Advertisment

PM Narendra Modi's Meeting at BJP Office: କର୍ମୀଙ୍କୁ ଝିଅ-ବୋହୂର ପାଠ ପଢ଼ାଇଲେ ମୋଦି, କହିଲେ ...

ନିର୍ବାଚିତ ଲୋକ ପ୍ରତିନିଧିଙ୍କୁ କୁଆଁରୀ ଝିଅ ଓ ବୋହୂ ଭିତରେ ପାର୍ଥକ୍ୟ ବୁଝାଇଥିଲେ ପ୍ରଧାନମନ୍ତ୍ରୀ । ଝିଅ-ବୋହୂର ଉଦାହରଣ ଦେଇ ମୋଦି କହିଥିଲେ, ଝିଅଟିଏ ବାପ ଘରେ ଥିବା ବେଳେ ତାପାଖରେ ସବୁ ସ୍ୱାଧୀନତା ଥାଏ ।

author-image
Swadesi Megha Mallhar Prusty
ଅଦ୍ୟତନ ହୋଇଛି
PM's Meeting at BJP Office

PM's Meeting at BJP Office

ଡବଲ୍ ଇଞ୍ଜିନ ସରକାର ପରେ ପ୍ରଥମ କରି ରାଜ୍ୟ ବିଜେପି ଅଫିସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରୁଦ୍ଧଦ୍ୱାର ପାଠଶାଳା । ମନ୍ତ୍ରୀ, ସାଂସଦ, ବିଧାୟକ ଓ ଦଳୀୟ ପଦାଧିକାରୀଙ୍କୁ ୨ ଘଣ୍ଟାରୁ ଅଧିକ ସମୟ ଧରି ଦେଲେ ଗୁରୁମନ୍ତ୍ର । ଲମ୍ବା ଶାସନକୁ ଆଖି ଆଗରେ ରଖି ରାଜ୍ୟବ୍ୟାପୀ ଦଳ ଓ ସଂଗଠନକୁ କିଭଳି ସୁଦୃଢ଼ ରଖାଯିବ । ଲୋକଙ୍କ ଜୀବନର ଉନ୍ନତି ପାଇଁ କିଭଳି କାର୍ଯ୍ୟ ଜାରି ରହିବ, ସେନେଇ ଆଲୋଚନା କରିଥିଲେ ।

Advertisment

ନିର୍ବାଚିତ ଲୋକ ପ୍ରତିନିଧିଙ୍କୁ କୁଆଁରୀ ଝିଅ ଓ ବୋହୂ ଭିତରେ ପାର୍ଥକ୍ୟ ବୁଝାଇଥିଲେ ପ୍ରଧାନମନ୍ତ୍ରୀ । ଝିଅ-ବୋହୂର ଉଦାହରଣ ଦେଇ ମୋଦି କହିଥିଲେ, ଝିଅଟିଏ ବାପ ଘରେ ଥିବା ବେଳେ ତାପାଖରେ ସବୁ ସ୍ୱାଧୀନତା ଥାଏ । କିନ୍ତୁ ବାହା ହୋଇ ଶାଶୁ ଘରକୁ ଗଲେ ତା ଉପରେ ସମସ୍ତଙ୍କର ନଜର ରହିଥାଏ । ବୋହୂର ଚାଲି ଚଳଣି, ବ୍ୟବହାର ଓ କଥାବାର୍ତ୍ତାକୁ ସମସ୍ତେ ଦେଖନ୍ତି ଓ ଧରନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ, ବାପ ଘରେ ଝିଅ ଭଳି ଆପଣମାନେ କାର୍ଯ୍ୟକର୍ତ୍ତା ଥିଲେ ।

ନିର୍ବାଚିତ ହୋଇ ଆସିବା ପରେ ବୋହୂ ଭଳି । ତେଣୁ ଆପଣମାନଙ୍କ ଉପରେ ସମସ୍ତଙ୍କର ନଜର ରହିଛି । ଏମିତି କହି କାର୍ଯ୍ୟକର୍ତ୍ତା ଓ ଜନପ୍ରତିନିଧି ଭିତରେ ଫରକର ପାଠ ପଢ଼ାଇଥିଲେ ପ୍ରଧାନମନ୍ତ୍ରୀ । ଏଥିସହ ନିଜ ରାଜନୈତିକ ଜୀବନଯାତ୍ରା ଶୁଣାଇ ରାଜ୍ୟ ବିଜେପି ନେତୃବୃନ୍ଦଙ୍କୁ ଜୋସ୍ ଭରିଥିଲେ । ଜଣେ କର୍ମୀରୁ ଗୁଜରାଟର ମୁଖ୍ୟମନ୍ତ୍ରୀ ଓ ପରେ ପ୍ରଧାନମନ୍ତ୍ରୀର ଯାତ୍ରା ବିଷୟରେ କହିଥିଲେ ମୋଦି ।

