Advertisment

ସରକାରଙ୍କ ଶ୍ୱେତପତ୍ରକୁ ବିରୋଧୀଙ୍କ ଟାର୍ଗେଟ୍ ! ପୋଲିସ କମାଣ୍ଡ ବ୍ୟବସ୍ଥା ଭୁଶୁଡ଼ିପଡ଼ିଛି କହିଲେ ବିରୋଧୀ

ପୋଲିସକୁ ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର କରାଯାଉଛି, ପୋଲିସର କମାଣ୍ଡ ବ୍ୟବସ୍ଥା ଭୁଶୁଡ଼ିପଡ଼ିଛି । କେହି କାହାକୁ ମାନୁ ନାହାନ୍ତି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Opposition Targets Odisha Govt Over Its White Paper On Crimes

Odisha Politics

ଗୃହ ବାହାରେ ହଲ୍ଲାବୋଲ୍ । ଗୃହ ଭିତରେ ବି ହଙ୍ଗାମା । ବିଭିନ୍ନ ଘଟଣାକୁ ନେଇ ଗଲା କିଛି ଦିନ ହେବ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ସ୍ଥିତିକୁ ସରକାରଙ୍କ ବିରୋଧରେ ବଡ଼ ପ୍ରସଙ୍ଗ କରି ଆସିଛନ୍ତି ଉଭୟ  ବିଜେପିକଂଗ୍ରେସ । ହେଲେ ସରକାରଙ୍କ ଶ୍ୱେତପତ୍ର କହୁଛି ୨୦୨୨ରେ ରାଜ୍ୟର ଆଇନ୍ ଶୃଙ୍ଖଳା ସ୍ଥିତି ମୋଟାମୋଟି ଶାନ୍ତିପୂର୍ଣ୍ଣ । ହେଲେ ବିରୋଧୀ କିନ୍ତୁ ନଛୋଡବନ୍ଧା ।

Advertisment

ଗତକାଲି ଶ୍ୱେତପତ୍ର ଆସିବା ପରେ ଆଜି ଦିନ ତମାମ ଚାଲିଥିବା ଗୃହବିଭାଗର ଖର୍ଚ୍ଚ ଦାବି ଆଲୋଚନାରେ ଭାଗ ନେଇ ସରକାରଙ୍କୁ ଘେରିଛନ୍ତି ଦୁଇ ବିରୋଧୀ ଦଳ । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ନବ ଦାସ, ମମିତା ମେହେର, ମାହାଙ୍ଗା ଡବଲ ମର୍ଡର, ତିର୍ତ୍ତୋଲ ବିଜେଡି ବିଧାୟକଙ୍କ ପ୍ରତାରଣା ଭଳି ପ୍ରସଙ୍ଗକୁ ଉଠାଇ ସରକାରଙ୍କୁ କାଠଗଡ଼ାରେ ଠିଆ କରିଛନ୍ତି । କହିଛନ୍ତି ପୋଲିସକୁ ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର କରାଯାଉଛି, ପୋଲିସର କମାଣ୍ଡ ବ୍ୟବସ୍ଥା ଭୁଶୁଡ଼ିପଡ଼ିଛି । କେହି କାହାକୁ ମାନୁ ନାହାନ୍ତି।

ଅଧିକ ପଢ଼ନ୍ତୁ: BJPର ଡାଇରେକ୍ଟ ଆଟାକ୍, ପ୍ରଣବଙ୍କ କ୍ରୀତଦାସ ମନ୍ତବ୍ୟକୁ ବିରୋଧ; 5T ସଚିବ କେମିତି ହେଲେ CMO?

