• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଲଘୁଚାପ ବର୍ଷାରେ ଉଜୁଡ଼ିଯାଇଛି ଅଧା ଓଡ଼ିଶାର ଫସଲ । ଯେଉଁଠି ଦେଖିବେ ଅମଳ ବେଳକୁ ପାଣିରେ ବୁଡ଼ିଛି ହେକ୍ଟର ହେକ୍ଟର ଧାନ କ୍ଷେତ । କଳେଇ ଟେକିଲା ବେଳକୁ ଧାର ଧାର ପାଣି ଝରୁଛି, ଚାଷୀ ଆଖିରୁ ଲୁହ ବି ଗଡୁଛି । ରାଜସ୍ୱ ମନ୍ତ୍ରୀ କହିଛନ୍ତି, ୩/୪ ଦିନ ଭିତରେ ଆକଳନ କରାଯାଇ ପଞ୍ଚମ ଦିନରେ ଚାଷୀଙ୍କୁ କ୍ଷତିପୂରଣ ମିଳିବ ।

ଯିଏ ମାଟି ସହ ମାଟି ହୋଇ ସୁନା ଫଳାଇଥିଲା । ପ୍ରତିକୂଳ ସ୍ଥିତି ଭିତରେ ବର୍ଷକର ଦାନାପାଣି ଯୋଗାଡ଼ କରୁଥିଲା...ସେସବୁ ଏବେ ମାଟିରେ ଲୋଟି ଉଜୁଡ଼ିବା ପରେ ଆଉ ବା’ କ’ଣ ଅଛି? ଭଦ୍ରକ ଜିଲ୍ଲା ଭୈରବପୁର ଗାଁର ଅନ୍ନପୂର୍ଣ୍ଣା ସାହୁ । ୠଣ ଆଣି ଭାଗ ବଖରା ହିସାବରେ ଗମେଇ ନଦୀକୂଳରେ ଚାଷ କରିଥିଲେ ୨ ଏକର ।

ପ୍ରଥମେ ସ୍ୱଳ୍ପ ବର୍ଷା ବାଟ ଓଗାଳିଥିଲା । ପରେ ଧାନର ଥୋଡ଼ ବାହାରିବା ବେଳକୁ ବାତ୍ୟା ଦାନା ନଷ୍ଟ କରିଥିଲା । ଆଉ ଯାହା କିଛି ବଞ୍ଚିଥିଲା, ଅମଳ ବେଳକୁ ବିଲ ମଝିରେ ଅଦିନିଆ ବର୍ଷା ଭସାଇଦେଲା । ସମାନ ଦୁର୍ଦ୍ଦଶା ଏହି ଗାଁର ନିର୍ମଳ ଅଗସ୍ତି, ବଳରାମ ସାହୁଙ୍କର । ଧାରକରଜ କରି ଚାଷ କରିଥିବା ଏହି ଚାଷୀମାନେ ଏବେ ସରକାରୀ ସହାୟତା ଅପେକ୍ଷାରେ ।

ଅଧିକ ପଢ଼ନ୍ତୁ: ପୁଣି କାଲିଠୁ ବର୍ଷା ! ହୋଇପାରେ ସ୍ୱଳ୍ପରୁ ମଧ୍ୟମ ଧରଣର

ଖୋର୍ଦ୍ଧା ଜିଲ୍ଲା ଚିଲିକା ଅଞ୍ଚଳର । କେଉଁଠି ବିଲରେ ଧାନ କଟା ହୋଇ ପଡ଼ିଛି ତ ଆଉ କେଉଁଠି ଗଦା ମରା ହୋଇଛି । କିନ୍ତୁ ଏସବୁକୁ ନଷ୍ଟ କରିଦେଇଛି ବିଲ ମଝିରେ ଲହଡ଼ି ମାରୁଥିବା ଅଦିନିଆ ବର୍ଷା ପାଣି । କଳେଇ ଟେକିଲା ବେଳକୁ ପାଣି ତ ଝରୁଛି, ତା’ସହ ଚାଷୀ ଆଖିରୁ ଲୁହ ବି ଝରୁଛି ।

କଟକ ନିଶ୍ଚିନ୍ତକୋଇଲି ବ୍ଲକ ହଳଧରପୁର ଗାଁରେ ବର୍ଷା ଛାଡ଼ିବା ପରେ ଗାଁ ଦାଣ୍ଡ ରାସ୍ତା କଡ଼ରେ ବତୁରା ଧାନ କଳେଇକୁ ଶୁଖାଇ ଦି ମୁଠା ଦାନା ଯୋଗାଡ଼ ପାଇଁ ଚେଷ୍ଟା କରୁଛି ଚାଷୀ । ଏଭଳି ଭାବେ ଲଘୁଚାପ ବର୍ଷାରେ ଗଞ୍ଜାମ ଜିଲ୍ଲାର ଚାଷୀ ବି ସାଂଘାତିକ କ୍ଷତି ସହିଛନ୍ତି । ବୁଗୁଡ଼ା, ପୁରୁଷୋତ୍ତମପୁର, ପୋଲସରା, କବିସୂର୍ଯ୍ୟନଗର, ଆସିକା, ଧରାକୋଟ ଆଦି ବ୍ଲକରେ ପାଣିରେ ଭାସୁଛି ଚାଷୀର ଭାତହାଣ୍ଡି ।

କେବଳ ଧାନ ନୁହେଁ, ଅମଳକ୍ଷମ ପରିବା ବି କୋହଲା ପାଗ ସହ ବର୍ଷା ମାଡ଼ରେ ନଷ୍ଟ ହୋଇଛି । ବିଶେଷ କରି ଆସିକା, ଆଠଗଡ଼, ବାଙ୍କି ଆଦି ଇଲାକାର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ କହିଛନ୍ତି, ଆସନ୍ତା ୩/୪ ଦିନ ଭିତରେ କ୍ଷୟକ୍ଷତି ରିପୋର୍ଟ ଆସିବ । ପଞ୍ଚମ ଦିନରେ କ୍ଷତିଗ୍ରସ୍ତ ସମସ୍ତ ଚାଷୀଙ୍କୁ ମିଳିବ କ୍ଷତିପୂରଣ । ତା’ସହ ଧାନ ସଂଗ୍ରହ ବେଳେ ଏହାର ମାନ ନେଇ କୋହଳ ହେବାକୁ ଜିଲ୍ଲା ପ୍ରଶାସନକୁ ଅପିଲ୍ କରିଛନ୍ତି ରାଜସ୍ୱ ମନ୍ତ୍ରୀ ।

ଅଧିକ ପଢ଼ନ୍ତୁ: ରୁବେନଙ୍କ 'ପାଣ୍ଡିଆନ୍ ପଜଲ'କୁ ନେଇ ତାତିଲେ ବିଜେଡି, ପୁଣି ପାଣ୍ଡିଆନଙ୍କ ସପକ୍ଷରେ ବାହାରିଲା ଦଳ

OTV is now on Whatsapp

Join and get latest news update delivered to you via whatsapp

Join Now