• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପୁଣି ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର । ଆଜି ପୁରୀ ଆସି ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି ସମ୍ବିତ ପାତ୍ର । ସକାଳେ ବଡ଼ଦାଣ୍ଡରେ ପହଞ୍ଚିବା ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ରାଜ୍ୟ ସରକାର ଜିଦଖୋର ମନୋବୃତ୍ତିର ବୋଲି କହିଛନ୍ତି । ଗତକାଲି ଦେଇଥିବା ନିଜର ପୂର୍ବ ମତକୁ ଦୋହରାଇଛନ୍ତି ସମ୍ବିତ । ମହାପ୍ରଭୁ ରାଜ୍ୟ ସରକାରଙ୍କୁ ଓ ସାଂସଦ ପିନାକୀ ମିଶ୍ରଙ୍କୁ ମଧ୍ୟ ସଦବୁଦ୍ଧି ଦିଅନ୍ତୁ ବୋଲି କହିଛନ୍ତି ।

ଅନ୍ୟପଟେ ବର୍ତ୍ତମାନ କାହିଁକି ମୁହଁ ଖୋଲିଲେ ବୋଲି ସାଂସଦ ପିନାକୀ ମିଶ୍ରଙ୍କ ଉଦ୍ଦେଶ୍ୟରେ କହିଛନ୍ତି । ହାଇକୋର୍ଟରେ ଏଏସ୍ଆଇ ପକ୍ଷରୁ ଦାଖଲ ହୋଇଥିବା ସତ୍ୟପାଠରେ ଚିନ୍ତାଜନକ ତଥ୍ୟ ଉପସ୍ଥାପନ ହୋଇଛି । ଏଏସ୍ଆଇର ସତ୍ୟପାଠ ପରେ ମୁହଁ ଖୋଲିଲି, ଆଉ ଚୁପ୍ ରହିବିନି ବୋଲି ସମ୍ବିତ କହିଛନ୍ତି । ଏକଥା ସମସ୍ତ ଓଡ଼ିଆ ଜାତିକୁ ବାଧିଛି । ଏକ୍ସପୋର୍ଟ କମିଟିଙ୍କ ରିପୋର୍ଟ ଅନୁସାରେ ବିନା ଅନୁମତିରେ କାମ କରାଯାଇଛି । ସ୍ୱାଭାବିକ ଭାବରେ ଏହା ଚିନ୍ତାଜନକ ବିଷୟ । ରାଜ୍ୟ ସରକାର ଧରୋହରକୁ ନଷ୍ଟ କରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ଏସବୁ କଥା ଜନସାଧାରଣ ଜାଣିବା ଦରକାର । ଜନତା ବର୍ତ୍ତମାନ ଜାଗୃତ ହେବା ଆବଶ୍ୟକ ।

ଏହା ପୂର୍ବରୁ ଗତକାଲି ସମ୍ବିତ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ । ନୂଆଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀ କରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ସେ ସରକାରଙ୍କୁ ଘେରିଥିଲେ । ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବାରମ୍ବାର ଡିପିଆର ବଦଳାଯାଇଥିବା କହିଥିଲେ । ଯଦି ନିର୍ମାଣରେ ସନ୍ଦେହ ନଥିଲା କାହିଁକି DPR ବଦଳାଉଥିଲେ ବୋଲି ସେ ପ୍ରଶ୍ନ କରିଥିଲେ । ଖନନ ବେଳେ ଅନେକ ଐତିହ୍ୟ କୀର୍ତ୍ତିରାଜି ନଷ୍ଟ ହୋଇଥିବା ବେଳେପ୍ରକଳ୍ପ ନେଇ ହାଇକୋର୍ଟଙ୍କ ରାୟ ଚିନ୍ତାଜନକ ବୋଲି ସମ୍ବିତ କହିଥିଲେ ।

