Advertisment

Odisha Politics: ବିଜେଡି, ବଦ୍ରି ପାତ୍ର ଓ ଆମଦାନୀ ନେତାଙ୍କ କାହାଣୀ

କଂଗ୍ରେସ ଓ ଭାଜପା ନେତା ବିଜେଡିକୁ ଆସି କେବଳ ଯେ ଭିଡ଼ ଜମାଇଲେ ତାହା ନୁହେଁ । ସେମାନେ ଆସ୍ଥାନ ଜମାଇ ପୁରୁଣା ନେତାମାନଙ୍କ ଉପରେ ରାଜ୍ କରିବାକୁ ଲାଗିଲେ । କଂଗ୍ରେସରୁ ବିଜେଡି ଆସିଥିବା ସୁଲୋଚନା ଦାସ ଭୁବନେଶ୍ୱର ମେୟର ହେଲେ । କଂଗ୍ରେସ ନେତା ମାନସ ମଙ୍ଗରାଜ ବିଜେଡିର ହର୍ତ୍ତାକର୍ତ୍ତା ଦଇବ ବିଧାତା ସାଜିଲେ । ନିର୍ବାଚନ ପୂର୍ବରୁ ଶଙ୍ଖଭବନରେ ସେ ବାହାର ଦଳର ନେତାମାନଙ୍କୁ ଉତ୍ତରୀୟ ପିନ୍ଧାଇ ଦଳକୁ ସ୍ୱାଗତ କରିବାରେ ସର୍ବାଗ୍ରେ ଥିବା ଦେଖାଗଲା ।

author-image
Akshaya Kumar Sahoo
ଅଦ୍ୟତନ ହୋଇଛି
ବିଜେଡିରେ ଆମଦାନୀ ନେତା

ବିଜେଡିରେ ଆମଦାନୀ ନେତା

ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ବର୍ତ୍ତମାନ ବେଶ୍ ଚର୍ଚ୍ଚାରେ ଅଛନ୍ତି । ରହିବା ବି ସ୍ୱାଭାବିକ୍ । କାରଣ, ବର୍ଷିୟାନ୍ ନେତା ଶ୍ରୀ ପାତ୍ର ନିକଟରେ ଯାହା କହିଛନ୍ତି, ତାହା କହିବା ପାଇଁ ତାଙ୍କ ଦଳର ଆଉ କେଉଁ ନେତାଙ୍କ ଜିଭ ଲେଉଟିବ ନାହିଁ । ଗତ ବିଧାନସଭା ଓ ଲୋକସଭା ନିର୍ବାଚନରେ ଦଳ କେଉଁ କାରଣ ପାଇଁ ହାରିଲା, ସେ ତାହାର ଦୁଇଟି ପ୍ରମୁଖ କାରଣ କହିଛନ୍ତି । ପ୍ରଥମ ହେଲା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକାରିତାରେ ନବୀନ ପଟ୍ଟନାୟକ ସରକାର ପଛରେ ପଡିଗଲେ । ଅଧିକାଂଶ ଗ୍ରାମକୁ ପାଇପ୍ ଯୋଗେ ଜଳ ଯୋଗାଇ ଦିଆଯାଇ ପାରିଲା ନାହିଁ । ଠିକାଦାରମାନେ ପ୍ରକଳ୍ପଗୁଡିକର କାର୍ଯ୍ୟାନ୍ୱୟନ ଧାର୍ଯ୍ୟ ସମୟ ମଧ୍ୟରେ କରିପାରିଲେ ନାହିଁ । ଅଧାପନ୍ତରିଆ ଅବସ୍ଥାରେ ପ୍ରକଳ୍ପଗୁଡିକୁ ଛାଡି ଦେଇ ବିଲ୍ ନେଇ ଅଧିକାଂଶ ଠିକାଦାର ଛୁ’ ମାରିଲେ ।

