Pant Vs Kohli: କୋହଲିଙ୍କୁ ଟପିଲେ ଋଷଭ ପନ୍ତ, ପାଲଟିଲେ ...

ରିଟେସନ୍‌ କଥା ଆସିଲେ ବିରାଟ କୋହଲି ସଦାବେଳେ ଶୀର୍ଷରେ ରହିଥାଆନ୍ତି । ଚଳିତ ବର୍ଷ ପାଇଁ ବିରାଟଙ୍କୁ ପୁଣି ଥରେ ନିଜ ଦଳରେ ରଖିବା ପାଇଁ ରୟାଲ୍ ଚାଲେଞ୍ଜର୍ସ ବେଙ୍ଗାଲୁରୁ ବିରାଟଙ୍କୁ ୨୧ କୋଟି ଟଙ୍କା ଦେବାକୁ ଚୁକ୍ତି କରିଛି ।

ବିରାଟଙ୍କୁ ଟପିଲେ ପନ୍ତ

ଗତ କିଛିଦିନ ତଳେ ଆଇପିଏଲ୍ ଅକ୍ସନ ସମାପ୍ତ ହୋଇଯାଇଛି । ସେଠାରେ ଋଷଭ ପନ୍ତ ସବୁଠାରୁ ଦାମୀ ଖେଳାଳି ପାଲଟି ସମସ୍ତଙ୍କୁ ଚମକାଇ ଦେଇଛନ୍ତି । ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ଋଷଭଙ୍କୁ ୨୭ କୋଟି ଟଙ୍କାରେ କିଣିନେଇଛି । ଏହା ସହ ଋଷଭ ଆଇପିଏଲ୍‌ ଇତିହାସର ସବୁଠାରୁ ଦାମୀ ଖେଳାଳି ହେବାର ମାନ୍ୟତା ଲାଭ କରିଛନ୍ତି । ସେହିପରି ଶ୍ରେୟାସ୍ ଆୟର୍‌ ୨୬.୭୫ କୋଟି ଟଙ୍କାରେ ବିକ୍ରି ହୋଇଥିବା ବେଳେ ଭେଙ୍କଟେଶ ଆୟର୍‌ ୨୩.୭୫ କୋଟି ଟଙ୍କାରେ ବିକ୍ରି ହୋଇଛନ୍ତି ।

ତେବେ ରିଟେସନ୍‌ କଥା ଆସିଲେ ବିରାଟ କୋହଲି ସଦାବେଳେ ଶୀର୍ଷରେ ରହିଥାଆନ୍ତି । ଚଳିତ ବର୍ଷ ପାଇଁ ବିରାଟଙ୍କୁ ପୁଣି ଥରେ ନିଜ ଦଳରେ ରଖିବା ପାଇଁ ରୟାଲ୍ ଚାଲେଞ୍ଜର୍ସ ବେଙ୍ଗାଲୁରୁ ବିରାଟଙ୍କୁ ୨୧ କୋଟି ଟଙ୍କା ଦେବାକୁ ଚୁକ୍ତି କରିଛି । ତେବେ ବର୍ତ୍ତମାନ ସବୁଠାରୁ ଦାମୀ ଖେଳାଳି ପାଲଟିଥିବା ଋଷଭ ପନ୍ତ ସର୍ବାଧିକ ଆୟ କରୁଥିବା ଭାରତୀୟ କ୍ରିକେଟର ଭାବରେ ଉଭା ହୋଇଛନ୍ତି । ଏହା ସହ ସେ ବିରାଟ କୋହଲିଙ୍କୁ ମଧ୍ୟ ଗାଦିଚ୍ୟୁତ କରିଛନ୍ତି ।

ତେବେ କ୍ରିକେଟର୍‌ ଭାବେ ସର୍ବାଧିକ ରୋଜଗାର କରୁଥିବା ଖେଳାଳିଙ୍କ ମଧ୍ୟରେ ଋଷଭ ଶୀର୍ଷ ସ୍ଥାନ ଦଖଲ କରିନେଇଛନ୍ତି । କେବଳ କ୍ରିକେଟ ଦ୍ୱାରା ସେ ବର୍ତ୍ତମାନ ୩୨ କୋଟି ଟଙ୍କା ରୋଜଗାର କରୁଛନ୍ତି । ଯେବେ କି ବିରୋଟ କୋହଲି ତଳକୁ ଖସି ଆସିଥିବା ବେଳେ ତାଙ୍କର ବାର୍ଷିକ ରୋଜଗାର ୨୮ କୋଟିରେ ସୀମିତ ରହିଛି । ତେବେ ପନ୍ତଙ୍କର ଏପରି ଲମ୍ଫରେ ତାଙ୍କର ଆଇପିଏଲ୍‌ ଦାମ୍ ସାମିଲ୍ ରହିଛି ।

