/odishatv-khabar/media/post_attachments/uploadimage/library/16_9/16_9_0/Jual_Oram_1669908112.jpg)
Jual Oram
ବାହାଘର ପରେ ପଦ୍ମପୁର ବିଜେଡି ପ୍ରାର୍ଥୀ ବର୍ଷା ସିଂହ ବରିହା ଆଦିବାସୀ କି ନୁହେଁ ? ସତ୍ୟବାଦୀ ବିଜେପି ନେତା ରମାରଂଜନ ବଳିଆର୍ ସିଂଙ୍କ ବୋହୁ ହେବା ପରେ ଏବେ ବି ସେ କଣ ଆଦିବାସୀ ସଂପ୍ରଦାୟର ? ଏହି ପ୍ରସଙ୍ଗକୁ ନେଇ ତାଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି ବିଜେପିର ଟପ୍ ଆଦିବାସୀ ନେତା ତଥା ସୁନ୍ଦରଗଡ ସାଂସଦ ଜୁଏଲ୍ ଓରାମ ।
ଝାରବନ୍ଧ ବ୍ଲକରେ ଆୟୋଜିତ ନିର୍ବାଚନୀ ସଭାରେ ଜୁଏଲ୍ କହିଛନ୍ତି ବାହଘର ପରେ ବର୍ଷା ଆଉ ସିଂ ବରିହା ନାହାନ୍ତି, ବଳିୟାର ସିଂ ହୋଇସାରିଛନ୍ତି । ଯେ ଜାତିର ନୁହେଁ, ସେ ପାର୍ଟିର କେମିତି ହେବ, ମାଟିର କେମିତି ହେବ ବୋଲି ପ୍ରଶ୍ନ କରିଛନ୍ତି ଜୁଏଲ୍ । ବିଭିନ୍ନ ସ୍ଥାନରେ ପ୍ରଚାର ବେଳେ ବର୍ଷା ଜାତି ଭୋଜି ଖାଇଛନ୍ତି କି ବୋଲି ପଚାରିଲେ ଉତ୍ତର ମିଳୁନଥିବା କହିଛନ୍ତି ଜୁଏଲ । ଝିଅ ବାହା ହୋଇ ବିଦା ହେଲା ବେଳେ କାନ୍ଦନ୍ତି, ଏବେ ବର୍ଷା ବିଦା ହେବେ । ତେଣୁ ସେ କାନ୍ଦୁଛନ୍ତି ବୋଲି କଟାକ୍ଷ କରିଛନ୍ତି ଜୁଏଲ୍ ।
ବର୍ଷାଙ୍କୁ ବିଜେଡି ପ୍ରାର୍ଥୀ ଘୋଷଣା କରିବା ଦିନଠୁ ଚାଲିଛି ବାଦବିବଦ । ବର୍ଷା ଜିତିଲେ ନିର୍ବାଚନ ମଣ୍ଡଳୀ ସମସ୍ୟାର ସମାଧାନ ପୁରୀରେ ହେବେ ବୋଲି ପଦ୍ମପୁରରେ ଚର୍ଚ୍ଚା ଜୋର ଧରିଥିଲା । ସେହିପରି ସେ ବିଦେଶିନୀ, ପଦ୍ମପୁରରେ ରହିବେ ନାହିଁ ବୋଲି ସୋସିଆଲ ମିଡିଆ ରେ ବି ପ୍ରଚାର ହୋଇଥିଲା । ତେବେ ବର୍ଷାଙ୍କୁ ମାଟିର ଝିଅ ଦର୍ଶାଇ ଅନେକ କାଉଣ୍ଟର ପୋଷ୍ଟ ମଧ୍ୟ କରାଯାଇଥିଲା । ବିଜେପି ଓ ବିଜେଡିର ଟ୍ରୋଲ୍ ଗ୍ରୁପ୍ ପକ୍ଷରୁ ଏସବୁ ପୋଷ୍ଟ କରାଯାଇଥିବା କୁହାଯାଉଛି ।
ଅଧିକ ପଢ଼ନ୍ତୁ: ବିଜେଡି ପ୍ରାର୍ଥୀ ବର୍ଷା ବରିହାଙ୍କୁ ନେଇ ଜୁଏଲଙ୍କ କଡ଼ା ମନ୍ତବ୍ୟ, ଶୁଣନ୍ତୁ...
ଏସବୁ ଭିତରେ ଆଜି ବର୍ଷା ଏକ ଭିଡିଓ ଜାରି କରିିଛନ୍ତି । ଜନ୍ମମାଟିରେ ନିର୍ବାଚନ ଲଢିବା ପାଇଁ ତାଙ୍କର କଣ ଅଧିକାର ନାହିଁ, ବିଜେପି ନେତାମାନେ ମଧ୍ୟ ଅନ୍ୟ ସ୍ଥାନରୁ ନିର୍ବାଚନ ଲଢୁଛନ୍ତି, ସେ ଲଢିଲେ ଅସୁବିଧା କଣ ବୋଲି ପାଲଟା ପ୍ରଶ୍ନ କରିଛନ୍ତି ବର୍ଷା ।
ବିଭିନ୍ନ ପ୍ରସଙ୍ଗକୁ ନେଇ ବିଜେଡି-ବିଜେପି ତୁତୁମେଁମେଁ ଭିତରେ ଏଣ୍ଟ୍ରି ମାରିଛି ବର୍ଷାଙ୍କ ଆଦିବାସୀ ପ୍ରସଙ୍ଗ । ଆଉ ଏ ସଂପର୍କରେ ଜୁଏଲଙ୍କ ମନ୍ତବ୍ୟ କେବଳ ପଦ୍ମପୁର ନୁହେଁ ରାଜ୍ୟ ରାଜନୀତିକୁ ବି ସରଗରମ କରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)