/odishatv-khabar/media/post_attachments/uploadimage/library/16_9/16_9_0/IMAGE_1734363791.jpg)
କେଉଁ ଭୟରେ ପୀଡ଼ିତ ବିଜେଡି ?
ସମଦୂରତା ନୀତି, ଯେମିତି ଥିଲା ସେମିତି। ଏବେ ବି ବିଜେଡିର ସମର୍ଥନ ଇଣ୍ଡି ମେଣ୍ଟକୁ ଯାଇନପାରେ। ଗତକାଲି ବିଜେଡି ସାଂସଦ ନିରଞ୍ଜନ ବିଶିଙ୍କ ମନ୍ତବ୍ୟ ବିଜେପିକୁ ବଳ ଯୋଗାଇଛି। କିନ୍ତୁ ସାଧାରଣରେ ପ୍ରଶ୍ନ ଉଠିଛି ଯେ, ରାଜ୍ୟରେ ସରକାର ପରିବର୍ତ୍ତନ ପରେ ବି ବିଜେପିକୁ କାହିଁକି ପରୋକ୍ଷରେ ସମର୍ଥନ କରୁଛି ବିଜେଡି ? ତାକୁ ନେଇ ରାଜନୀତି ସରଗରମ ।
ସତ୍ତାରୁ ଯିବା ପରେ ବି ବିଜେଡିର ସମର୍ଥନ ବିଜେପି ସହ। ଭୟ ନା ଭକ୍ତି ନା ଆଉ କିଛି ? ଦିଲ୍ଲୀରେ ବିଜେଡି ସ୍ବର କମୁଥିବା ବେଳେ ଅନାସ୍ଥାକୁ ବିରୋଧ କାହିଁକି କରୁଛି ବିଜେଡି ? ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କ ବିରୁଦ୍ଧରେ ଆସିଥିବା ଅନାସ୍ଥା ପ୍ରସ୍ତାବକୁ ସମର୍ଥନ ବିଜେଡି କରିବନି ବୋଲି ଗତକାଲି ବିଜେଡି ସାଂସଦ ନିରଞ୍ଜନ ବିଶି ଇସାରା ଦେଇଛନ୍ତି। ସେ କହିଛନ୍ତି, ଅନାସ୍ଥାକୁ ସମର୍ଥନ କରିବା ନେଇ ନବୀନ ନିର୍ଦ୍ଦେଶ ଦେଇନାହାନ୍ତି । ଯେଉଁଥିରୁ ସ୍ପଷ୍ଟ ଯେ ବିଜେଡି ପୁଣିଥରେ ଇଣ୍ଡି ମେଣ୍ଟ ବିରୋଧରେ ଯିବ।
ସେପଟେ ବିଜେଡି କହୁଛି ଏଯାଏ ଦଳପତି କୌଣସି ନିଷ୍ପତ୍ତି ନେଇନାହାନ୍ତି। ରାଜ୍ୟ ସ୍ବାର୍ଥ ପାଇଁ ଲଢେଇ ଜାରି ରହିଛି, ବିଜେପିକୁ ଭୟର ପ୍ରଶ୍ନ ଉଠୁନି। ତେଣେ ବିଜେଡିର ଏଭଳି ନରମ ଆଭିମୁଖ୍ୟକୁ ବିଜେପି କିନ୍ତୁ ସ୍ବାଗତ କରିଛି । ଦଳର ସାଂସଦ କହିଛନ୍ତି ପ୍ରସଙ୍ଗ ଭିତ୍ତିକ ସମର୍ଥନ ପୂର୍ବରୁ ବିଜେଡି ଦେଇଆସିଛି, ଏଥିରେ ଆଦୌ ଅସୁବିଧା ନାହିଁ ।
ଅଧିକ ପଢ଼ନ୍ତୁ: ପରିବାରକୁ ଯୋଡିଲା ରାଜନୀତି, ମନ୍ତ୍ରିମଣ୍ଡଳରେ ଭାଇଭଉଣୀ
୨୪ ବର୍ଷର ଶାସନ କାଳରେ ନବୀନ ଜାତୀୟ ରାଜନୀତିରେ ବେଶ ଦବଦବା ରଖି ଆସିଛନ୍ତି। ଅନେକ ଜାତୀୟ ସ୍ତରର ନେତାଙ୍କୁ ନବୀନ ନିବାସରେ ଏକାଠି କରିବାର ଦକ୍ଷତା ବି ରଖୁଥିଲେ। ଏସବୁ ବାଦ ସବୁବେଳେ ନବୀନ ସମଦୂରତା କଥା କହି ନିଜକୁ ଅଗ୍ରଣୀ ଭୂମିକାରେ ରଖୁଥିଲେ। କିନ୍ତୁ ୨୦୧୯ ପରେ ପରେ ନବୀନଙ୍କ ଏହି ସମଦୂରତା ନୀତି କିନ୍ତୁ ବିଜେପି ଆଡକୁ ଢଳିଥିଲା । ସମଦୂରତା ଏକପ୍ରକାର ସମମିତ୍ରତାରେ ପରିଣତ ହୋଇଥିବା ରାଜନୈତିକ ପଣ୍ଡିତମାନେ ଚର୍ଚ୍ଚା କରିଥିଲେ। ମାତ୍ର ୨୪ ନିର୍ବାଚନରେ ପରାଜୟ ପରେ ଭରତପୁର ଥାନା ଘଟଣା ହେଉ କି ମିଶନ ଶକ୍ତି ପ୍ରସଙ୍ଗ, ନବୀନ ବିଜେପି ସରକାରକୁ ସିଧା ନିଶାନ କରିଛନ୍ତି। ଚର୍ଚ୍ଚା ହେଉଥିଲା ବିଜେଡି ଏଥର କଡା ଆଭିମୁଖ୍ୟ ନେବ ବିଜେପି ବିରୋଧରେ। ମାତ୍ର ଅନାସ୍ଥା ପ୍ରସଙ୍ଗ ନିଷ୍ପତ୍ତି ସ୍ପଷ୍ଟ କରୁଛି ଯେ ନବୀନ ଏବେ ବି ମାପି ଚୁପି ଗୋଟି ଚଳାଉଛନ୍ତି।
ନିରଞ୍ଜନ ବିଶିଙ୍କ ବିବୃତି ପରେ ଆସନ୍ତାକାଲି ବିଜେଡି ସଂସଦୀୟ ଦଳ କିଛି ବଡ଼ ନିଷ୍ପତ୍ତି ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ତେବେ ଚୂଡାନ୍ତ ନିଷ୍ପତ୍ତି କଣ ଆସୁଛି ତା ଉପରେ ନଜର ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)