Advertisment

Enduring Love: ଦୁଃଖ ଅସରନ୍ତି, ମଉଳିନି ପ୍ରେମ... ହୃଦୟକୁ ଛୁଇଁଯିବ ଏ ବୃଦ୍ଧା ଦଂପତିଙ୍କ ପ୍ରେମ କାହାଣୀ

ଚମ ଧୁଡୁଧୁଡ ହେଲାଣି, ବଙ୍କୁଲି ବାଡି ନଧରିଲେ ଛିଡା ହେବା କଷ୍ଟ । ବୟସର ସାୟାହ୍ନରେ ବି ଫିକା ପଡିନି ପ୍ରେମ । ବାଲ୍ୟବସ୍ଥାରୁ ବଙ୍କୁଲିବାଡିର ଏ ରାସ୍ତାରେ ସେମିତି ଚାଲିଛନ୍ତି ଦୁହେଁ ଦୁହିଁଙ୍କର ହାତ ଧରି

author-image
Namita Biswal
Asika-Old-Couple-Love

Couple-Love Photograph: (OTV)

ଚମ ଧୁଡୁଧୁଡ ହେଲାଣି, ବଙ୍କୁଲି ବାଡି ନଧରିଲେ ଛିଡା ହେବା ବି ମୁସ୍କିଲ । ହେଲେ ବୟସର ସାୟାହ୍ନରେ ବି ଫିକା ପଡିନି ଏମାନଙ୍କର ପ୍ରେମ । ବାଲ୍ୟବସ୍ଥାରୁ ବଙ୍କୁଲିବାଡି ଯାଏଁର ଏ ରାସ୍ତାରେ ସେମିତି ଚାଲିଛନ୍ତି ଦୁହେଁ ଦୁହିଁଙ୍କର ହାତ ଧରି, ଯେମିତି ଛାଇ ବିନା ଦେହ । କିଏ କହିଲା ପ୍ରେମ ଯେ କେବଳ ଯୌବନରେ ହୁଏ, ତାହେଲେ ଇଏ କ'ଣ... ପ୍ରେମ ଯଦି ମନ୍ଦିର ହୁଏ, ଏ ଦୁହେଁ ସେ ମନ୍ଦିରର ମୂର୍ତ୍ତିମନ୍ତ ଦେବାଦେବୀ । ପ୍ରେମ ସପ୍ତାହରେ ଆମ କ୍ୟାମେରା ଲେନ୍ସରେ କଏଦ ହୋଇଥିଲା ଚିରନ୍ତର ପ୍ରେମର ଏକ ହୃଦୟସ୍ପର୍ଶୀ ଚିତ୍ର । ବୃଦ୍ଧ ସ୍ୱାମୀର ଦେହ ଖରାପ ଥିବାରୁ ତାଙ୍କୁ ଜାବୁଡି ଧରି ଡାକ୍ତରଖାନାକୁ ଚାଲିଛନ୍ତି ବୃଦ୍ଧା ସ୍ତ୍ରୀ । 

Advertisment

ଶାଶ୍ୱତ ପ୍ରେମର ପ୍ରତୀକ:
ଆସିକା ବ୍ଲକ୍ ରୁଷିପୁର ଗାଁର ୮୫ ବର୍ଷୀୟ ମୋହନ ସ୍ୱାଇଁ ଓ ତାଙ୍କ ସ୍ତ୍ରୀ ଶଶୀ । ଶରୀର ଦୁଇଟି, ଆତ୍ମା ଗୋଟିଏ । କେହି କାହାରିକୁ ଛାଡି ଘଡ଼ିଏ ଜୀଇଁବା ବି କଷ୍ଟକର । କାହିଁ କେଉଁ କାଳରୁ ଦୁହିଁଙ୍କର ବାଲ୍ୟ ବିବାହ ହୋଇଥିଲା । ଯୌବନ ଯାଇ, ବୟସର ସାୟାହ୍ନ ହେଲାଣି ଏବେ ବି ସେମିତି ସତେଜ ଏମାନଙ୍କର ପ୍ରେମ । ତାଙ୍କର କିଛି ହେଲେ ମୁଁ ବଞ୍ଚିପାରିବନି ବୋଲି କହୁଛନ୍ତି ବୃଦ୍ଧା । ମୋହନ ବି ଖନେଇ ଖନେଇ ପତ୍ନୀ ବିନା ତାଙ୍କର ଜୀବନ ନିରର୍ଥକ ବୋଲି କହିଛନ୍ତି । 

ତୁମ ବିନା ବଞ୍ଚିପାରେନା...
ଏହି ବୃଦ୍ଧ ଦଂପତିଙ୍କ ପରିବାର କହିଲେ ଦୁଇ ଝିଅ  ଓ ଗୋଟିଏ ପୁଅ । ଝିଅମାନେ ବାହା ହୋଇଯାଇଛନ୍ତି । ପୁଅବୋହୂ ଅଛନ୍ତି, ହେଲେ ପଚାରୁନାହାନ୍ତି । ସ୍ତ୍ରୀ-ଛୁଆଙ୍କୁ ନେଇ ପୁଅ ରହୁଛି ବାହାରେ । ଆଉ ଏଠି ଗାଁରେ ପରିଣତ ବୟସରେ ଘରେ ନିସଙ୍ଗ ଜୀବନ ବିତାଉଛନ୍ତି ଏହି ବୃଦ୍ଧ ଦଂପତି । କେହି ନ ପଚାରିଲେ ନାହିଁ, ଦୁହେଁ ଦୁହିଁକର ସାହାରା । କେଇଟା ଭତ୍ତା ପଇସାରେ ତାଙ୍କର ଏ ସଂସାର ଚଳୁଛି । ନିଜ ଅଣ୍ଟାରେ ବଳି ନାହିଁ, ତଥାପି ଦିନରାତି ରୋଗୀଣା ସ୍ୱାମୀର ସେବା ଶୁଶ୍ରୂଷାରେ ଲାଗିଛନ୍ତି ଶଶୀ ।  
ପରିଣତ ବୟସ ଓ ପରିବର୍ତ୍ତିତ ପରିସ୍ଥିତିରେ ବି ଯାହା ବଦଳି ଯାଏନା ତାହା ହିଁ ତ ଶାଶ୍ୱତ ପ୍ରେମ । ଆସିକାର ଏହି ବୃଦ୍ଧା ଦଂପତିଙ୍କ ଅନାବିଳ ପ୍ରେମ ଆଜିର ଯୁବପିଢିଙ୍କ ପାଇଁ ଉଦାହରଣ ନିଶ୍ଚୟ । 

Advertisment

old couple love Ganjam valentines day Love
Advertisment
Related Articles
Advertisment