• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Ramakanta Samantaray

ଇନ୍ଦ୍ରପ୍ରସ୍ଥର ରାଣୀହଂସପୁରରେ ଦିନେ ସୁଭଦ୍ରା ଓ ଅର୍ଜୁନ ବସି ପ୍ରେମାଳାପ କରୁଥାନ୍ତି । ବାର ବର୍ଷ ବନବାସରେ ଅର୍ଜୁନ କୋଉ କୋଉ ଯାଗା ବୁଲିଲେ, କ'ଣ ଦେଖିଲେ, କାହାକୁ କାହାକୁ ପୁଣି  ଭେଟିଲେ ସେ କଥା ସୁଭଦ୍ରା ପଚାରୁଥାନ୍ତି ଓ ଅର୍ଜୁନ ଗୋଟି ଗୋଟି କରି ତାଙ୍କ ଅନୁଭୂତି ବଖାଣୁଥାନ୍ତି ।

ଶବର ବେଶରେ ଦିନେ ଅର୍ଜୁନ ବୁଲୁ ବୁଲୁ କାଶୀ ନଗରୀରେ ପହଞ୍ଚିଥାନ୍ତି । କାଶୀ ନଗରୀ ମାଆ ପାର୍ବତୀ ଓ ଶିବ ମହାଦେବଙ୍କ କ୍ଷେତ୍ର । ସେଦିନ ମାଆ ପାର୍ବତୀ ଓ ଭଗବାନ ଶିବ କୈଳାସ ଛାଡି କାଶୀ ଭ୍ରମଣରେ ଆସି ଗଙ୍ଗା ତଟର ଏକ ଗଛ ତଳେ ବିଶ୍ରାମ ନେଇଥାନ୍ତି । ସେଇ ବନରେ ପାର୍ବତୀଙ୍କର ଏକ ପାଳିତ ଗଣ୍ଡା ଥାଏ । ସେ ସେଇ ଆଖପାଖରେ ବୁଲୁଥାଏ ।

ଅର୍ଜୁନ ଗଙ୍ଗା କୂଳରେ ଗୋଟେ ଗଛ ତଳେ ବସିଥିବା ବେଳେ ସେଇ ଗଣ୍ଡାକୁ ପାଣି ପିଉଥିବାର ଦେଖିଲେ । ସ୍ୱଭାବ ବଶତଃ ସେ ଗଣ୍ଡା ଶିକାର କରିବାକୁ ଇଚ୍ଛା କରି ଧନୁରେ ତୀର ସନ୍ଧାନ କଲେ । ତୀର ଗଣ୍ଡା ଦେହରେ ବିଦ୍ଧ ହେବାରୁ ସେ ଯନ୍ତ୍ରଣାରେ ଚିତ୍କାର କରି କରି ମାଆ ପାର୍ବତୀ ଓ ମହାଦେବ ବିଶ୍ରାମ କରୁଥିବା ସ୍ଥାନରେ ପହଞ୍ଚିଲା ଓ ସେଇଠି ପ୍ରାଣ ତ୍ୟାଗକଲା । ନିଦରେ ଶୋଇଥିବା ଶିବଙ୍କୁ ପାର୍ବତୀ ଉଠେଇ କହିଲେ, ପ୍ରଭୁ ଦେଖ ଦେଖ, କେହି ଜଣେ ଆମ ଗଣ୍ଡାକୁ ତୀର ମାରି ହତ୍ୟା କରିଛି । ଶିବ ନିଦରୁ ଉଠି ଦେଖିଲେ ସତକୁ ସତ ତାଙ୍କ ଗଣ୍ଡା ମରି ପଡିଛି ।

