ରାଜ୍ୟ ବିଜେପି ମୁଖିଆ ଚୟନକୁ ନେଇ ବଢୁଛି ସସପେନସ୍ । ଦୀର୍ଘ ଦିନ ଧରି ଅଙ୍କ ଛିଣ୍ଡୁ ନଥିବାରୁ ଏହାକୁ ବିଜେପି ଶିବିରରେ ବଢୁଛି ଚର୍ଚ୍ଚା । ଶାସକ ଦଳ ବିଜେପିର ସଭାପତି ବଦଳିବେ, ନା ପୁଣି ଥରେ ମନମୋହନ ସାମଲ ଦାଇତ୍ୱ ସମ୍ଭାଳିବେ ତାକୁ ନେଇ ଦୀର୍ଘ ଦିନ ହେଲା ଲାଗି ରହିଛି ସସପେନସ୍ ।
ଗତ କିଛି ଦିନ ହେଲା ଦିଲ୍ଲୀରେ ବିଭିନ୍ନ ଗୋଷ୍ଠୀ ଡେରା ପକାଇବା ସହ ନିଜ ପସନ୍ଦର ନେତାଙ୍କ ପାଇଁ ଲବି କରୁଥିବା ବେଳେ ଆଜି ମନମୋହନ ସାମଲ ମଧ୍ୟ ଦିଲ୍ଲୀରୁ ଭୁବନେଶ୍ବର ଫେରିଛନ୍ତି । ତେଣୁ ରାଜନୈତିକ କରିଡରରେ ରାଜ୍ୟ ବିଜେପି ମୁଖିଆ ଚୟନକୁ ନେଇ ପୁଣିଥରେ ବଢିଛି ଚର୍ଚ୍ଚା । ତେବେ ସାଂଗଠନିକ କାର୍ଯ୍ୟକର୍ତ୍ତାଙ୍କ ମତାମତ ଦିଲ୍ଲୀ ଯାଇ ସାରିଥିବାରୁ ଖୁବଶୀଘ୍ର ଜଣେ ଯୋଗ୍ୟ ବ୍ୟକ୍ତିଙ୍କୁ କେନ୍ଦ୍ରୀୟ ନେତୃତ୍ବ ବାଛିବେ ବୋଲି ଦଳୀୟ ନେତା ଆଶା ରଖିଛନ୍ତି ।
Also Read
ଅନ୍ୟପଟେ ଦଳୀୟ ସମ୍ବିଧାନ ଅନୁଯାୟୀ ଜଣେ ବ୍ୟକ୍ତି ୨ଥର ସଭାପତି ହେବାରେ କୌଣସି ଅସୁବିଧା ନାହିଁ ବୋଲି ଖୋଦ୍ ମନମୋହନ କହିବା ପରେ, ସେ ପୁଣି ରିପିଟ୍ ହୋଇପାରନ୍ତି ବୋଲି ଅନୁମାନ କରୁଛନ୍ତି ରାଜନୀତି ସମୀକ୍ଷକ ।
ଦଳର ସମସ୍ତ ମଣ୍ଡଳ ସଭାପତି ନିର୍ବାଚନ ଶେଷ ହୋଇ ସାରିଥିବା ବେଳେ ବିଭିନ୍ନ ଚର୍ଚ୍ଚା ଆଲୋଚନା ଭିତରେ ଭାରତୀୟ ଜନତା ପାର୍ଟିର ନୂଆ ରାଜ୍ୟ ସଭାପତିଙ୍କ ନାଁ ଘୋଷଣାରେ ବିଳମ୍ବକୁ ନେଇ ସସପେନସ୍ ବି ବଢୁଛି । ତେବେ ପୂର୍ବରୁ ଗତ ୧୫ ତାରିଖ ସୁଦ୍ଧା ଜିଲ୍ଲା ସଭାପତି ନିର୍ବାଚନ ସରିବାକୁ ଦିନ ଧାର୍ଯ୍ୟ ହୋଇଥିଲେ ମଧ୍ୟ ସେଥିରେ ମଧ୍ୟ ବିଳମ୍ବ ଘଟୁଛି ।
ବିଜେପି ନେତ୍ରୀ କୁସୁମ ଟେଟେଙ୍କ କହିବା ଅନୁସାରେ ରାଜ୍ୟ ସଭାପତି ଚୟନରେ ପ୍ରବାସୀ ଭାରତୀୟ ସମ୍ମିଳନୀ ସାମାନ୍ୟ ପ୍ରତିବନ୍ଧକ ସାଜିଥିଲା । ସାଂଗଠନିକ ମୁଖ୍ୟ ମାନେ ସେମାନଙ୍କ ମତାମତ ଦେଇ ସାରିଛନ୍ତି । କେନ୍ଦ୍ରୀୟ ନେୃତୃତ୍ବ ଖୁବଶୀଘ୍ର ଯୋଗ୍ୟ ବ୍ୟକ୍ତି ଦେଖି ନାଁ ଘୋଷଣା କରିବେ ।
