• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ସାରା ରାଜ୍ୟରେ ଜାରି ରହିଛି ଅଗ୍ନିବର୍ଷା । ରାଜଧାନୀରୁ ରାଜ୍ୟବ୍ୟାପି ଅସମ୍ଭାଳ ଗ୍ରୀଷ୍ମ ପ୍ରବାହରେ ଆଉଟୁ ପାଉଟୁ ହୋଇଛି ଜନଜୀବନ । ଭୁବନେଶ୍ୱର ରେ ଆଜି ପାରଦ ୪୩ ଡିଗ୍ରୀ ଟପିଥିବାବେଳେ ଝାରସୁଗୁଡ଼ା ସିଝିଛି ୪୨ ଡିଗ୍ରରୁ ଅଧିକ ଉତ୍ତାପରେ । ଏହାରି ଭିତରେ ଖୋର୍ଦ୍ଧା, କଟକ ସମେତ ୪ ଜିଲ୍ଲାକୁ ଆସନ୍ତାକାଲି ଯାଏଁ ଜାରି କରାଯାଇଛି ଅରେଞ୍ଜ୍ ୱାର୍ଣ୍ଣିଂ । ସେପଟେ ତାତି ବଢାଇଛି ଦିନ ମଜୁରିଆଙ୍କ ସମସ୍ୟା । ସରକାରଙ୍କ ବାରଣ ସତ୍ତ୍ୱେ ବି ଡହଡହ ଖରାରେ ପେଟ ପାଇଁ ମୂଲ ଖଟିବାକୁ ବାଧ୍ୟ ହେଉଛନ୍ତି ସେମାନେ ।

କମିବାର ନାଁ ନେଉନି ତାତି । ପ୍ରଚଣ୍ଡ ରୌଦ୍ର ତାପରେ ଅସ୍ତବ୍ୟସ୍ତ ଜନଜୀବନ । ଏହା ଉପରେ ପୁଣି ହିଟ୍ ୱେଭ ୱାର୍ଣ୍ଣିଂ । ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ୧୨ ଜିଲ୍ଲାକୁ ଗ୍ରୀଷ୍ମ ପ୍ରବାହ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୪ ଜିଲ୍ଲା କଟକ, ଖୋର୍ଦ୍ଧା, ମୟୂରଭଞ୍ଜ ଏବଂ ଝାରସୁଗୁଡା ପାଇଁ ଜାରି ହୋଇଛି ଅରେଞ୍ଜ ୱାର୍ଣ୍ଣିଂ । ସେହିପରି ୮ ଜିଲ୍ଲା ବଲାଙ୍ଗୀର, ସୁନ୍ଦରଗଡ଼, କେନ୍ଦୁଝର, ଦେବଗଡ଼, ସମ୍ବଲପୁର, ସୋନପୁର, ବୌଦ୍ଧ ଏବଂ ଅନୁଗୁଳ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଆଗାମୀ ୩୬ ଘଣ୍ଟା ମଧ୍ୟରେ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନଥିବାବେଳେ ପରବର୍ତ୍ତୀ ସମୟରେ ରାଜ୍ୟର ଅନେକ ସ୍ଥାନରେ ୨ରୁ ୪ ଡିଗ୍ରୀ ଯାଏଁ କମିବାର ସମ୍ଭାବନା ଥିବା ପାଣିପାଗ ବିଭାଗ ସୂଚନା ଦେଇଛି। ୨୨ତାରିଖଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀର ସମ୍ଭାବନା ଥିବା ଆଇଏମ୍‌ଡି ଦିଲ୍ଲୀ ପକ୍ଷରୁ କୁହାଯାଇଛି ।

ସେପଟେ ଅସହ୍ୟ ତାତି ବଢାଇଛି ଦିନ ମଜୁରିଆଙ୍କ ସମସ୍ୟା । ଦିନ ୧୧ ଟାରୁ ୩ଟା ପର୍ଯ୍ୟନ୍ତ ଶ୍ରମିକମାନଙ୍କୁ କାମ କରିବାକୁ ସରକାର ବାରଣ କରିଥିଲେ ମଧ୍ୟ ଗ୍ରାଉଣ୍ଡରେ ସ୍ଥିତି ଭିନ୍ନ । କେନ୍ଦ୍ରାପଡ଼ା ଆଳି ଅଞ୍ଚଳରେ ପ୍ରତିଦିନ ପାରଦ ୪୦ ଡିଗ୍ରୀ ଟପୁଛି । ହେଲେ ତାତିକୁ ଖାତିର ନକରି ଚାଲୁଛି ମଜୁରୀ କାମ । ସରକାରୀ ସହାୟତା ବିନା କାମକୁ ବାରଣ କଲେ କେମିତି ପେଟ ପୋଷିବେ ବୋଲି କହିଛନ୍ତି ଶ୍ରମିକ ।

ଗଞ୍ଜାମ ଆସ୍କାରେ ବି ସମାନ ଚିତ୍ର ଦେଖିବାକୁ ମିଳୁଛି । ଦିନ ୧୨ଟା ପରେ ବି କାମରେ ଲାଗିଛନ୍ତି ଶ୍ରମିକ । ଆଉ ଜୟପୁରରେ ନିର୍ମାଣ ଚାଲିଛି ସହରର ସରକାରୀ ମୁଖ୍ୟ ଚିକିତ୍ସାଳୟର କୋଠା । ହେଲେ ସରକାରୀ ନିୟମର ଖୋଲାଖୋଲି ଉଲ୍ଲଘଂନ କରାଯାଉଛି । ଏଠି ଦିନ ୧୧ଟା ପରେ ବି ଡହଡହ ଖରାରେ କାମ କରୁଛନ୍ତି ଶ୍ରମିକମାନେ ।