ମହାଦେବ କ୍ରୋଧରେ କହିଲେ ଯୋଉ ପାଷାଣ୍ଡ ଆମ ଗଣ୍ଡାକୁ ହତ୍ୟା କରିଛି ତାକୁ ମୁଁ ପ୍ରଥମେ ହତ୍ୟା କରିବି । ସେତିକିବେଳେ ଅର୍ଜୁନ ତାଙ୍କ ଶିକାରକୁ ପିଛା କରି ଧାଇଁ ଧାଇଁ ଆସି ସେଇଠି ପହଞ୍ଚିଲେ । ଆସି ଦେଖିଲେ ଗଣ୍ଡା ମରି ପଡିଛି ଓ ଗଣ୍ଡା ପାଖରେ ଜଣେ ତପସ୍ୱୀ ଏବଂ ତାଙ୍କ ପତ୍ନୀ ଅଛନ୍ତି । ଅର୍ଜୁନ ସେ ଜଙ୍ଗଲ ଭିତରେ ଶିବ ପାର୍ବତୀଙ୍କୁ ଚିହ୍ନି ପାରିଲେନି ।

ମହାଭାରତ କଥାମହାଭାରତ କଥା

ଅର୍ଜୁନଙ୍କୁ ଦେଖି ଶିବ କ୍ରୋଧ ସହକାରେ କହିଲେ, ଆରେ ମୁର୍ଖ ଶବର ମୋ ପାଳିତ ଗଣ୍ଡାକୁ ତୁ କେଉଁ ସାହାସରେ ମାରିଲୁ? ଏବେ ତା'ର ପରାବଭ ଭୋଗିବୁ । ଏତିକି କହି ଅର୍ଜୁନଙ୍କୁ ଆକ୍ରମଣ କରିବାକୁ ଶିବ ଧାଇଁ ଆସିଲେ । ଶିବଙ୍କ କ୍ରୋଧ ଦେଖି ହସି ହସି ଅର୍ଜୁନ କହିଲେ, ହେ ତପସ୍ୱୀ ମିଛଟାରେ ମୋ ସହ ଯୁଦ୍ଧ କରି ନିଜ ଜୀବନକୁ ବିପଦରେ ପକାଇବ କାହିଁକି? ନିଜ ଯୁବତୀ ପତ୍ନୀଙ୍କ କଥା ଟିକେ ଭାବ । ବରଂ ଜୀବନ ବଞ୍ଚେଇ ଶୀଘ୍ର ଏ ସ୍ଥାନ ଛାଡି ଚାଲିଯାଅ । ଅର୍ଜୁନଙ୍କ କଥା ଶିବଙ୍କ ଉପରେ କୌଣସି ପ୍ରଭାବ ପକେଇଲାନି ।

ସେ ତଥାପି ଅର୍ଜୁନଙ୍କୁ ଆକ୍ରମଣ କରିବାକୁ ଉଦ୍ୟତ ହେବାରୁ ଶେଷରେ ଅର୍ଜୁନ ତାଙ୍କ ଧନୁର ହୁଳକୁ ଶିବଙ୍କ ବେକରେ ଲଗେଇ କୁମ୍ଭାର ଚକ ବୁଲେଇଲା ପରି ଶୂନ୍ୟରେ ତାଙ୍କୁ ବୁଲେଇ ଆଣିଲେ । ଏତିକିରେ ଶିବଙ୍କ ମୁହଁରୁ ଧାର ଧାର ରକ୍ତ ବୋହିବାକୁ ଲାଗିଲା । ଏବେ ଶିବ ଆଉ ରାଗିବେ କ'ଣ ଓଲଟି ପ୍ରୀତ ହୋଇ ଅର୍ଜୁନଙ୍କୁ ବର ଦେବାକୁ ବାହାରିଲେ । ଅର୍ଜୁନ ଶିବଙ୍କ ବେକରୁ ଧନୁ କାଢି ତଳକୁ ରଖିଲେ । ଶିବ କହିଲେ, ବତ୍ସ ତୋର ବୀରତ୍ୱରେ ମୁଁ ଖୁସି । ମୋତେ ହରାଇଥିବାରୁ ତୋତେ ମୁଁ ବର ଦେବାକୁ ଚାହୁଛି । ଏବେ ଯୋଉ ବର ମାଗିବୁ ମାଗ ।