ଅଧିକ ପଢ଼ନ୍ତୁ : BJD ସରକାରରେ ରାସନ କାର୍ଡରେ ହୋଇଛି ବଡ଼ ଘୋଟାଲା; ପ୍ରାୟ ୪ ଲକ୍ଷ ଆୟକର ଦାତା ନେଉଥିଲେ ସୁବିଧା
ସେପଟେ ଦିଲ୍ଲୀରେ ପାଖାପାଖି ସପ୍ତାହେ ହେବ ଡେରା ପକାଇବା ପରେ ଆଜି ଭୁବନେଶ୍ବର ଫେରିଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ । ଯଦିଓ ନୂଆ ସଭାପତି କିଏ ହେବେ, ସେ ନେଇ ସେ କୌଣସି ସ୍ପଷ୍ଟ ସୂଚନା ଦେଇନାହାନ୍ତି। କିନ୍ତୁ ତାଙ୍କ ଦଳର ସମ୍ବିଧାନରେ ଜଣେ ବ୍ୟକ୍ତି ଦୁଇ ଥର ସଭାପତି ରହିବାରେ ଅସୁବିଧା ନାହିଁ ବୋଲି କହିଛନ୍ତି । ସେପଟେ ରାଜନୈତିକ ସମୀକ୍ଷକ ବି ମନମୋହନଙ୍କ ଇସାରାକୁ ସମର୍ଥନ କରି କହିଛନ୍ତି ମନମୋହନଙ୍କ ସଭାପତିତ୍ବ ସମୟରେ ହିଁ ରାଜ୍ୟରେ ବିଜେପି ଏକାକୀ ନିର୍ବାଚନ ଲଢ଼ି ପ୍ରଥମ ଥର କ୍ଷମତା ଦଖଲ କରିଛି ।
୨୦୨୪ରେ ମନମୋହନଙ୍କର ପାର୍ଟି ପାଇଁ ବଡ଼ ଭୂମିକା ଥିଲା । ବିଜେଡି ସହ ମେଣ୍ଟ ନକରିବାକୁ ମନମୋହନ ଆରମ୍ଭରୁ କେନ୍ଦ୍ରୀୟ ନେତୃତ୍ବଙ୍କ ପାଖରେ ଦମ୍ଭ ଦେଖାଇ ଆସିଥିଲେ । ଯଦିଓ ଦଳ ଭିତରେ ଅନେକ ଗୋଷ୍ଠୀ ଅଛନ୍ତି ଓ ସେମାନେ ନିଜ ଲୋକଙ୍କୁ ସଭାପତି ପଦରେ ବସାଇବାକୁ ଲବି କରୁଛନ୍ତି କିନ୍ତୁ ଦଳୀୟ ସମ୍ବିଧାନରେ ବ୍ୟବସ୍ଥା ଥିବାରୁ ମନମୋହନ ସାମଲ ରିପିଟ୍ ହେବା ସମ୍ଭାବନା ଅଧିକ । ୨୦୨୩ ମାର୍ଚ୍ଚ ୨୩ରେ ରାଜ୍ୟ ବିଜେପି ସଭାପତି ଭାବେ ନିଯୁକ୍ତ ହୋଇଥିଲେ ମନମୋହନ ସାମଲ । ସେତେବେଳେ ୨୪ ନିର୍ବାଚନ ମୁଣ୍ଡ ଉପରେ ଥିଲା, ଏବଂ ଦାଇତ୍ୱ ସହକାରେ ଦଳକୁ ପରିଚାଳନା ପରେ ରାଜ୍ୟରେ ଦୀର୍ଘ ବର୍ଷ ଧରି କ୍ଷମତା ରେ ଥିବା ବିଜେଡିକୁ ପରାଜିତ କରିଥିଲା ବିଜେପି । ତେବେ ଦେଖିବାକୁ ବାକି ରହିଲା କାହାକୁ ମିଳିବ ଓଡିଶା ବିଜେପିର ରାଜ୍ୟ ସଭାପତି ଦାଇତ୍ୱ ?