Advertisment

Paush Purnima Ritual Of Lord Jagannath: ମହାପ୍ରଭୁଙ୍କ ଅଭିଷେକ, ଶ୍ରୀମନ୍ଦିରରେ ଜଗନ୍ନାଥଙ୍କ ପୁଷ୍ୟାଭିଷେକ

ପୌଷ ପୂର୍ଣ୍ଣିମା ଦିନ ରାମଚନ୍ଦ୍ର ଚଉଦବର୍ଷ ବନବାସ ପରେ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରି ରାଜ୍ୟଭାର ଗ୍ରହଣ କରିବା ପୂର୍ବରୁ ତାଙ୍କର ରାଜାଭିଷେକ ଉତ୍ସବ ଅନୁଷ୍ଠିତ ହୋଇଥିଲା ।

author-image
Sarojini Sankhua
Pousha Purnima

Pousha Purnima Photograph: (OTV)

ପୌଷ ପୂର୍ଣ୍ଣିମା ଦିନ ରାମଚନ୍ଦ୍ର ଚଉଦବର୍ଷ ବନବାସ ପରେ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରି ରାଜ୍ୟଭାର ଗ୍ରହଣ କରିବା ପୂର୍ବରୁ ତାଙ୍କର ରାଜାଭିଷେକ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହାକୁ ଏକ ସ୍ମୃତି ରୂପେ ଗ୍ରହଣକରି ପ୍ରତିବର୍ଷ ଏହିଦିନ ଦେବମନ୍ଦିରମାନଙ୍କରେ ଠାକୁରମାନଙ୍କର ପୁଷ୍ୟାଭିଷେକ ହେଉଅଛି । ଏହିଦିନ ଶ୍ରୀ ଜୀଉମାନଙ୍କର ପୁଷ୍ୟାଭିଷେକ ହୁଏ । ଏ ବିଷୟରେ‘ଯାତ୍ରା ଭାଗବତ’ରେ ଉଲ୍ଲେଖ ରହିଛି ଯେ ‘ପୌଷମାସି ସିତେ ପକ୍ଷେ ପୌର୍ଣମ୍ୟାଂ ରକ୍ମିଣୀପତେଃ ପୁଷ୍ୟାଭିଷେକଂ କୂର୍ବୀତ ସର୍ବକାମାର୍ଥ ସିଦ୍ଧୟେ ।’’

Advertisment

ଏହିଦିନ ହେଉଥିବା ଶ୍ରୀଜଗନ୍ନାଥଙ୍କ ବେଶରୁ ସୂଚିତ ହୁଏ ଯେ ଏହା ରାମାଭିଷେକ ଉତ୍ସବ। ସେଥିପାଇଁ ଏହାର ଅନ୍ୟନାମ ଦେବାଭିଷେକ ଉତ୍ସବ । 

ଶ୍ରୀ ଜଗନ୍ନାଥଙ୍କ ପୁଷ୍ୟାଭିଷେକ:-

ପୁଷ୍ୟାଭିଷେକ ଶ୍ରୀଜଗନ୍ନାଥଙ୍କ ଦ୍ୱାଦଶଯାତ୍ରା ମଧ୍ୟରୁ ଏକ ବିଶେଷ ଉତ୍ସବ। ପୌଷ ପୂର୍ଣ୍ଣିମା ତିଥିରେ ପାଳିତ ଏହି ଉତ୍ସବକୁ ‘ସ୍କନ୍ଦପୁରାଣ’ରେ  ‘ପୁଷ୍ୟସ୍ନାନ’ ବୋଲି କୁହାଯାଇଛି। ଏହାର କାରଣ, ଏହିଦିନ ରାଜା ସ୍ନାନ କରି ବ୍ରାହ୍ମଣମାନଙ୍କୁ ଦାନ ଓ ଭୋଜନାଦି ପ୍ରଦାନ କରନ୍ତି ଏବଂ ତାହା ଦ୍ୱାରା ପ୍ରଜାମାନଙ୍କର ମଙ୍ଗଳ ହୁଏ। ଶ୍ରୀ ଜଗନ୍ନାଥ ଏ ସମଗ୍ର ଉତ୍କଳ ଖଣ୍ଡ ତଥା ବିଶ୍ୱବ୍ରହ୍ମାଣ୍ଡର ରାଜା। ତେଣୁ ତାଙ୍କର ଅଭିଷେକ ଉତ୍ସବ ବିଶେଷ ଭାବେ ପାଳିତ ହୁଏ।  ଏହାକୁ ଦର୍ଶନ କଲେ ସର୍ବକାମ ସିଦ୍ଧିପ୍ରାପ୍ତ ହୋଇଥାଏ ।