ସେତବେଳକୁ ମାଆ ପାର୍ବତୀ ଯୋଗ ବଳରେ ଜାଣିସାରିଲେଣି ଶବର ରୂପ ଧାରଣ କରିଥିବା ଯୁବକ ଜଣକ ହେଇଛନ୍ତି ବୀର ଧନଞ୍ଜୟ । ସେ ତେଣୁ ହସି ହସି ଶିବଙ୍କ ଉଦ୍ଦେଶ୍ୟରେ କହିଲେ ସ୍ୱାମୀ ଆପଣଙ୍କ ପରି ଭୋଳା ଦେବତା ମୁଁ ଦେଖିନି । ଯୁଦ୍ଧରେ ତ ହାରିଲ । ତାପରେ ଯାହା ପାଖରୁ ହାରିଲ ସେହି ଶବର ଯୁବକକୁ ବର ଦେବାକୁ ବାହାରିଲଣି ।

ଅର୍ଜୁନ କିଛି ବୁଝିପାରୁନଥାନ୍ତି । ମାଆ ପାର୍ବତୀ ଅର୍ଜୁନଙ୍କୁ ସେମାନଙ୍କ ପ୍ରକୃତ ପରିଚୟ ଦେଲେ । ପରିଚୟ ପାଇଲା ପରେ ଅର୍ଜୁନ ସିଧା ହର ପାର୍ବତୀଙ୍କ ପାଦ ତଳେ ପଡି କ୍ଷମା ପ୍ରାର୍ଥନା କଲେ । କହିଲେ ଅଜଣାତରେ ସେ ଗୁରୁତର ଅପରାଧ କରିଛନ୍ତି । ତାଙ୍କୁ କ୍ଷମା କରାଯାଉ ।

ପାର୍ବତୀ ତାପରେ ଶିବଙ୍କୁ କହିଲେ ସ୍ୱାମୀ ଆପଣ ବର ଦେବା ଆଗରୁ ଗଙ୍ଗାରେ ସ୍ନାନ କରି ଆସନ୍ତୁ । ଶିବ ସ୍ନାନ କରିବାକୁ ଗଲାପରେ ପାର୍ବତୀ ଅର୍ଜୁନଙ୍କୁ କହିଲେ ବାପା ତୁ ଶିବଙ୍କୁ କେଉଁ ବର ମାଗିବୁ ବୋଲି ମନସ୍ଥ କରିଛୁ?

ଅର୍ଜୁନ କହିଲେ ମାଆ ମୁଁ ଅଜ୍ଞାନୀ । କଣ ମାଗିବି ଜାଣିପାରୁନି । ପାର୍ବତୀ କହିଲେ ମହାଦେବଙ୍କୁ ତାଙ୍କ ପଶୁପତି ଅସ୍ତ୍ରଟି ମାଗ । ସେ ଅସ୍ତ୍ର ପାଇଲେ ତୋତେ ଏ ତିନି ଲୋକରେ କେହିବି ପରାଜିତ କରିପାରିବେନି । ମହାଦେବ ସ୍ନାନ କରିସାରି ଅର୍ଜୁନଙ୍କୁ ବର ମାଗିବା କଥା କହିବାରୁ ଅର୍ଜୁନ କହିଲେ ହେ ପ୍ରଭୁ, ଦେବେ ଯଦି ତେବେ ତ୍ରିପୁରକୁ ନାଶ କରିବାର ଶକ୍ତି ଥିବା ପଶୁପତି ଅସ୍ତ୍ରଟି ମୋତେ ଦିଅନ୍ତୁ । ଅର୍ଜୁନଙ୍କ କଥା ଶୁଣି ପ୍ରଭୁ ଶିବ ମାଆ ପର୍ବତୀଙ୍କୁ ଅନେଇ କହିଲେ, ଏ ବୁଦ୍ଧିଟି ତୁମେ ନିଶ୍ଚୟ ଦେଇଛ । ଅର୍ଜୁନ ଆମ ସନ୍ତାନ ପରି, ତେଣୁ ମୁଁ ତ ଯାହା ଦେବା କଥା ଦେବି ତୁମେ ବି ଅର୍ଜୁନକୁ କିଛି ବର ଦାନ କର ।

