ଗ୍ରୀଷ୍ମଋତୁ ପୃଥିବୀ ପୃଷ୍ଠରୁ ବିଦାୟ ନେଉଥାଏ, ବର୍ଷାଋତୁ ଧରାବତରଣ ସମୟରେ ମହାଦେବ ଶିବ ଓ ସତୀଙ୍କ ବିବାହୋତ୍ସବକୁ ନେଇ ଅନୁଷ୍ଠିତ ହୁଏ ଶୀତଳ ଷଷ୍ଠୀ। ମହାପ୍ରଭୁ ଜଗନ୍ନାଥଙ୍କର ପରେ ପରେ ଶୀତଳଷଷ୍ଠୀ ବେଳକୁ ଆକାଶର ଅପରୂପ ସୌନ୍ଦର୍ଯ୍ୟ ବେଶ ଆକର୍ଷଣ ହେବା ସାଙ୍ଗକୁ ବର୍ଷାର ଆଗମନ ଧରାପୃଷ୍ଠରେ ଶୀତଳ ପରିବେଶ ସୃଷ୍ଟିକରେ।
ଶୀତଳ ଷଷ୍ଠୀ ପୌରାଣିକ କଥାବସ୍ତୁ ଉପରେ ଆଧାରିତ। କିନ୍ତୁ ଆମ ଦୈନନ୍ଦିନ ଜୀବନରେ ଯେପରି ବିବାହ କାର୍ଯ୍ୟ ସମ୍ପାଦନ କରାଯାଏ, ଠିକ୍ ସେହିପରି ବୈଦିକ ରୀତିନୀତିରେ ଶିବଙ୍କ ସହିତ ମାତା ସତୀଙ୍କ ବିବାହ ଅନୁଷ୍ଠିତ ହୋଇଥାଏ।
Also Read
ପୌରାଣିକ କଥାବସ୍ତୁ:
ଶିବ ପୁରାଣ ଅନୁସାରେ ବ୍ରହ୍ମାଙ୍କୁ କଠୋର ତପସ୍ୟା କରି ଦକ୍ଷପ୍ରଜାପତି ମାତା ସତୀଙ୍କୁ ଝିଅ ରୂପେ ପାଇଥିଲେ। ସତୀଙ୍କ ବିବାହ ବୟସ ହେବାରୁ ବାପାଙ୍କ ଅନିଚ୍ଛାରେ ଶ୍ମଶାନବାସୀ ଶିବଙ୍କୁ ବିବାହ କରନ୍ତି। ଏଥିରେ କ୍ଷୁବ୍ଧ ହୋଇ ଦକ୍ଷପ୍ରଜାପତି ଝିଅ ଜ୍ୱାଇଁ ସ୍ୱିକାର କରନ୍ତି ନାହିଁ କି ସେମାନଙ୍କୁ ଆମନ୍ତ୍ରଣ କରନ୍ତି ନାହିଁ।
ଅଧିକ ପଢ଼ନ୍ତୁ: କେବେ ଓ କାହିଁକି ପାଳନ ହୁଏ ଶୀତଳଷଷ୍ଠୀ ? କେଉଁଠୁ ହୋଇଥିଲା ଆରମ୍ଭ, ଜାଣନ୍ତୁ...
ଦକ୍ଷପ୍ରଜାପତି ଏକ ଯଜ୍ଞର ଆୟୋଜନ ସମୟରେ ମହାଦେବଙ୍କ ଅନିଚ୍ଛା ସତ୍ତ୍ୱେ ଦେବୀ ପାର୍ବତୀ ବାପ ଘରକୁ ଯାଆନ୍ତି। ଯଜ୍ଞସ୍ଥଳରେ ଦକ୍ଷପ୍ରଜାପତି ଶିବଙ୍କର ଅପମାନ କରିବାରୁ ଏହାକୁ ସହି ନ ପାରି ସତୀ ଯଜ୍ଞକୁଣ୍ଡରେ ଝାସ ଦିଅନ୍ତି। ଏହି ଖବର ଶୁଣି ମହାଦେବଙ୍କ କ୍ରୋଧ ସୀମା ଲଙ୍ଘନ କରେ। ସେ ସେଠାରେ ପହଞ୍ଚି ଯଜ୍ଞସ୍ଥଳକୁ ଧ୍ୱଂସକରି ଦିଅନ୍ତି। ସେଠାରୁ ସତୀଙ୍କ ଶବକୁ କାନ୍ଧରେ ପକାଇ ଚାରିଆଡେ ଘୁରିବୁଲନ୍ତି। ଏହି ସମୟରେ ଭଗବାନ ବିଷ୍ଣୁ ଚକ୍ର ଦ୍ୱାରା ସତୀଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରି ଶିବଙ୍କଠାରୁ ଅଲଗା କରିଦିଅନ୍ତି।
ପରବର୍ତ୍ତୀ ସମୟରେ ବ୍ରହ୍ମାଙ୍କ ବରରେ ବଳିୟାନ ହୋଇ ତାରକାସୁର ଅତ୍ୟାଚାର କରେ। ତାରକାସୁରର ଅତ୍ୟାଚାରରେ ଦେବତାମାନେ ଆତଙ୍କିତ ହୋଇ ବ୍ରହ୍ମାଙ୍କ ଶରଣଙ୍କୁ ଯାଆନ୍ତି। ବ୍ରହ୍ମା ସେମାନଙ୍କୁ ଆଶ୍ୱସ୍ତି ଦେ କୁହନ୍ତି ଯେ ଶିବଙ୍କ ଔରସରୁ ଜନ୍ମିତ ସନ୍ତାନ ହିଁ କେବଳ ତାରକାସୁରକୁ ବଧ କରିପାରିବ।