Advertisment

ମୋଦି ସରକାରଙ୍କ ୧୦ହଜାର କୋଟି ଟଙ୍କାର ‘ଜଳ ଜୀବନ ମିଶନ’ ଯୋଜନା ଅଧିନରେ ଓଡ଼ିଶାକୁ ୮୩୪ କୋଟି ଟଙ୍କା ମିଳିଥିଲା । ନବୀନ ପଟ୍ଟନାୟକ ୨୦୧୯ ମସିହାର ଏହି ଅର୍ଥକୁ ବ୍ୟବହାର କରି ‘ଡ୍ରିଙ୍କ ଫ୍ରମ୍ ଟ୍ୟାପ୍‌’ ଯୋଜନା ଘୋଷଣା କରିଥିଲେ । ସେତେବେଳେ କୁହାଯାଇଥିଲା ଯେ, ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ପ୍ରତ୍ୟେକ ପରିବାରକୁ ପାଇପ୍ ଜଳ ଯୋଗାଇ ଦିଆଯିବ । ସମସ୍ତେ ଟ୍ୟାପ୍ ଖୋଲି ସିଧା ଗ୍ଲାସ୍‌ରେ ଶୁଦ୍ଧ ପାଣି ପିଇବେ । କିନ୍ତୁ ଯାହା ଦେଖାଗଲା ରାଜ୍ୟର ୮୮ ଲକ୍ଷ ୬୮ ହଜାର ପରିବାର ମଧ୍ୟରୁ ୨୪ ଲକ୍ଷ ପରିବାରକୁ ଏହି ସୁବିଧା ୨୦୨୪ ନିର୍ବାଚନ ପୂର୍ବ ପର୍ଯ୍ୟନ୍ତ ମିଳିପାରିନଥିଲା । ସେହିପରି ରାଜ୍ୟର ୪୬ ହଜାର ଗ୍ରାମରୁ ୧୧ ହଜାର ଗ୍ରାମ ଏହି ସୁବିଧା ପାଇବାରୁ ବଚିଂତ ହୋଇଥିଲେ । କେବଳ ବାସଗୃହ ନୁହେଁ, ଅଧିକଂଶ ବିଦ୍ୟାଳୟଗୁଡିକ ପାନୀୟ ଜଳ ସୁବିଧାରୁ ବଂଚିତ ହେବାରୁ ସେଠାରେ ଛାତ୍ରଛାତ୍ରୀମାନଙ୍କ ଉପସ୍ଥାନ ସଂଖ୍ୟାରେ ମଧ୍ୟ ହ୍ରାସ ପାଇବା ପରିଲକ୍ଷିତ ହୋଇଥିଲା ।

ଅଧିକ ପଢନ୍ତୁ: ମୁଖିଆଙ୍କୁ ପୁଣି ବଦ୍ରିଙ୍କ ଟାର୍ଗେଟ୍; ବିଜେପି କହିଲା-‘ବିଜେଡି ହେଲା ତଡ଼ାଖିଆଙ୍କ ଦଳ’

Advertisment

ଶୁଦ୍ଧ ପାନୀୟ ଜଳ ସମସ୍ତ ନାଗରିକଙ୍କର ମୌଳିକ ଅଧିକାର । ଏହି ଅଧିକାରକୁ ସୁନିଶ୍ଚିତ କରିବା ଲାଗି ଓଡ଼ିଶା ସରକାର ବ୍ୟର୍ଥ ହୋଇଥିଲେ ବୋଲି ବଦ୍ରି ନାରାୟଣ ପାତ୍ର ସ୍ପଷ୍ଟ ଭାବରେ ଘୋଷଣା କରିବା ନିଶ୍ଚିତ ଭାବରେ ତାଙ୍କର ବଡପଣକୁ ଦର୍ଶାଇଛି । ଏହା ସହିତ ନବୀନ ପଟ୍ଟନାୟକ ସରକାରଙ୍କ ବ୍ୟର୍ଥତାକୁ ସେ ପଦାରେ ପକାଇ ଦେଇଛନ୍ତି ।

