• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଦୁଆର କାନ୍ଥରୁ ବାହାଘର ବେଳର ନାଁ ଲିଭିନି, ହେଲେ ସେ କିନ୍ତୁ ଆରପାରିରେ । ନିଜ ଭେଣ୍ଡିଆ ରୋଜଗାରିଆ ପୁଅକୁ ହରାଇ ବାହୁନି ବାହୁନି କାନ୍ଦୁଛନ୍ତି ମୃତ ଦାଦନ ଶ୍ରମିକ ବବ୍ରୁବାହନ ଜେନାଙ୍କ ମାଆ । ଯାହାଙ୍କ ପାଇଁ ପୁଅକୁ ହରାଇବାର ଦୁଃଖ ଯତିକି କଷ୍ଟପୂର୍ଣ୍ଣ, ଶେଷ ସମୟରେ ପୁଅର ମୁହଁ ଟିକେ ଦେଖି ନପାରିବାର କୋହ ତାଠୁ ଢେର ଗୁଣରେ ଯନ୍ତ୍ରଣାଦାୟକ । ଗଂଜାମ ଜିଲ୍ଲା ଗୌଡିଆବୋରଦା ଗାଁର ଶାନ୍ତି ଜେନାଙ୍କ ପୁଅ ବବ୍ରୁବାହନ ଦାଦନ ଖଟିବାକୁ ସୁରତ ଯାଇଥିଲେ ।  ମାସକ ତଳେ ଜ୍ୱର ହେଲା, ସେଇଠି ପ୍ରାଣ ଚାଲିଗଲା । ଗାଁକୁ ଆସି ପାରିଲାନି ମୃତଦେହ । ଶ୍ମଶାନ ଘାଟରୁ ମୋବାଇଲ୍‌ରେ ଭିଡିଓ କଲିଂ ଯୋଗେ ବବ୍ରୁବାହନଙ୍କ ଶେଷକୃତ୍ୟ ଦର୍ଶନ କଲେ ମାଆ ଶାନ୍ତି ଓ ବିଧବା ପତ୍ନୀଙ୍କ ସହ ଶୋକସନ୍ତପ୍ତ ପରିବାର ।

ସମାନ ଘଟଣା ଘଟିଛି ସେହି ଗାଁର ଦାଦନ ଶ୍ରମିକ ଲକ୍ଷ୍ମଣ ଜେନା ଓ ବିଷ୍ଣୁ ବିଷୋୟୀଙ୍କ ପରିବାର ସହ । ବାହାର ରାଜ୍ୟରେ ଲକ୍ଷ୍ମଣ ଓ ବିଷ୍ଣୁଙ୍କ ଆକସ୍ମିକ ବିୟୋଗରେ ଭାଙ୍ଗି ପଡ଼ିଛନ୍ତି ସେମାନଙ୍କ ପରିବାର । କେମିତି ଚଳିବ ସଂସାର, କେମିତି ମଣିଷ ହେବେ ପିଲାଛୁଆ । ସେଇ ଚିନ୍ତାରେ ଲୁହ ଗଡ଼ୁଛି, ସମୟ ବିତୁଛି ।

ସେହି ଗଂଜାମ ଜିଲ୍ଲା ର ଡି. ନୂଆପଲ୍ଲୀ ଗାଁରେ ଅଧିକାଂଶ ଘରେ ଝୁଲୁଛି ତାଲା । ଯେଉଁ କିଛି ଘରେ ଲୋକ ରହୁଛନ୍ତି ସେଠି ବୟସ୍କ ନହେଲେ ବେକାରୀ ଅବା ଛୋଟ ଛୋଟ ପିଲାଙ୍କୁ ଧରି କିଛି ମହିଳା ହିଁ ଅଛନ୍ତି । ଗାଁର ଅଧିକାଂଶ ଲୋକ ସୁରତ, ଚେନ୍ନାଇ କି ହାଇଦ୍ରାବାଦରେ ଦାଦନ ଖଟୁଛନ୍ତି । ଭୋଟ୍ ବେଳ ଆସିଲେ ଗାଁକୁ ଆସନ୍ତି, ପୁଣି ପେଟପାଟଣା ପାଇଁ ଭିଟାମାଟି ଛାଡ଼ି ବାହୁଡ଼ିଯାନ୍ତି । କେବେ ସୁଧୁରିବ ସମସ୍ୟା, କେବେ ଶୁଣିବେ ସରକାର ? ତାକୁ ନେଇ ଗାଁର ବୟସ୍କଙ୍କ ମନରେ ନାହିଁନଥିବା କ୍ଷୋଭ ।