ବରଦାନ ପୂର୍ବରୁ ମାଆ ପାର୍ବତୀ ଗଙ୍ଗାରେ ସ୍ନାନ କରିବାକୁ ଗଲେ । ପାର୍ବତୀ ଯିବା ପରେ ପରେ ମହାଦେବ ଅର୍ଜୁନଙ୍କୁ କହିଲେ, ସତ୍ୟ ଯୁଗରେ ମାଆ ମହିଷା ଅସୁରକୁ ନିଧନ କଲାବେଳେ ଯେଉଁ ଅକ୍ଷୟ ତୁଣୀର ବ୍ୟବହାର କରିଥିଲେ ତୁ ସେଇଟିକି ମାଗ । ସେ ତୁଣୀରରୁ ଶର କେବେବି ଶେଷ ହୁଏନି । ମାଆ ପାର୍ବତୀ ସ୍ନାନ ସାରି ଆସିଲା ପରେ ଅର୍ଜୁନ ବର ଭାବରେ ପାର୍ବତୀଙ୍କ ଅକ୍ଷୟ ତୁଣୀରକୁ ମାଗିଲେ । ପାର୍ବତୀ ଜାଣିଲେ ଅର୍ଜୁନକୁ ସେ ପଶୁପତି ଅସ୍ତ୍ର କଥା କହିଲା ପରି ମହାଦେବ ତାକୁ ଅକ୍ଷୟ ତୁଣୀର କଥା କହିଛନ୍ତି । ଅର୍ଜୁନଙ୍କୁ ବର ଦାନ ପରେ ମହାଦେବ ପାର୍ବତୀଙ୍କ ଗଣ୍ଡାକୁ ଜୀବନ ଦାନ ଦେଲେ ଓ କୈଳାସକୁ ଲେଉଟିଗଲେ ।  ଅର୍ଜୁନ ପଶୁପତି ଅସ୍ତ୍ର ଓ ଅକ୍ଷୟ ତୁଣୀର ପାଇ ମନ ଖୁସିରେ ଶିବ ପାର୍ବତୀଙ୍କୁ ପ୍ରଣାମ କରି କାଶୀ ଧାମରୁ ବାହାରିଲେ ।

ଅର୍ଜୁନ ମନ ଖୁସିରେ ସୁଭଦ୍ରାଙ୍କ ଆଗରେ ତାଙ୍କ ଦିବ୍ୟ ଅସ୍ତ୍ର ପାଇବାର ଅନୁଭୂତି ବଖାଣିଲା ବେଳକୁ କୃଷ୍ଣଙ୍କ ନଗରୀ ଦ୍ୱାରକାରେ ଆଉ ଏକ ଘଟଣା ଘଟୁଥିଲା ।

ଗୟା ନାମରେ ଏକ ଗନ୍ଧର୍ବ ଦ୍ୱାରକାର ଆକାଶ ମାର୍ଗରେ ଯାଉ ଯାଉ ତଳକୁ ଛେପ ମେଞ୍ଚେ ଛାଟିଦେଲେ । ସେଦିନ ଗୟାଙ୍କ ସମୟ ଭଲ ନଥିଲା । ସେ ଛାଟିଥିବା ଛେପ ସିଧା ତଳକୁ ଆସି ଦ୍ୱାରକାଧିପତି କୃଷ୍ଣଙ୍କ ମୁଣ୍ଡ ଉପରେ ପଡିଲା । କୃଷ୍ଣ ଭାବିଲେ କେହିଜଣେ ଜାଣି ଜାଣି ତାଙ୍କୁ ଅପମାନିତ କରିବାକୁ ଠିକ ତାଙ୍କ ମୁଣ୍ଡ ଉପରକୁ ଛେପ ଛାଟିଛି । କୃଷ୍ଣ ଭୀଷଣ ରାଗିଗଲେ । ଭାବିଲେ ଯେଉଁ ପାଷାଣ୍ଡ ଏ କାମ କରିଛି ତାକୁ ତୁରନ୍ତ ଉପଯୁକ୍ତ ଦଣ୍ଡ ଦେବାକୁ ହେବ ।

