• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Ramakanta Samantaray

ଖାଣ୍ଡବ ବନ ଦହନ ପରେ ଦାନବ ଶିଳ୍ପୀ ମୟ ଆସି କୃଷ୍ଣ ଅର୍ଜୁନଙ୍କ ପାଖରେ ପହଞ୍ଚିଲେ । ସେ କୃତଜ୍ଞତା ସହ କହିଲେ ଆପଣ ଦୁହେଁ ମୋ ଜୀବନ ରକ୍ଷା କରିଛନ୍ତି । ମୋ ଜୀବନ ପ୍ରତିବଦଳରେ ସେଦିନ ମୁଁ କଥା ଦେଇଥିଲି ଗୋଟେ ସୁନ୍ଦର ଘର ତିଆରି କରିଦେବି । ଏବେ କୁହନ୍ତୁ କେମିତିକା ଘର ଆପଣଙ୍କର ଦରକାର। କୃଷ୍ଣ କହିଲେ ଚାହୁଁଛ ଯଦି ଇନ୍ଦ୍ରସଭା ପରି ସଭାଘର ଗୋଟେ  ତିଆରି କରିଦିଅ । ସେମିତିକା ଘର ତିନି ଭୂବନରେ କୋଉଠି ବି ନଥିବ ଯେମିତି। କଳା କାରିଗରୀରେ ଅନ୍ୟନ ହୋଇଥିବ । ଯିଏ ଦେଖିବ ଠିଆ ହେଇ ଘଡିଏ ଅନେଇବ । 

ମୟ କହିଲେ ଏ କିବା କଥା ଯେ। ମୁଁ ମୋର ସମସ୍ତ ବିଦ୍ୟା ବୁଦ୍ଧି ଓ କଳା କୌଶଳ ସହ ଏମିତି ସଭା ଘରଟେ ତିଆରି କରିବି ଯେ, ଇନ୍ଦ୍ରଙ୍କ ସଭା ଗୃହ ତା' ଆଗରେ ମଳିନ ଦିଶିବ । ତେବେ ଏବେ ମୋର ଟିକେ ଅଲଗା ଦିଗକୁ ଯିବାର ଅଛି । ସେଉଠୁ ଫେରି କାମ ଆରମ୍ଭ କରିବି । ତାପରେ ମୟ କହିଲେ ସେ ବହୁତ ଦିନ ତଳେ ଦାନବମାନଙ୍କର ଯଜ୍ଞ ସମୟରେ କୈଳାସ ପର୍ବତର ଉତ୍ତର ଦିଗରେ ମୈନାକ ପର୍ବତରେ ବିନ୍ଦୁ ସରୋବର ପାଖରେ ଗୋଟିଏ ବିଚିତ୍ର ରମଣୀୟ ମଣିମୟ ଭାଣ୍ଡ ପ୍ରସ୍ତୁତ କରିଥିଲେ ।

ସେ ଭାଣ୍ଡ ରାଜା ବୃଷପର୍ବାଙ୍କ ସଭାରେ ସ୍ଥାପିତ ହେଇଥିଲା। ଯଦି ତାହା ଆଜିବି ସେଠାରେ ସେମିତି ରହିଥିବ ତେବେ ଆସିଲା ବେଳେ ତାକୁ ସାଙ୍ଗରେ ଆଣିଦେବି । ତାପରେ ମୟ ଆହୁରି କହିଲେ ଯେ ସେ ବିନ୍ଦୁ ସରୋବରରେ ଉଗ୍ର ଗଦା ଗୋଟେ ଅଛି । ସେ ଗଦା ଭୀମଙ୍କ ପାଇଁ ଉପଯୁକ୍ତ । ଅର୍ଜୁନଙ୍କ ଗାଣ୍ଡିବ ପରି ସେ ଗଦା ବି ଏକ ଦିବ୍ୟ ଅସ୍ତ୍ର । ସେ ସରୋବରରେ ଆହୁରି ବରୁଣଙ୍କ ଦ୍ୱାରା ପ୍ରଦତ୍ତ ଦେବଦତ୍ତ ନାମକ ଶଙ୍ଖ ବି ଅଛି । ଆସିଲା ବେଳେ ତାକୁ ବି ସାଙ୍ଗରେ ଆଣିଦେବି । ଏହାପରେ ମୟ କିଛିଦିନ ପରେ ଫେରିବେ କହି ସେଠାରୁ ଚାଲିଗଲେ । 