ମାସକ ଭିତରେ ତିନି ତିନି ଜଣ ଦାଦନ ଶ୍ରମିକଙ୍କୁ ହରାଇଥିବା ଗାଁ ଗୌଡ଼ିଆବୋରଦା ହେଉ କି ତାଲା ଝୁଲୁଥିବା ଗାଁ ଡି. ନୂଆପଲ୍ଲୀ ସବୁ ଖୋଦ୍ ମୁଖ୍ୟମନ୍ତ୍ରୀ ଓ ଶ୍ରମମନ୍ତ୍ରୀଙ୍କ ନିଜ ଜିଲ୍ଲା ଗଂଜାମରେ ହିଁ ଅଛି । ତଥ୍ୟ କହୁଛି ଛତ୍ରପୁର ଶ୍ରମ କାର୍ଯ୍ୟାଳୟରେ ଆଜି ପର୍ଯ୍ୟନ୍ତ ୧୧ ହଜାର ୪୧୧ଜଣ ଶ୍ରମିକ ନାଁ ପଂଜୀକୃତ କରି ବାହାର ରାଜ୍ୟକୁ କାମ ଅନ୍ୱେଷଣରେ ଯାଇଛନ୍ତି । ୧୦ଜଣ ଶ୍ରମିକଙ୍କ କର୍ମସ୍ଥାନରେ ଜୀବନ ବି ଯାଇଛି । ହେଲେ ବାସ୍ତବରେ କିନ୍ତୁ ସଂଖ୍ୟା ଢେର ଅଧିକ ବୋଲି କୁହାଯାଉଛି ।

କରୋନା ସମୟରେ ଗଂଜାମ ଜିଲ୍ଲାର ହଜାର ହଜାର ଶ୍ରମିକ ଗାଁକୁ ଫେରୁଥିବାର ଚିତ୍ର ଦେଖି ନିଜ ଜିଲ୍ଲାରେ ସେମାନଙ୍କୁ କାମ ଦେବାକୁ ରାଜ୍ୟ ସରକାର ଯେଉଁ ଡିଣ୍ଡିମ ପିଟିଥିଲେ ତାର ବାସ୍ତବତା ଆଜି ପଯର୍ୟନ୍ତ ଦୃଶ୍ୟମାନ ହୋଇନି । ଯାହାକୁ ନେଇ ବିଭିନ୍ନ ଶ୍ରମିକ ସଂଘ ଘୋର ଅସନ୍ତୋଷ ପ୍ରକାଶ କରିଛନ୍ତି । ସେପଟେ ଶ୍ରମମନ୍ତ୍ରୀ କହିଛନ୍ତି-ଦାଦନ ଖଟିବାକୁ ଯାଉଥିବା ଶ୍ରମିକ ସେମାନଙ୍କ ନାଁ ପଂଜୀକରଣ କରୁନଥିବାରୁ ସରକାରୀ ଯୋଜନା ଲାଗୁରେ ଅସୁବିଧା ହେଉଛି । ଏମିତିକି ସେମାନଙ୍କ ମୃତ୍ୟୁ ଘଟିଲେ ସାହାଯ୍ୟ ଯୋଗାଇବା ବି ସମ୍ଭବ ହେଉନି ।