Advertisment

Dharamshala MLA Attack: ରହସ୍ୟ ଭେଦୁଛି କ୍ରାଇମବ୍ରାଞ୍ଚ, ଗ୍ରାଉଣ୍ଡ ଜିରୋରେ ପ୍ରମାଣ ଘାଣ୍ଟିଲା ୬ ଜଣିଆ ଟିମ୍

ବବିଙ୍କ ଭାଇ ଲଲଙ୍କ ନାଁରେ ପୋଲିସ ଯୋଡ଼ିଲା ଆଉ ୩ ମାମଲା । ଆହୁରି ତେଜିଲା ରାଜନୈତିକ ବୟାନବାଜି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
undefined

ବବିଙ୍କ ଭାଇ ଲଲଙ୍କ ନାଁରେ ପୋଲିସ ଯୋଡ଼ିଲା ଆଉ ୩ ମାମଲା

ଯାଜପୁର ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ମରଣାନ୍ତଙ୍କ ଆକ୍ରମଣ ମାମଲାର ରହସ୍ୟ ଭେଦୁଛି କ୍ରାଇମବ୍ରାଞ୍ଚ ଟିମ୍। ଗ୍ରାଉଣ୍ଡ ଜିରୋରେ ପହଞ୍ଚି ଆଜି ସକାଳୁ ତଥ୍ୟ ପ୍ରମାଣ ଘାଣ୍ଟୁଛନ୍ତି ୬ ଜଣିଆ ଟିମ୍। ବିଶେଷ କରି ୩ଟି ଘଟଣା ଯଥା, ବିଧାୟକଙ୍କୁ ହମଲା, ଟାଉନଥାନା ଘେରାଉ ଏବଂ ବିରଜା ହାଟରେ ରାସ୍ତାରୋକ ମାମଲାର ଚାଲିଛି ଖୋଳତାଡ଼। 

Advertisment

ଯାଜପୁର ଧର୍ମଶାଳାର ସିଟିଂ ବିଧାୟକ ହିମାଂଶୁ ସାହୁଙ୍କୁ କାହିଁକି କରାଯାଇଥିଲା ମରଣାନ୍ତକ ଆକ୍ରମଣ ? ଦୀର୍ଘ ସମୟ ଧରି ଆତଙ୍କରାଜ ଭିଆଇବା ସହ ଯାଜପୁର ଟାଉନଥାନା ଘେରାଉ ପଛର ରିଂ ମାଷ୍ଟର କିଏ ? କେଉଁ ପରିସ୍ଥିତିରେ ବିରଜା ହାଟରେ ହୋଇଥିଲା ଗଣ୍ଡଗୋଳ ? କାହା ନିର୍ଦ୍ଦେଶରେ ରାସ୍ତାରୋକ ସହ ବ୍ୟବସାୟୀଙ୍କୁ କରାଯାଇଥିଲା ହମଲା ?

ତଦନ୍ତ ଭାର ନେବା ପରଠୁ ଏହି ୩ଟି ଦିଗକୁ ଧରି ଘଣ୍ଟାଚକଟା କରୁଛି କ୍ରାଇମବ୍ରାଞ୍ଚ ଟିମ୍। ୬ ଜଣିଆ ଟିମ୍ ଗ୍ରାଉଣ୍ଡ ଜିରୋରେ ଆଜି ସକାଳୁ ପହଞ୍ଚି ଚଳାଇଛି ତନାଘନା। ଧର୍ମଶାଳାର କ୍ରାଇମସ୍ପଟ୍ ବୁଢ଼ାପୋଲ । ଯେଉଁଠି ୨୦ ତାରିଖ ସଂଧ୍ୟାରେ ବିଧାୟକ ହିମାଂଶୁଙ୍କ ଉପରେ ଠେଙ୍ଗାବାଡ଼ି ଧରି ସଂଘବଦ୍ଧ ଆକ୍ରମଣ କରାଯାଇଥିଲା। ବିରଜା ପ୍ରକଳ୍ପ ପାଇଁ ଆନ୍ଦୋଳନ ବେଳେ ରାସ୍ତା ଉପରେ ଉପଦ୍ରବୀ ଚଳାଇଥିଲେ ଆତଙ୍କରାଜ। ସେହି ବୁଢ଼ାପୋଲକୁ ଯାଇ ସରଜମିନ ତଦନ୍ତ କରିଛି କ୍ରାଇମବ୍ରାଞ୍ଚ ଟିମ।

