• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ପୁଣି ପିକନିକ୍ ଋତୁ, ପୁଣି ଦୁର୍ଘଟଣାକୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ଡୋକରୀ ଘାଟି ବସ୍ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ୨୫ରୁ ଅଧିକ ଆହତ ହୋଇଛନ୍ତି। କଟକରୁ ପ୍ରାୟ ୭୦ ଯାତ୍ରୀ ଗୁପ୍ତେଶ୍ବର ଶୈବପୀଠକୁ ଯାଉଥିବା ବେଳେ, ଆଜି ଭୋରରୁ ପ୍ରାୟ ୧୦ ଫୁଟ୍ ତଳକୁ ଖସିପଡ଼ିଥିଲା ବସ୍। ସେପଟେ ଘଟଣାକୁ ନେଇ ଶୋକ ପ୍ରକାଶ କରିବା ସହିତ ମୃତକଙ୍କ ପରିବାର ପାଇଁ ଅନୁକମ୍ପାରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

କାନ୍ଦ ବୋବାଳିରେ ପାଲଟିଯାଇଛି କେଇ ଘଣ୍ଟା ତଳର ମଜା ମଉଜ...ଆଖି ପିଛୁଳାକେ ଖିନଭିନ ହୋଇଯାଇଛି ଖୁସିର ପୁଟୁଳି... ଭାଗ୍ୟକୁ ଯେତେ ଅଣ୍ଡାଳିଲେ ବି, ସାଉଁଟିବାକୁ ଆଉ କିଛି ବି ନାହିଁ...। ଆଜି ଭୋରରୁ ଦୁର୍ଘଟଣାଗ୍ରସ୍ତ ହୋଇଛି କୋରାପୁଟ ବୈପାରୀଗୁଡ଼ା ଥାନା ଅନ୍ତର୍ଗତ ସୁକୁନାଳ ଡୋକରୀ ଘାଟିରେ। ସୂଚନା ଅନୁସାରେ, ନୂଆବର୍ଷ ବୁଲାବୁଲି ପାଇଁ ଶୁକ୍ରବାର କଟକ ଆଲିଶା ବଜାରରୁ ବାହାରିଥିଲେ କଟକ, ନିଆଳି ଓ ନିମାପଡ଼ା ଅଞ୍ଚଳର ପ୍ରାୟ ୭୦ ଯାତ୍ରୀ। ଗତକାଲି ଭବାନୀପାଟଣାରେ ମାଣିକେଶ୍ବରୀ ଦର୍ଶନ ପରେ, ଜୟପୁରରୁ ରାତି ୪ଟାରେ ବାହାରିଥିଲେ ଗୁପ୍ତେଶ୍ବର ଶୈବପୀଠ ଅଭିମୁଖେ। ଭୋର୍ ପ୍ରାୟ ସାଢ଼େ ୫ଟା। ଅଙ୍କାବଙ୍କା ଡୋକରୀ ଘାଟିଦେଇ ଯାଉଥିଲା ଓମ୍ ମାଆ ବସ୍। ଆଉ ଗୋଟିଏ ବୁଲାଣିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଲା ପ୍ରାୟ ୧୦ ଫୁଟ୍ ତଳକୁ।

Also Read

ଅଧିକ ପଢ଼ନ୍ତୁ: ଦକ୍ଷିଣ କୋରିଆରେ ପ୍ଲେନ୍ କ୍ରାସ୍; ରନ୍‌ୱେରୁ ଗଡ଼ିଯାଇ ପାଚେରିରେ ଧକ୍କା ହେଲା, ୬୨ ମୃତ

ଶୈବପୀଠକୁ ଆଉ ମାତ୍ର ୫-୭ କିଲୋମିଟର ରାସ୍ତା ବାକି ଥିବା ବେଳେ, ଅଧାରେ ଅଟକିଲା ଗୁପ୍ତେଶ୍ବର ଦର୍ଶନ। ପ୍ରଥମେ ରାମଗିରି ୧୮୦ ବାଟାଲିୟନ ବିଏସ୍ଏଫ୍ ଯବାନ, ପରେ ଓଡ୍ରାଫ୍ ଓ ସ୍ଥାନୀୟ ଲୋକ ସାମିଲ ହୋଇଥିଲେ ଉଦ୍ଧାର କାର୍ଯ୍ୟରେ। ପ୍ରାୟ ୨୫ ଆହତ ଯାତ୍ରୀଙ୍କୁ ପ୍ରଥମେ ରାମଗିରି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ପରେ ବୈପାରୀଗୁଡା ଓ ଶେଷରେ ଜୟପୁର ମେଡିକାଲକୁ ନିଆଯାଇଥିଲା। 

