Advertisment

Mohan Government: ନିଯୁକ୍ତି ବିଭ୍ରାଟ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ସରକାର ଯୋଗ୍ୟ ଆଶାୟୀଙ୍କ ବିଶ୍ୱାସ ଜିତି ପାରିବେ କି?

Mohan Government: ଯଦିଓ ପରବର୍ତ୍ତୀ ପରୀକ୍ଷାର ଦିନାଙ୍କ ଧାର୍ଯ୍ୟ କରାଯାଇନାହିଁ, ତଥାପି ବର୍ତ୍ତମାନର ସରକାର ବିନା ପକ୍ଷପାତିତାରେ ସମ୍ପୂର୍ଣ୍ଣ ସ୍ୱଚ୍ଛତାର ସହିତ ପରୀକ୍ଷା କରିବାର ପ୍ରୟାସ ଦେଖାଇଥିବା ଆବେଦନକାରୀଙ୍କ ଭିତରେ ଧାରଣାକୁ ଦୃଢୀଭୂତ ହୋଇଛି। ତେବେ କାହିଁକି ଏବଂ କେଉଁ ପରିସ୍ଥିତିରେ ପରୀକ୍ଷା ସ୍ଥଗିତ କରିବାକୁ ପଡିଲା?

author-image
Dilip Sabat
ଅଦ୍ୟତନ ହୋଇଛି
Recruitment

Recruitment

ଗତ ୫ ବର୍ଷ ହେଲା ନିଯୁକ୍ତି ପାଇଁ ଅନେକ ନିର୍ଯାତନା ସହିଛନ୍ତି ଲକ୍ଷ ଲକ୍ଷ ଚାକିରି ଆଶାୟୀ! ପରୀକ୍ଷାରେ ତ୍ରୁଟି, ବିଭ୍ରାଟ, ଅନିୟମିତତା ଆଦି ଯାବତୀୟ ଘଟଣାର ବହୁବାର ସାମ୍ନା କରିବାକୁ ପଡିଛି। ତେବେ ଏଥିଲାଗି ସମ୍ପୃକ୍ତ ଠିକା ସଂସ୍ଥା, ଅଧିକାରୀ, କର୍ତ୍ତୃପକ୍ଷଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ନିଆଯାଇଛି? ବିଭିନ୍ନ ସାମଗ୍ରୀ ଭଳି ଚାକିରି ମଧ୍ୟ ବିକ୍ରୀ ହେଉଛି କି? ଏସମସ୍ତ ଘଟଣାର ଯାଞ୍ଚ କରି ବର୍ତ୍ତମାନର ମୋହନ ସରକାର ଜଣେ ମେଧାବୀ ନିଜ ଯୋଗ୍ୟତା ବଳରେ ନିଃସଂକୋଚ ଓ ସ୍ୱଚ୍ଛତାର ସହିତ ପରୀକ୍ଷା ଦେଇ ଖଣ୍ଡେ ଚାକିରି ପାଇପାରିବ, ସେ ବିଶ୍ୱାସ ଦେଇପାରିବେ କି?