କଥା ଅନୁସାରେ ମୟ ଯଥା ଶୀଘ୍ର ଫେରିଆସିଲେ ଓ ପାଣ୍ଡବମାନଙ୍କ ପାଇଁ ସବୁଠାରୁ ସୁନ୍ଦର ଓ କଳା କୌଶଳରେ ଅଭିନବ ସଭାଗୃହ ଗୋଟିଏ ନିର୍ମାଣ କଲେ । ଭୀମଙ୍କୁ ଉଗ୍ର ଗଦା ଓ ଅର୍ଜୁନଙ୍କୁ ଦେବଦତ୍ତ ଶଙ୍ଖପ୍ରଦାନ କଲେ ।

ଦିନେ ଦେବର୍ଷି ନାରଦ ଆସି ଇନ୍ଦ୍ରପ୍ରସ୍ଥରେ ପହଞ୍ଚିଲେ । ଯୁଧିଷ୍ଠିରଙ୍କୁ ଜଣେ ଉତ୍ତମ ରାଜା ଭାବରେ କ'ଣ କ'ଣ କରିବା ଉଚିତ ସେନେଇ ଅନେକ ଉପଦେଶ ଦେଲେ ଓ ଯୁଧିଷ୍ଠିର ନିଷ୍ଠାର ସହ ତାହାସବୁ ପାଳନ କରୁଛନ୍ତି କି ନାହିଁ ପଚାରିଲେ ।  ଯୁଧିଷ୍ଠିର ସବୁ ଶୁଣି ନାରଦଙ୍କୁ ପ୍ରଣାମ କଲେ ଓ ଜଣେ ରାଜା ଭାବରେ ନାରଦ ମୁନିଙ୍କ ସମସ୍ତ ଉପଦେଶକୁ ନିଶ୍ଚୟ ପାଳନ କରିବେ ବୋଲି କଥା ଦେଲେ । 

ଯୁଧିଷ୍ଠିରଙ୍କ ରାଜ ସଭା ଛାଡିବା ଆଗରୁ ନାରଦ କହିଲେ ଯୁଧିଷ୍ଠିର ତୁମେ ଜଣେ ଶ୍ରେଷ୍ଠ ନରପତି ହେବାକୁ ଯୋଗ୍ୟ । ତୁମ ପାତ୍ର ମନ୍ତ୍ରୀ ଓ ଭାଇମାନେ ତୁମକୁ ସବୁ ପ୍ରକାର ସାହାଯ୍ୟ ସହଯୋଗ କରିବାକୁ ତତ୍ପର ଅଛନ୍ତି । ପ୍ରଜାମାନେ ତୁମଙ୍କୁ ସମ୍ମାନ କରୁଛନ୍ତି । ତେଣୁ ଜଣେ ଶ୍ରେଷ୍ଠ ରାଜା ଭାବରେ ନିଜକୁ ପ୍ରତିଷ୍ଠା କରିବାକୁ ତୁମେ ଏବେ ଏକ ରାଜସୂୟ ଯଜ୍ଞର ଆୟୋଜନ କର । 

ରାଜସୂୟ ଯଜ୍ଞର ଆୟୋଜନ କିଛି ସହଜ କଥା ନଥିଲା । ଯୁଧିଷ୍ଠିର ପ୍ରଥମେ ତାଙ୍କର ଚାରି ଭାଇ, ମନ୍ତ୍ରୀ, କୁଳ ପୁରୋହିତ ଓ ଋଷି ଏବଂ ବେଦଜ୍ଞ ବ୍ରାହ୍ମଣମାନଙ୍କ ସହ ମନ୍ତ୍ରଣା କଲେ । ସମସ୍ତେ ତାଙ୍କୁ ଯଥାଶୀଘ୍ର ରାଜସୂୟ ଯଜ୍ଞ ଆୟୋଜନ କରିବାକୁ ଉତ୍ସାହିତ କଲେ । ହେଲେ ଯୁଧିଷ୍ଠିର ଭାବିଲେ କିଛି ଗୋଟେ ବଡ କଥାର ନିଷ୍ପତ୍ତି ନେବା ଆଗରୁ ପାଣ୍ଡବ ପରିବାରର ପରମ ବନ୍ଧୁ ଯଦୁପତି କୃଷ୍ଣଙ୍କୁ ପଚାରିବାକୁ ହେବ । ତାଙ୍କ ବିନା ସହଯୋଗରେ କିଛି କରିବା ଅସମ୍ଭବ। ସେ ହିଁ ଉଚିତ ପରାମର୍ଶ ଦେଇ ପାରିବେ । ଆଉ ଡେରି ନକରି ଯୁଧିଷ୍ଠିର ଜଣେ ଦୂତ ହାତରେ କୃଷ୍ଣଙ୍କ ପାଖକୁ ଖବର ପଠେଇଲେ ଓ ଖବର ପାଇ କୃଷ୍ଣ ଯଥାଶୀଘ୍ର ଇନ୍ଦ୍ରପ୍ରସ୍ଥରେ ଆସି ପହଞ୍ଚିଲେ । 

