Advertisment

Mahashiv Ratri 2025: କାହିଁକି ମସ୍ତକରେ ଚନ୍ଦ୍ର ଓ ଶରୀରରେ ଭସ୍ମ ଧାରଣ କରିଥାନ୍ତି ପ୍ରଭୁ ଶିବ?

ସବୁ ଦେବତା ଭଲ ବେଶ ପୋଷାକ ଧାରଣ କରି, ଶରୀରରେ ସୁଗନ୍ଧିତ ଅତର ଛିଞ୍ଚି ବୁଲୁଥିବା ବେଳେ, ପ୍ରଭୁ ଶିବ କିନ୍ତୁ ଦେହରେ ଭସ୍ମ ପାଉଁଶ ବୋଳି, ମୁଣ୍ଡରେ ଗୋଟେ ଖଣ୍ଡିଆ ଚନ୍ଦ୍ର ଲଗେଇ, ଶ୍ମଶାନରେ ଯାଇ ରୁହନ୍ତି। ଦିନେ ଏହି କଥା ସ୍ୱାମୀଙ୍କୁ ପଚାରିଦେଲେ ମାତା ପାର୍ବତୀ। ପଢ଼ନ୍ତୁ ଏହାର କି ଉତ୍ତର ଦେଲେ ପ୍ରଭୁ ଶିବ।

author-image
Sarojini Sankhua
ଅଦ୍ୟତନ ହୋଇଛି
How did lord Shiv have a moon on head and vasm coated body

How did lord Shiv have a moon on head and vasm coated body

ଥରେ ଶିବପାର୍ବତୀକୈଳାସରେ ବସି ଗପୁଥାନ୍ତି। ବୈରାଗୀ ଓ ତପସ୍ୱୀ ମହାଦେବଙ୍କ ମନ ସେଦିନ ଖୁବ ଖୁସି ଥାଏ। ଏ ସମୟରେ ପାର୍ବତୀଙ୍କ ମନକୁ ଗୋଟିଏ କଥା ଆସିଲା। ଶିବ ଖୁସି ଥିବାର ଦେଖି ସେ ଏଇ ସମୟରେ ନିଜ ମନରେ ଉଠିଥିବା ପ୍ରଶ୍ନର ଉତ୍ତର ପାଇପାରିବେ ଜାଣିଲେ। ଦେଵୀ ପାର୍ବତୀ ପଚାରିଲେ ସ୍ୱାମୀ ମୁଁ ଆପଣଙ୍କର ପ୍ରାଣପ୍ରିୟା ପତ୍ନୀ, ଆପଣ ମୋତେ ଆପଣଙ୍କ ବାମ ଅଙ୍ଗରେ ଧାରଣ କରିଛନ୍ତି କିନ୍ତୁ ଚନ୍ଦ୍ରଙ୍କୁ ମସ୍ତକରେ ଧାରଣ କରିଛନ୍ତି। ଏହାର କାରଣ ଆଜି କୁହନ୍ତୁ।