ବଦ୍ରି ଯେଉଁ ଦ୍ୱିତୀୟ କାରଣଟି କହିଛନ୍ତି, ତାହା ବେଶ୍ ଗୁରୁତ୍ୱପୂର୍ଣ୍ଣ । ତାହା ହେଉଛି ଯେ, ଅନ୍ୟ ଦଳର ନେତା ଆମଦାନୀ କରିବା ଯୋଗୁ ବିଜେଡି ଡଙ୍ଗା ଟଳମଳ ହୋଇ ଓଲଟି ପଡିଲା ଏବଂ ଦଳକୁ କ୍ଷମତାରୁ ଯିବାକୁ ପଡିଲା । ଚଳିତ ଶତାବ୍ଦୀର ଆରମ୍ଭରେ କଂଗ୍ରେସର ପତନ ଘଟାଇ ବିଜୁ ଜନତା ଦଳ କ୍ଷମତାକୁ ଅସିଥିଲା । ଦଳକୁ ଯେଉଁମାନେ କ୍ଷମତାକୁ ଆଣିଥିଲେ, ସେମାନେ ଜୀବନ ସାରା କଂଗ୍ରେସର ଅରାଜକତା ବିରୋଧରେ ଲଢିଲଢି ଆସିଥିଲେ । ୨୦୦୨ ମସିହାରେ ପ୍ୟାରୀମୋହନ ମହାପାତ୍ରଙ୍କର ବିଜୁ ଜନତା ଦଳରେ ପ୍ରଭାବ ବଢିବା ପରେ ଦେଖାଗଲା ଯେ, କଂଗ୍ରେସ ଓ ଭାରତୀୟ ଜନତା ପାର୍ଟିର ନେତାମାନଙ୍କୁ ଦଳରେ ନେବା ପାଇଁ ଏକ ବିଧିବଦ୍ଧ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ପକ୍ରିୟା ୨୦୨୪ ନିର୍ବାଚନ ପୂର୍ବ ପର୍ଯ୍ୟନ୍ତ ଚାଲିଲା । ବିଜେପିର ବରିଷ୍ଠ ନେତା ବିମ୍ବାଧର କୁଅଁର, ରାମଚନ୍ଦ୍ର ପଣ୍ଡା, ଭୃଗୁ ବକ୍ସିପାତ୍ର, ଲେଖାଶ୍ରୀ ସାମନ୍ତସିଂହାର, ପ୍ରକାଶ ବେହେରା, କମ୍ୟୁନିଷ୍ଟ ପାର୍ଟି ନେତା ନିତ୍ୟାନନ୍ଦ ପ୍ରଧାନ, କଂଗ୍ରେସ ନେତା ପିନାକୀ ମିଶ୍ର, ଭୁପିନ୍ଦର ସିଂହ, ସୁଲୋଚନା ଦାସ, ସସ୍ମିତ ପାତ୍ର, ରୋହିତ ପୂଜାରୀ ଓ ଚିରଞ୍ଜୀବୀ ବିଶ୍ୱାଳଙ୍କ ସମେତ ବହୁ ନେତା ବିଜେଡି ମୁହାଁ ହେଲେ ।

ଯେଉଁ ସମୟରେ ବିଜେଡିରେ ପ୍ରତିପକ୍ଷରୁ ବହୁ ନେତାଙ୍କ ଭିଡ ଲାଗିଲା, ସେ ସମୟରେ ରାଜନୈତିକ ସମୀକ୍ଷକମାନେ ଆଶଙ୍କା କଲେ ଯେ, ଏହି ଆମଦାନୀ ନେତାଙ୍କ ଦ୍ୱାରା ବିଜେଡି ଦଳର ଡଙ୍ଗା ଉଚ୍ଛୁଳି ଉଠିବ ଏବଂ ସ୍ଥଳ ବିଶେଷରେ ଏହା ଓଲଟି ପଡିବାର ସମ୍ଭାବନା ରହିଛି ।

କଂଗ୍ରେସ ଓ ଭାଜପା ନେତା ବିଜେଡିକୁ ଆସି କେବଳ ଭିଡ ଜମାଇଲେ ତାହା ନୁହେଁ । ସେମାନେ ଆସ୍ଥାନ ଜମାଇ ପୁରୁଣା ନେତାମାନଙ୍କ ଉପରେ ରାଜ୍ କରିବାକୁ ଲାଗିଲେ । କଂଗ୍ରେସ ନେତ୍ରୀ ସୁଲୋଚନା ଦାସ ଭୁବନେଶ୍ୱର ମେୟର ହେଲେ । କଂଗ୍ରେସ ନେତା ମାନସ ମଙ୍ଗରାଜ ବିଜେଡିର ହର୍ତ୍ତାକର୍ତ୍ତା ଦଇବ ବିଧାତା ସାଜିଲେ । ନିର୍ବାଚନ ପୂର୍ବରୁ ଶଙ୍ଖଭବନରେ ସେ ବାହାର ଦଳର ନେତାମାନଙ୍କୁ ଉତ୍ତରୀୟ ପିନ୍ଧାଇ ଦଳକୁ ସ୍ୱାଗତ କରିବାରେ ସର୍ବାଗ୍ରେ ଥିବା ଦେଖାଗଲା ।