ଅନ୍ୟମାନଙ୍କ ପରି କୃଷ୍ଣ ବି ରାଜସୂୟ ଯଜ୍ଞର ଆୟୋଜନ ସପକ୍ଷରେ ମତ ଦେଲେ ଓ କହିଲେ ହେ ଯୁଧିଷ୍ଠିର, ରାଜସୂୟ ଯଜ୍ଞ ଆୟୋଜନରେ କିନ୍ତୁ ଏବେ ଗୋଟେ ବଡ ଅସୁବିଧା ରହିଛି । ରାଜ ଚକ୍ରବର୍ତ୍ତୀ ହେବା ପାଇଁ ଆପଣଙ୍କ ବଶ୍ୟତା ସ୍ୱୀକାର କରିବାକୁ ରାଜା ତ ଦରକାର । ରାଜାମାନେ ତ ଜରାସନ୍ଧର କାରାଗୃହରେ ଏବେ ବନ୍ଦୀ ଅଛନ୍ତି ।  ରଜାମାନେ ତୁମର ବଶ୍ୟତା ସ୍ୱୀକାର ନ କଲା ପର୍ଯ୍ୟନ୍ତ ତୁମେ ସମ୍ରାଟ କେମିତି ହେବ? ଦୁଷ୍ଟ ଜରାସନ୍ଧର ଭୟରେ ସମସ୍ତେ ଥରହର। ପ୍ରତାପୀ ଶିଶୁପାଳ ପୁଣି ଜରାସନ୍ଧର ସେନାପତି । କରୁଷ ଦେଶର ରାଜା ଦନ୍ତବକ୍ର, ଯବନ ରାଜା ମୁରୁ, ପଣ୍ଡୁଙ୍କ ବନ୍ଧୁ ରାଜା ଭଗଦତ୍ତ, ଭୋଜ ବଂଶର ରାଜା ଭୀଷ୍ମକ ଆଦି ଜରାସନ୍ଧର ବଶ୍ୟତା ସ୍ୱୀକାର କରି ସାରିଛନ୍ତି।

କୃଷ୍ଣ ଆହୁରି କହିଲେ, ସେ କଂସକୁ ମାରିଲା ପରେ ଜରାସନ୍ଧ କେମିତି ବାର ବାର ମଥୁରା ଆକ୍ରମଣ କଲା । ତା' ସାଙ୍ଗରେ ତାଙ୍କର ଅନେକ ଥର ଯୁଦ୍ଧ ହେଲା । ତଥାପି ତାକୁ ମାରି ହେଲାନି କି ପରାଜିତ ବି କରିହେଲାନି । ତାଆରି ଡରରେ ଆମେ ଯାଦବମାନଙ୍କୁ ଧରି ଦ୍ୱାରକାରେ ନୂଆ ନଗରୀ ବସାଇ ରହିଛୁ । ସେଇ ଜରାନ୍ଧକୁ ଯଦି ହତ୍ୟା କରି ତା' ବନ୍ଦୀଶାଳରେ ବନ୍ଦୀ ଥିବା ରାଜାମାନଙ୍କୁ ମୁକ୍ତ କରାଯାଇ ପାରନ୍ତା, ତେବେ ରାଜସୂୟ ଯଜ୍ଞ କରିବା ସହଜ ହୁଅନ୍ତା। 

