ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ, ଇନଷ୍ଟାରେ ବଡ ଧରଣର ପରିବର୍ତ୍ତନ ହେବାକୁ ଯାଉଛି । ଏ ନେଇ ସୂଚନା ଦେଇଛନ୍ତି ମେଟା ମୁଖ୍ୟ ମାର୍କ ଜୁକରବର୍ଗ । ଜୁକରବର୍ଗ କହିଛନ୍ତି, ତାଙ୍କ କମ୍ପାନୀ ଥାର୍ଡ ପାର୍ଟି ‘ଫ୍ୟାକ୍ଟ ଚେକିଂ’ ପ୍ରୋଗ୍ରାମକୁ ବନ୍ଦ କରିଦେବ । ତା ବଦଳରେ ଆସିବ ‘କମ୍ୟୁନିଟି ନୋଟ୍ସ’ ନାମକ ଏକ ନୂଆ ପ୍ରୋଗ୍ରାମ । ମେଟା ତାର ପ୍ରତିଦ୍ୱନ୍ଦ୍ୱୀ ଏକ୍ସ (ଟୁଇଟର)କୁ ଅନୁକରଣ କରି ଏହି ନୂଆ ପ୍ରୋଗ୍ରାମ ଆରମ୍ଭ କରିବାକୁ ଯାଉଛି ଯେଉଁଥିରେ ୟୁଜର୍ସମାନେ ସେମାନଙ୍କର ତଥ୍ୟ ରଖି ପାରିବେ । ମିଳିଥିବା ସୂଚନା ଅନୁଯାୟୀ ଏହି ପ୍ରୋଗ୍ରାମ ସର୍ବ ପ୍ରଥମେ ଆମେରିକାରେ ଲାଗୁ କରାଯିବ ।
ଅଧିକ ପଢ଼ନ୍ତୁ: ନିଜର ଜୀବନଶୈଳୀ ବିଷୟରେ କହିଲେ ମାର୍କ ଜୁକରବର୍ଗ...ସକାଳୁ ଉଠି କରନ୍ତି ଏହି କାମ...
ଜୁକରବର୍ଗ ତାଙ୍କର ପୋଷ୍ଟରେ ଲେଖିଛନ୍ତି,ଏହା ଦ୍ୱାରା ବିଭିନ୍ନ ବର୍ଗର ୟୁଜର୍ସମାନଙ୍କ ସହାୟତାରେ କୌଣସି ପୋଷ୍ଟ ଭ୍ରମାତ୍ମକ କି ନୁହେଁ ତାହା ‘କମ୍ୟୁନିଟି ନୋଟ୍ସ’ ନିର୍ଣ୍ଣୟ ନେଇ ପାରବ । ଏଠି କହିରଖିବୁ, ଫେସବୁକର ଫ୍ୟାକ୍ଟ ଚେକିଂ ପ୍ରୋଗ୍ରାମ ୨୬ଟି ଭାଷାରେ ପରିଚାଳିତ ହେଉଛି । ଏଥିସହିତ ଏଏଫପି ସମେତ ୮୦ରୁ ଅଧିକ ମିଡିଆ ସଂଗଠନ ସହ ମିଶି କାର୍ଯ୍ୟ କରୁଛି।
ମାର୍କ ଜୁକରବର୍ଗ ଏକ ଭିଡିଓ ଜାରି କରି କହିଛନ୍ତି, ମେଟା ଏପରି ନିଷ୍ପତ୍ତି ନେବା ପଛରେ କାରଣ ରହିଛି । ଏକ୍ସପର୍ଟ ଫ୍ୟାକ୍ଟ ଚେକର୍ସ ନିଜ ସୁବିଧାକୁ ଦେଖି କୌଣସି ଗୋଟିଏ ପକ୍ଷର ସମର୍ଥନ କରିପାରନ୍ତି । ଏହି କାରଣରୁ ଅଧିକ କଣ୍ଟେଣ୍ଟ ଫ୍ୟାକ୍ଟ ଚେକିଂ ଲିଷ୍ଟକୁ ଆସୁଥିଲା । ଏବେ ଏସବୁ କମ୍ୟୁନିଟି ନୋଟ୍ସ ମଡେଲ ଅନୁସାରେ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।
ସେ ଆହୁରି କହିଛନ୍ତି, ଫ୍ୟାକ୍ଟ ଚେକର୍ସ ରାଜନୈତିକ ଦୃଷ୍ଟିକୋଣରୁ ପକ୍ଷପାତୀ ରହୁଥିଲେ । ସେମାନେ ଯେତିକି ଭରସା ସୃଷ୍ଟି କରୁଥିଲେ ସେତିକି ଭରସା ଭାଙ୍ଗୁ ଥିଲେ ମଧ୍ୟ । ତେଣୁ କମ୍ପାନୀ ତାର ମୂଳକୁ ପୁଣି ଫେରୁଛି ଏବଂ ତ୍ରୁଟି ହ୍ରାସ କରିବାକୁ, ନିଜର ନୀତିକୁ ସରଳ କରିବାକୁ ତଥା ନିଜ ପ୍ଲାଟଫର୍ମରେ ମୁକ୍ତ ଅଭିବ୍ୟକ୍ତି ରଖିବାର ବିକଳ୍ପ ଆଣିବାକୁ ଚେଷ୍ଟା କରୁଛି । ଏହି ପରିବର୍ତ୍ତନ ଫେସବୁକ, ଇନଷ୍ଟା ଏବଂ ଥ୍ରେଡରେ ଉପଲବ୍ଧ ହେବ ।
କ’ଣ ଏହି କମ୍ୟୁନିଟି ନୋଟ୍ସ ?