ଆମଦାନୀ ନେତାଙ୍କ ଯୋଗୁ ବିଜେଡିର କଳେବର ବୃଦ୍ଧି ହେଲା । କିନ୍ତୁ ଏହାରି ଭିତରେ ଦଳ ପାଇଁ ଝାଳ, ଲୁହ ଓ ଲହୁ ଦେଇଥିବା ନେତାମାନେ କୋଣଠେସା ହୋଇଗଲେ । ଦଶନ୍ଧି ଦଶନ୍ଧି ଧରି ଦଳ ପାଇଁ ଶ୍ରମ, ସମୟ ଓ ସମ୍ବଳ ଦେଇଥିଲେ ମଧ୍ୟ ସେମାନଙ୍କୁ ଉପଯୁକ୍ତ ସମ୍ମାନ ବା ପୁରସ୍କାର ମିଳିଲା ନାହିଁ । ଏହାଫଳରେ ଦଳ ଭିତରେ ଏକ ଅଦୃଶ୍ୟ ଅସନ୍ତୋଷର ବହ୍ନି କୁହୁଳିବାକୁ ଲାଗିଲା । ଆଉ ସେହି ଅଦୃଶ୍ୟ ବହ୍ନି ନିର୍ବାଚନରେ ବିଜେଡିର ଭାଗ୍ୟ ଭବିଷ୍ୟତକୁ ଅଧାପୋଡା କରିଦେଇ କ୍ଷମତାର ଆସନରୁ ତଳକୁ ଭିଡି ଆଣିଲା । ଅଧାପୋଡା ବିଜେଡି ଆଗରେ ଏବେ ଏକ ପ୍ରାସଙ୍ଗିକ ରାଜନୈତିକ ଦଳଭାବେ ତିଷ୍ଠି ରହିବାର ଆହ୍ୱାନ ହିମାଳୟ ପରି ବିଶାଳ ଓ ଅଲଙ୍ଘ୍ୟ । ଦଳକୁ ବର୍ତ୍ତମାନର ପଙ୍କିଳ ସ୍ଥିତିରୁ ବାହାର କରିବା ଏତେ ସହଜ ନୁହେଁ । ଏହାର ମୁଖ୍ୟ କାରଣ ହେଲା ନବୀନଙ୍କ ସାଥ୍ ଦେବା ପାଇଁ କେହି ବଡ ନେତା ନାହାଁନ୍ତି । ଯେଉଁମାନଙ୍କୁ ରାଜନୀତିର କଳାକୌଶଳ ଜଣାଥିଲା, ସେ ସମସ୍ତ ବ୍ୟକ୍ତିଙ୍କୁ ଏହି ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜନୈତିକ ସନ୍ୟାସକୁ ପଠାଇଦେଇଛନ୍ତି ବା ସେମାନଙ୍କର ଅଣ୍ଟାକୁ ଭାଙ୍ଗି ଦେଇଛନ୍ତି । ଛିଡା ହୋଇ ଭାରତୀୟ ଜନତା ପାର୍ଟି ସହିତ ଲଢିବା ପାଇଁ ସେମାନଙ୍କର ସାମର୍ଥ୍ୟ ନାହିଁ ।

ଅଧିକ ପଢନ୍ତୁ: ବଦ୍ରିଙ୍କ ବିସ୍ପୋରଣ; ନିଜ ଦଳ ଉପରେ ବର୍ଷିଲେ, କହିଲେ-‘ନେତା ଧାର ଆଣି ଆମେ ଭୁଲ କରିଛୁ’ 

