ଭିକ୍ଟ୍ରି ପରେଡ ସମୟରେ ଦଳାଚକଟା ଘଟଣାକୁ ନେଇ କର୍ଣ୍ଣାଟକ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦଳର ମ୍ୟାନେଜମେଣ୍ଟ। ଜୁନ ୪ ତାରିଖରେ ପରେଡ ସମୟରେ ଦଳା ଚକଟା କାରଣରୁ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଆହତ ହୋଇଥିଲେ। କର୍ଣ୍ଣାଟକ କ୍ରିକେଟ ଆସୋସିଏସନ ପକ୍ଷରୁ ଆରସିବିର ଖେଳାଳି ମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସମୟରେ ଏଭଳି ଘଟଣା ଘଟିଥିଲା।
ବେଙ୍ଗାଲୁରୁ ଦଳାଚକଟା ଘଟଣାରେ ପୋଲିସ ନିଜ ଆଡୁ ଏକ କେସ୍ ରୁଜୁ କରିଥିଲା । ଏହି କେସରେ ଆରସିବି, କର୍ଣ୍ଣାଟକ କ୍ରିକେଟ ଆସୋସିଏସନ୍, ଡିଏନଏ ନେଟୱର୍କ ଓ ଅନ୍ୟମାନଙ୍କ ନାଁରେ ଏହି କେଶ୍ କରାଯାଇଥିଲା। ଏହି ଦଳାଚକଟା ଘଟଣାରେ ୧୧ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୫୦ ଜଣ ଆହତ ହୋଇଛନ୍ତି ।
Also Read
ଅଧିକ ପଢ଼ନ୍ତୁ: ବେଙ୍ଗାଲୁରୁ ଦଳାଚକଟା ଘଟଣାରେ RCB ଓ କ୍ରିକେଟ ଆସୋସିଏସନ ନାଁରେ କେସ୍ ରୁଜୁ
ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଘଟିଥିବା ଏହି ଘଟଣାକୁ ନେଇ କ୍ୟୁବନ ପାର୍କ ପୋଲିସ ପକ୍ଷରୁ କେସ୍ ରୁଜୁ କରାଯାଇଥିଲା। ଭାରତୀୟ ନ୍ୟାୟ ସଂହିତାର ଧାରା ୧୦୫, ୧୨୫(୧୨), ୧୪୨, ୧୨୧ ଓ ୧୯୦ରେ ଏହି ଅପରାଧିକ କେଶ୍ ରୁଜୁ କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ଏକାଧିକ ପୋଲିସ ଅଫିସରଙ୍କୁ ନିଲମ୍ବନ କରି ସାରିଛନ୍ତି ସରକାର। ଏହା ମଧ୍ୟରେ ପୋଲିସ କମିଶନର ବି ଦୟାନନ୍ଦ ମଧ୍ୟ ରହିଛନ୍ତି। ସେହିପରି ଆରସିବି ଅଫିସିଆଲ ନିଖିଲ ସୋସାଲେ ଓ ଡିଏନ ଏଣ୍ଟରଟେନମେଣ୍ଟର ୩ ଜଣଙ୍କୁ ଗିରଫ କରାଯାଇଛି।
ତେବେ ନିଜକୁ ଏହି ମାମଲାରୁ ମୁକ୍ତ କରିବା ପାଇଁ ସୋମବାର କୋର୍ଟଙ୍କ ଦ୍ବାରସ୍ଥ ହୋଇଛି ଆରସିବି। ସିଆଇଡି ବର୍ତ୍ତମାନ ଏହି ମାମଲାର ତଦନ୍ତ କରୁଥିବା ବେଳେ ଆରସିବି ମାମଲାରୁ ନିଜକୁ ମୁକ୍ତ କରିବା ପାଇଁ ଦାବି କରିଛି। ଆରସିବି ପକ୍ଷରୁ କୁହାଯାଇଛି କି, ସେଲିବ୍ରେସନ ପୂର୍ବରୁ ହିଁ ଆମେ ଅଳ୍ପସଂଖ୍ୟକ ପାଶ ଜରିଆରେ ଦର୍ଶକଙ୍କୁ ଅନୁମତି ମିଳିବ ବୋଲି ଘୋଷଣା କରିଥିଲୁ। ତେବେ ଅଧିକ ଦର୍ଶକ ଆସିବା କାରଣରୁ ଭିଡ ନିୟନ୍ତ୍ରଣ କରିବାରେ ପୋଲିସ ବିଫଳ ହୋଇଥିଲା। ଏହି କାରଣରୁ ଆରସିବି ବିରୋଧରେ ଆଗତ କରାଯାଇଥିବା ସମସ୍ତ ମାମଲା ଖାରଜ କରିବା ପାଇଁ ଅନୁରୋଧ କରାଯାଇଛି।
ଉଲ୍ଲେଖଯୋଗ୍ୟ ଯେ, ଏହି ଇଭେଣ୍ଟ ଆୟୋଜନ କରିବାକୁ ନେତା ମାନେ ତତ୍ପରତା ଦେଖାଇଥିବା ବେଳେ ପୋଲିସ କିନ୍ତୁ ଫସି ଯାଇଥିଲା। ସାଧାରଣତଃ କ୍ରିକେଟ ଟିମ ଟ୍ରଫି ଜିତିବା ପରେ ୨-୩ ଦିନ ଅନ୍ତରାଳରେ ଭିକ୍ଟ୍ରି ପରେଡ ଅନୁଷ୍ଠିତ ହୁଏ। ମାତ୍ର ଆରସିବି ବିଜୟରେ ଏ କ୍ଷେତ୍ରରେ ବ୍ୟତିକ୍ରମ ଦେଖିବାକୁ ମିଳିଥିଲା। ବିଜୟର ମାତ୍ର ଦିନକ ପରେ ଅନୁଷ୍ଠିତ ହୋଇଥିଲା ଭିକ୍ଟ୍ରି ପରେଡ। ଏଭଳି ବଡ ଆୟୋଜନ ହେଲେ ଏହା ସୁରକ୍ଷା ବ୍ୟବସ୍ଥା ପ୍ରତି ବିପଦ ସୃଷ୍ଟି କରିବ ବୋଲି ପୋଲିସ ପକ୍ଷରୁ ସତର୍କ କରାଇ ଦିଆଯାଇଥିଲା। ତେବେ ପଲିଟିକାଲ ମାଇଲେଜ ଲକ୍ଷ୍ୟରେ ରହିଥିବା ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଓ ଉପ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଏହାକୁ ଏଡାଇ ଯାଇଥିଲେ। ଜୁନ ୪ ତାରିଖରେ ଡେପୁଟି କମିଶନର ଏମଏନ କରିବସଭନ୍ନା ସୁରକ୍ଷା ବ୍ୟବସ୍ଥାକୁ ନେଇ ଚିଠି ଲେଖିଥିଲେ। ଏତେ ସଂଖ୍ୟକ ଲୋକଙ୍କ ଭିଡ ବିଧାନ ସୌଧ ନିକଟକୁ ଆସିଲେ ଏହାକୁ ନିୟନ୍ତ୍ରଣ କରିବା ଅସମ୍ଭବ ହେବ ବୋଲି ସେ ଲେଖିଥିଲେ।