Advertisment

VK Pandian Returns: ବିଜେଡି ନେତାଙ୍କ ବାହାଭୋଜିରେ ପାଣ୍ଡିଆନ୍, କ’ଣ କହୁଛନ୍ତି ରାଜନୈତିକ ସମୀକ୍ଷକ...

ଏବେବି ଭିକେ ପାଣ୍ଡିଆନଙ୍କୁ ନେଇ ଓଡ଼ିଶା ଲୋକଙ୍କ ମନରେ ଅନେକ ପ୍ରଶ୍ନ। ନିର୍ବାଚନ ପରେ ସେ କୁଆଡ଼େ ଗାଏବ୍ ଥିଲେ? ସେ କେଉଁଠି ରହୁଛନ୍ତି, ନବୀନ ନିବାସ ଆସୁଛନ୍ତି ନା ନାହିଁ, ରାଜନୀତିରୁ ସଂପୂର୍ଣ୍ଣ ସନ୍ୟାସ ନେଇଗଲେ କି, ଏମିତି ଅନେକ ପ୍ରଶ୍ନ ଏବେବି ଗାଁ ଗହଳିର ରାଜନୈତିକ ଖଟିରେ କଥା ପଡୁଛି। ତେବେ ଆଜିର ଏଇ ଲେଖାଟି ସେଇ ପାଣ୍ଡିଆନଙ୍କ ସଂପର୍କରେ, ଯିଏ ନିକଟରେ ଏକ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। କଣ ଏହାର କାରଣ, କାହା ଭୋଜିକୁ ଯାଇଥିଲେ, ଜାଣିବା ଏଇ ଲେଖାରୁ।

author-image
Tapan Kumar Swain
ଅଦ୍ୟତନ ହୋଇଛି
ବାହାଭୋଜିରେ ପାଣ୍ଡିଆନ

ବାହାଭୋଜିରେ ପାଣ୍ଡିଆନ

ସେଇ ନଭେମ୍ୱର ୨୭ ତାରିଖ। ଠିକ୍ ବର୍ଷକ ତଳେ ୨୦୨୩ ନଭେମ୍ୱର ୨୭ ତାରିଖରେ ବିଜେଡିରେ ବିଧିବଦ୍ଧ ଭାବେ ଯୋଗ ଦେଇଥିଲେ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍। ବିଜେଡିରେ ତାଙ୍କୁ 'ରଣନୀତିକାର' ବୋଲି କୁହାଯାଉଥିଲା। ଦଳର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ସହ ଦଳକୁ ସେ ପରିଚାଳନା କରୁଥିଲେ ବୋଲି ଚର୍ଚ୍ଚା ହେଉଥିଲା। ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ପରେ ତାଙ୍କୁ ସର୍ବମାନ୍ୟ ନେତା ଭାବେ ମାନୁଥିଲେ ଅଧିକାଂଶ ବିଜେଡି ନେତା। ବହୁ ବିଜେଡି ନେତା ସ୍ୱୀକାର କରନ୍ତି ଯେ, ସେମାନେ ସିଧାସଳଖ ଦଳ ସଭାପତିଙ୍କୁ ଭେଟି ପାରୁନଥିଲେ। ଯଦି ବି କେହି ଭେଟୁଥିଲେ, ତାହା କେବଳ ପାଣ୍ଡିଆନଙ୍କ ଜରିଆରେ। ତାଙ୍କୁ ‘ମୋଷ୍ଟ୍ ପାୱାରଫୁଲ୍’ କୁହାଯାଉଥିଲା। ତାଙ୍କ ବିନା ଅନୁମତିରେ ବିଜେଡିରେ ପତ୍ର ବି ହଲୁନଥିଲା ବୋଲି କୁହାଯାଏ।