Advertisment

ଶିବ ଜାଣିଥାନ୍ତି, ମଝିରେ ମଝିରେ ପାର୍ବତୀଙ୍କ ମନକୁ ଏପରି ପ୍ରଶ୍ନ ଆସେ। ସ୍ୱାମୀ ହିସାବରେ ସ୍ତ୍ରୀ ମନରେ ଆସିଥିବା ପ୍ରଶ୍ନର ଉତ୍ତର ଦେବା ତାଙ୍କ କର୍ତ୍ତବ୍ୟ। ଏଥର ଶିବ କହିଲେ– ତୁମେ ମୋର ଜୀବନଠୁ ଅଧିକ ପ୍ରିୟ। ତୁମେ ଯେତେବେଳେ ‘ସତୀ’ ନାମରେ ଦକ୍ଷ ପ୍ରଜାପତିଙ୍କ ଘରେ ତାଙ୍କ କନ୍ୟା ରୂପରେ ଥିଲ ଓ ତାଙ୍କ ଯଜ୍ଞରେ ପ୍ରାଣତ୍ୟାଗ କଲ, ସେତେବେଳେ ତୁମ ବିରହରେ ମୁଁ ବନରେ ବୁଲୁଥାଏ। ମୋ ଅସ୍ଥିର ମନକୁ ସ୍ଥିର କରିବା ପାଇଁ ତପସ୍ୟା କରିବାକୁ ନଈକୂଳ, ଉଦ୍ୟାନ, ପର୍ବତ, ଜଳସ୍ଥଳ, ପାତାଳ ବୁଲିଲି। ଯେଉଁ ଗଛ ମୂଳରେ ତପସ୍ୟା କଲି, ତାହା ମୋର କଠୋର ତପ ପ୍ରଭାବରେ ଜଳିଗଲା। ବଣ ଜଙ୍ଗଲ ପର୍ବତ ସବୁ ପୋଡି ଯାଉଥାଏ।

ସେ ନିଆଁର ତେଜ ବିଶ୍ୱବ୍ରହ୍ମାଣ୍ଡରେ ଏତେ ମାତ୍ରାରେ ଘୋଟିଗଲା ଯେ, ସୂର୍ଯ୍ୟ ଚନ୍ଦ୍ରଙ୍କର ତେଜ ମଧ୍ୟ କମ୍ ହେବାକୁ ଲାଗିଲା, ଲାଗିଲା ଯେମିତି ଯମରାଜ ବୁଢା ହେଇଗଲେ। ନାଗ, ନର, କିନ୍ନର ଗନ୍ଧର୍ବ, ରାକ୍ଷସ ସମସ୍ତେ ସେ ଉତ୍ତାପ ସହି ନପାରି ବିକଳ ଭାବେ କାନ୍ଦିବାକୁ ଲାଗିଲେ। ଏମିତି ପରିସ୍ଥିତି ଦେଖି ଇନ୍ଦ୍ର ଦେବଗଣବ୍ରହ୍ମାଙ୍କୁ ନେଇ ମୋ ପାଖକୁ ଆସିଲେ। ସେତେବେଳକୁ ମୁଁ ମନ୍ଦର ପର୍ବତ ତଳେ କଠୋର ତପସ୍ୟା କରୁଥିଲି। ସେମାନେ ମୋର ଏ ତପସ୍ୟା ଦେଖି ଭୟ ପାଇଗଲେ। ତୁରନ୍ତ ମୋତେ ଶାନ୍ତ ନ କରାଇଲେ ସ୍ୱର୍ଗ, ମର୍ତ୍ତ୍ୟ, ପାତାଳ ତିନିଲୋକ ଜଳିପୋଡ଼ି ପାଉଁଶ ହେଇଯିବ, ଏକଥା ସେ ଜାଣି ପାରିଥିଲେ। ତେଣୁ ଇନ୍ଦ୍ର, ବ୍ରହ୍ମା, ଦେବଗଣ ବିଚାର କଲେ ଯେ, ଚନ୍ଦ୍ରମାଙ୍କୁ ନେଇ ମୋର ମସ୍ତକରେ ସ୍ଥାପନା କରିବେ। ସୁଶୀତଳ ଚନ୍ଦ୍ରମାଙ୍କୁ ଦେଖି ମୁଁ ସତୀଙ୍କ ବିଚ୍ଛେଦ କଷ୍ଟରୁ ଶାନ୍ତି ଲାଭ କରିବି। ଇନ୍ଦ୍ର ଅମୃତ କଳସ ଆଣି ମୋତେ ଗ୍ରହଣ କହିବାକୁ କହିଲେ।