Advertisment

ଅଧିକ ପଢ଼ନ୍ତୁ: ମୋତେ ବୋମା ପକାଇ ଉଡ଼ାଇଦେବାକୁ ଚେଷ୍ଟା କରିଥିଲେ ପୂର୍ବ ସରକାର: ମୋହନ ମାଝୀ

ଏହାବ୍ୟତୀତ ସଦର ଥାନା ଓ ଟାଉନଥାନାକୁ ଯାଇ ମଧ୍ୟ କ୍ରାଇମବ୍ରାଞ୍ଚର ୬ ଜଣିଆ ଟିମ୍ ପୋଲିସ ପାଖରୁ ତଥ୍ୟ ସଂଗ୍ରହ କରିଛି। କାରଣ ହିମାଂଶୁଙ୍କୁ ହମଲା ସହ ସେଦିନ ରାତି ଯାଜପୁର ଟାଉନ୍ ଥାନା ଘେରାଉ ଏବଂ ୨୧ ତାରିଖରେ ବିରଜା ହାଟ ପାଖରେ ରାସ୍ତାରୋକ ଘଟଣାକୁ ନେଇ ମାମଲା ରହିଛି। ତଦନ୍ତର ପ୍ରଥମ ଦିନରେ ଆଜି ଏହି ୩ଟି ମାମଲା ଉପରେ ଫୋକସ ରଖିବା ସହ ସରଜମିନ ତଦନ୍ତ କରି ସାକ୍ଷ୍ୟ ପ୍ରମାଣ ସଂଗ୍ରହ କରିଛନ୍ତି କ୍ରାଇମବ୍ରାଞ୍ଚ ଟିମରେ ଥିବା ୨ ଡିଏସପି ଓ ଜଣେ ଇନିସପେକ୍ଟର।

ବିରଜା ହାଟ ଗଣ୍ଡଗୋଳ ସହ ରାସ୍ତାରୋକ ଓ ବ୍ୟବସାୟୀଙ୍କୁ ଆକ୍ରମଣ ଅଭିଯୋଗ ମାମଲାରେ ଉଭୟ ଟାଉନ ଥାନା ଏବଂ ସଦର ଥାନାରେ ରୁଜୁ ହୋଇଛି ମୋଟ ୧୭ଟି ମାମଲା, ଗିରଫ ହୋଇଛନ୍ତି ୧୯ ଜଣ। ତାହାରି ଭିତରେ ପୂର୍ବତନ ବିଜେଡି ବିଧାୟକ ପ୍ରଣବ ଦାସଙ୍କ ଭାଇ ଭବପ୍ରକାଶ ଓରଫ୍ ଲଲ ଦାସଙ୍କ ନାଁରେ ଯୋଡ଼ି ହେବାରେ ଲାଗିଛି ଗୋଟିଏ ପରେ ଗୋଟିଏ ମାମଲା। 

ପୂର୍ବରୁ ପରିବା ବ୍ୟବସାୟୀ ମଦନ ନାଏକଙ୍କୁ ଆକ୍ରମଣ ଓ ସାମଗ୍ରୀ ନଷ୍ଟ ଅଭିଯୋଗ ମାମଲାରେ ଜେଲରେ ଅଛନ୍ତି ଭବ। ଆଜି ପୋଲିସ ପକ୍ଷରୁ ଆବେଦନ ପରେ SDJMଙ୍କ କୋର୍ଟରେ ଆଉ ୩ଟି ମାମଲା ଯୋଡ଼ି ହୋଇଛି। ଟାଉନ ଥାନା ଘେରାଉ, ବିରଜା ହାଟରେ ରାସ୍ତାରୋକ ଏବଂ ଆଉ ଜଣେ ପରିବା ବ୍ୟବସାୟୀଙ୍କୁ ଆକ୍ରମଣ ଅଭିଯୋଗରେ ହୋଇଛି ୩ଟି ମାମଲା। ଅପରପକ୍ଷେ ୨୩ ତାରିଖରୁ ଗିରଫ ହୋଇଥିବା ଲଲଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ନଥିବାରୁ ମେଡ଼ିକାଲ ପଠାଇବାକୁ ଆଜି କୋର୍ଟରେ ଆବେଦନ କରାଯାଇଥିଲା। କୋର୍ଟ ଜେଲ୍ କର୍ତ୍ତୃପକ୍ଷଙ୍କୁ ଲଲଙ୍କ ସ୍ୱାସ୍ଥ୍ୟବସ୍ଥା ସଂପର୍କିତ ଷ୍ଟାଟସ୍ ରିପୋର୍ଟ ମାଗିଥିବା ସୂଚନା ମିଳିଛି।

ତେବେ ବାସ୍ତବରେ ଏହି ଗଣ୍ଡଗୋଳ ଯାଜପୁର ବିରଜା ହାଟ ପ୍ରସଙ୍ଗକୁ ନେଇ ନା ଏହାପଛରେ ରହିଛି ରାଜନୈତିକ ବିବାଦ ? କାରଣ କ୍ରାଇମବ୍ରାଞ୍ଚ ପକ୍ଷରୁ ମାମଲାର ତଦନ୍ତ ହେବା କ୍ଷଣି ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି। ତଦନ୍ତ ପ୍ରକ୍ରିୟାକୁ ନେଇ ବିଜେଡି ବିଧାୟିକା ସୁଜାତା ସାହୁ ପ୍ରଶ୍ନ ଉଠାଇ ପ୍ରଶାସନ ପକ୍ଷପାତିତା କରୁଥିବା ଅଭିଯୋଗ ଆଣିଥିଲା ବେଳେ ବିଜେଡିକୁ ପାଲଟା ନିଶାନା କରିଛି ବିଜେପି। 

ଅଧିକ ପଢ଼ନ୍ତୁ: ଧର୍ମଶାଳା MLAଙ୍କୁ ଆକ୍ରମଣ ମାମଲା; ଯାଜପୁରରେ କ୍ରାଇମବ୍ରାଞ୍ଚ ଟିମ୍‌ର ତନାଘନା

BJD BJP Congress Odisha Politics Dharmasala
Advertisment
Advertisment