`ମାମଲାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ଭକ୍ତ ଦାସ । ବରିଷ୍ଠ କଂଗ୍ରେସ ନେତା ତଥା ବିହାର ପ୍ରଭାରୀ ଭକ୍ତ ଦାସଙ୍କ ସରକାରଙ୍କୁ ନେଇ କଡ଼ା ମନ୍ତବ୍ୟ । ସେ କହିଛନ୍ତି ଘଟଣାରେ ୨୩ ବିଜେଡି ବିଧାୟକ, ୪ ମନ୍ତ୍ରୀ ସଂପୃକ୍ତ ଥିବା ଚର୍ଚ୍ଚା ହେଉଛି । କିନ୍ତୁ ସବୁ ଚୁପ୍ । ଅନ୍ୟ ରାଜ୍ୟରେ ଏଭଳି ହୋଇଥିଲେ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେଇସାରନ୍ତେଣି । କିନ୍ତୁ ଆମ ରାଜ୍ୟରେ ସେମିତି କିଛି ଦେଖିବାକୁ ମିଳୁନି ।
ତେବେ ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ କାହିଁକି ଚୁପ୍ ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ ଦାସ ? ସଂପୃକ୍ତ ମନ୍ତ୍ରୀ, ବିଧାୟକଙ୍କୁ କାହିଁକି ବିଦା କରୁନାହାନ୍ତି ମୁଖ୍ୟମନ୍ତ୍ରୀ ? ସତ୍ସାହସ ଅଛି ତ ଅଭିଯୁକ୍ତଙ୍କୂ ବାନ୍ଧି, ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ । ମୁଖ୍ୟମନ୍ତ୍ରୀ ଇସ୍ତଫା ଦେଇ ଆଉଥରେ ନିର୍ବାଚନର ସାମ୍ନା କରନ୍ତୁ ବୋଲି ଆହ୍ୱାନ୍ ଦେଇଛନ୍ତି ଶ୍ରୀ ଦାସ । ସେ ଆହୁରି କହିଛନ୍ତି ବିରୋଧୀ ଠିକ୍ କାମ କରନ୍ତୁ । ଯେତେବେଳେ ବିରୋଧୀ ଠିକ୍ କାମ କରିବେ ସେତେବେଳେ ସରକାର ନିଶ୍ଚୟ ଭାଙ୍ଗିଯିବ ।
Also Read
ଅଧିକ ପଢ଼ନ୍ତୁ: ଅର୍ଚ୍ଚନାର ନାଗଫାଶରେ ମାଳ ମାଳ ନେତା-ଠିକାଦାର-ଅଫିସର୍, ଟେର୍ ପାଇଲାନି ଗୁଇନ୍ଦା ବିଭାଗ
ଅନ୍ୟପଟେ, ମାୟାବିନୀ ଅର୍ଚ୍ଚନାର ନାଗଫାଶରେ ମାଳ ମାଳ ରାଜନେତା ଛନ୍ଦି ହେବା ବୋଧହୁଏ ରାଜ୍ୟରେ ପ୍ରଥମ । ୩୦ ବର୍ଷିୟା ଯୁବତୀର ମାୟାଜାଲରେ ପଡ଼ି ବାବୁ ଭାୟା ପ୍ରମାଦ ଗଣୁଥିବାବେଳେ ପାୱାର କରିଡର୍ରେ ସୃଷ୍ଟି ହୋଇଛି କମ୍ପନ । ନାଗ-ଚାନ୍ଦ ଦମ୍ପତ୍ତିଙ୍କର ବହୁ କୋଟିର ଆର୍ଥିକ କାରବାର, ମାଳ ମାଳ ନେତା ମନ୍ତ୍ରୀଙ୍କ ସଂପୃକ୍ତି ଏବଂ ସେମାନଙ୍କୁ ସୁହାଇଲା ଭଳି ପୋଲିସର ତଦନ୍ତ ପ୍ରକ୍ରିୟାକୁ ନେଇ ଏବେ ଗୋହି ଖୋଳାଖୋଳି ଶାସକ ଓ ବିରୋଧୀ । ରାଜ୍ୟର ସବୁଠୁ ବଡ଼ ଏହି ସେକ୍ସ ସ୍କାଣ୍ଡାଲରେ ବହୁକୋଟିର ଆର୍ଥିକ କାରବାର ହୋଇଥିବା ଅଭିଯୋଗ ଆଣି ପୋଲିସ ତଦନ୍ତର ଗତିକୁ ନେଇ କଂଗ୍ରେସ ଓ ବିଜେପି ପ୍ରଶ୍ନ ଉଠାଇଥିବାବେଳେ ନିଆଁ ଆଉ ଅଙ୍ଗାର ଉଦାହରଣ ଦେଇ ହାତ ଟେକିଦେଇଛି ବିଜେଡି ।
ପ୍ରଥମେ ହନିଟ୍ରାପ୍, ଆଉ ପରେ ବ୍ଲାକମେଲିଂର କଳାଧନ୍ଦାରେ ଛନ୍ଦି ହେଲେ, ଟଙ୍କା ଗଣିଲେ । ପ୍ରାୟ ୫ବର୍ଷ ଧରି ହନିଟ୍ରାପ୍ କୁଇନ୍ ଅର୍ଚ୍ଚନାର ଏହି କଳା ସାମ୍ରାଜ୍ୟ ଚାଲିଥିବାବେଳେ କେମିତି ଟେର୍ ପାଇଲାନି ପୋଲିସ ? ହାଇପ୍ରୋଫାଇଲ୍ ଲୋକଙ୍କ ଯାଆସ ଥିଲେ ବି କେମିତି ଜାଣିପାରିଲାନି ଗୁଇନ୍ଦା ବିଭାଗ ? ଯାହାକୁ ନେଇ ଲାଗିରହିଛି ପ୍ରଶ୍ନ ।
ଆଉ ସମାନ ପ୍ରଶ୍ନ ଉଠାଇ ଗତକାଲି ବିଜେପିର ବିକ୍ଷୋଭ ପରେ ଗର୍ଜିଥିଲା କଂଗ୍ରେସ । କାଳେ ବଡ଼ବଡ଼ିଆଙ୍କ ମୁଖା ଖୋଲିଯିବ, ସେହି ଚାପରେ ପୋଲିସ ତଦନ୍ତକୁ ବାଟବଣା କରୁଥିବା ଅଭିଯୋଗ ଆଣି ସିପିଙ୍କ ଅଫିସ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା ଯୁବ କଂଗ୍ରେସ । ବରିଷ୍ଠ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ବି ଆଣିଛନ୍ତି ସଂଗୀନ ଅଭିଯୋଗ । କହିଛନ୍ତି ଅର୍ଚ୍ଚନା ମାମଲାରେ ୭୦ କୋଟି ଟଙ୍କାର କାରବାର ହୋଇଛି । ଯେଉଁଁଥିରେ ସଂପୃକ୍ତ ରହିଛନ୍ତି ବିଜେଡି ଓ ବିଜେପି ନେତା । ତେବେ ଛୋଟଛୋଟ କଥାରେ ସାମ୍ବାଦିକ ସମ୍ମିଳନୀ କରୁଥିବା ପୋଲିସ କାହିଁକି ଏ ସଂପର୍କରେ ତଥ୍ୟ ରଖୁନି ବୋଲି ପ୍ରଶ୍ନ ଉଠାଇବା ସହ SIT ଗଠନ କରି ହାଇକୋର୍ଟ ବିଚାରପତିଙ୍କ ଦ୍ୱାରା ତଦନ୍ତ ଦାବି କରିଛି କଂଗ୍ରେସ ।