ଯୁଧିଷ୍ଠିର ପଚାରିଲେ ଏ ଜରାସନ୍ଧ ଲୋକଟି ତେବେ କିଏ? ସେ ଏତେ ବଳଶାଳୀ ହେଲା କେମିତି? ତା' ଡରରେ ପୁଣି କୃଷ୍ଣ ବଳରାମଙ୍କୁ ମଥୁରା ଛାଡି ଦ୍ୱାରକା ଯିବାକୁ ପଡିଲା । ଯୁଧିଷ୍ଠିରଙ୍କ ପ୍ରଶ୍ନ ଶୁଣି କୃଷ୍ଣ ସାମାନ୍ୟ ଚୁପ ରହି କିଛି ଗୋଟେ ଭାବିଲେ ଓ ଜରାସନ୍ଧ ବିଷୟରେ ଗପିଲେ । 

ଏକଦା ବୃହଦ୍ରଥ ନାମରେ ଜଣେ ପ୍ରତାପୀ ରାଜା ମଗଧରେ ଶାସନ କରୁଥାନ୍ତି । ରାଜାଙ୍କର ଏକ ବିରାଟ ସେନାବାହିନୀ ଥାଏ । ରାଜା କାଶୀ ରାଜାଙ୍କର ଦୁଇ ଯାଆଁଳା ଝିଅଙ୍କୁ ବିବାହ କରିଥାନ୍ତି । ବିବାହ ସମୟରେ କଥା ଦେଇଥାନ୍ତି ଦୁଇ ପତ୍ନୀଙ୍କୁ ସେ ସମାନ ବ୍ୟବହାର ଓ ସମାନ ଅଧିକାର ଦେବେ । କିନ୍ତୁ ଅନେକ ଦିନ ଗଡିଗଲା ହେଲେ ରାଜାଙ୍କର କୌଣସି ସନ୍ତାନ ସନ୍ତତି ହେଲେନି । ବଂଶ ରକ୍ଷା ପାଇଁ ପୁଅଟିଏ ଦରକାର । ଅନେକ ଚେଷ୍ଟା ପରେ ରାଜା ପୁତ୍ର ଲାଭ ପାଇଁ ଶେଷରେ ଚଣ୍ଡକୌଶିକ ଋଷିଙ୍କର ଶରଣ ପଶିଲେ । ଋଷିଙ୍କୁ ସନ୍ତୁଷ୍ଟ କରିବାକୁ ଅନେକ ସେବା ଯତ୍ନ କଲେ । ରାଜାଙ୍କ ନିଷ୍ଠାପର ସେବା ଦେଖି ଋଷି ସନ୍ତୁଷ୍ଟ ହେଲେ। ଦିନେ ଋଷି ଯେଉଁ ଆମ୍ବ ଗଛ ତଳେ ବସିଥିଲେ ସେଇ ଗଛରୁ ଗୋଟେ ପାଚିଲା ଆମ୍ବ ତୋଳି ଆଣି ରାଜାଙ୍କୁ ଦେଇ କହିଲେ, ଯା ତୋ ରାଣୀକୁ ଦେ । ଏଇ ଆମ୍ବ ଖାଇଲେ ସେ ଗର୍ଭବତୀ ହେବ ଓ ତୋର ପୁଅଟିଏ ହେବ । ରାଜା ଋଷିଙ୍କୁ ପ୍ରଣାମ କରି ଆମ୍ବ ଆଣି ରାଜ ନଅରକୁ ଫେରିଲେ । 