Advertisment

ଚଳିତ ମାର୍ଚ୍ଚ ମାସରେ ବିଭିନ୍ନ ନିଯୁକ୍ତି ପାଇଁ ହେବାକୁ ଥିବା ପରୀକ୍ଷାରେ ବ୍ୟାପକ ଦୁର୍ନୀତି ଆଶଙ୍କାକୁ ଦୃଷ୍ଟିରେ ରଖି ମୋହନ ସରକାର ପରୀକ୍ଷାକୁ ସ୍ଥଗିତ କରି ଲକ୍ଷ ଲକ୍ଷ ଚାକିରି ଆଶାୟୀମାନଙ୍କ ମଧ୍ୟରେ ଏକ ବିଶ୍ୱସନୀୟତା ସୃଷ୍ଟି କରିଛନ୍ତି। ଘଟଣାର ଛାନଭିନ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡିଛି। ଯଦିଓ ପରବର୍ତ୍ତୀ ପରୀକ୍ଷାର ଦିନାଙ୍କ ଧାର୍ଯ୍ୟ କରାଯାଇନାହିଁ, ତଥାପି ବର୍ତ୍ତମାନର ସରକାର ବିନା ପକ୍ଷପାତିତାରେ ସମ୍ପୂର୍ଣ୍ଣ ସ୍ୱଚ୍ଛତାର ସହିତ ପରୀକ୍ଷା କରିବାର ପ୍ରୟାସ ଦେଖାଇଥିବା ଆବେଦନକାରୀଙ୍କ ଭିତରେ ଧାରଣାକୁ ଦୃଢୀଭୂତ ହୋଇଛି। ତେବେ କାହିଁକି ଏବଂ କେଉଁ ପରିସ୍ଥିତିରେ ପରୀକ୍ଷା ସ୍ଥଗିତ କରିବାକୁ ପଡିଲା?

ଚଳିତ ବର୍ଷ ମାର୍ଚ୍ଚ ୮-୯ରେ ଅନୁଷ୍ଠିତ ହେବାକୁ ଥିଲା ଓଡ଼ିଶା ପୋଲିସ ଏସ୍ଆଇ, ଫାୟାର ସର୍ଭିସର ଷ୍ଟେସନ ଅଫିସର ଏବଂ ଆସିଷ୍ଟାଣ୍ଡ ଜେଲର ନିଯୁକ୍ତି ପରୀକ୍ଷା। ଏହାର ତିନି ଦିନ ପୂର୍ବରୁ ରାଜ୍ୟ ଯୁବ କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ଏହି ପରୀକ୍ଷାରେ ବ୍ୟାପକ ଦୁର୍ନୀତିର ସମ୍ଭାବନା ଦର୍ଶାଇ ପ୍ରତିବାଦ ପ୍ରଦର୍ଶନ କରାଗଲା। କଂଗ୍ରେସର ଅଭିଯୋଗ ହେଲାଯେ, ଅନୁଷ୍ଠିତ ହେବାକୁଥିବା ଏହି ପରୀକ୍ଷା କେବଳ ନାଁ’କୁ ମାତ୍ର, ଅଧିକାଂଶ ପଦବୀ ବିକ୍ରୀ ପାଇଁ ଯୋଜନାବଦ୍ଧ ଷଡ଼ଯନ୍ତ୍ର ହୋଇସାରିଛି। ତେଣୁ ପରୀକ୍ଷା ରୋକିବାକୁ ଦାବି ହୋଇଥିଲା। ଏହାପରେ ପରୀକ୍ଷାର ଦୁଇଦିନ ପୂର୍ବରୁ ସ୍ଥଗିତ ଘୋଷଣା କରାଗଲା। ତେବେ ଏହି ପରିପ୍ରେକ୍ଷୀରେ ଯେଉଁ ଗୁରୁଗମ୍ଭୀର ଆରୋପସବୁ ସାମ୍ନାକୁ ଆସିଛି ଓଡିଶାର ଯୁବସମାଜ ତଥା ଲକ୍ଷ ଲକ୍ଷ ଚାକିରି ଆଶାୟୀଙ୍କ ଭବିଷ୍ୟତ ସହିତ ଭୟଙ୍କର ଖେଳ ରଚନାର ଇସାରା କରୁଛି।

Advertisment

ଅଧିକ ପଢ଼ନ୍ତୁ: ବଦ୍ରିଙ୍କ ବିସ୍ଫୋରକ ବୟାନ; କହିଲେ, ରାଜାଙ୍କୁ ଫୁଲ୍‌ ପ୍ରୋତ୍ସାହନ ଦେଇଥିଲେ ଜିଲ୍ଲାପାଳ ଓ ଏସପି

