ବଙ୍ଗୋପସାଗରରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ଆନ୍ଧ୍ରପ୍ରଦେଶ ତତ୍ସଲଗ୍ନ ଉତ୍ତର ତାମିଲନାଡୁ ଉପକୂଳରେ ସକ୍ରିୟ ରହିଛି l ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରିବା ସମ୍ଭାବନା ରହିଛି । ଏଥିସହ ୨୪ଘଣ୍ଟା ମଧ୍ୟରେ ଦୁର୍ବଳ ହୋଇ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି ।
ପ୍ରଭାବରେ ଆଜିଠୁ ରାଜ୍ୟରେ ପୁଣି ବର୍ଷା ହେବ । ଦୁଇ ଦିନ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଦକ୍ଷିଣ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି । ଆଜି ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ୭ଟି ଜିଲ୍ଲା କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି ଓ ରାୟଗଡା ଜିଲ୍ଲାକୁ ଆଲର୍ଟ କରାଯାଇଛି ।
ସେହିପରି ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ଢେଙ୍କାନାଳ, ନୟାଗଡ, କନ୍ଧମାଳ, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ମଧ୍ୟମ ଧରଣ ବର୍ଷା ସମ୍ଭାବନା ରହିଛି । ୨୫ ତାରିଖରେ ୧୧ ଜିଲ୍ଲାରେ ହାଲୁକା ବର୍ଷା ପୂର୍ବାନୁମାନ କରାଯାଇଛି । ସେପଟେ ଲଘୁଚାପ ବର୍ଷାରେ ଉଜୁଡ଼ି ଯାଇଛି ଅଧା ଓଡ଼ିଶାର ଫସଲ ।
Also Read
ଅଧିକ ପଢ଼ନ୍ତୁ: ପୁଣି କାଚିବ ବର୍ଷା ! ୨୪ ରୁ ରାଜ୍ୟରେ ପୁଣି ବର୍ଷା ସମ୍ଭାବନା
ଯେଉଁଠି ଦେଖିବେ ଅମଳ ବେଳକୁ ପାଣିରେ ବୁଡ଼ିଛି ହେକ୍ଟର ହେକ୍ଟର ଧାନ କ୍ଷେତ । କଳେଇ ଟେକିଲା ବେଳକୁ ଧାର ଧାର ପାଣି ଝରୁଛି, ଚାଷୀ ଆଖିରୁ ଲୁହ ବି ଗଡୁଛି । ରାଜସ୍ୱ ମନ୍ତ୍ରୀ କହିଛନ୍ତି, ୩/୪ ଦିନ ଭିତରେ ଆକଳନ କରାଯାଇ ପଞ୍ଚମ ଦିନରେ ଚାଷୀଙ୍କୁ କ୍ଷତିପୂରଣ ମିଳିବ ।
ଯିଏ ମାଟି ସହ ମାଟି ହୋଇ ସୁନା ଫଳାଇଥିଲା, ପ୍ରତିକୂଳ ସ୍ଥିତି ଭିତରେ ବର୍ଷକର ଦାନାପାଣି ଯୋଗାଡ଼ କରୁଥିଲା...ସେସବୁ ଏବେ ମାଟିରେ ଲୋଟି ଉଜୁଡ଼ିବା ପରେ ଆଉ ବା’ କ’ଣ ଅଛି? ଭଦ୍ରକ ଜିଲ୍ଲା ଭୈରବପୁର ଗାଁର ଅନ୍ନପୂର୍ଣ୍ଣା ସାହୁ । ୠଣ ଆଣି ଭାଗ ବଖରା ହିସାବରେ ଗମେଇ ନଦୀକୂଳରେ ଚାଷ କରିଥିଲେ ୨ ଏକର ।