ମହାଭାରତ କଥାମହାଭାରତ କଥା

ଗୋଟିଏ ମାତ୍ର ଆମ୍ବ ପାଇ ରାଜା ବଡ ଚିନ୍ତାରେ ପଡିଗଲେ । ରାଜାଙ୍କର ଦୁଇ ରାଣୀ ଅଥଚ ଋଷି ଗୋଟିଏ ମାତ୍ର ଆମ୍ବ ଦେଇଛନ୍ତି। ଆଗରୁ କଥା ଦେଇଛନ୍ତି, ଦୁଇ ରାଣୀଙ୍କ ଭିତରେ ସେ ପାତର ଅନ୍ତର କରିପାରିବେନି । ଶେଷରେ ରାଜା ଆମ୍ବକୁ ସମାନ ଦୁଇ ଖଣ୍ଡ କରି ଦୁଇ ରାଣୀଙ୍କ ଭିତରେ ବାଣ୍ଟି ଦେଲେ । ଆମ୍ବ ଖାଇବାର କିଛି ଦିନ ପରେ ଜଣା ପଡିଲା ରାଣୀ ଦୁହେଁ ଗର୍ଭବତୀ। ରାଜା ଖୁସି ଯେ ତାଙ୍କର ବଂଶ ରକ୍ଷା ପାଇଁ ପୁତ୍ର ସନ୍ତାନ ଆସୁଛନ୍ତି। ଯଥା ସମୟରେ ଦୁଇ ରାଣୀ ଦୁଇଟି ପିଲା ଜନ୍ମ କଲେ । କିନ୍ତୁ ପୁରା ନୁହେଁ ଦୁଇଟା ଅଧା ପିଲା। ଗୋଟେ ଗୋଡ଼, ପଟେ ହାତ, ଗୋଟେ ଆଖି ଗୋଟେ କାନ । ଏ ପିଲା ଦୁଇଟା କୋଉ କାମର ନୁହେଁ ବରଂ ଅମଙ୍ଗଳ ସୂଚକ ଭାବି ରାଣୀ ଦୁହେଁ ପିଲାକୁ ଫୋପାଡି ଦେବାକୁ ଧାଈକୁ ଆଦେଶ ଦେଲେ । ଧାଈ ନେଇ ଅଧା ଛୁଆ ଦିଇଟାଙ୍କୁ ବାହାରେ ଫିଙ୍ଗିଦେଇ ଆସିଲା । 

ସେତିକି ବେଳକୁ ଜରା ନାମରେ ଗୋଟେ ରାକ୍ଷସୀ ସେଇଠି ବୁଲୁଥିଲା । ମଣିଷ ପିଲା ଦେଖି ସେ ବଡ ସରାଗରେ ତାକୁ ଖାଇବାକୁ ବସିଲା । ରାକ୍ଷସୀ ଜରା ଦୁଇ ଖଣ୍ଡ ଦେହକୁ ଯେମିତି ଯୋଡି ଖାଇବାକୁ ବସିଛି, ସେ ଦୁଇ ଅଧା ଦେହ ମିଶି ଏକ ହେଇଗଲା ଓ ଗୋଟେ ପୂର୍ଣ୍ଣାଙ୍କ ପିଲା ବିକଟାଳ ଚିତ୍କାର କରି କାନ୍ଦିବାକୁ ଲାଗିଲା । ରାକ୍ଷସୀ ସେଇ ଭାରୀ ଓଜନର ପିଲାକୁ ତଳୁ ଉଠେଇ ବି ପାରିଲାନି । ପିଲାର ମେଘ ଗର୍ଜନ ପରି କାନ୍ଦ ଶୁଣି ରାକ୍ଷସୀ ଜରା ତାକୁ ଖାଇବ କ'ଣ ଓଲଟି ଭୟ ପାଇ ରାଜା ବୃହଦ୍ରଥଙ୍କ ପାଖରେ ପହଞ୍ଚିଲା । କହିଲା, ହେ ରାଜା ! ମୁଁ ଜାଣେ ତୁମେ ନିଃସନ୍ତାନ । ତେଣୁ ତୁମ ପାଇଁ ଏ ପିଲାଟିକୁ ଆଣିଛି । ନିଅ ରଖ । ରାଜା ପୁଅକୁ ପାଇ ବଡ ଖୁସି ହେଲେ । ଜରା ରାକ୍ଷସୀ ଦ୍ୱାରା ପିଲାଟି ଯୋଡି ହେଇ ନୂଆ ଜୀବନ ପାଇଥିବାରୁ ପୁଅର ନାମ ରଖିଲେ ଜରାସନ୍ଧ । 

ତାପରେ ରାଜା ପୁଅକୁ ଧରି ଆଶୀର୍ବାଦ ପାଇଁ ଋଷି ଚଣ୍ଡକୌଶିକଙ୍କ ପାଖକୁ ଗଲେ । ଋଷି ଜରାସନ୍ଧକୁ ଆଶୀର୍ବାଦ ଦେଲେ ଓ ରାଜା ବୃହଦ୍ରଥଙ୍କୁ କହିଲେ ଏ ପୁଅ ରାଜ ଚକ୍ରବର୍ତ୍ତୀ ହେବ । ଯୁଦ୍ଧରେ ଏହାକୁ କେହି ବି ପରାସ୍ତ କରିପାରିବେନି । କୌଣସି ପ୍ରକାରର ଅସ୍ତ୍ର ଶସ୍ତ୍ର ତା'ର କିଛି ବି କ୍ଷତି କରିପାରିବେନି । 

