• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଫେବୃଆରୀ ୯ରେ ବାରବାଟୀ ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯିବ ଦିନିକିଆ ମ୍ୟାଚ୍‌ । ଏଥିପାଇଁ ଫେବୃଆରୀ ୨ରେ ଅନଲାଇନ୍‌ ଟିକେଟ୍‌ ବିକ୍ରି ହୋଇଥିବା ବେଳେ ଆଜି ଅଫ୍‌ଲାଇନ୍‌ରେ ଟିକେଟ୍‌ ବିକ୍ରି ହୋଇଥିଲା । ତେବେ ଆଜି ଅଫଲାଇନ୍‌ରେ ଟିକେଟ୍‌ ବିକ୍ରି ଆରମ୍ଭ ହେବା ପରଠୁ ହିଁ ଟିକେଟ୍‌ କାଉଣ୍ଟରରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା ।

ତେବେ ସନ୍ଧ୍ୟା ୬ଟାରେ ଟିକେଟ୍‌ କାଉଣ୍ଟର ବନ୍ଦ ହୋଇଯିବାରୁ ସେଠାରେ ଉପସ୍ଥିତ ଥିବା ଲୋକ ବ୍ୟାରିକେଡ୍‌ ଭାଙ୍ଗି ଦେଇଛନ୍ତି । ଦୀର୍ଘ ସମୟ ଧାଡ଼ିରେ ଛିଡ଼ା ହେବା ପରେ ବ୍ୟାରିକେଡ୍‌ ଭାଙ୍ଗି ଦେଇଛନ୍ତି ଲୋକେ । ବାରବାଟୀରେ ନିଜ ପସନ୍ଦର ଖେଳାଳିଙ୍କୁ ଦେଖିବା ପାଇଁ ଗତକାଲି ରାତିରୁ କ୍ରୀଡାପ୍ରେମୀ ଧାଡ଼ିରେ ଠିଆ ହୋଇଥିଲେ । କିନ୍ତୁ ଆଜି ସନ୍ଧ୍ୟା ୬ଟା ପରେ ମଧ୍ୟ ସେମାନେ ଟିକେଟ୍‌ ପାଇନଥିଲେ । ଯାହାକୁ ନେଇ ଟିକେଟ୍ ପାଇଁ ଅପେକ୍ଷାରତ ଲୋକ ଉତ୍ତ୍ୟକ୍ତ ହୋଇ ବ୍ୟାରିକେଡ୍‌ ଭାଙ୍ଗି ଦେଇଛନ୍ତି । ସେପଟେ ବାରବାଟୀ ଷ୍ଟାଡିୟମର ବ୍ୟବସ୍ଥାକୁ ହତାଶ ହୋଇଛନ୍ତି କ୍ରିକେଟ୍‌ ପ୍ରେମୀ ।

ଅଧିକ ପଢ଼ନ୍ତୁ: ୭ରେ ଭୁବନେଶ୍ୱରରେ ପହଞ୍ଚିବେ ଭାରତ-ଇଂଲଣ୍ଡ ଟିମ୍‌, ୮ରେ ବାରବାଟୀରେ କରିବେ ଅଭ୍ୟାସ୍‌

ଆଜି ସକାଳୁ ଅଫଲାଇନ୍‌ ଟିକେଟ୍‌ କାଉଣ୍ଟର ଖୋଲିବା ମାତ୍ରେ ଆରମ୍ଭ ହୋଇଯାଇଥିଲା ଠେଲାପେଲା ସ୍ଥିତି । ଏମିତି କି ଟିକେଟ୍‌ ପାଇଁ କିଛି ଦର୍ଶକ କାଉଣ୍ଟର ଆଡ଼କୁ ଧସେଇ ପଶିବା ଦ୍ୱାରା ଧସ୍ତାଧସ୍ତି ଓ ଦଳାଚକଟା ପରିସ୍ଥିତି ମଧ୍ୟ ଉପୁଜିଥିଲା । ଏମିତି କି ଦଳାଚକଟାରେ କିଛି ଲୋକଙ୍କର ଚେତା ବୁଡ଼ିଥିବା ମଧ୍ୟ ଦେଖିବାକୁ ମିଳିଥିଲା ।

ସେପଟେ ମ୍ୟାଚ୍‌ ପୂର୍ବରୁ ଆଜି ପୋଲିସ୍‌ ସେବା ଭବନରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ପୋଲିସ୍‌ କମିଶନରଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ପୋଲିସ୍‌ ବିଭାଗର ବରିଷ୍ଠ ଅଧିକାରୀ, ଓସିଏ, ହୋଟେଲ କର୍ମକର୍ତ୍ତା, ଏୟାରପୋର୍ଟ କର୍ତ୍ତୁପକ୍ଷ ଏବଂ ସିଆଇଏସ୍‌ଏଫ୍‌ର ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ତେବେ ଏହି ବୈଠକ ପରେ ପୋଲିସ୍‌ କମିଶନର କହିଛନ୍ତି ଯେ, ଆସନ୍ତା ଫେବୃଆରୀ ୭ ତାରିଖରେ ଭୁବନେଶ୍ୱରରେ ପହଞ୍ଚିବେ ଭାରତ-ଇଂଲଣ୍ଡ ଦଳ । ଭୁବନେଶ୍ୱରରେ ପହଞ୍ଚିବା ପରେ ଏକ ତାରକା ହୋଟେଲରେ ଦୁଇ ଦଳ ରହିବା ପାଇଁ ବ୍ୟାପକ ବନ୍ଦୋବସ୍ତ ହୋଇଛି । ତେବେ ଫେବୃଆରୀ ୮ ତାରିଖରେ ଦୁଇ ଦଳ କଡ଼ା ସୁରକ୍ଷ ମଧ୍ୟରେ ଅଭ୍ୟାସ ପାଇଁ କଟକ ଯିବେ ।

ସେପଟେ ୯ ତାରିଖରେ ମ୍ୟାଚ୍‌ ପାଇଁ ବ୍ୟାପକ ବନ୍ଦୋବସ୍ତ ବ୍ୟବସ୍ଥାର ଯାଞ୍ଚ କରିଛନ୍ତି ଟୁଇନ ସିଟି ପୋଲିସ କମିଶନର । ସୁରକ୍ଷା ଦାୟିତ୍ୱରେ ମୋଟ ୫୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ବରିଷ୍ଠ ପୋଲିସ ଅଧିକାରୀ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିବେ । ସେହିପରି ଟ୍ରାଫିକ୍‌ ପାଇଁ ରୁଟ୍‌ ଲାଇନିଂ ପ୍ରସ୍ତୁତ ହୋଇଛି । ଖେଳାଳିଙ୍କ ସୁରକ୍ଷା ବ୍ୟବସ୍ଥା ସହ ସୁରୁଖୁରୁରେ ମ୍ୟାଚ ସମ୍ପାଦନ ପାଇଁ କମିଶନରେଟ ପୋଲିସ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ପୋଲିସ କମିଶନର କହିଛନ୍ତି ।

ଅଧିକ ପଢ଼ନ୍ତୁ: ବିଜୁଳି ବେଗରେ ଭାଇରାଲ ହେଉଛି ଦ୍ରାବିଡଙ୍କ ଭିଡିଓ,କାହିଁକି ରାଗିଗଲେ ଦ୍ରାବିଡ଼ ?

OTV is now on Whatsapp

Join and get latest news update delivered to you via whatsapp

Join Now