ରାଜନୀତିରେ କୌଣସି ଏକ ସ୍ଥିତି ସ୍ଥାୟୀ ନୁହେଁ । ଇଂଲଣ୍ଡର ପାଣିପାଗ ଯେମିତି ହଠାତ୍ ବଦଳିଯାଏ, ରାଜନୀତି ମଧ୍ୟ ଠିକ୍ ସେହିଭଳି ବଦଳି ଥାଏ । ଓଡ଼ିଶାରେ ଯେ ସେମିତି ହେବନି ତାହା କହିହେବ ନାହିଁ । କିନ୍ତୁ ବର୍ତ୍ତମାନ ସ୍ଥିତିକୁ ତର୍ଜମା କଲେ ଯେ କୌଣସି ବ୍ୟକ୍ତି ଏଭଳି ହେବା ସମ୍ଭାବନା ପ୍ରାୟତଃ କମ୍ ବୋଲି କହିହେବ । ଏହାର କାରଣ ହେଲା ଯେ, ବିଜେପି ଏକ ବିଚାରଧାରାସମ୍ପନ୍ନ ଦଳ । ଏଠାରେ ନୀତି, ଆଦର୍ଶ ଓ କଠୋର ଅନୁଶାସନରେ ସମସ୍ତେ ବିଶ୍ୱାସ କରନ୍ତି । ଏହି ଦଳ ମାତ୍ର ୭୮ଟି ବିଧାନସଭା ଆସନ ପାଇଥିଲେ ମଧ୍ୟ ଏଠି ଅସ୍ଥିରତା ସୃଷ୍ଟି କରିବା ବହୁତ କଷ୍ଟ । ଅନୁରୂପ ଭାବରେ ବିଜେଡିରେ ବର୍ତ୍ତମାନ ନେତୃତ୍ୱ ତାହାର ଆକର୍ଷଣ ହରାଇଥିବାରୁ ବିଜେପିରୁ କେହି ନେତା ସେଠାକୁ ଯାଇ ରାଜନୈତିକ ଆତ୍ମହତ୍ୟା କରିବା ସମ୍ଭାବନା ମଧ୍ୟ ବେଶ୍ କ୍ଷୀଣ ।

କ୍ଷମତା ଜନତାଙ୍କ ସେବା କରିବା ପାଇଁ ଏକ ସୁଯୋଗ ସୃଷ୍ଟି କରିଥାଏ, ଶାସନ ପାଇଁ ସ୍ୱତନ୍ତ୍ର ଅଧିକାର ଦେଇନଥାଏ । କିମ୍ବା କ୍ଷମତା କାହାକୁ କେବେ ଅବଦମିତ କରିବା ପାଇଁ ଏକ ଲାଇସେନ୍ସ ନୁହେଁ । କିନ୍ତୁ ନବୀନଙ୍କ ଶାସନ ସମୟରେ କ୍ଷମତାର ଦୁରୁପଯୋଗ କରାଯାଇ ନିଜ ଦଳର ନେତାମାନଙ୍କ ସମେତ ରାଜନୈତିକ ପ୍ରତିପକ୍ଷର ତୁଙ୍ଗ ନେତା, କିଛି ସ୍ୱାଧିନଚେତା ଅଧିକାରୀ ଓ ଅନେକ ନିରୀହ ଓ ସାଧାରଣ ଜନତାଙ୍କୁ ଅବଦମିତ କରାଗଲା । ଆଉ ଏହି ଦୁରୁପଯୋଗର ସର୍ବାଗ୍ରେ ରହିଥିଲେ କିଛି ଆମଦାନୀ ନେତା । ଏହିମାନଙ୍କ ପାଇଁ ଦଳ ରସାତଳଗାମୀ ହେଲା ।

ଏବେ ଦେଖିବାର କଥା ନିଜ ଗୋଡରେ କୁରାଢୀ ମାରି ନିଜକୁ କ୍ଷତାକ୍ତ କରିଥିବା ନବୀନ କିଭଳି ଦଳର ସ୍ଥିତିରେ ସୁଧାର ଆଣୁଛନ୍ତି । ଅନ୍ୟଥା ଯେଉଁ ଦଳ ଦିନେ କ୍ଷମତାରୁ କେବେ ଆଉ ହଟିବ ନାହିଁ ବୋଲି ବାହାସ୍ପୋଟ ମାରୁଥିଲା, ତାହା ଅଚିରେ ଇତିହାସ ଯେ ପାଲଟି ନଯିବ ତାହା କିଏ କହିବ ?

ଅଧିକ ପଢନ୍ତୁ: ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି ବିଜେଡି କଳି; ବିକ୍ରମ-ରମେଶ ଗୋଷ୍ଠୀ ଅନ୍ତର୍କନ୍ଦଳକୁ ନେଇ ହଟଚମଟ ! 

Odisha Naveen Patnaik BJD BJP Congress Odisha Politics Bharatiya Janata Party Biju Janata Dal
Advertisment
Advertisment