ପ୍ରଥମେ ସ୍ୱଳ୍ପ ବର୍ଷା ବାଟ ଓଗାଳିଥିଲା । ପରେ ଧାନର ଥୋଡ଼ ବାହାରିବା ବେଳକୁ ବାତ୍ୟା ଦାନା ନଷ୍ଟ କରିଥିଲା । ଆଉ ଯାହା କିଛି ବଞ୍ଚିଥିଲା, ଅମଳ ବେଳକୁ ବିଲ ମଝିରେ ଅଦିନିଆ ବର୍ଷା ଭସାଇଦେଲା । ସମାନ ଦୁର୍ଦ୍ଦଶା ଏହି ଗାଁର ନିର୍ମଳ ଅଗସ୍ତି, ବଳରାମ ସାହୁଙ୍କର । ଧାରକରଜ କରି ଚାଷ କରିଥିବା ଏହି ଚାଷୀମାନେ ଏବେ ସରକାରୀ ସହାୟତା ଅପେକ୍ଷାରେ ।
ଖୋର୍ଦ୍ଧା ଜିଲ୍ଲା ଚିଲିକା ଅଞ୍ଚଳର । କେଉଁଠି ବିଲରେ ଧାନ କଟା ହୋଇ ପଡ଼ିଛି ତ ଆଉ କେଉଁଠି ଗଦା ମରା ହୋଇଛି । କିନ୍ତୁ ଏସବୁକୁ ନଷ୍ଟ କରିଦେଇଛି ବିଲ ମଝିରେ ଲହଡ଼ି ମାରୁଥିବା ଅଦିନିଆ ବର୍ଷା ପାଣି । କଳେଇ ଟେକିଲା ବେଳକୁ ପାଣି ତ ଝରୁଛି, ତା’ସହ ଚାଷୀ ଆଖିରୁ ଲୁହ ବି ଝରୁଛି ।
କଟକ ନିଶ୍ଚିନ୍ତକୋଇଲି ବ୍ଲକ ହଳଧରପୁର ଗାଁରେ ବର୍ଷା ଛାଡ଼ିବା ପରେ ଗାଁ ଦାଣ୍ଡ ରାସ୍ତା କଡ଼ରେ ବତୁରା ଧାନ କଳେଇକୁ ଶୁଖାଇ ଦି ମୁଠା ଦାନା ଯୋଗାଡ଼ ପାଇଁ ଚେଷ୍ଟା କରୁଛି ଚାଷୀ । ଏଭଳି ଭାବେ ଲଘୁଚାପ ବର୍ଷାରେ ଗଞ୍ଜାମ ଜିଲ୍ଲାର ଚାଷୀ ବି ସାଂଘାତିକ କ୍ଷତି ସହିଛନ୍ତି । ବୁଗୁଡ଼ା, ପୁରୁଷୋତ୍ତମପୁର, ପୋଲସରା, କବିସୂର୍ଯ୍ୟନଗର, ଆସିକା, ଧରାକୋଟ ଆଦି ବ୍ଲକରେ ପାଣିରେ ଭାସୁଛି ଚାଷୀର ଭାତହାଣ୍ଡି ।
କେବଳ ଧାନ ନୁହେଁ, ଅମଳକ୍ଷମ ପରିବା ବି କୋହଲା ପାଗ ସହ ବର୍ଷା ମାଡ଼ରେ ନଷ୍ଟ ହୋଇଛି । ବିଶେଷ କରି ଆସିକା, ଆଠଗଡ଼, ବାଙ୍କି ଆଦି ଇଲାକାର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ କହିଛନ୍ତି, ଆସନ୍ତା ୩/୪ ଦିନ ଭିତରେ କ୍ଷୟକ୍ଷତି ରିପୋର୍ଟ ଆସିବ । ପଞ୍ଚମ ଦିନରେ କ୍ଷତିଗ୍ରସ୍ତ ସମସ୍ତ ଚାଷୀଙ୍କୁ ମିଳିବ କ୍ଷତିପୂରଣ । ତା’ସହ ଧାନ ସଂଗ୍ରହ ବେଳେ ଏହାର ମାନ ନେଇ କୋହଳ ହେବାକୁ ଜିଲ୍ଲା ପ୍ରଶାସନକୁ ଅପିଲ୍ କରିଛନ୍ତି ରାଜସ୍ୱ ମନ୍ତ୍ରୀ ।