ସେପଟେ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ପୁରୀରେ ଜଗନ୍ନାଥଙ୍କ ମୂର୍ତ୍ତି କରି ପରିକ୍ରମା ପ୍ରକଳ୍ପର ଚାରିପଟେ ବୁଲିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ଓ କଂଗ୍ରେସ । ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, ସମ୍ବିତ ପାତ୍ର ଯାହା କହୁଛନ୍ତି, ଯାହା କରୁଛନ୍ତି ସବୁ ଡ୍ରାମା । ପୁରୀରୁ ସାଂସଦ ପ୍ରାର୍ଥୀ ହେବା ପୂର୍ବରୁ ସେ କେବେ ପୁରୀ ଆସିଥିଲେ, ନା ଜଗନ୍ନାଥଙ୍କ ପାଇଁ କିଛି କହିଥିଲେ । ମାମଲା କୋର୍ଟରେ ଥିବାରୁ ବୈଷୟିକ ଦିଗ ଉପରେ କିଛି କହିବା ଠିକ ହେବନି ।

କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ମଧ୍ୟ କହିଛନ୍ତି, ପରିକ୍ରମା ପ୍ରକଳ୍ପକୁ ନେଇ ରାଜନୀତି ହେଉଛି । ସେଠାରେ କଣ ହେଉଛି ଏବେ ବି ରାଜ୍ୟବାସୀ ଦ୍ୱିଧାରେ ଅଛନ୍ତି । ରାଜ୍ୟ ସରକାର ଏଏସ୍ଆଇ ଅନୁମତି ନେଇ ପ୍ରକଳ୍ପ କରିବା ଆବଶ୍ୟକ ଥିଲା । ବର୍ତ୍ତମାନ ପ୍ରକଳ୍ପ ଆରମ୍ଭ କରିବା ଆବଶ୍ୟକ ନ ଥିଲା, ଡିଜାଇନ ଲୋକ ଲୋଚନକୁ ଆସିବା କଥା । ସମ୍ବିତ ପାତ୍ର ଜଗନ୍ନାଥଙ୍କ ମୂର୍ତ୍ତି ଧରି ବୁଲିବା ପ୍ରସଙ୍ଗରେ ସାଲୁଜା କହିଛନ୍ତି, ଦଳର ଷ୍ଟାଣ୍ଡ ଅନୁସାରେ ସମ୍ବିତ ଏପରି କରୁଛନ୍ତି । ଜଗନ୍ନାଥଙ୍କୁ ନେଇ ରାଜନୀତି କରିବା କଥା ନୁହେଁ ଏହାକୁ କଂଗେସ ନିନ୍ଦା କରୁଛି କେନ୍ଦ୍ର ଓ ରାଜ୍ୟ ସରକାର ମିଶିକି ରାଜନୀତି କରୁଛନ୍ତି ।

ସେହିପରି ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ପୁରୀ ଜିଲ୍ଲାପାଳ, ଓବିସିସି ଓ ଟାଟା ପ୍ରୋଜେକ୍ଟ ନାଁରେ ମାମଲା ରୁଜୁ କରିବା ଲାଗି ପୁରୀ ଏସଡିଜେଏମ୍ ନିର୍ଦ୍ଦେଶ ଦେଇଛନ୍ତି । ଆଇନଜୀବୀଙ୍କ ପକ୍ଷରୁ ଦାୟର ହୋଇଥିବା ଆବେଦନର ଶୁଣାଣି କରି ଏସଡିଜେଏମ୍ ପୁରୀ ସିଂହଦ୍ୱାର ଥାନାକୁ ନିର୍ଦ୍ଦେଶ ଦେଇଛନ୍ତି । ତିନି ଜଣଙ୍କ ବିରୋଧରେ ମାମଲା ରୁଜୁ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ଆଇନଜୀବୀ ଏନେଇ ସିଂହଦ୍ୱାର ଥାନାରେ ଏତଲା ଦେଇଥିଲେ । ହେଲେ ଥାନା ତାହକୁ ଗ୍ରହଣ ନ କରିବାରୁ ସେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।