ସ୍ଥଗିତ ରଖାଯାଇଥିବା ପୋଲିସ ଏସ୍ଆଇ, ଫାୟାର ସର୍ଭିସର ଷ୍ଟେସନ ଅଫିସର ଏବଂ ଆସିଷ୍ଟାଣ୍ଡ ଜେଲର ନିଯୁକ୍ତି ପାଇଁ ପରୀକ୍ଷା ପରିଚାଳନା ଦାୟିତ୍ୱ ଏକ ବାହାର ତଥା ବ୍ଲାକ୍ ଲିଷ୍ଟେଡ କମ୍ପାନୀକୁ ଦିଆଯାଇଥିଲା। ଯୁବ କଂଗ୍ରେସ ଏ ସମ୍ପର୍କରେ ଏକ ପ୍ରେସ ବିବୃତି ଜରିଆରେ ଅବଗତ କରାଇଛି। ଏହି ଠିକା ସଂସ୍ଥାକୁ ଓଡ଼ିଶା ପୋଲିସ ଏସଆଇ ପରୀକ୍ଷା ୨୦୨୧ ଏବଂ ଅଗ୍ନିଶମ ବିଭାଗରେ ନିଯୁକ୍ତି ପରୀକ୍ଷା ୨୦୨୩ ପରିଚାଳନା କରିବାକୁ ଦାୟିତ୍ୱ ଦିଆଯାଇଥିଲା। ଅର୍ଥାତ ଗତ ସରକାର ସମୟରୁ ସମ୍ପୃକ୍ତ ଠିକା ସଂସ୍ଥା ନିଯୁକ୍ତି କ୍ଷେତ୍ରରେ ପରୀକ୍ଷା ପରିଚାଳନା କରି ଆସୁଛି ଯାହା ଉପରେ ଲକ୍ଷ ଲକ୍ଷ ଯୁବକ ଯୁବତୀଙ୍କ ଭାଗ୍ୟ ଓ ଭବିଷ୍ୟତ ନିର୍ଭର କରୁଛି? ଏସବୁ ପୂର୍ବ ସରକାରଙ୍କ ଜାଣତରେ ନା ଅଜାଣତରେ ହୋଇଛି?

୨୦୧୮ରେ ଓଡିଶା ପୋଲିସ ଏସ୍ଆଇ (ସିପିଏସ୍ଇ-୨୦୧୮) ନିଯୁକ୍ତି ପାଇଁ ଓଡିଶା ଷ୍ଟାଫ୍ ସିଲେକ୍ସନ କମିଶନ (OSSC) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଲା। କୌଣସି କାରଣରୁ ନିର୍ଦ୍ଧାରିତ ସମୟରେ ପରୀକ୍ଷା ନହେବାରୁ ୨୦୨୧ରେ ଓଡ଼ିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ (ଓପିଆରବି) ଏହାର ଦାୟିତ୍ୱ ହାତକୁ ନେଲା। ଓଡ଼ିଶା ପୋଲିସ ସେବା, ଓଡ଼ିଶା ଜେଲ୍ ସେବା ଏବଂ ଓଡ଼ିଶା ଅଗ୍ନିଶମ ସେବା ବିଭାଗର ବିଭିନ୍ନ ଗ୍ରୁପ-ବି ପଦବୀରେ କମ୍ପ୍ୟୁଟର ଆଧାରିତ ନିଯୁକ୍ତି ପରୀକ୍ଷା କରିବାକୁ ୪ମାର୍ଚ୍ଚ ୨୦୨୨ରେ ଟେଣ୍ଡର ଆହ୍ୱାନ କରାଯାଇଥିଲା।