ତାପରେ କୃଷ୍ଣ ତାଙ୍କ ରଥରେ ବସିଲେ ଓ ଗନ୍ଧର୍ବ ଗୟାକୁ ଅନୁଧାବନ କରିବାକୁ ବାହାରିଲେ । ସେପଟେ ଗୟା ଜାଣିସାରିଲାଣି ତା' ଅଜଣାତରେ ସେ କେତେ ବଡ ଭୁଲ କରିସାରିଛି । ସେ ଭୟରେ ଜଡସଡ ହେଇ ଚିନ୍ତା କଲା ତାକୁ ଏ ତିନି ଭୂବନରେ କିଏ କୃଷ୍ଣଙ୍କ କୋପରୁ ରକ୍ଷା କରିପାରିବ ।

ମନରେ ବୁଦ୍ଧି ପାଞ୍ଚି ଗୟା ସିଧା ଇନ୍ଦ୍ରପ୍ରସ୍ଥରେ ପହଞ୍ଚିଲା ଓ ସୁଭଦ୍ରାଙ୍କ ଶରଣ ପଶିଲା । ସୁଭଦ୍ରା ପ୍ରଥମେ କିଛି ବୁଝିପାରିଲେନି । ଅଚିହ୍ନା ଜଣେ ମଣିଷ ତାଙ୍କ ଶରଣ ପଶିବା ଦେଖି ପଚାରିଲେ କଥା କ'ଣ? କ'ଣ ହେଇଚି? କିଏ ତୁମେ?  ଗନ୍ଧର୍ବ ଗୟା, ସୁଭଦ୍ରାଙ୍କ ପାଦ ତଳେ ପଡି କହିଲେ ସାମାନ୍ୟ ଏକ ଭୁଲ ପାଇଁ ଜଣେ ତାଙ୍କୁ ହତ୍ୟା କରିବାକୁ ତାଙ୍କ ପଛରେ ପଡିଯାଇଛନ୍ତି । ସବୁକଥା କହିବି ପ୍ରଥମେ କୌଣସି ଉପାୟରେ ଦୟାକରି ମୋ ଜୀବନ ଆଗ ବଞ୍ଚାନ୍ତୁ ।

ମହାଭାରତ କଥାମହାଭାରତ କଥା



ସୁଭଦ୍ରା ଗୟାକୁ ନିର୍ଭୟ ଦେଇ କହିଲେ ବ୍ୟସ୍ତ ହୁଅନି । ମୋ ସ୍ୱାମୀଙ୍କ ପରି ଧନୁର୍ଦ୍ଧର ବୀର ଏ ତିନି ଭୁବନରେ କେହିବି ନାହିଁ । ରୁହ ମୁଁ ତାଙ୍କୁ କହୁଛି । ସେ ହିଁ ତୁମ କଥା ବୁଝିବେ । ତୁମେ ଏଇଠି ନିର୍ଭୟରେ ରହିପାର ।