Advertisment

ପୁଷ୍ୟସ୍ନାନ-

ପୌଷପୂର୍ଣ୍ଣିମା ପୂର୍ବଦିନ ଅର୍ଥାତ ଚତୁର୍ଦ୍ଦଶୀ ଦିନ ଚନ୍ଦନଲାଗି ନୀତି ପରେ ଅଧିବାସ କର୍ମ କରାଯାଏ । ଏଥିପାଇଁ ଭୋଗମଣ୍ଡପ ଘର ଧୋପଖାଳ ହୋଇ ଚାନ୍ଦୁଆ ବନ୍ଧା ଯାଇଥାଏ । ଏକ ହାଣ୍ଡି ଘିଅ ଓ ରୋଷକୂଅରୁ ନୂଆହାଣ୍ଡିରେ ଅଣାଯାଇଥିବା ପାଣି ପରଖମାନଙ୍କରେ ରଖାଯାଇଥାଏ । ଘିଅକୁ ଏକୋଇଶ ଗରାରେ ଓ ପାଣିକୁ ସତାଅଶୀ ଗରାରେ ବିଭକ୍ତ କରାଯାଇ ଚାରି ପନ୍ତି ହୋଇ ଚାନ୍ଦୁଆତଳେ ରଖାଯାଏ । ଏହି ଗରାମାନଙ୍କୁ ଦେଉଳ ପୁରୋହିତ ଚେମେଡ଼ି ପତନି ଘୋଡ଼ାଇ, ଫୁଲ ଚନ୍ଦନ ଦେଇ ଅଧିବାସ କରନ୍ତି । ପରେ ଭୋଗମଣ୍ଡପ ଦ୍ଵାର ବନ୍ଦହୋଇ ତଡ଼ଉକରଣ ମୁଦ ଦିଅନ୍ତି । ପରେ  ବଡ଼ସିଂହାର ଭୋଗ ପୂଜା ସରିବା ପରେ ପାଣି ପଡ଼ି ଧୋପଖାଳ ହୋଇ ଭଦ୍ରାସନ ଉପରେ ପାହାଡ଼ା ପଡ଼ି ଅଧିବାସ ଦର୍ପଣ ଶ୍ରୀଜଗନ୍ନାଥଙ୍କ ସମ୍ମୁଖରେ ଅଭିମନ୍ତ୍ରିତ ଫୁଲ ଓ ଚନ୍ଦନାଦି ଦ୍ବାରା ଅଧିବାସ ହୁଏ । ଭଦ୍ରାସନର ଚାରିପାଖେ ଚିକିଟାମାଟିରେ ବନ୍ଧ କରାଯାଇଥାଏ । ଏହାପରେ ପଇଡ଼ ବିଡ଼ିଆ ମଣୋହି ହୋଇ ପହୁଡ଼ ହୁଏ । ଏକାଦଶୀ ଦିନ ଦେଉଳ ପୁରୋହିତ ସ୍ନାନବେଦୀ ପାଖରେ ଅଙ୍କୁରାରୋପଣ ପୂଜା କରିଥିବେ । 

ଶ୍ରୀମନ୍ଦିର ଭିତରବେଡ଼ାରେ ଥିବା ପ୍ରତିହାରୀ ନିଯୋଗ କାର୍ଯ୍ୟାଳୟ ଗୃହ ସମ୍ମୁଖରେ କୋଠସୁଆଁସିଆଙ୍କଦ୍ୱାରା ଏକ ଯଜ୍ଞଶାଳା ତିଆରି ହୋଇଥାଏ । ପୂର୍ଣ୍ଣିମା ଦିନ ସକାଳଧୂପ ପୂଜା ବସିଥିବା ବେଳେ ଏଠାରେ ହୋମ କରାଯାଏ । ଭିତରେ ସକାଳଧୂପ ଶେଷ ପରେ ପାଣିପଡ଼ିବା ପରେ କେବଳ ଶ୍ରୀଜଗନ୍ନାଥଙ୍କ ବାଡ଼ରେ ମୈଲମ ହୋଇ ତଡ଼ପ ଉତ୍ତରୀ ଲାଗି କରାଯାଏ । ପରେ ମହାସ୍ନାନ ପୂଜା ଠା’ ହୁଏ । ଗତଦିନରେ ଅଧିବାସ ହୋଇଥିବା ଭୋଗମଣ୍ଡପ ଘରର ମୁଦ ଖୋଲାଯାଇ ରୋଷଘରୁ ନିଆଁ ଅଣାଯାଏ ଓ ସେଥିରେ ଘିଅକୁ ତରଳାଯାଇ କଳସୀମାନଙ୍କରେ ଥିବା ପାଣିରେ ମିଶାଯାଏ । ଟେରାବନ୍ଧା ପରେ ଭୋଗମଣ୍ଡପ ଘରଠାରୁ ଜଳଛେକ ଗରାବଡୁମାନେ ବାଘମୁହଁ ବାନ୍ଧି, ଘଣ୍ଟା ଛତା କାହାଳୀ ସହ ତଳିଛ ପ୍ରଧାନୀ ପଟୁଆରରେ ଆସି ଚାରି ଥରରେ ଚାରିଟି ପନ୍ତିରେ ରଖନ୍ତି । ଏହା ପରେ ଶୀତଳ ଭୋଗ ଛେକ ଆସେ । ତା'ପରେ ମୁଦିରସ୍ତ ଶ୍ରୀଅଙ୍ଗରେ ପ୍ରସାଦଲାଗି କରନ୍ତି । ପୂଜାପଣ୍ଡା ଓ ଦେଉଳ ପୁରୋହିତ ପାତ୍ରି, ଅଧିବାସ ଦର୍ପଣ ପାଖରେ ଧରିଥାନ୍ତି ।ଶ୍ରୀଜଗନ୍ନାଥଙ୍କ ବାଡରେ ଗରାବଡୁମାନେ ଘିଅ ଓ ଜଳ ସେହି ପାତ୍ରିରେ ଦେଇ ଦର୍ପଣ ଉପରେ ଲାଗି କରାନ୍ତି । ପାଣି ପଡ଼ିବା ପରେ ପୁଷ୍ପାଳକମାନେ ମୈଲମ କରି ନୂଆ ଲୁଗା ଲାଗି କରିବା ପରେ ପଣ୍ଡା, ପତି, ମୁଦିରସ୍ତ ସର୍ବାଙ୍ଗ ଲାଗି କରାନ୍ତି ।