ସମସ୍ତ ପରୀକ୍ଷା ଜୁଲାଇ ୨ରୁ ଆରମ୍ଭ ହୋଇ ୧୪ ତାରିଖରେ ସରିଲା। ପରୀକ୍ଷାରେ ବ୍ୟାପକ ତ୍ରୁଟି ଦର୍ଶାଇ ପରୀକ୍ଷାର୍ଥୀମାନେ ଅସନ୍ତୋଷ ପ୍ରକାଶ ପରେ ଓପିଆରବି ଅଧ୍ୟକ୍ଷ ସ୍ୱୀକାର କଲେ ଯେ ପେପର-୧ ତଥା ଓଡିଆ ପ୍ରଶ୍ନ ପତ୍ରରେ ତ୍ରୁଟି ରହିଛି। ବୋର୍ଡ ପୁଣି ଅଗଷ୍ଟ ୨୦ରେ ପୁଣି ପରୀକ୍ଷାର ଆୟୋଜନ କଲା। ପୁନର୍ବାର ସିପିଏସଇ ପେପର-୧ ପରୀକ୍ଷାରେ ତ୍ରୁଟି ବାହାରିଲା। ପୁଣି ପରୀକ୍ଷାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ, ହତୋତ୍ସାହ, ପ୍ରତିବାଦ ସାମ୍ନାକୁ ଆସିଲା। ଓପିଆରବି ଅଧ୍ୟକ୍ଷ ତ୍ରୁଟି ପାଇଁ ପୁଣି ଦୁଃଖ ପ୍ରକାଶ କଲେ। ଶେଷରେ ପରବର୍ତ୍ତୀ ପରୀକ୍ଷା ମାନୁଆଲି କରିବାକୁ ନିଷ୍ପତ୍ତି ନିଆଗଲା।

ବିଡମ୍ବନାର ବିଷୟ ହେଉଛି, ଗୋଟିଏ ପରୀକ୍ଷା କରିବାକୁ ପ୍ରାୟ ୫ ବର୍ଷ ଓ ବାରମ୍ବାର ତ୍ରୁଟି, ବିଭ୍ରାଟ ଏବଂ ଏହାକୁ ନେଇ ପରୀକ୍ଷାର୍ଥୀଙ୍କ ମଧ୍ୟରେ ବ୍ୟାପକ ଅସନ୍ତୋଷ ଏବଂ ପ୍ରତିବାଦ ଦେଖାଦେଲା। ତେବେ ସମ୍ପୃକ୍ତ ଠିକା ସଂସ୍ଥା ବିରୋଧରେ କି କାର୍ଯ୍ୟାନୁଷ୍ଠାନ ନିଆଗଲା? ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ହଜାର ହଜାର ପରୀକ୍ଷାର୍ଥୀ ବାରମ୍ବାର ଅପଦସ୍ତ ହେଲେ। ପରିଚାଳନା ଦାୟିତ୍ୱରେଥିବା କର୍ତ୍ତୃପକ୍ଷଙ୍କୁ ସରକାର ପ୍ରଶ୍ନ କଲେ କି? କୈଫିୟତମଗା ଯାଇଥିଲା କି? 

ଯେଉଁ କଳାତାଲିକାଭୁକ୍ତ ଠିକା ସଂସ୍ଥାକୁ ୨୦୨୫ ପୋଲିସ ଏସ୍ଆଇ ପରୀକ୍ଷା ପରିଚାଳନା ଦାୟିତ୍ୱ ଦିଆଯାଇଥିବା ଯୁବକଂଗ୍ରେସ ଅଭିଯୋଗ ଆଣିଛି ସେହି ସଂସ୍ଥା ଭରସାରେ ସିପିଏସ୍ଇ-୨୦୧୮ ପରୀକ୍ଷା ଭାର ଥିଲା କି? ଯଦି ତାହା ହୋଇଥାଏ ତେବେ ଘଟଣାକୁ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି। ଗତବର୍ଷ ପୋଲିସ ଏସ୍ଆଇ ପାଇଁ ଯେଉଁ ପରୀକ୍ଷା ହୋଇଥିଲା, ତା’ର ଫିଜିକାଲ ଟେଷ୍ଟର ତଥ୍ୟ ପ୍ରମାଣ ସବୁ ଯାହା ହେବା ଆବଶ୍ୟକତା ରହିଛି। ଓଡିଶାର ଲକ୍ଷ ଲକ୍ଷ ଚାକିରି ଆଶାୟୀ ଯୁବକ ଯୁବତୀମାନଙ୍କ ସମୂହ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସରକାର କଂଗ୍ରେସ ଆଣିଥିବା ଗୁରୁଗମ୍ଭୀର ଅଭିଯୋଗର ଛାନଭିନ୍ କରି ମେଧାବୀ ଛାତ୍ରଛାତ୍ରୀମାନେ ନିଜ ଯୋଗ୍ୟତା ଆଧାରରେ ନିଯୁକ୍ତି ପାଇପାରିବେ ସରକାର ସେ ବିଶ୍ୱାସ ଦେବା ଉଚିତ।

