Advertisment

Fun Turns to Fear at Bali Yatra: କାହା ଭୁଲରୁ ବାଲିଯାତ୍ରାରେ ଘଟିଲା ଅଘଟଣ ? ବିଳମ୍ବିତ ରାତିରେ ଦୋଳିରେ ଝୁଲିରହିଥିଲେ ୮ ଜଣ

କାହିଁକି ବାଲିଯାତ୍ରାରେ ଘଟିଗଲା ବଡ଼ ଅଘଟଣ ? କାହା ଭୁଲ୍ ପାଇଁ ବାଜିରେ ଲାଗିଲା ୮ ଜଣଙ୍କ ଜୀବନ ? ଗତକାଲି ରାତିରେ ହାମର ଦୋଳି ଅଟକିଯିବା ଘଟଣାକୁ ନେଇ ପ୍ରଶାସନିକ ଛାନଭିନ।

author-image
Tapan Swain
BALIYATRA

BALIYATRA Photograph: (OTV)

କାହିଁକି ବାଲିଯାତ୍ରାରେ ଘଟିଗଲା ବଡ଼ ଅଘଟଣ ? କାହା ଭୁଲ୍ ପାଇଁ ବାଜିରେ ଲାଗିଲା ୮ ଜଣଙ୍କ ଜୀବନ ? ଗତକାଲି ରାତିରେ ହାମର ଦୋଳି ଅଟକିଯିବା ଘଟଣାକୁ ନେଇ ପ୍ରଶାସନିକ ଛାନଭିନ। ଆଜି ସଂପୃକ୍ତ ଦୋଳିକୁ ବନ୍ଦ କରି ଟେକ୍ନିକାଲ୍ ଯାଞ୍ଚ କରାଯାଇଛି। ସେପଟେ ବ୍ୟବସାୟୀଙ୍କ ବେପରୁଆ ମନୋଭାବ ଏବଂ ଦୋଳି ଚଳାଇବାରେ ମନମୁଖି କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଦର୍ଶକ। ତେବେ କେମିତି ଥିଲା କାଲିର ଆତଙ୍କଭରା ରାତି, ପଢ଼ନ୍ତୁ ଏଇ ରିପୋର୍ଟ....

Advertisment

ସମୟ ରାତି ପ୍ରାୟ ସାଢେ ୧୦ଟା। ମେଳା ସରିସରି ଆସୁଥାଏ, ଦର୍ଶକ ଘର ମୁହାଁ ହେଉଥାନ୍ତି। ଠିକ୍ ଏତିକିବେଳେ ବାଲିଯାତ୍ରା ପଡ଼ିଆରେ ଚହଳ ପଡ଼ିଲା। ୫୦ ଫୁଟ ଉପରେ ଓହଳିଛି ଜୀବନ। ଅଟକି ଯାଇଛି ସ୍କ୍ରିମ ଟାୱାର ଦୋଳି। ଇଏ ସେହି ଭୟ, କୋଳାହଳ ଆଉ ଆତଙ୍କର ଲୋମଟାଙ୍କୁରା ଦୃଶ୍ୟ। ହାମର ଦୋଳିର ମୋଟର ପୋଡ଼ିଯିବାରୁ ଏଭଳି ଅଧାରେ ଅଟକି ରହିଥଲା ଦୋଳି, ବାଜିରେ ଲାଗିଥିଲା ୮ ଜଣ ଯାତ୍ରୀଙ୍କ ଜୀବନ। ଯେଉଁଥିରେ ଥିଲେ ଜଣେ ମହିଳାଙ୍କ ସମେତ ୨ ନାବାଳକ। ଚାରିଆଡ଼େ ଭୟ ଆଉ ଚିତ୍କାର ।