Advertisment

ସେହିପରି କ୍ରାଇମବ୍ରାଞ୍ଚ ବି ଆଇ ମା କାହାଣୀ କହିଲା ଭଳି ଅନେକ ଷ୍ଟୋରି ବନୋଉଥିବା କହି ଏଇ ତଦନ୍ତକାରୀ ସଂସ୍ଥାର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଠିଆ କରିଥିଲେ ଜୟନାରାୟଣ । ସେହିପରି କଂଗ୍ରେସ ବିଧାୟକ ନରସିଂହ ମିଶ୍ର ରାଜ୍ୟରେ ପୋଲିସ୍ ରାଜ ଚାଲିଛି, ଶ୍ୱେତପତ୍ରରେ ବହୁତ କିଛି ଲୁଚାଯାଉଥିବା କହିବା ସହ ନବଦାସ ହତ୍ୟା ପ୍ରସଙ୍ଗ ଉଠାଇ ଏଠି ଜଙ୍ଗଲି ଶାସନ ଚାଲିଛି ଏବଂ ଷଡ଼ଯନ୍ତ୍ରକାରୀର ପର୍ଦ୍ଦାଫାସ ନକରି, ଅଭିଯୁକ୍ତକୁ ପାଗଳ ସାବ୍ୟସ୍ତ କରିବାକୁ ସରକାର ପାଗଳ ହୋଇଯାଇଛି ବୋଲି ଅଭିଯୋଗ କରିଛନ୍ତି ନରସିଂହ ।

ସେପଟେ ଶ୍ୱେତପତ୍ରର ତଥ୍ୟରୁ ବର୍ଷ ୨୦୨୨ରେ ରାଜ୍ୟରେ ଅପରାଧ ହାର ବଢ଼ିଥିବା ଜଣାପଡ଼ିଛି । ୨୦୨୨ରେ ଧର୍ତ୍ତବ୍ୟ ଅପରାଧ ହାର ୧୪.୬୫% ବୃଦ୍ଧିପାଇଛି । ୫୧ ହଜାର ମାମଲାରେ ଚାର୍ଜସିଟ୍ ହୋଇ ନାହିଁ । ୨୦୨୧ରେ ରାଜ୍ୟରେ ୧ ଲକ୍ଷ ୫୫ହଜାର ୪୨୦ଟି ଧର୍ତ୍ତବ୍ୟ ଅପରାଧ ମାମଲା ପଞ୍ଜିକୃତ ହୋଇଥିବାବେଳେ ୨୦୨୨ରେ ଏହି ସଂଖ୍ୟା ୧ଲକ୍ଷ ୭୮ହଜାର ୧୯୦କୁ ବୃଦ୍ଧି ପାଇଛି । ଅର୍ଥାତ ଅଧିକ ୨୨ ହଜାର ୭୭୦ଟି ଅପରାଧ ସଂଘଟିତ ହୋଇଛି । ସେଥିରୁ ୫୧ ହଜାର ୧୮୮ଟି ମାମଲାର ଚାର୍ଜସିଟ୍ ଦାଖଲ କରିବାରେ ପୋଲିସ ବିଫଳ ରହିଛି ।

କେବଳ ସେତିକି ନୁହେଁ, ହତ୍ୟା, ଦୁଷ୍କର୍ମ ଭଳି ମାମଲାରେ ଶତପ୍ରତିଶତ ଚାର୍ଜସିଟ୍ ଦାଖଲ ହୋଇପାରିନାହିଁ । ଅପରପକ୍ଷେ ଆଲୋଚନାରେ ଭାଗ ନେଇ ଶାସକ ଦଳ ସଦସ୍ୟ କହିଛନ୍ତି ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ରେ ଆଇନଶୃଙ୍ଖଳା ସ୍ଥିତି ଭଲ ଅଛି । ଏକଥା ବିରୋଧୀ ଜାଣି ବି ଜନମତକୁ ବିଭ୍ରାଟ କରିବାକୁ ସରକାରଙ୍କ ବିରୋଧରେ କାହାଣୀ ତିଆରି କରୁଛନ୍ତି ।

ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତିକୁ ନେଇ ବିରୋଧୀ ଲଗାତର ସରକାରଙ୍କ ଉପରେ ହମଲା କରି ଚାଲିଥିଲା ବେଳେ ଶ୍ୱେତପତ୍ରର ତଥ୍ୟକୁ ନେଇ ଗୃହବିଭାଗର ପିଠି ଥାପୁଡ଼େଇବାକୁ ଉଦ୍ୟମ କରିଛନ୍ତି ଶାସକ ଦଳ ।

BJD BJP Congress Odisha Politics
Advertisment
Advertisment