ଅଧିକ ପଢ଼ନ୍ତୁ: କିଏ ଏହି ବୈଭବ ସୂର୍ଯ୍ୟବଂଶୀ, ଯାହାଙ୍କୁ ୧.୧ କୋଟିରେ କିଣିଲା ରାଜସ୍ଥାନ

ତେବେ ଉଭୟ ପନ୍ତ ଏବଂ କୋହଲିଙ୍କର କ୍ରିକେଟ ଜରିଆରେ ଆୟର ଦୁଇଟି ଉତ୍ସ ରହିଛି । ସେଗୁଡ଼ିକ ହେଲା ବିସିସିଆଇ ଓ ଆଇପିଏଲ୍ ଚୁକ୍ତିନାମା । ବିସିସିଆଇ କେନ୍ଦ୍ରୀୟ ଚୁକ୍ତିରେ ଏ ବର୍ଗରେ ପନ୍ତ ବାର୍ଷିକ ୫ କୋଟି ଟଙ୍କା ରୋଜଗାର କରୁଛନ୍ତି । ଅନ୍ୟପଟେ ଆଇପିଏଲ୍‌ରୁ ସେ ୨୭ କୋଟି ଟଙ୍କା ପାଇବେ । ଫଳରେ ସର୍ବମୋଟ୍ ପନ୍ତଙ୍କର ବାର୍ଷିକ ୩୨ କୋଟି ଟଙ୍କା ରୋଜଗାର ହେଉଛି ।

ସେହିପରି କୋହଲି ମଧ୍ୟ ବିସିସିଆଇ ତରଫରୁ ବାର୍ଷିକ ୭ କୋଟି ଟଙ୍କା ପାଉଛନ୍ତି । କୋହଲି ବିସିସିଆଇର A + ବର୍ଗରେ ଆସୁଥିବାରୁ ତାଙ୍କୁ ୭ କୋଟି ଟଙ୍କା ଦେଉଛି ବିସିସିଆଇ । ଏହା ସହ ଆଇପିଏଲ୍‌ ପାଇଁ ଆର୍‌ସିବି ତାଙ୍କୁ ବାର୍ଷିକ ୨୧ କୋଟି ଟଙ୍କା ଦେଉଛି । ତେଣୁ ତାଙ୍କର ମୋଟ୍‌ ଆୟ ୨୮ କୋଟି ଟଙ୍କାରେ ପହଞ୍ଚିଛି ।

ତେବେ ଆସନ୍ତା ବର୍ଷ ମାର୍ଚ୍ଚରେ ନୂତନ ବିସିସିଆଇ କେନ୍ଦ୍ରୀୟ ଚୁକ୍ତିନାମା ଲାଗୁ ହେବା ପରେ ପନ୍ତଙ୍କ ଆୟରେ ବୃଦ୍ଧି ଘଟିପାରେ । ପନ୍ତ ବର୍ତ୍ତମାନ A ଗ୍ରୁପ୍‌ରେ ଥିବା ବେଳେ ବିସିସିଆଇ ତାଙ୍କୁ A + ବର୍ଗରେ ପଦୋନ୍ନତି ଦେଇପାରେ । ସେ ବର୍ତ୍ତମାନ ତିନୋଟି ଫର୍ମାଟ୍‌ରେ ଭାରତ ତରଫରୁ ଭଲ ପ୍ରଦର୍ଶନ କରୁଛନ୍ତି । ଯଦି ଏପରି ପଦକ୍ଷେପ ବୋର୍ଡ ନିଏ ତେବେ ତାଙ୍କର ବାର୍ଷିକ ଆୟରେ ଆହୁରି ବୃଦ୍ଧି ଘଟିପାରେ । ଅନ୍ୟପଟେ କୋହଲି ବର୍ତ୍ତମାନ ଟି -୨୦ରୁ ଅବସର ନେଇ ସାରିଛନ୍ତି । ଫଳରେ ତାଙ୍କର ବାର୍ଷିକ ଚୁକ୍ତିରେ ପରିବର୍ତ୍ତନ କରିପାରେ ବିସିସିଆଇ ।

ଅଧିକ ପଢ଼ନ୍ତୁ: ଦିନେ ଥିଲେ IPL ଷ୍ଟାର୍‌; ଏବେ ହେଲେ ଅଲୋଡ଼ା, କେହି ବି କିଣିଲେନି...