Advertisment

ସେ ଅମୃତ କଳସରୁ କି ସୁନ୍ଦର ବାସ୍ନା ଆସୁଥିଲା ! ଚୁଆ, ଚନ୍ଦନ, କର୍ପୂର ପରି କେତେ କେତେ ବସ୍ନାମୟ ଜିନିଷ ସବୁ ସେ କଳସରେ ଥିଲା, ଯାହାର ବାସ୍ନା ବଣ ପାହାଡ଼ ପର୍ବତ ସବୁଦିଗରେ ଖେଳିଗଲା ମୋର ମନ ପୁଲକିତ ହେଇ ଉଠିଲା। ମୁଁ ସେ କଳସକୁ ହାତରେ ଧରିଲି। ଦେଖିଲି ମୋ ମସ୍ତକରେ ଚନ୍ଦ୍ରରେଖା ଆଙ୍କି ହୋଇଛି, ଯାହା ସେ କଳସରେ ପ୍ରତିବିମ୍ବିତ ହୋଇଥିଲା। ମୋ ମସ୍ତକରେ ଚନ୍ଦ୍ରଙ୍କୁ ଦେଖି ମନ ଏଥର ପୂର୍ବପରି ସ୍ଥିର ହେବାକୁ ଲାଗିଲା। ଧୀରେ ଧୀରେ ମୋ ମନରୁ ସତୀଙ୍କ ବିରହ କଷ୍ଟ ଦୂର ହେଲା। ସେହିଦିନଠାରୁ ବ୍ରହ୍ମା ମୋ ନାଁ ଦେଲେ ଚନ୍ଦ୍ରଚୂଡ, ଇନ୍ଦ୍ର ଦେଲେ ଶଶାଙ୍କ ଶେଖର ଓ ଅନ୍ୟ ଦେବଗଣ ମାନେ ମୋର ନାଁ ରଖିଲେ ଚନ୍ଦ୍ରମୌଳି, ସୋମନାଥ, ସୋମେଶ୍ୱର। ତା ପରଠୁ ମୁଁ ଚନ୍ଦ୍ରମାକୁ ଆଦର କଲି। ତାଙ୍କ ପ୍ରତି ମୋର ଶ୍ରଦ୍ଧା ବଢିଲା। ତେଣୁ ତାଙ୍କୁ ମୁଁ ମସ୍ତକରେ ଧାରଣ କଲି।

ମହାଦେବ ନିଜ ଦେହରେ ଭସ୍ମ ବା ପାଉଁଶ ବୋଳି ହୋଇଥାନ୍ତି କାହିଁକି?

ଦିନେ ପାର୍ବତୀ କୈଳାସରେ ମନ ଦୁଃଖ କରି ବସିଥାନ୍ତି। ଯେମିତି ମନରେ ତାଙ୍କର ବହୁ ବେଳୁ କ’ଣ ଗୋଟିଏ ପ୍ରଶ୍ନ ଉଙ୍କି ମାରୁଚି। ଶିବ ଏହା ଦେଖି ପାର୍ବତୀଙ୍କ ମନର ଅଵସ୍ଥା ଜାଣିପାରିଲେ। ମହାଦେବ ପାର୍ବତୀଙ୍କୁ ଆଦର କରି ପଚାରିଲେ, ସେ ଏପରି ଚିନ୍ତିତ କାହିଁକି? ପାର୍ବତୀ ଏଥର ମହାଦେବଙ୍କୁ କହିଲେ, ବହୁତ ଦିନ ହେଲାଣି ମୋ ମନକୁ ଆପଣଙ୍କ ବିଷୟରେ ଗୋଟିଏ ପ୍ରଶ୍ଣ ବାରମ୍ବାର ଆସୁଚି। ଆପଣ ତ ଦେବଙ୍କ ଦେବ ମହାଦେବ, ତିନିପୁରରେ ପୂଜା ପାଆନ୍ତି।ସମସ୍ତଙ୍କୁ ସୁଖରେ ରଖିଛନ୍ତି, କିନ୍ତୁ ନିଜେ ଏପରି ଦିଗମ୍ବର ବେଶ ହୋଇ ଭୂତଙ୍କ ସହ ଶ୍ମଶାନରେ ରହୁଛନ୍ତି। ଅନ୍ୟ ଦେବତାଙ୍କ ପରି ଦେହରେ ଚନ୍ଦନ ଅତର ନ ଲଗାଇ, ମଶାଣି ପାଉଁଶ ବୋଳି ହୁଅନ୍ତି କାହିଁକି? ଏହାର ରହସ୍ୟ କ’ଣ ଆଜି ମୋତେ କୁହନ୍ତୁ।