ପୁଷ୍ୟାଭିଷେକ ନୀତି -

ପୁଷ୍ୟସ୍ନାନ ପରେ ଲକ୍ଷ୍ମୀ ଆଜ୍ଞାମାଳ ପାଇ ପାଲିଙ୍କିରେ ଯାଇ ଲକ୍ଷ୍ମୀମନ୍ଦିରର ଜଗମୋହନରେ ଖଟ ଉପରେ ବିଜେ ହୁଅନ୍ତି । ସେଠାରେ ତାଙ୍କର ମାଜଣା, ଚନ୍ଦନଲାଗି ବେଶ ହୁଏ । ଏହା ପରେ ଭିତରେ ମହାପ୍ରଭୁଙ୍କର ଅଭିଷେକ ବେଶ, ସୁନା ଅଳଙ୍କାର ଲାଗି, ମାଳଫୁଲ କର୍ପୂର ଲାଗି ପରେ ରୋଷଘରୁ ଘଣ୍ଟ, ଛତା, କାହାଳୀ, ପଟୁଆରରେ ପୁଷ୍ୟାଭିଷେକ ଯାତ୍ରାଙ୍ଗୀ ଭୋଗ ଛାମୁକୁ ଆସେ । ଏହା ପରେ ଲକ୍ଷ୍ମୀ ବାହୁଡ଼ା ବିଜେ ହୋଇ ଭିତର ସିଂହାସନକୁ ବିଜେ କରନ୍ତି । ମୁଦିରସ୍ତ ପ୍ରସାଦ ଲାଗି କରନ୍ତି ଓ ଦଣ୍ଡଛତ୍ର ସଂସ୍କାର କରି ଭିତରଛ ମହାପାତ୍ର ସିଂହାସନ ଉପରକୁ ଉଠିଲେ ତାଙ୍କୁ ଦିଅନ୍ତି । ଭିତରଛ ସିଂହାସନ ଉପରେ ଲକ୍ଷ୍ମଣଙ୍କ ସ୍ୱରୂପ ଠିଆହୋଇ ଦଣ୍ଡଛତ୍ର ଧରନ୍ତି । 

