା । ମୃତ ଗୋପାଳ ଥିଲେ ମଗଧ ଘରୋଇ ହସ୍ପିଟାଲର ମାଲିକ । ସେ ତାଙ୍କ ଘର ଠାରୁ ଅଳ୍ପଦୂରରେ କାରରୁ ଓହ୍ଲାଇ ଏକ ଆପାର୍ଟମେଣ୍ଟକୁ ଯାଉଥିଲେ । ଏହି ସମୟରେ ଦୁର୍ବୃତ୍ତ କରିଥିଲା ଗୁଳିମାଡ଼ ।

ଏହି ଗୁଳିକାଣ୍ଡର ସିସିଟିଭି ଫୁଟେଜ୍ ପୋଲିସ ଜବତ କରିଛି । ଘଟଣାସ୍ଥଳରୁ ଗୋଟିଏ ଗୁଳି ଓ ଗୋଟିଏ ଖୋକା ଜବତ କରାଯାଇଛି । ଆପାର୍ଟମେଣ୍ଟ ବାହାରେ ଜଣେ ବ୍ୟକ୍ତି ଏଣେତେଣେ ଅନାଉଥିବାର ସିସିଟିଭି ଫୁଟେଜରୁ ଜଣାପଡୁଛି । ସେ ନୀଳ ରଙ୍ଗର ଏକ ସାର୍ଟ ପିନ୍ଧିଥିଲା । ଗୋପାଳ ନିଜେ କାର୍ ଡ୍ରାଇଭ୍ କରି ଏହି ଆପାର୍ଟମେଣ୍ଟ ନିକଟରେ ପହଞ୍ଚିଥିଲେ । ଏହି ଦୁର୍ବୃତ୍ତ ଜଣକ ଦୌଡିଯାଇ ତାଙ୍କ ଉପରକୁ ଗୁଳିଚାଳନା କରିଥିଲା । ପରେ ବାଇକ୍ ଧରି ଚମ୍ପଟ ମାରିଥିଲା । 

ଏହି ଘଟଣାରେ ଏକ ସ୍ପେସାଲ୍ ଇନଭେଷ୍ଟିଗେସନ ଟିମ୍ (SIT) ଗଠନ କରାଯାଇଛି । ଏହି ଏସଆଇଟିର ମୁଖ୍ୟ ଅଛନ୍ତି ନିଜେ ପୋଲିସ ଏସପି । ଏହି ଘଟଣା ଘଟିଛି ବିହାରର ପାଟନାରେ । ଏହି ହତ୍ୟା ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଛି ।

୨୦୧୮ରେ ଗୋପାଳଙ୍କ ପୁଅ ଗୁଞ୍ଜନଙ୍କୁ ମଧ୍ୟ ଦୁର୍ବୃତ୍ତମାନେ ଗୁଳି କରି ହତ୍ୟା କରିଥିଲେ । ଠିକ୍ ୭ ବର୍ଷ ତଳେ ତାଙ୍କ ପୁଅକୁ ମଧ୍ୟ ଦୁର୍ବୃତ୍ତମାନେ ଏଇମିତି ହତ୍ୟା କରିଥିଲେ । ଗୁଞ୍ଜନ ବିଜେପିର କ୍ଷୁଦ୍ର ଶିଳ୍ପ ସେଲର ଆବାହକ ଥିଲେ । ହାଜିପୁରରେ ଥିବା ତାଙ୍କ କଟନ ବ୍ୟାଣ୍ଡେଜ୍ ଫ୍ୟାକ୍ଟ୍ରି ନିକଟରେ ତାଙ୍କୁ ହତ୍ୟା କରାଯାଇଥିଲା ।

ଏହି ଗୋପାଳ ଖେମକା ହତ୍ୟା ଘଟଣାକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଇଛି । ପାଟନାର ଜନଗହଳିପୂର୍ଣ୍ଣ ଗାନ୍ଧୀ ମଇଦାନରେ ଘଟିଛି ଏହି ଘଟଣା । ଗୁଳିକାଣ୍ଡର ଦୁଇ ଘଣ୍ଟା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ବିହାର ପୋଲିସ ମୁଖ୍ୟାଳୟ ଠାରୁ ଅଳ୍ପ ଦୂରରେ ଦୁର୍ବୃତ୍ତମାନେ ଘଟାଇଛନ୍ତି ଏଭଳି କାଣ୍ଡ ।

ଗୋପାଳ ଏକ ନାମୀ କ୍ଲବର ଡିରେକ୍ଟର ମଧ୍ୟ ଥିଲେ । ଆଗକୁ ବିଧାନସଭା ନିର୍ବାଚନ ଥିବାରୁ ଏହାର ରାଜନୈତିକ ଦିଗ ମଧ୍ୟ ଥାଇପାରେ । ପାଟନା ଏସପି ଦୀକ୍ଷା କହିଛନ୍ତି, ସବୁ ଦିଗରୁ ପୋଲିସ ତଦନ୍ତ କରୁଛି । ଘଟଣାସ୍ଥଳକୁ କାହାରିକୁ ଛଡାଯାଉନାହିଁ । ସାଇଣ୍ଟିଫିକ ଟିମ୍ ମଧ୍ୟ ତଦନ୍ତରେ ସହାୟତା କରୁଛି । ଏହି ହତ୍ୟାକାଣ୍ଡ ପଛରେ କାହାର ହାତ ଅଛି କି ନାହିଁ, ସେ ନେଇ ମଧ୍ୟ ତଦନ୍ତ କରାଯାଉଛି । ତେବେ ଗୋପାଳଙ୍କ ଭାଇ ଅଭିଯୋଗ କରିଛନ୍ତି ଯେ, ଏହି ହତ୍ୟାକାଣ୍ଡ ପରେ ପୋଲିସ ବହୁ ବିଳମ୍ୱରେ ଘଟଣାସ୍ଥଳରେ ପହଞ୍ଚିଥିଲା । ତାହା ପରିବାର ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି କରୁଛି ।

ଅଧିକ ପଢ଼ନ୍ତୁ: ବିଶ୍ୱାସଘାତକ ହେଲପର୍‌, ମାଲିକାଣୀ ଗାଳି କଲେ ବୋଲି ସାଜିଲା ସୈତାନ...