ଗୟା ଏଥର ଆସ୍ୱସ୍ଥ ହେଲେ । ସେ ଜାଣିଲେ ଏବେ ଆଉ କିଛି ଭୟ କରିବାର ନାହିଁ । ହିସାବ କରି ଠିକ ଯାଗାରେ ସେ ପହଞ୍ଚିଛନ୍ତି । ସୁଭଦ୍ରା ତାପରେ ଅର୍ଜୁନଙ୍କୁ ସବୁ କଥା କହିଲେ  ।
ସେତିକିବେଳେ ଗନ୍ଧର୍ବ ଗୟାଙ୍କୁ ଅନୁଧାବନ କରି କୃଷ୍ଣ ଆସି ଇନ୍ଦ୍ରପ୍ରସ୍ଥ ପହଞ୍ଚିଲେ । କୃଷ୍ଣଙ୍କ ରାଗ ଶାନ୍ତ ହୋଇନଥାଏ । ସେ ଜାଣିଥାନ୍ତି ଗୟା ଇନ୍ଦ୍ରପ୍ରସ୍ଥରେ ଆଶ୍ରୟ ନେଇଛନ୍ତି । କୃଷ୍ଣ ଆସି ଦୁଆର ମୁହଁରେ ପହଞ୍ଚିଲା ବେଳକୁ ଯାଇଁ ସୁଭଦ୍ରା ଜାଣିଲେ ତାଙ୍କ ଶରଣରେ ଥିବା ଗନ୍ଧର୍ବକୁ ମାରିବାକୁ ଗୋଡେଇଥିବା ମଣିଷଟି ତାଙ୍କ ଭାଇ କୃଷ୍ଣ । ଏବେ କରାଯିବ କ'ଣ? ସେ ତ ବଚନ ଦେଇସାରିଛନ୍ତି । ଅର୍ଜୁନ ବି ତାଙ୍କୁ ବଚନ ଦେଇସାରିଛନ୍ତି । ତେଣୁ ସୁଭଦ୍ରା ବାହାରି କୃଷ୍ଣଙ୍କ ବନ୍ଦାପନା କଲେ ଓ କ୍ରୋଧ ଶାନ୍ତ କରିବାକୁ ଚେଷ୍ଠା କଲେ । କୃଷ୍ଣଙ୍କର କିନ୍ତୁ ଏକା ଜିଦ ସେ ଗୟାକୁ ହତ୍ୟା କରିବେ । ଅର୍ଜୁନ ତାଙ୍କ ଗାଣ୍ଡିବ ଧନୁ ଧରି ବାହାରି ଆସିଲେ ଓ କହିଲେ ସେ ସୁଭଦ୍ରାଙ୍କୁ କଥା ଦେଇସାରିଛନ୍ତି ଗୟାକୁ ରକ୍ଷା କରିବେ ।

ଏବେ ଦୁଇ ବନ୍ଧୁ ଅସ୍ତ୍ର ଧରି ସାମ୍ନା ସାମ୍ନିରେ ଠିଆ ହୋଇଛନ୍ତି । କେହି ନିଜର ଧର୍ମରୁ ବିଚ୍ୟୁତ ହେବାକୁ ଚାହୁଁନାହାଁନ୍ତି । କୃଷ୍ଣ ପଣ କରିଛନ୍ତି ସେ ଗୟାକୁ ତା' କଲା କର୍ମର ଫଳ ଭାବରେ ତା'ର ମୁଣ୍ଡ କାଟିବେ । ଅର୍ଜୁନ କଥା ଦେଇଛନ୍ତି ଯେକୌଣସି ବିପଦରୁ ଗୟାକୁ ରକ୍ଷା କରିବେ । ଗନ୍ଧର୍ବ ଗୟା ଭୟରେ ଜଡସଡ ହେଇ ସୁଭଦ୍ରାଙ୍କ ପଣତ ତଳେ ବସିଥାନ୍ତି ।

