• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ମାୟାବିନୀ ଅର୍ଚ୍ଚନାର ନାଗଫାଶରେ ମାଳ ମାଳ ରାଜନେତା ଛନ୍ଦି ହେବା ବୋଧହୁଏ ରାଜ୍ୟରେ ପ୍ରଥମ । ୩୦ ବର୍ଷିୟା ଯୁବତୀର ମାୟାଜାଲରେ ପଡ଼ି ବାବୁ ଭାୟା ପ୍ରମାଦ ଗଣୁଥିବାବେଳେ ପାୱାର କରିଡ଼ର୍‌ରେ ସୃଷ୍ଟି ହୋଇଛି କମ୍ପନ । ନାଗ-ଚାନ୍ଦ ଦମ୍ପତ୍ତିଙ୍କର ବହୁ କୋଟିର ଆର୍ଥିକ କାରବାର, ମାଳ ମାଳ ନେତା ମନ୍ତ୍ରୀଙ୍କ ସଂପୃକ୍ତି ଏବଂ ସେମାନଙ୍କୁ ସୁହାଇଲା ଭଳି ପୋଲିସର ତଦନ୍ତ ପ୍ରକ୍ରିୟାକୁ ନେଇ ଏବେ ଗୋହି ଖୋଳାଖୋଳି ଶାସକ ଓ ବିରୋଧୀ । ରାଜ୍ୟର ସବୁଠୁ ବଡ଼ ଏହି ସେକ୍ସ ସ୍କାଣ୍ଡାଲରେ ବହୁକୋଟିର ଆର୍ଥିକ କାରବାର ହୋଇଥିବା ଅଭିଯୋଗ ଆଣି ପୋଲିସ ତଦନ୍ତର ଗତିକୁ ନେଇ କଂଗ୍ରେସ ଓ ବିଜେପି ପ୍ରଶ୍ନ ଉଠାଇଥିବାବେଳେ ନିଆଁ ଆଉ ଅଙ୍ଗାର ଉଦାହରଣ ଦେଇ ହାତ ଟେକିଦେଇଛି ବିଜେଡି ।

ଅର୍ଚ୍ଚନାର ନାଗଫାଶରେ ମାଳ ମାଳ ନେତା । ଅଫିସର, ଠିକାଦାରଙ୍କଠୁ ବ୍ୟବସାୟୀ । ମାୟା ଜାଲରେ ଫଶିଛନ୍ତି ଆଚ୍ଛା ଆଚ୍ଛା ଲୋକ । ପ୍ରଥମେ ହନିଟ୍ରାପ୍, ଆଉ ପରେ ବ୍ଲାକମେଲିଂର କଳାଧନ୍ଦାରେ ଛନ୍ଦି ହେଲେ, ଟଙ୍କା ଗଣିଲେ । ପ୍ରାୟ ୫ବର୍ଷ ଧରି ହନିଟ୍ରାପ୍ କୁଇନ୍ ଅର୍ଚ୍ଚନାର ଏହି କଳା ସାମ୍ରାଜ୍ୟ ଚାଲିଥିବାବେଳେ କେମିତି ଟେର୍ ପାଇଲାନି ପୋଲିସ ? ହାଇପ୍ରୋଫାଇଲ୍ ଲୋକଙ୍କ ଯାଆସ ଥିଲେ ବି କେମିତି ଜାଣିପାରିଲାନି ଗୁଇନ୍ଦା ବିଭାଗ ? ଯାହାକୁ ନେଇ ଲାଗିରହିଛି ପ୍ରଶ୍ନ । 

ଆଉ ସମାନ ପ୍ରଶ୍ନ ଉଠାଇ ଗତକାଲି ବିଜେପିର ବିକ୍ଷୋଭ ପରେ ଆଜି ଗର୍ଜିଛି କଂଗ୍ରେସ । କାଳେ ବଡ଼ବଡ଼ିଆଙ୍କ ମୁଖା ଖୋଲିଯିବ, ସେହି ଚାପରେ ପୋଲିସ ତଦନ୍ତକୁ ବାଟବଣା କରୁଥିବା ଅଭିଯୋଗ ଆଣି ସିପିଙ୍କ ଅଫିସ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିଛି ଯୁବ କଂଗ୍ରେସ । ବରିଷ୍ଠ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ବି ଆଣିଛନ୍ତି ସଂଗୀନ ଅଭିଯୋଗ । କହିଛନ୍ତି ଅର୍ଚ୍ଚନା ମାମଲାରେ ୭୦ କୋଟି ଟଙ୍କାର କାରବାର ହୋଇଛି । ଯେଉଁଁଥିରେ ସଂପୃକ୍ତ ରହିଛନ୍ତି ବିଜେଡି ଓ ବିଜେପି ନେତା । ତେବେ ଛୋଟଛୋଟ କଥାରେ ସାମ୍ବାଦିକ ସମ୍ମିଳନୀ କରୁଥିବା ପୋଲିସ କାହିଁକି ଏ ସଂପର୍କରେ ତଥ୍ୟ ରଖୁନି ବୋଲି ପ୍ରଶ୍ନ ଉଠାଇବା ସହ SIT ଗଠନ କରି ହାଇକୋର୍ଟ ବିଚାରପତିଙ୍କ ଦ୍ୱାରା ତଦନ୍ତ ଦାବି କରିଛି ।