ମହାଦେବ ପାର୍ବତୀଙ୍କ କଥା ଶୁଣି ଟିକିଏ ହସି କହିଲେ- ମୁଁ ଯେମିତି ତୁମକୁ ଭଲପାଏ ସେହିପରି ଏ ପାଉଁଶକୁ ମଧ୍ୟ ଭଲପାଏ। ତେବେ ଏ ପାଉଁଶକୁ ମୁଁ କାହିଁକି ଭଲପାଏ ସେକଥା ଶୁଣ। ଭୃଗୁ ବଂଶରେ ଜଣେ ବ୍ରାହ୍ମଣ ଜନ୍ମ ହୋଇଥିଲା, ନିଜର କଠୋର ତପସ୍ୟା ଯୋଗୁଁ ତିନିପୁରରେ ସେ ଖ୍ୟାତି ଅର୍ଜନ କରିଥିଲା। ସେ ଏପରି କଠିନ ତପସ୍ୟା କରିଥିଲା ଯେ, ଗ୍ରୀଷ୍ମ ଋତୁରେ ପ୍ରଖର ସୂର୍ଯ୍ୟକିରଣରେ ନିଜ ଚାରିପଟେ ନିଆଁ ଜାଳି ତପସ୍ୟା କରୁଥିଲା। ସେହିପରି ଶୀତ ଦିନରେ ପାଣି ଭିତରେ ବୁଡ଼ି ରହି ତପ କରୁଥାଏ। ବର୍ଷା ଦିନେ ମଧ୍ୟ ବର୍ଷା ପାଣିରେ ଓଦା ହୋଇ ତପସ୍ୟା କରୁଥିଲା। ତାର ତପସ୍ୟାରେ ବଶ ହୋଇ ବଣର ହିଂସ୍ର ଜନ୍ତୁ ବାଘ ଭାଲୁ ହାତୀ ମାନେ ତାକୁ ଫଳ ଆଣି ଦେଉଥିଲେ, ଯାହାକୁ ଖାଇ ସେ ଜୀବନ ବଞ୍ଚୁଥିଲା।