ଯେତେବେଳେ କୌଣସି ଏକ୍ସ ପୋଷ୍ଟରେ କିଛି ତଥ୍ୟକୁ ଯୋଡା ଯାଏ ସେତେବେଳେ ଏହା ‘ପାଠକ ଯୋଡିଥିବା ତଥ୍ୟ’ ନାମରେ ଏକ ଛୋଟ ବକ୍ସରେ ୟୁଜର୍ସଙ୍କ ସାମ୍ନାରେ ଡିସପ୍ଲେ ହୋଇଥାଏ । ଏହି ପୋଷ୍ଟକୁ ତ୍ରୁଟିଶୂନ୍ୟ କରିବା ପାଇଁ ଏଥିରେ ସାଧାରଣତଃ ସଂକ୍ଷିପ୍ତ ଏବଂ ତଥ୍ୟାତ୍ମକ, ମୂଳ ପୋଷ୍ଟର ବିସ୍ତାର କିମ୍ବା ବିରୋଧାଭାସ କରୁଥିବା ତଥ୍ୟ ଏବଂ ଏହି ପ୍ରସଙ୍ଗ ସହ ଜଡିତ ଲିଙ୍କକୁ ବି ସାମିଲ କରାଯାଇଥାଏ ।
୨୦୨୧ ଜାନୁଆରୀରେ ‘ବାର୍ଡୱାଚ’ ନାମରେ ଏହି କମ୍ୟୁନିଟି ନୋଟ୍ସ ଆରମ୍ଭ ହୋଇଥିଲା । ହେଲେ ୨୦୨୨ ଶେଷ ବେଳକୁ ଏଲନ ମସ୍କ ଟୁଇଟରକୁ ନିଜ ଅଧୀନକୁ ନେଇଥିଲେ ଏବଂ ଏହାର ନାମ ପରିବର୍ତ୍ତନ କରି ଏକ୍ସ ରଖିଥିଲେ । ଏହା ପରେ ସେ ଏହି କମ୍ୟୁନିଟି ନୋଟସକୁ ବିଶେଷ ଗୁରୁତ୍ୱ ଦେଇଥିଲେ । ଏବେ ଏହି କମ୍ୟୁନିଟ ନୋଟ୍ସକୁ ୪୪ ଦେଶର ୟୁଜର୍ସମାନେ ଦେଖି ପାରୁଛନ୍ତି ।
ସେ ସମୟରେ ମସ୍କ ଏକ ପୋଷ୍ଟରେ ଲେଖିଥିଲେ, ସୋସିଆଲ ନେଟୱର୍କ ସାରା ଦୁନିଆ ବିଷୟରେ ସୂଚନା ଦେବାର ଏକ ସଠିକ ଉତ୍ସ ହେବାର ଆବଶ୍ୟକତା ରହିଛି ।
ଅଧିକ ପଢ଼ନ୍ତୁ: ଏମିତି କ’ଣ ହେଲା ଯେ ସମସ୍ତଙ୍କ ଆଗରେ ଭୁଲ୍ ମାଗିଲେ ଜୁକରବର୍ଗ ?
କିଏ ଲେଖେ ଏହି କମ୍ୟୁନିଟି ନୋଟ୍ସ?
ଯେ କୌଣସି ଏକ୍ସ ୟୁଜର୍ସ ଚାହିଁଲେ କମ୍ୟୁନିଟି ନୋଟ୍ସରେ ସାଇନ ଅପ୍ କରିପାରିବେ । ତେବେ ନିଜ ନୋଟ୍ସ ଲେଖିବା ପୂର୍ବରୁ ସେମାନଙ୍କୁ କିଛି ସମୟ ଦେଇ ଅନ୍ୟ ଲୋକଙ୍କ ଦ୍ୱାରା ପରାମର୍ଶିତ ନୋଟସକୁ ରେଟିଂ କରିବାକୁ ପଡିବ । ଯଦ୍ୱାରା ସେମାନେ ଏହି ପ୍ରକ୍ରିୟାରେ ଯୋଗ ଦେଇ ନିଷ୍ପତ୍ତି ନେଇ ପାରିବେ ଯେ ଏହା ପ୍ରକାଶିତ ହୋଇ ପାରିବ କି ନାହିଁ ।
ଏପରିକି ଯଦି ଜଣଙ୍କୁ ନୋଟ୍ସ ଲେଖିବା ପାଇଁ ଅନୁମତି ମଳିଲା ଏବଂ ଅନ୍ୟମାନେ ତାଙ୍କୁ ରେଟିଂ କରି ଅଦରକାରୀ ବୋଲି ମତ ଦେଲେ ତେବେ ସଂପୃକ୍ତ ବ୍ୟକ୍ତିଙ୍କୁ ଲେଖିବାର ଅଧିକାର ହରାଇବାକୁ ପଡିବ ।
ନୋଟ୍ସରେ ମତଦାନ ସାଧାରଣ ବହୁମତରେ ଯେ ହୁଏ ନାହିଁ ଏହା ଉପରେ ଏକ୍ସ ଯଥେଷ୍ଟ ଗୁରୁତ୍ୱ ଦିଏ । ଅନ୍ୟପକ୍ଷେ, କମ୍ପାନୀ ସେହି ମୂଲ୍ୟାଙ୍କନକର୍ତ୍ତାଙ୍କ ମଧ୍ୟରେ ସହମତିକୁ ଖୋଜିଥାଏ ଯେଉଁମାନେ ପୂର୍ବରୁ ଅସମହତ ଥାନ୍ତି । ଏହା ଦ୍ୱାରା ଏକତରଫା ରେଟିଂ କମ୍ ହୋଇଥାଏ ଏବଂ ହେରାଫେରିକୁ ମଧ୍ୟ ରୋକା ଯାଇପାରିଥାଏ ।