ପାଳିଆ ଭଣ୍ଡାରମେକାପ ହନୁମାନ ସ୍ୱରୂପ ଦଣ୍ଡଛତ୍ର ମୂଳକୁ ଧରନ୍ତି । ପୂଜାପଣ୍ଡା ଆସି ଷୋଡ଼ଶ ଉପଚାରରେ ପୂଜା କରନ୍ତି । ଭୋଗସରି ପାଣି ପଡ଼ିଲେ ପଣ୍ଡା, ପତି, ମୁଦିରସ୍ତ ତିନିବାଡ଼ରେ ବନ୍ଦାପନା କରନ୍ତି । ମୁଦିରସ୍ତ ଫୁଲ ଶର ଆୟୁଧ ଲାଗି କରନ୍ତି । ପରେ ସେ ସିଂହାସନ ଉପରେ ଚାମର ଆଲଟ କରନ୍ତି । ତା'ପରେ ସିଂହାସନ ତଳେ ମଧ୍ୟ ଆଲଟ ଲାଗି ଓ ଘଷା ବିଡ଼ିଆ ଦହି ମଣୋହି କରନ୍ତି । ଅଖଣ୍ଡ ମେକାପ ବଇଠା ହାତରେ ଧରି ଶ୍ରୀଜଗନ୍ନାଥଙ୍କ ବାଡ଼ରେ ଠିଆ ହୋଇଥା'ନ୍ତି । ରାଜନୀତି ଓ ବନ୍ଦାପନା ସରିବା ପରେ ମୁଦିରସ୍ତ ସିଂହାସନ ଉପରକୁ ଫୁଲ ଧନୁଶର ଓ ଗଦି ପ୍ରସାଦ ମୈଲମ କରନ୍ତି । ଭିତରଛ ଦଣ୍ଡଛତ୍ର ମୈଲମକରି ତଳକୁ ଦିଅନ୍ତୁ । 

ଦକ୍ଷିଣଘର ଭୋଗ ଶେଷ ପରେ ରଘୁନାଥ ଠାକୁର ରତ୍ନସିଂହାସନଙ୍କୁ ବିଜେ କରନ୍ତି । ସେ ଶ୍ରୀଅଙ୍ଗରୁ ଆଜ୍ଞାମାଳ ପାଇବା ପରେ ଲକ୍ଷ୍ମୀମନ୍ଦିରକୁ ବାହାର ଅଭିଷେକପାଇଁ ବିଜେ କରନ୍ତି । ସେଠାରେ କାଠ ଭଦ୍ରାସନରେ ବିଜେ ହେବା ପରେ ମହାସ୍ନାନ ହୁଏ । ଭୋଗ ବନ୍ଦାପନା ହୋଇ ଦକ୍ଷିଣ ଘରକୁ ବାହୁଡ଼ା ବିଜେ କରନ୍ତି ।

ଶ୍ରୀ ଜଗନ୍ନାଥଙ୍କ ରାଜବେଶ:-

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ରାଜବେଶ ବର୍ଷକୁ ପାଞ୍ଚ ଥର ହୁଏ | ସେହି ଦିନଗୁଡ଼ିକ  ହେଉଛି - ବିଜୟାଦଶମୀ, କାର୍ତ୍ତିକପୂର୍ଣ୍ଣିମା, ପୌଷପୂର୍ଣ୍ଣିମା, ଦୋଳପୂର୍ଣ୍ଣିମା ଓ ରଥ ଉପରେ ବଡ଼ ଏକାଦଶୀ ।  ପୌଷପୂର୍ଣ୍ଣିମା ବା ଅଭିଷେକ ପୂର୍ଣ୍ଣିମାରେ ସକାଳ ଧୂପ ପରେ  ରାଜବେଶ ହୁଏ । ପୌଷ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିର ରତ୍ନସିଂହାସନ ଉପରେ ଶ୍ରୀଜୀଉମାନଙ୍କୁ ସୁନାବେଶରେ ସଜ୍ଜିତ କରାଯାଏ । ରତ୍ନସିଂହାସନରେ ଶ୍ରୀଜୀଉମାନେ ରାଜରାଜେଶ୍ୱର ବେଶ ବା ସୁନାବେଶରେ ବିଭୂଷିତ ହୁଅନ୍ତି। ପୂର୍ବଦିନରୁ ଅଧିବାସ ଗୃହରେ ଅଧିବାସ ହୋଇ ରହିଥିବା ଘିଅ ମିଶ୍ରିତ ୧୦୮ ଗରା ଜଳରେ ଚନ୍ଦନ ଲାଗି ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଅଭିଷେକ କରାଯାଏ।  ମସ୍ତକରେ କିରିଟ, ପାଦରେ ଶ୍ରୀପୟର, ହାତରେ ଶ୍ରୀଭୁଜ ସହ ହରିଡ଼ାମାଳ, ବାହାଡା ମାଳି, ସେବତୀ ମାଳି, ଆଡ଼କାନି, ଚନ୍ଦ୍ର ସୂର୍ଯ୍ୟ ଆଦି ବିବିଧ ପ୍ରକାର  ସ୍ଵର୍ଣ୍ଣ ଅଳଙ୍କାରରେ ମହାପ୍ରଭୁ ମାନେ ରାଜବେଶରେ ବିଭୂଷିତ ହୁଅନ୍ତି। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦର୍ଶନ କଲେ ଅନନ୍ତ କୋଟି ପୁଣ୍ୟ ଫଳ ମିଳିଥାଏ ବୋଲି ବିଶ୍ଵାସ ରହିଛି।

Lord Jagannath At Puri Temple
Advertisment
Related Articles
Advertisment