ନିଯୁକ୍ତିର ମହାମରୁଡି ମଧ୍ୟରେ ଯେବେ କୌଣସି ପଦ ପଦବୀ ପୂରଣ ପାଇଁ ଖଣ୍ଡିଏ ବିଜ୍ଞପ୍ତି ପ୍ରକାଶ ପାଏ ବିଶାଳ ବେକାରୀ ଛାତ୍ର ସମୁଦାୟ ଭିତରେ ଖେଳିଯାଏ ଉତ୍ସାହ। ଏହାର ନିରାଟ ନିଦର୍ଶନ ହେଉଛି ମାର୍ଚ୍ଚ ୧୨ ତାରିଖ ରାଉରକେଲାର ଘଟଣା!

୧୦୭ଟି ହୋମଗାର୍ଡ ପଦବୀରେ ନିଯୁକ୍ତି ପାଇଁ ଆବେଦନକାରୀ ୯ ହଜାର। ଯୋଗ୍ୟତା ମାଟ୍ରିକ ଥିବାବେଳେ ଆବେଦନ କରିଛନ୍ତି ଏମ୍.ଟେକ୍., ବିଟେକ୍, ପିଜି, ଏମସିଏ କରିଥିବା ଉଚ୍ଚ ଶିକ୍ଷିତ ପ୍ରାର୍ଥୀ। ସାମାଜିକ, ଆର୍ଥିକ ଓ ମାନସିକ ସ୍ତରରେ ଭବିଷ୍ୟତର ଘୋର ଅନ୍ଧକାର ସହିତ ସଂଘର୍ଷ କରୁଥିବା ଯୁବସମାଜ ମଧ୍ୟରେ ଆଶାର ଏକ କିରଣ ଜାଗ୍ରତ ହୁଏ। ତେବେ ନିଜ ଯୋଗ୍ୟତା ସାବ୍ୟସ୍ତ କଲାବେଳେ ପରୀକ୍ଷାରେ ବିଭ୍ରାଟ, ତ୍ରୁଟି, ପ୍ରଶ୍ନପତ୍ର ଲିକ୍, ଚାକିରି ବିକ୍ରି ଭଳି ଘଟଣା ସେମାନଙ୍କୁ ହତୋତ୍ସାହ କରେ। ଠେଲି ହୋଇଯାଆନ୍ତି ପୁଣି ସେହି ଭବିଷ୍ୟତର ଘୋର ଅନ୍ଧକାର ମଧ୍ୟକୁ! ଏଭଳି 'ପରମ୍ପରା'ର ଅନ୍ତ ଘଟଇ ଯୋଗ୍ୟତା ଆଧାରରେ ଆଶାୟୀଙ୍କୁ ନିଯୁକ୍ତ କରିବାର ଗ୍ୟାରେଣ୍ଟି ସରକାର ଦେବା ଉଚିତ।

ବି.ଦ୍ର.- ଏହା ଲେଖକଙ୍କ ନିଜସ୍ୱ ମତ ।

ଅଧିକ ପଢ଼ନ୍ତୁ: ବିଜୁଙ୍କ ଲିଭି ନଥିଲା ଜୁଇ, ହୋଟେଲରେ ନବୀନ ଖାଉଥିଲେ ମାଉଁସ

Employment Opportunities Unemployment Issue Job Seekers Political Issues
Advertisment
Advertisment