ଏହା ପରେ ଦେବତାମାନେ ଆଦିଶକ୍ତି ମାତା ସତୀଙ୍କୁ ତପସ୍ୟା କରନ୍ତି। ଦେବଗଣଙ୍କ କଠୋର ତପସ୍ୟା ଯୋଗୁଁ ମାତା ସତୀ ଗିରିରାଜ ହିମାଳୟରୁ ଆବିର୍ଭାବ ହୁଅନ୍ତି। ପର୍ବତରୁ ଆବିର୍ଭାବ ହୋଇଥିବାରୁ ସତୀଙ୍କ ନାଁ ପାର୍ବତୀ ହୋଇଗଲା। ଜ୍ୟେଷ୍ଠ ଶୁକ୍ଳପକ୍ଷ ପଞ୍ଚମୀ ଦିନ ଶିବ ଓ ମାତା ପାର୍ବତୀଙ୍କ ପୁନଃମିଳନ ହେଲା। ମହାଦେବ ମାତା ପାର୍ବତୀଙ୍କୁ ପାଇବା ପରେ ରୁଦ୍ର ରୂପ ତ୍ୟାଗ କରି ଶାନ୍ତ ଶୀତଳ ହୋଇଗଲେ। ଦେବଦମ୍ପତିଙ୍କ ଏହି ମହାମିଳନକୁ ଶୀତଳଷଷ୍ଠୀ ଭାବେ ପାଳନ କରାଯାଉଛି।
କ’ଣ କୁହେ ଇତିହାସ:
ଜନଶ୍ରୁତି ଅନୁସାରେ ଛତ୍ରପତି ମହାରାଜ ବୀର ବଳିୟାର ସିଂହଙ୍କୁ ୧୮ ଗଡ଼ଜାତ ସମ୍ମାନ ଦେବା ପାଇଁ ପୁରୀ ମହାରାଜ ଆମନ୍ତ୍ରଣ କରିଥିଲେ। ମହାରାଜଙ୍କ ନିମନ୍ତ୍ରଣ ରକ୍ଷାକରି ବଳିୟାର ସିଂହ ପୁରୀ ଦରବାରରେ ଯାଇ ପହଞ୍ଚିଥିଲେ। ପୁରୀ ରାଜା ବୀର ବଳିୟାର ସିଂହଙ୍କ ଶକ୍ତି ପରୀକ୍ଷା କରିବା ପାଇଁ ତାଙ୍କ ଦରବାରରେ ଥିବା ୭ଜଣ ଶ୍ରେଷ୍ଠ ମଲ୍ଲଯୋଦ୍ଧାଙ୍କୁ ନିୟୋଜିତ କରିଥିଲେ।
ବୀର ବଳିୟାର ସିଂହ ରାଜଦରବାରକୁ ପହଞ୍ଚି ମହାରାଜଙ୍କୁ ଅଭିବାଦନ କରିବା ସମୟରେ ଅତର୍କିତ ଭାବେ ଏହି ୭ଜଣ ମଲ୍ଲଯୋଦ୍ଧା ତାଙ୍କୁ ଆକ୍ରମଣ କରିଥିଲେ। ଏଥିରେ ବିଚଳିତ ନ ହୋଇ ବୀର ବଳିୟାର ସିଂହ ତାଙ୍କ ପଗଡି ଭିତରେ ଥିବା ମାଆ ସମଲେଶ୍ୱରୀଙ୍କ ଏକ ତରବାରୀ କାଢି ମଲ୍ଲଯୋଦ୍ଧାଙ୍କୁ ଧରାଶାୟୀ କରିଦେଇଥିଲେ।
ବଳିୟାର ସିଂହଙ୍କ ଏହି ବୀରତ୍ୱରେ ମୁଗ୍ଧ ହୋଇ ପୁରୀ ମହାରାଜ ସିଂହାସନରୁ ଓହ୍ଲାଇ ଆସି ତାଙ୍କୁ କିଛି ପୁରସ୍କାର ଦେବାକୁ କହିଲେ । ସମ୍ବଲପୁରରେ ସେତେବେଳେ ବ୍ରାହ୍ମଣ ନଥିଲେ। ବଳିୟାର ସିଂହ ପୁରୀ ମହାରାଜଙ୍କୁ ବ୍ରାହ୍ମଣ ଦେବାକୁ ଅନୁରୋଧ କରିଥିଲେ। ଏହା ପରେ ବ୍ରାହ୍ମଣମାନେ ପୁରୀରୁ ସମ୍ବଲପୁରକୁ ଆସି ଓ ଶିବ ବିବାହ ପରମ୍ପରା ଆରମ୍ଭ କରିଥିବା କୁହାଯାଏ।
ପୂର୍ବେ ଅସ୍ପୃଶ୍ୟମାନଙ୍କୁ ମନ୍ଦିର ଯାଇ ଦେବଦେବୀଙ୍କୁ ଦର୍ଶନ କରିବା ବାରଣ ଥିଲା। ତେଣୁ ବର୍ଷରେ ଥରେ ଦେବଦମ୍ପତି ସେମାନଙ୍କୁ ଦର୍ଶନ ଦେବା ପାଇଁ ବାହାରକୁ ଆସୁଥିବାର କୁହାଯାଏ। ଦେବଦମ୍ପତିଙ୍କ ଏହି ଯୁଗଳ ଦର୍ଶନରେ ବହୁ ପୁଣ୍ୟ ମିଳେ ବୋଲି ବିଶ୍ୱାସ ରହିଛି।