ସ୍ୱର୍ଗର ଦେବତାମାନେ ପ୍ରମାଦ ଗଣିଲେ । ଅର୍ଜୁନଙ୍କ ହାତରେ କୃଷ୍ଣଙ୍କ ମୃତ୍ୟୁ ମାନେ ସଂସାର ସରିଲା ଜାଣ । ଯଦି କୃଷ୍ଣଙ୍କ ହାତରେ ଅର୍ଜୁନଙ୍କ ମୃତ୍ୟୁ ହୁଏ ତେବେ ଧର୍ମ ସ୍ଥାପନର ଯେଉଁ ଆଶା ଦୀପ ଟିକକ ଜଳୁଥିଲା ତାହା ନିର୍ବାପିତ ହେଲା ଜାଣ । ଆଉ କିଛି ଉପାୟ ନପାଇ ଦେବତାମାନେ ମିଳିମିଶି ସୃଷ୍ଟିକର୍ତ୍ତା ବ୍ରହ୍ମା ଓ ସଂହାରକର୍ତ୍ତା ଶିବଙ୍କ ପାଖରେ ପହଞ୍ଚିଲେ । ଦେବତାମାନେ ବ୍ରହ୍ମା ଓ ଶିବଙ୍କୁ ପ୍ରାର୍ଥନା କରି କହିଲେ, ଆପଣ ଦୁଇ ଜଣ କୃଷ୍ଣ ଓ ଅର୍ଜୁନଙ୍କ ପାଖରେ ନପହଞ୍ଚିଲେ ସୃଷ୍ଟି ନାଶ ଗଲା ଜାଣନ୍ତୁ ।

ବ୍ରହ୍ମା ଓ ଶିବ ଇନ୍ଦ୍ରପ୍ରସ୍ଥରେ ଆସି ପହଞ୍ଚିଲେ ଏବଂ କୃଷ୍ଣ ଓ ଅର୍ଜୁନଙ୍କ ମଝିରେ ଆସି ଠିଆ ହୋଇ କହିଲେ, ତୁମ ଦୁଇ ଜଣଙ୍କ ଯୁଦ୍ଧ ପାଇଁ ସାରା ସଂସାର ଥରହର ହେବାକୁ ବସିଲାଣି । ଏବେ ଦୁଇ ଜଣଙ୍କ ଧର୍ମ ରକ୍ଷା କରିବାର ଉପାୟ ବି ଆମେ ଦୁହେଁ ଚିନ୍ତା କରି ଆସିଛୁ । ଉଭୟଙ୍କ କଥା ରହୁ । ପ୍ରଥମେ କୃଷ୍ଣ ଗୟାର ମୁଣ୍ଡ କାଟ କରି ତାଙ୍କ ଶପଥ ରକ୍ଷା କରନ୍ତୁ । ତାପରେ ଅର୍ଜୁନଙ୍କ ବଚନ ରକ୍ଷା କରିବାକୁ ଆମେ ଗୟାକୁ ଜୀବନ ଦାନ ଦେଇ ବଞ୍ଚେଇବୁ । ସେଇଆ ହେଲା, ସମସ୍ତଙ୍କ ମଙ୍ଗଳ ପାଇଁ ଅର୍ଜୁନ ତାଙ୍କ ଗାଣ୍ଡିବ ହଟାଇନେଲେ ଓ କୃଷ୍ଣଙ୍କ ସୁଦର୍ଶନ ଚକ୍ର ଗୟାଙ୍କର ଶୀର ଛେଦନ କଲା । ତାପରେ ବ୍ରହ୍ମା ତୁରନ୍ତ ଗୟାକୁ ଜୀବନ ଦାନ ଦେଇ ବଞ୍ଚେଇଲେ । ଗୟା ତାଙ୍କର ଅନିଚ୍ଛାକୃତ ଭୁଲ ପାଇଁ କୃଷ୍ଣଙ୍କୁ କ୍ଷମା ପାର୍ଥନା କଲେ ଓ ସୁଭଦ୍ରା ଏବଂ ଅର୍ଜୁନଙ୍କୁ ଧନ୍ୟବାଦ ଦେଲେ ।

OTV is now on Whatsapp

Join and get latest news update delivered to you via whatsapp

Join Now