୨ ଘଣ୍ଟାର ଅପସେରନ

ସଙ୍ଗେସଙ୍ଗେ ଫାୟାର୍ ଟିମକୁ ଖବର ଦିଆଗଲା। ପଡ଼ିଆରେ ପହଞ୍ଚିଲା ଅଗ୍ନିଶମ ବାହିନୀର ହାଇଡ୍ରୋଲିକ୍ ପ୍ଲାଟଫର୍ମ । ତୁରନ୍ତ ଆରମ୍ଭ ହୋଇଥିଲା ରେସ୍କ୍ୟୁ ଅପରେସନ୍ । ବ୍ରୋଣ୍ଟୋ ସ୍କାଏ ମେସିନରେ ଜଣ ଜଣ କରି ଯାତ୍ରୀଙ୍କୁ ଦୋଳିରୁ ଉଦ୍ଧାର କରି ତଳକୁ ଅଣାଗଲା। ପ୍ରାୟ ୨ ଘଣ୍ଟାର ଅପସେରନ ପରେ ସମସ୍ତଙ୍କୁ ସୁରକ୍ଷିତ ଭାବେ ରେସ୍କ୍ୟୁ କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। 

Advertisment

ସୂଚନା ଅନୁସାରେ ଗତକାଲି ରାତି ପ୍ରାୟ ସାଢେ ୧୦ଟାରେ ଦୋଳିରେ ବସି ଲୋକମାନେ ମଜା ନେଉଥିଲେ। ଏହି ସମୟରେ ହଠାତ୍ ମେସିନ୍ ଲକ୍ ହୋଇ ବନ୍ଦ ହୋଇଯାଇଥିଲା ଦୋଳି। ଗୋଟିଏ ପାର୍ଶ୍ବ ଭୂମିଆଡ଼କୁ ଥିବାବେଳେ ଅନ୍ୟ ପାର୍ଶ୍ବଟି ଉପରେ ଝୁଲିରହିଥିଲା । ଦୋଳି ବନ୍ଦ ହେବା ଦେଖି ଗୋଟିଏ ପାର୍ଶ୍ବର ଲୋକେ ଛାନିଆ ହୋଇ ଓହ୍ଲାଇ ପଡ଼ିଥିଲେ। କିନ୍ତୁ ଉପରେ ବସିଥିବା ୮ ଜଣ ଫସିରହିଥିଲେ। ଏତେ ଉଚ୍ଚରେ ରହିଥିବାରୁ ଭୟରେ ଚିତ୍କାର କରୁଥିଲେ ସମସ୍ତେ । ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି- ମୋଟର ଖରାପ ଯୋଗୁ ଅଘଟଣ ଘଟିଛି। ସଂପୃକ୍ତ ଦୋଳିକୁ ଆଜ ବନ୍ଦ କରାଯାଇ ସେଫଟି ଯାଞ୍ଚ କରିଛି ପ୍ରଶାସନ। ଏକ ଟେକ୍ନିକାଲ୍ ଟିମ୍ ମଧ୍ୟ ଘଟଣାର ତଦନ୍ତ କରୁଛି । 

ଗତବର୍ଷ ବାଲିଯାତ୍ରାରେ ମଧ୍ୟ ଏହି ଦୋଳିରେ ଜଣେ ବ୍ୟକ୍ତି ଅଚେତ ହୋଇପଡ଼ିଥିଲେ। ତେବେ ଗତକାଲି ହଠାତ୍ କାହିଁକି ଘଟିଲା ଏଭଳି ଅଘଟଣ ? ଦୋଳିରେ ଲୋକ ବସିବା ପୂର୍ବରୁ ଠିକ୍ ଭାବେ ମେସିନକୁ ଯାଞ୍ଚ କରାଯାଇଥିଲା ନା ନାହିଁ ? ବେପରୁଆ ଭାବେ ଦୋଳି ଚଳାଉନଥିଲେ ତ ବ୍ୟବସାୟୀ ? କାହା ଭୁଲ୍ ପାଇଁ ବାଜିରେ ଲାଗିଲା ୮ ଜଣଙ୍କର ଜୀବନ ? ଏହାର ଟିକିନିଖି ତଦନ୍ତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି। 

Cuttack Baliyatra Baliyatra 2025
Advertisment
Related Articles
Advertisment