/odishatv-khabar/media/post_attachments/uploadimage/library/16_9/16_9_0/IMAGE_1733323644.jpg)
BJD Made a Mistake
ସ୍ଥିତି ବିଗୁଡୁଛି, ସଂଗଠନ ଭୁଶୁଡୁଛି। ବରିଷ୍ଠ ନେତାଙ୍କ ବୟାନବାଜି ବି ଦଳକୁ ଆହୁରି କ୍ଷତାକ୍ତ କରୁଛି। ସେହି କ୍ରମରେ ଆଜି ପୁଣି ବିଜେଡି ବରିଷ୍ଠ ନେତା ବଦ୍ରି ପାତ୍ର ପରାଜୟ ପାଇଁ ଆମଦାନୀ ନେତାଙ୍କୁ ଦାୟୀ କରିଛନ୍ତି। ସେପଟେ କଳାହାଣ୍ଡିରେ ବିଜେଡି ସଂଗଠନରେ ଫାଟ ସୃଷ୍ଟି ସୁପ୍ରିମୋଙ୍କ ମୁଣ୍ଡ ବିନ୍ଧା ବଢାଇଦେଇଛି। ଆଉ ବିଜେପି କହିଛି ବିଜେଡି ହେଲା ତଡ଼ାଖିଆଙ୍କ ଦଳ।
ପୁଣି ବଦ୍ରିଙ୍କ ବିସ୍ଫୋରଣ। ଆମଦାନୀ ନେତା ହିଁ ବିଜେଡି ପରାଜୟର କାରଣ! ମହଙ୍ଗା ପଡିଲା ନିଜ ଦଳର ଆଶାୟୀଙ୍କୁ ଟିକେଟ୍ ନଦେବା। ଆଜି ଏଭଳି ବୟାନ ରଖି ପୁଣିଥରେ ବିଜେଡିକୁ ଟାର୍ଗେଟ କରିଛନ୍ତି ଦଳର ବରିଷ୍ଠ ବିଧାୟକ ବଦ୍ରି ନାରାୟଣ ପାତ୍ର। ଗୋଟିଏ ପଟେ ବଦ୍ରି ଦଳୀୟ ଗୁମର ଖୋଲିଥିବା ବେଳେ ଗୋଷ୍ଠୀ କନ୍ଦଳ କିନ୍ତୁ ଥମିବାର ନାଁ ଧରୁନି। କ୍ଷମତା ଗଲା ପରେ ବି ପରସ୍ପରର ଗୋଛି କାଟିବାରେ ବ୍ୟସ୍ତ। ଗତକାଲି ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର ନିଜ ସମର୍ଥକଙ୍କ ସହ ନବୀନ ନିବାସରେ ନବୀନଙ୍କୁ ଭେଟିଥିଲେ। ଚର୍ଚ୍ଚା ହେଉଛି କଳାହାଣ୍ଡି ଜିଲ୍ଲା ସଭାପତି ଥିବା ପୁଷ୍ପେନ୍ଦ୍ର ସିଂଦେଓଙ୍କ ବିରୋଧରେ ସେ ସମରସଜ୍ଜା ଆରମ୍ଭ କରିଛନ୍ତି। କିନ୍ତୁ ବିଜେଡି କହିଛି କଳାହାଣ୍ଡି ପଲିଟିକ୍ସରେ ବିଜେଡିର କୌଣସି କନ୍ଦଳ ନାହିଁ। ବିଜେପିର ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି ବିଜେଡି ହେଉଛି ତଡ଼ାଖିଆଙ୍କ ଦଳ। ହୁଇସିଲ୍ ମାରିଲେ ଦଳ ଭାଙ୍ଗିଯିବ। ବଦ୍ରି ଆଉ ଟିକେ ଆଗରୁ ଏକଥା କହିଥିଲେ ଭଲ ହୋଇଥାନ୍ତା।
ଅଧିକ ପଢନ୍ତୁ: ସିଏମ ସସପେନ୍ସରେ ପୂର୍ଣ୍ଣଚ୍ଛେଦ; ଫଡନାଭିସ୍ ହେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ, କାଲି ନେବେ ଶପଥ
ସେପଟେ ନବୀନ ଏବେ ବିଧାନସଭାକୁ ନିୟମିତ ଆସିବା ସହ ନେତା ଓ କର୍ମୀଙ୍କ ସହ ସିଧାସଳଖ ଆଲୋଚନା କରୁଛନ୍ତି। ଚର୍ଚ୍ଚା ହେଉଛି ଗୋଷ୍ଠୀ କନ୍ଦଳ ତୀବ୍ର ଥିବାରୁ ନବୀନ ନଭେମ୍ବରରେ ଜିଲ୍ଲା ଗସ୍ତ କରିପାରି ନାହାନ୍ତି। ଢେଙ୍କାନାଳରେ ଆପାତତଃ ନବୀନଙ୍କ ଜନସମ୍ପର୍କ ଯାତ୍ରା ସ୍ଥିର ହୋଇଥିଲେ ବି ତାହା ହୋଇପାରିନଥିଲା। ଡିସେମ୍ବର ଆରମ୍ଭରୁ ବଡମ୍ବା ବ୍ଲକ୍ ଅଧ୍ୟକ୍ଷ ବିଜେଡି ଛାଡି ବିଜେପିରେ ଯୋଗଦେଇଛନ୍ତି। ଯେଉଁଥିରୁ ସ୍ପଷ୍ଟ ଯେ ବିଜେଡି ଗଡ଼ ଭୁଶୁଡିବା ଆରମ୍ଭ କଲାଣି। ସେପଟେ କିନ୍ତୁ ଦଳ କହୁଛି, ନବୀନଙ୍କ ଜିଲ୍ଲା ଗସ୍ତ ଧାନ କଟା ଛୁଟି ପରେ ନିଶ୍ଚିତ ହେବ। ବିଜେପି କହିଛି ଆଗରୁ ମୁଖ୍ୟମନ୍ତ୍ରୀ ଥିବାବେଳେ ନବୀନ ବିଧାନସଭା କମ୍ ଆସୁଥିଲେ। ଏବେ ଡଙ୍ଗା ବୁଡିବା ବେଳେ ଭୟରେ ବିଧାନସଭା ଆସୁଛନ୍ତି।
ଦେଖିବାର କଥା ହେଉଛି, କ୍ଷମତାରୁ ଯିବା ପରେ ନବୀନ କିପରି ଏବେ ନିଜ ଦଳର ନେତାଙ୍କ ଆସ୍ଥା ଭାଜନ ହେଉଛନ୍ତି ? କାରଣ ଅସନ୍ତୁଷ୍ଟ ନେତା ଏବେ ବିଜେପି ମୁହାଁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)