ଦିନକୁ ଦିନ ତା’ର ତପସ୍ୟା ପ୍ରବଳ ହେଲା। ଫଳ ଖାଇବା ଛାଡ଼ି ସେ ଏଥର କେବଳ ଘାସ ଖାଇ ବଞ୍ଚିଲା। ବହୁବର୍ଷ ଯାଏଁ ସେ ଏପରି ତପସ୍ୟା କରୁଥାଏ। ଗୋଟେ ଦିନ ସେ ବ୍ରାହ୍ମଣ ବିଚାର କଲା ଯେ, ଯେଉଁଦିନ ତା’ର ରକ୍ତର ରଙ୍ଗ ସବୁଜ ହେବ ସେଦିନ ସେ ଜାଣିବ ଯେ ତା’ର ତପସ୍ୟା ପୂରଣ। ତା’ର ତପ ପୂରଣ ହୋଇ ଆସିଲା। ଘାସ ଉପାଡୁଥିବା ବେଳେ ଦିନେ ଧାରୁଆ ଘାସରେ ତାର ହାତ କଟି ରକ୍ତ ଝରିବାକୁ ଲାଗିଲା। ଏଥର ରକ୍ତ ତା’ର ସବୁଜ ଦିଶୁଥିଲା। ଏହା ଦେଖି ବ୍ରାହ୍ମଣ ନିଜ ତପସ୍ୟା ପୂରଣ ହୋଇଛି ଜାଣି ଖୁସିରେ ବିହ୍ୱଳ ହୋଇ ନାଚିବାକୁ ଲାଗିଲା। ସେ ଏମିତି ବିକଟାଳ ନାଚ ନଚିଲା ଯେ, ବଣର ପଶୁ ମଧ୍ୟ ତା ପାଖକୁ ଯିବାକୁ ଡରିଲେ। ଏହି ସମୟରେ ତା ମନର ଅବସ୍ଥା ଜାଣି ମୁଁ ଜଣେ ବିପ୍ର ରୂପ ଧରି ତା ପାଖରେ ପହଞ୍ଚି ତା ହାତ ଧରି ତାକୁ କହିଲି- ତପ ବଳରେ ମନୁଷ୍ୟ ପୁଣ୍ୟ ଲାଭ କରେ, କିନ୍ତୁ ତୁ ଗର୍ବ କରି ସେ ପୁଣ୍ୟ ନଷ୍ଟ କାହିଁକି କରୁଛୁ?

ସୂର୍ଯ୍ୟ ଚନ୍ଦ୍ର ଅଗ୍ନି ସମସ୍ତେ କେତେ ତେଜବାନ୍, କିନ୍ତୁ ସେମାନେ କ’ଣ କେବେ ଅହଙ୍କାର କରିଛନ୍ତି କି? ଏ ଦେହ ପୃଥିବୀ ହେଲେ ଆତ୍ମା ଭିନ୍ନ ଅଟେ। ଏ ଦେହରେ ଅନେକ ରସ ରହିଛି। ସବୁଜ ରଙ୍ଗର ରକ୍ତ ଦେଖି ତୁ କି ଗର୍ବ କରୁଛୁ ତୋ’ଠୁ ଅନେକ ବଡ଼ ବଡ଼ ତପସ୍ୱୀ ମୁଁ ଦେଖିଚି। ଦେଖ ଏବେ ମୋ ଆଙ୍ଗୁଳି କାଟି ଦେଖାଉଛି। ମୋ ଆଙ୍ଗୁଳି କାଟିବାରୁ ପାଉଁଶ ରଙ୍ଗର ରକ୍ତ ବୋହିଗଲା ଯାହାକୁ ଦେଖି ବ୍ରାହ୍ମଣ ଆଶ୍ଚର୍ଯ୍ୟ ଚକିତ ହୋଇଗଲା। ନିଜର ଭୁଲ ବୁଝି ପାରି ମୋତେ ଧନ୍ୟବାଦ ଦେଇ ମୋର ପ୍ରକୃତ ପରିଚୟ ଜାଣିବାକୁ ବ୍ୟାକୁଳ ହେଲା। ତା’ର ବିକଳ ଅନୁରୋଧ ରକ୍ଷା କରି ନିଜ ରୂପରେ ତକୁ ଦର୍ଶନ ଦେଲି। ତାକୁ ବର ପ୍ରଦାନ କରି ସୁମେରୁ ପର୍ବତରେ ଘର କରି ଖୁସିରେ ରହିବାକୁ କହିଲି। ସେହି ଦିନଠାରୁ ମୋ ଦେହରେ ମୁଁ ପାଉଁଶ ଧାରଣ କଲି। ଭସ୍ମ ବିଲେପନ ନାମରେ ମୋତେ ସଂସାରରେ ସମସ୍ତେ ପୂଜା କଲେ।

Jagara Yatra Mahashivratri Jagar Yatra Maha Shivratri Mahashivratri Celebrations In Odisha Mahashivrati Jagara Deepa Jagara Jatra Mahashiv Ratri
Advertisment
Advertisment