Advertisment

ଓଡିଶା ରାଜନୀତିର ଏଇ ଚର୍ଚ୍ଚିତ ଚେହେରା ଭି.କେ.ପାଣ୍ଡିଆନ୍ ଗତ ଜୁନ୍ ୯ ତାରିଖରୁ କେଉଁଠି ଥିଲେ, କ'ଣ କରୁଥିଲେ ସେ ଖବର ସାଧାରଣ ଲୋକଙ୍କ ପାଖରେ ନଥିଲା। ଠିକ୍ ବର୍ଷକ ପରେ ସେଇ ନଭେମ୍ୱର ୨୭ ତାରିଖରେ ତ୍ରିଶୂଳିଆରେ ସେ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ଝିଅ ତଥା ବିଧାୟକ ସୌଭିକ ବିଶ୍ୱାଳଙ୍କ ଭଉଣୀର ବିବାହ ଭୋଜିରେ ନଜରରେ ଆସିଲେ। ଏହି ଉତ୍ସବକୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ଯାଇଥିଲେ। ନବୀନ ସେଠାରେ ଖୁସିରେ ଗୁପଚୁପ୍ ଖାଉଥିବାର ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି। (କୁହାଯାଉଛି ସେହି ଭିଡିଓ ବିଜେଡି ତରଫରୁ ମାର୍କେଟକୁ ଛଡ଼ାଯାଇଛି। ଓଡ଼ିଶା ଜାଣେ, ମଝିରେ ମଝିରେ ଏମିତି ଭିଡିଓ ଛାଡ଼ିବା ହେଉଛି ପାଣ୍ଡିଆନଙ୍କର ପୁରୁଣା ଷ୍ଟ୍ରାଟେଜି।) ସେ 'ଆହୁରି ଦିଅ' ବା 'ୱାନ୍ ମୋର୍' ବୋଲି ଏହି ଭିଡିଓରେ କହୁଥିବାର ଦେଖାଯାଉଛି। ହୁଏତ କିଏ କାଳେ ସନ୍ଦେହ କରିବ, ତେଣୁ ଉଭୟ ନବୀନ ଓ ପାଣ୍ଡିଆନ ଅଲଗା ଅଲଗା ଏହି ବିବାହ ଭୋଜିକୁ ଯାଇଥିବାର ସୂଚନା ମିଳିଛି।

ଅଧିକ ପଢନ୍ତୁ: ବିଜେଡି ନେତାଙ୍କ ବାହାଭୋଜିରେ ପାଣ୍ଡିଆନ୍, ୫ ମାସ ପରେ…

ଏହି ଘଟଣାକୁ ରାଜନୈତିକ ସମୀକ୍ଷକ କିନ୍ତୁ ଟିକିଏ ଭିନ୍ନ ଦୃଷ୍ଟିରେ ଦେଖୁଛନ୍ତି। ବିରୋଧୀ ଦଳ ନେତା ହୁଅନ୍ତୁ ବା ପାଣ୍ଡିଆନ ହୁଅନ୍ତୁ ସେମାନେ କୌଣସି ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେବା ଭଲ କଥା। ଯୋଗଦେବା ଉଚିତ ମଧ୍ୟ। ଏହି ଉତ୍ସବରେ ପ୍ରାୟ ସବୁ ରାଜନୈତିକ ଦଳର ନେତା, ଏପରିକି ରାଜ୍ୟ ମନ୍ତ୍ରିମଣ୍ଡଳର ବହୁ ସଦସ୍ୟ ମଧ୍ୟ ଯୋଗଦେଇଥିଲେ। ଜଣେ ରାଜନୈତିକ ସମୀକ୍ଷକଙ୍କ କହିବା କଥା, ଏହି କାର୍ଯ୍ୟକ୍ରମକୁ ଯାଇ ପାଣ୍ଡିଆନ ବାବୁ, ତାଙ୍କ ବିରୋଧରେ ଲୋକଙ୍କର ଆକ୍ରୋଶର ଗଭୀରତା କେତେ ତାହା ମାପିବାକୁ ଚେଷ୍ଟା କରିଛନ୍ତି। ଦ୍ୱିତୀୟତଃ, ସେ ବିଜେଡି ନେତାଙ୍କ ସହ ଏବେବି ଭଲ ସଂପର୍କ ରଖିଥିବାର ସମସ୍ତଙ୍କୁ ଦେଖେଇ ଦେବାକୁ ଚାହୁଁଥିଲେ, ଯେଉଁଥିରେ ସେ ସଫଳ ହେଲେ।