ବିଜେପି ବି ସମାନ ଅଭିଯୋଗ ଆଣି କହିଛି, ସବୁ କେଳେଙ୍କାରୀ ୬ଟି ମୋବାଇଲ ମଧ୍ୟରେ ସୀମିତ । ଯେଉଁଥିରେ ସବୁ ତଥ୍ୟ ରହିଛି । ଏପରିକି ୩ଟି ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା କାରବାର ହୋଇଥିବା କହିଛି ବିଜେପି । ତେଣୁ ସରକାରୀ ଦଳ ଜାଣିଶୁଣି ମାମଲାକୁ ଚପାଇବାକୁ ଚେଷ୍ଟା କରୁଥିବା ଦଳ ଅଭିଯୋଗ କରିଛି ।  

ଲେଡି ବ୍ଲାକମେଲର ଅର୍ଚ୍ଚନାର ନାଗଫାଶରେ ରାଜ୍ୟର ୧୮ ବିଧାୟକ, ୩ ମନ୍ତ୍ରୀ ଏବଂ ଅନେକ ଅଫିସର ପଡ଼ିଥିବା ଅଭିଯୋଗ ଉଠୁଛି । ଆଉ ହନିଟ୍ରାପ୍‌ରେ ଫସିଥିବା ଅଧିକାଂଶ ନେତା ବିଜେଡିର ବୋଲି କୁହାଯାଉଛି । ତେବେ ମନ୍ତ୍ରୀ ଅଶ୍ୱିନୀ ପାତ୍ର କହିଛନ୍ତି, ଅର୍ଚ୍ଚନା ହେଉଛି ଅଳିଆ ଗଦା । ତଥାପି ଯିଏ ନିଆଁ ଖାଇଥିବ, ସିଏ ଅଙ୍ଗାର ଛାଡ଼ିବ । ତଦନ୍ତ ଯେମିତି ହେବା କଥା ହେଉ । ଯିଏ ଧରା ପଡିବା କଥା ପଡ଼ିବ ବୋଲି କହିଛନ୍ତି ମନ୍ତ୍ରୀ । 

ସେପଟେ ଅର୍ଚ୍ଚନା ନାଗର ୧୪ ଦିନିଆ ବିଚାର ବିଭାଗୀୟ ହାଜତ ଅବଧି ଆସନ୍ତାକାଲି ସରୁଛି । କାଲି ତାକୁ ଝାରପଡ଼ା ଜେଲ୍‌ରୁ ଭିଡ଼ିଓ କନଫରେନ୍ସିଂ ଜରିଆରେ ପୋଲିସ ହାଜର କରିବ ବୋଲି କୁହାଯାଉଛି । ଏହାପରେ ପୁଣି ବିଚାର ବିଭାଗୀୟ ହାଜତରେ ରହିବ ଅର୍ଚ୍ଚନା । ଏସବୁ ଭିତରେ ଅର୍ଚ୍ଚନା ଏବଂ ଜଣେ ଯୁବତୀଙ୍କ ବିରୋଧରେ ନୟାପଲ୍ଲୀ ଥାନାରେ ସିନେ ପ୍ରଯୋଜକ ଅକ୍ଷୟ ପରିଜା ଯେଉଁ ବ୍ଲାକମେଲିଂ ଅଭିଯୋଗ କରିଥିଲେ, ତାର କେସ୍ ରିମାଣ୍ଡ ଭୁବନେଶ୍ୱର ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ପୋଲିସ ଦାଖଲ କରିବ ବୋଲି ଚର୍ଚ୍ଚା ହେଉଛି । ଏପରିକି ଏହି ମାମଲାରେ ନୟାପଲ୍ଲୀ ପୋଲିସ ଅର୍ଚ୍ଚନାକୁ ରିମାଣ୍ଡରେ ନେଇପାରେ ବୋଲି କୁହାଯାଉଛି ।

(ରିପୋର୍ଟର- ଭୁବନେଶ୍ୱରରୁ ଆଲୋକ ମହାନ୍ତି ଓ ହରିହର ଚାନ୍ଦ)