ଆଜିଠୁ ଫଟାଫଟ୍ କ୍ରିକେଟ । ଆରମ୍ଭ ହେବ ଆଇପିଏଲ୍ ମହାସମର । ଇଣ୍ଡିଆନ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ର ୧୮ ତମ ସଂସ୍କରଣ ପାଇଁ କ୍ରିକେଟ ପ୍ରେମୀଙ୍କ ଭିତରେ ପ୍ରବଳ ଉତ୍ସାହ । ଟ୍ରଫି ପାଇଁ ଲଢିବେ ୧୦ଟି ଟିମ୍ । ଆଜି ଉଦଘାଟନୀ ସମାରୋହ । କୋଲକାତାର ଐତିହାସିକ ଇଡେନ ଗାର୍ଡେନରେ ଖେଳାଯିବ ଉଦ୍ଘାଟନୀ ମୁକାବିଲା । ପ୍ରଥମ ମ୍ୟାଚରେ ଆମ୍ନା ସାମ୍ନା ହେବେ ଡିଫେଣ୍ଡିଂ ଚାମ୍ପିଅନ କୋଲକାତା ନାଇଟ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ।
ଅଧିକ ପଢ଼ନ୍ତୁ: ମୁମ୍ବାଇ ଇଣ୍ଡିଆନ୍ସକୁ ବଡ଼ ଝଟକା, ହାର୍ଦ୍ଦିକ ବ୍ୟାନ୍ ହେବାପରେ କିଏ ହେବେ ଅଧିନାୟକ?
ମେ' ୨୫ ତାରିଖ ଯାଏ ଚାଲିବ ଆଇପିଏଲ୍ ଲଢ଼େଇ । ୬୫ ଦିନ ଧରି ୧୩ଟି ଭେନ୍ୟୁରେ ଖେଳାଯିବ ମୋଟ୍ ୭୪ଟି ମ୍ୟାଚ୍ । ୧୦ଟି ଟିମକୁ ୫ଟି ଲେଖାଏଁ ଗ୍ରୁପରେ ଭାଗ କରାଯାଇଛି । ମେ' ୧୮ ତାରିଖରେ ଶେଷ ହେବ ଗ୍ରୁପ ମ୍ୟାଚ୍ । ଏଥର ୧୨ଟି ଡବଲ ହେଡର ମ୍ୟାଚ୍ ଖେଳାଯିବ । ଅର୍ଥାତ ଗୋଟିଏ ଦିନରେ ଖେଳାଯିବ ୨ଟି ମ୍ୟାଚ୍ । ନୀଳ ଜର୍ସି ପିନ୍ଧି ଟିମ୍ ଇଣ୍ଡିଆକୁ ସମର୍ଥନ କରୁଥିବା କ୍ରିକେଟ ପ୍ରେମୀ ଏବେ ଆସନ୍ତା ୨ ମାସ ଯାଏ ନିଜ ନିଜର ପସନ୍ଦର ଆଇପିଏଲ୍ ଟିମ୍କୁ ନେଇ ଲଢେଇ କିବେ ।
ମାର୍ଚ୍ଚ ୨୩ ଅର୍ଥାତ୍ ଆସନ୍ତାକାଲି ଚେନ୍ନାଇ ସୁପର କିଙ୍ଗ୍ସକୁ ଭେଟିବ ମୁମ୍ବାଇ ଇଣ୍ଡିଆନ୍ସ । ଏହି ମ୍ୟାଚ୍ ଅତି ରୋମାଞ୍ଚକର ହେବାର ଆଶା ରହିଛି । ତେବେ ହାର୍ଦ୍ଦିକ ପାଣ୍ଡ୍ୟା ଏହି ମ୍ୟାଚ୍ ଖେଳିବେ ନାହିଁ । ସ୍ଲୋ ଓଭର ରେଟ୍ ଯୋଗୁଁ ପ୍ୟାଣ୍ଡାଙ୍କୁ ଗୋଟିଏ ମ୍ୟାଚ୍ ପାଇଁ ନିଷେଧ କରାଯାଇଛି । ସେହିପରି ଦଳର ଷ୍ଟାର ବୋଲର ଯସପ୍ରୀତ ବୁମ୍ରା ଆଘାତ ଯୋଗୁଁ କିଛି ମ୍ୟାଚରୁ ବାହାରେ ରହିପାରନ୍ତି ।
ଆଜି କୋଲକାତା ଇଡେନ୍ ଗାର୍ଡେନରେ ରଙ୍ଗାରଙ୍ଗ ଉଦଘାଟନୀ ଉତ୍ସବ ଆୟୋଜିତ ହେବ । ବଲିଉଡ ସେଲିବ୍ରିଟିଙ୍କ ନାଚ ଓ ଗୀତରେ କମ୍ପିବ ମଇଦାନ । ଅଭିନେତ୍ରୀ ଶ୍ରଦ୍ଧା କପୁର, ଦିଶା ପଟାନୀ ଓ ଅଭିନେତା ବରୁଣ ଧୱନଙ୍କ ଡ୍ୟାନ୍ସରେ ମତୁଆଲା ହେବେ ଦର୍ଶକ । ସେହିପରି ପ୍ଲେ ବ୍ୟାକ ସିଙ୍ଗର ଶ୍ରେୟା ଘୋଷାଲ, ଅରିଜିତ ସିଂ, ପପ ଗାୟକ କରଣ ଆହୁଜାଙ୍କ ଗୀତରେ ଝୁମିବେ ।