Advertisment

ତୃତୀୟତଃ, ନିର୍ବାଚନ ପରେ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ପାଣ୍ଡିଆନଙ୍କ ବିରୋଧରେ ଖୋଲାଖୋଲି ବିଷୋଦଗାର କରିଥିବାର ଏକ ଭିଡିଓ ଭାଇରାଲ୍ ହୋଇଥିଲା। ବିଧାୟକ ସୌଭିକ ବିଶ୍ୱାଳ ମଧ୍ୟ ବିଜେଡିର ଏକ ସଭାରେ, 'ନେତା କେମିତି ହେଲିକପ୍ଟରରେ ବୁଲୁଥିଲେ' ବୋଲି ପାଣ୍ଡିଆନଙ୍କୁ ଆକ୍ଷେପ କରି କହିଥିଲେ। ତାଙ୍କୁ ନିର୍ବାଚନରେ ହରାଇବାକୁ ଯୋଜନା କରାଯାଇଥିଲା ବୋଲି ସମସ୍ତଙ୍କ ସାମନାରେ କହିଥିଲେ ସୌଭିକ। ତେଣୁ ସେମାନଙ୍କୁ ଶାନ୍ତ କରିବା ପାଇଁ ହୁଏତ ପାଣ୍ଡିଆନ ଏକ ତାଳିପକା ଉଦ୍ୟମ କରିଥାଇ ପାରନ୍ତି ବୋଲି ସେ କହିଛନ୍ତି। ତେବେ ଏ ସଂପର୍କରେ ଭି.କେ.ପାଣ୍ଡିଆନଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। 

ଅନ୍ୟ ଏକ ସଂଯୋଗ ହେଉଛି, ଭି.କେ.ପାଣ୍ଡିଆନଙ୍କ ଆଇ.ଏ.ଏସ୍. ପତ୍ନୀ ସୁଜାତା ରାଉତ କାର୍ତ୍ତିକେୟନ ୬ ମାସ ପରେ ନଭେମ୍ୱର ୨୭ ତାରିଖରେ ହିଁ କାର୍ଯ୍ୟରେ ଯୋଗ ଦେଇଛନ୍ତି। ସେ ଛୁଟି ବଢ଼ାଇବା ପାଇଁ କରିଥିବା ଆବେଦନକୁ ସରକାର ଅଗ୍ରାହ୍ୟ କରିଦେଇ ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ଦେଇଥିଲେ। ସେ ଏବେ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ କାର୍ଯ୍ୟ ଆରମ୍ଭ କରିଛନ୍ତି। ଏସବୁ ଭିତରେ କିନ୍ତୁ ପାଣ୍ଡିଆନଙ୍କୁ ନେଇ ଲାଗିରହିଛି ଚର୍ଚ୍ଚା। ଦେଖିବାର କଥା, ଆଗାମୀ ଦିନରେ ପାଣ୍ଡିଆନ ଧୀରେ ଧୀରେ ପଦାକୁ କେବେ ଆସୁଛନ୍ତି, ଆଉ ତାଙ୍କୁ ଦେଖି ଲୋକେ କି ପ୍ରତିକ୍ରିୟା ଦେଉଛନ୍ତି।

ଅଧିକ ପଢନ୍ତୁ:ଫେରିଲେ ସୁଜାତା କାର୍ତ୍ତିକେୟନ, ଅର୍ଥ ବିଭାଗ ସ୍ୱତନ୍ତ୍ର ସଚିବ ଭାବେ କଲେ ଜଏନ୍

Odisha Naveen Patnaik BJD Odisha Politics VK Pandian
Advertisment
Advertisment