• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ମନ୍ତବ୍ୟ ରାଜ୍ୟ ସରକାରଙ୍କ କମିଶନି ବ୍ୟବସ୍ଥାର ଗୁମର ଖୋଲିଛି । ବୟାନକୁ ନେଇ ଏବେ ଅଡୁଆରେ ସରକାର । କାହିଁକି ନା ଏହାକୁ ନେଇ ପୋଲିସ୍ ଓ ଓକିଲଙ୍କ ତୀବ୍ର ବିରୋଧ । ରାଜନୈତିକ ସ୍ତରରେ ବି ଟାର୍ଗେଟ୍ । ଆଉ ଏଣେ ମନ୍ତ୍ରୀଙ୍କୁ ଘେରିଛନ୍ତି ବିରୋଧୀ ବିଜେପିକଂଗ୍ରେସ୍ । ବିଜେପି ଏକ ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ କରିଛି, ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ମନ୍ତବ୍ୟ ପ୍ରମାଣ କରୁଛି ଏ ସରକାର ଦଳିତ ଓ ଆଦିବାସୀ ବିରୋଧୀ । ମନ୍ତ୍ରୀଙ୍କ ମନ୍ତବ୍ୟ ସେମାନଙ୍କ ପ୍ରତି ଏକ ଅପମାନ ।

ମନ୍ତ୍ରୀଙ୍କର ନିଜ ବିଭାଗର ପୋଲିସ୍ ଉପରେ ବି ଭରସା ନାହିଁ କହି କଡା ସାମାଲୋଚନା କରିଛି ପଦ୍ମ ଦଳ । ତେଣୁ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ତୁରନ୍ତ ବହିଷ୍କାର କରନ୍ତୁ ଓ ମୁଖ୍ୟମନ୍ତ୍ରୀ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଦାବି କରିଛି ଦଳ । ନହେଲେ ରାଜରାସ୍ତାକୁ ଓହ୍ଲାଇବ ବିଜେପି । କଂଗ୍ରେସ ମଧ୍ୟ ମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟକୁ ନେଇ ତୀବ୍ର ସମାଲୋଚନା କରିଛି । ଏପଟେ ବିଜେଡି କହିଛି, ମନ୍ତ୍ରୀ କେଉଁ ପରିସ୍ଥିତିରେ ଏଭଳି କହିଲେ, ଏହା ତାଙ୍କୁ ହିଁ ଜଣା।

ଅଧିକ ପଢ଼ନ୍ତୁ: ନା ହାତକୁ କାମ ମିଳୁଛି, ନା ଥମୁଛି ଦାଦନ ଧାଉଡ଼ି ! ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଦାଦନ ଦୁଃଖର ଅସରନ୍ତି ଚିତ୍ର

ସେପଟେ ପୋଲିସ୍ ଓ ଓକିଲ କମିଶନ ଖାଉଥିବା କଥା ଖୋଦ୍ ଗୃହ ରାଷ୍ଟ୍ରମନ୍ତ୍ରୀ କହିବା ପରେ କେବଳ ରାଜନୈତିକ ସ୍ତରରେ ନୁହେଁ, ପୋଲିସ୍ ଓ ଓକିଲଙ୍କ ମଧ୍ୟରେ ବି ବଢ଼ିଛି ଅସନ୍ତୋଷ । ଉଭୟ ପକ୍ଷ ଦୋଷ ଲଦାଲଦି ହୋଇଛନ୍ତି । ପୂର୍ବତନ ପୋଲିସ ଅଧିକାରୀଙ୍କ କହିବା କଥା, ଚାର୍ଜସିଟ୍ ଫାଇଲ କରିବା ଯାଏଁ ପୋଲିସର ଦାୟିତ୍ୱ ଚାର୍ଜସିଟ୍ ଦାଖଲ ପରେ ଅନ୍ୟ ସବୁ ଦାୟିତ୍ୱ ଓକିଲଙ୍କର ।

ଅନ୍ୟପଟେ ଓକିଲଙ୍କ କହିବା କଥା, କୌଣସି ମାମଲାରେ କାହାକୁ ଦୋଷୀ ସାବ୍ୟସ୍ତ କରାଯିବ ଓ ପୀଡ଼ିତକୁ କି ନ୍ୟାୟ ମିଳିବ, ଚାର୍ଜସିଟ୍‌ରେ ହିଁ ପୋଲିସ ସବୁକିଛି ତଥ୍ୟ ଦେଇଥାଏ । ଚାର୍ଜସିଟ୍ ଲେଖିବା ବେଳେ ହିଁ ପୋଲିସ କମିଶନ ଖାଇଥାଏ ବୋଲି ଅଭିଯୋଗ ହୋଇଛି । ରାଜ୍ୟରେ କେତେ ପୀଡ଼ିତ କ୍ଷତିପୂରଣ ପାଇବାକୁ ଯୋଗ୍ୟ ? କାହିଁକି ମିଳୁନି କ୍ଷତିପୂରଣ ? କିଏ ଖାଉଛି କମିଶନ୍ ? କେଉଁ ପର୍ଯ୍ୟାୟରେ ହେଉଛି ବାଟମାରଣା ? ଏସବୁର ସ୍ୱତନ୍ତ୍ର କମିଟି କରାଯାଇ ତଦନ୍ତ କରାଯାଉ ବୋଲି ଓକିଲମାନେ ଦାବି କରିଛନ୍ତି ।

ଓଡ଼ିଶା ପୀଡ଼ିତ କ୍ଷତିପୂରଣ ଯୋଜନା- ୨୦୧୭ ଅନୁସାରେ ବିଭିନ୍ନ ମାମଲାରେ ପୀଡ଼ିତ, ନ୍ୟାୟ ସମେତ ଆର୍ଥିକ କ୍ଷତିପୂରଣ ମିଳିବାର ବ୍ୟବସ୍ଥା ରହିଛି । ଏନ୍‌ସିଆର୍‌ବିର ରିପୋର୍ଟ ଅନୁସାରେ, ରାଜ୍ୟ ରେ ପ୍ରତିବର୍ଷ ପାଖାପାଖି ୫ ହଜାର ପୀଡ଼ିତ କ୍ଷତିପୂରଣ ପାଇବାକୁ ଯୋଗ୍ୟ । କିନ୍ତୁ ସେମାନଙ୍କ ମଧ୍ୟରୁ ମାତ୍ର ଶହେରୁ ୨ ଶହ ଜଣ କ୍ଷତିପୂରଣ ପାଉଛନ୍ତି । ଯାହାକୁ ନେଇ ମନ୍ତ୍ରୀ ଉଭୟ ଓକିଲ ଓ ପୋଲିସଙ୍କ ମିଲିଭଗତରେ ପୀଡ଼ିତଙ୍କ କମିଶନ ଖାଉଥିବା କହି ଏବେ ବିବାଦରେ । ତେବେ ଗତକାଲିର ଏଭଳି ମନ୍ତବ୍ୟ ପରେ ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ପକ୍ଷରୁ ଆଉ କୌଣସି ସ୍ପଷ୍ଟୀକରଣ ଆସିନାହିଁ ।