ଋଷି ଚଣ୍ଡକୌଶିକଙ୍କ କଥା ସତ ହେଲା । ଜରାସନ୍ଧ ବଡ ହେଲା ପରେ ଅନେକ ଦେଶର ରାଜାମାନଙ୍କୁ ପରାଜୟ କରି ବନ୍ଦୀ କଲେ। ସମୟ ହେଲାରୁ ରାଜା ବୃହଦ୍ରଥ ଜରାସନ୍ଧଙ୍କୁ ଦେଶର ରଜା କରି ତାଙ୍କ ଦୁଇ ପତ୍ନୀଙ୍କୁ ଧରି ତପସ୍ୱୀର ଜୀବନ ବଞ୍ଚିବାକୁ ଜଙ୍ଗଲକୁ ଚାଲିଗଲେ । 

କୃଷ୍ଣଙ୍କ ପାଖରୁ ଜରାସନ୍ଧର ପରାକ୍ରମ ବିଷୟରେ ସବୁ କଥା ଶୁଣି ସାରିଲା ପରେ ଯୁଧିଷ୍ଠିର କହିଲେ ତେବେ ଥାଉ । ମୋର ରାଜ ଚକ୍ରବର୍ତ୍ତୀ ହେବା ଦରକାର ନାହିଁ । ରାଜସୂୟ ଯଜ୍ଞ ଆୟୋଜନ କରିବା ଦରକାର ନାହିଁ । ଯିଏ ଛୟାଅଶୀ ରାଜାଙ୍କୁ ବନ୍ଦୀ କରି ରଖିଛି ପୁଣି କୃଷ୍ଣ ବଳରାମଙ୍କୁ ମଥୁରାରୁ ତଡିଛି ତାକୁ ଏବେ ହରାଇବ କିଏ? 

ଭୀମ କହିଲେ, ଜରାସନ୍ଧକୁ ସେ ଏକା ମାରିପକେଇବେ। ତାଙ୍କ ସାଙ୍ଗରେ କୃଷ୍ଣ ଓ ଅର୍ଜୁନ ଚାଲନ୍ତୁ। ସେ ଦୁଷ୍ଟର ଶେଷ ସମୟ ଆସିଗଲାଣି । ଅର୍ଜୁନ କହିଲେ ତାଙ୍କ ପାଖରେ ଏବେ ଦିବ୍ୟ ଅସ୍ତ୍ର ଅଛି । ଜରାସନ୍ଧକୁ ହରାଇବା କିଛି ବଡ କଥା ନୁହେଁ । କୃଷ୍ଣ କହିଲେ ଜରାସନ୍ଧର ଜ୍ୱାଇଁ କଂସକୁ ମୁଁ ମାରିସାରିଛି। ତା'ର ବୁଦ୍ଧିମାନ ମନ୍ତ୍ରୀ ହଂସ ଓ ଡିମ୍ବକ ମଧ୍ୟ ମରିସାରିଲେଣି । ଏବେ କପଟ କରି ଜରାସନ୍ଧକୁ ଭୀମଙ୍କ ସହ ମଲ୍ଲ ଯୁଦ୍ଧରେ ଲଢେଇବାକୁ ହେବ। ମଲ୍ଲ ଯୁଦ୍ଧରେ ଭୀମ ତାକୁ ସହଜରେ ହରାଇ ମାରିପାରିବେ । 

ସବୁ ବିଷୟରେ ଭଲରେ ଆଲୋଚନା ଓ ସୁଚିନ୍ତିତ ଯୋଜନା କଲାପରେ କୃଷ୍ଣ, ଅର୍ଜୁନ ଓ ଭୀମସେନ ବ୍ରାହ୍ମଣ ବେଶରେ ମଗଧର ରାଜା ଜରାସନ୍ଧର ରାଜଧାନୀ ଗିରିବ୍ରଜ ଅଭିମୁଖେ ଚାଲିଲେ ।

OTV is now on Whatsapp

Join and get latest news update delivered to you via whatsapp

Join Now