ସଂକଟାପନ୍ନ ୬ ଜଣଙ୍କୁ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରୁ ବ୍ରହ୍ମପୁର MKCGକୁ ସ୍ଥାନାନ୍ତର କରାଯାଇଥିଛି। ବସ୍ ଚାଳକ ଏଥିରେ ଆହତ ହୋଇଥିବା ବେଳେ, ତାଙ୍କ ସହ ଆସିଥିବା ଆଉ ଜଣେ ବସ୍ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ତେବେ ହୃଦୟ ବିଦାରକ କଥା ହେଉଛି, ଏହି ଦୁର୍ଘଟଣାରେ ଆଖି ବୁଜିଥିବା ୨ ଯାତ୍ରୀଙ୍କ ମଧ୍ୟରେ ଅଛି ଏକ ୮-୧୦ ବର୍ଷର ଝିଅ ଭାଗ୍ୟଶ୍ରୀ, ଯାହାକୁ ହରାଇ ଭାଙ୍ଗିପଡ଼ିଛି ତାଙ୍କ ପରିବାର। ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।
 
ପିକନିକ୍ ଋତୁ ଆସୁଆସୁ ପୁଣି ଜୀବନ ନେଲା ଘାଟି ରାସ୍ତା। କନ୍ଧମାଳ କଳିଙ୍ଗା ଘାଟି ହେଉ, ଅବା ଗଞ୍ଜାମ-ଗଜପତି ସୀମାନ୍ତ ତପ୍ତପାଣି ଘାଟି। ମୟୂରଭଞ୍ଜର ବାଙ୍ଗରିପୋଷି ଘାଟି ହେଉ କି ବୌଦ୍ଧର ବହୁଚର୍ଚ୍ଚିତ ଗଇଲୋ ଘାଟି। ବିଗତ ବର୍ଷମାନଙ୍କରେ ଡେଥ୍ ଜୋନ୍ ପାଲଟିଛି ପର୍ଯ୍ୟଟନସ୍ଥଳୀ ନିକଟରେ ଥିବା ଏହିସବୁ ବିପଦସଂକୁଳ ଘାଟିରାସ୍ତା। କେବେ ଅନଫିଟ୍ ଗାଡ଼ି, ଶୀତ ଦିନିଆ କୁହୁଡ଼ି, ଓଭରସ୍ପିଡ୍ ତ ଆଉ କେବେ ନିଶାସକ୍ତ ଡ୍ରାଇଭର। ମର୍ମନ୍ତୁଦ ଦୁର୍ଘଟଣା ପଛରେ ସାମ୍ନାକୁ ଆସିଛି ଏଭଳି ଅନେକ କାରଣ। ତେବେ କୋରାପୁଟ ଡୋକରୀ ଘାଟିରେ ବସ୍ ଦୁର୍ଘଟଣା ପଛର କାରଣ କଣ ? କାହିଁକି ଘାଟିରାସ୍ତାରେ ବେକାବୁ ହେଲା ଯାତ୍ରୀବାହୀ ବସ୍ ? କୁହାଯାଉଛି- ବସ୍‌ର ରହିଛି ଫିଟନେସ ସାର୍ଟିଫିକେଟ୍। ଡ୍ରାଇଭର ବି ନିଶାପାଣି କରିନଥିଲେ । ହେଲେ କାଳ ପାଲଟିଲା ଅଭିଜ୍ଞତାର ଅଭାବ। ଡ୍ରାଇଭରଙ୍କ ପାଇଁ ଅପରିଚିତ ଥିଲା ଏହି ଅଙ୍କାବଙ୍କା ଘାଟିରାସ୍ତା। ଗାଡ଼ିଟି ହୁଏତ ସ୍ପିଡରେ ଥିବାରୁ, ତାହା ଚାଳକଙ୍କ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିବା ଆଶଙ୍କା କରାଯାଉଛି । ଗତକାଲି ମରାମତି ହୋଇଥିବା ବସ୍ ପୁଣି ଘଟଣା ବେଳେ ବ୍ରେକ୍ ଫେଲ୍ ହୋଇଥିବା ମଧ୍ୟ ଆଶଙ୍କା କରାଯାଉଛି।

ଅଧିକ ପଢ଼ନ୍ତୁ:  ଉଡ଼ାଣର କିଛି ସମୟ ପରେ କ୍ରାସ୍‌ ହୋଇଗଲା ବିମାନ, ଗୋଟିଏ ପରିବାରର ୧୦ ମୃତ