Advertisment

ଅଧିକ ପଢ଼ନ୍ତୁ:ଦିଲ୍ଲୀରେ ପିଇଥିବା ବଲାଙ୍ଗିର ଚା’କୁ ମନେ ପକାଇଲେ ମୋଦି

କାର୍ଯ୍ୟକର୍ତ୍ତାଙ୍କ ସହ ଯୋଡି ହୋଇ ରହିବାକୁ ପରାମର୍ଶ ଦେବା ସହ ସେମାନଙ୍କର ଛୋଟିଆ ଭୁଲ ଉପରେ ପ୍ରତିକ୍ରିୟା ପ୍ରକାଶ ନକରି ସଫଳତା ପାଇଁ ଶ୍ରେୟ ଓ ଧନ୍ୟବାଦ ଦେବାକୁ ଦେଇଛନ୍ତି ପରାମର୍ଶ । ମୋଦି କହିଥିଲେ, ସେ କେବଳ ଦସ୍ତଖତ କଲା ବେଳେ ପ୍ରଧାନମନ୍ତ୍ରୀ, ବାକି ସମୟରେ ଜଣେ କାର୍ଯ୍ୟକର୍ତ୍ତା । ଓଡିଶାର ବିକାଶ ପାଇଁ ମିଶନ ୩୬କୁ ଫୋକସ କରିବାକୁ ପରାମର୍ଶ ଦେଇଛନ୍ତି ମୋଦି । ୨୦୩୬ ସୁଦ୍ଧା ଓଡିଶାର ନକ୍ସା ଲୋକଙ୍କ ଆଗରେ ରଖିବାକୁ ହେବ ବୋଲି କହିଥିଲେ ।

କାର୍ଯ୍ୟକର୍ତ୍ତାଙ୍କ ବୈଠକ ବେଳେ ମଞ୍ଚରେ ନବସି ମାଇକ୍ରୋଫୋନ୍ ଧରି ସଭା ମଝିରେ ଚାଲି ଚାଲି ସମସ୍ତଙ୍କୁ ଭଲ ମନ୍ଦ ଓ ସୁଖ ଦୁଃଖ ପଚାରି ବୁଝିଥିଲେ ପ୍ରଧାନମନ୍ତ୍ରୀ । ବିଜେପି ପାର୍ଟି ଅଫିସରେ ନବ ନିର୍ବାଚିତ ବିଧାୟକଙ୍କ ସହ ରାତ୍ରି ଭୋଜନ କରିଥିଲେ । ରାଜ୍ୟର ବିକାଶ ଦିଗରେ କେତେ ଫଳପ୍ରଦ ହୋଇଛି ସରକାରଙ୍କ ୧୦୦ ଦିନିଆ ରୋଡ ମ୍ୟାପ୍ ?

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କଠୁ ଏସବୁ ପଚାରି ବୁଝିଛନ୍ତି ପ୍ରଧାନମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ବି ଏ ନେଇ ପ୍ରଧାନମନ୍ତ୍ରୀଙ୍କୁ ବିସ୍ତୃତ ଭାବେ ଅବଗତ କରି-ସରକାର ଶପଥ ନେବା ମାତ୍ରେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲାଯାଇଥିବା, ରତ୍ନଭଣ୍ଡାର ମରାମତି ସହ ଅଳଙ୍କାର ଗଣତି ମଣତି ପାଇଁ ପ୍ରକ୍ରିୟା ଆରମ୍ଭ, ସୁଭଦ୍ରା ଯୋଜନାରେ ମହିଳାଙ୍କୁ ସହାୟତା ପ୍ରଦାନ, ନିର୍ବାଚନୀ ଘୋଷଣା ମୁତାବକ ଚାଷୀଙ୍କୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧ଶହ ଟଙ୍କା ପ୍ରଦାନ ସଂପର୍କରେ ଅବଗତ କରିଥିବା ସୂଚନା ମିଳିଛି ।

ଏହି ବୈଠକରେ ରାଜ୍ୟର ରାଜନୈତିକ ସ୍ଥିତି, ସଂଗଠନର ସଦସ୍ୟତା ଅଭିଯାନ, ସାଂଗଠନିକ ନିର୍ବାଚନ ପାଇଁ ପ୍ରଦେଶ ପାର୍ଟି କେତେ ପ୍ରସ୍ତୁତ ଏ ସବୁ ବାବଦରେ ପିଏମ ମୋଦି ପଚାରି ବୁଝିଥିବା ସୂଚନା ମିଳିଛି । ଏହାସହ କେନ୍ଦ୍ର ସରକାରଙ୍କ ଗରିବ କଲ୍ୟାଣ ଯୋଜନାର ସଫଳ ରୂପାୟନ ନେଇ ମଧ୍ୟ ଆଲୋଚନା ହୋଇଥିବା ଜଣାପଡ଼ିଛି ।

ସେହିପରି ନିର୍ବାଚନ ବେଳେ ଦିଆଯାଇଥିବା ପ୍ରତିଶ୍ରୁତି କେତେ କାର୍ଯ୍ୟକାରୀ ହୋଇଛି ତାହା ବି ପଚାରିବୁଝିଛନ୍ତି ମୋଦି । ଗରିବ କଲ୍ୟାଣ ପାଇଁ ରାଜ୍ୟ ସରକାର ନୂଆ ଯୋଜନା କଣ କରିଛନ୍ତି ଓ ରାଜ୍ୟର ବିକାଶ ପାଇଁ କଣ ରୋଡ ମ୍ୟାପ ପ୍ରସ୍ତୁତ ହୋଇଛି ସେନେଇ ମଧ୍ୟ ପଚାରି ବୁଝିଛନ୍ତି । ଏଥିସହ ସାର୍ବଜନୀକ ଜୀବନରେ ଆଚରଣ ଓ ଉଚ୍ଚାରଣ କିଭଳି ହେବା ଉଚିତ୍ ସେନେଇ ପରାମର୍ଶ ଦେଇଛନ୍ତି ମୋଦି ।

ଅଧିକ ପଢ଼ନ୍ତୁ:‘ଅର୍ବାନ ମ୍ୟାଜେଷ୍ଟିକ’କୁ BMCର ବଡ଼ ଝଟ୍‌କା; ଶିଳ୍ପ ନାଁରେ ଜମି ନେଇ ଗଢୁଥିଲା ବିଶାଳ ଆପାର୍ଟମେଣ୍ଟ

Odisha News Narendra Modi BJP Politics Mohan Majhi
Advertisment
Advertisment