/odishatv-khabar/media/post_attachments/uploadimage/library/16_9/16_9_0/IMAGE_1677767290.jpg)
BJP, Odisha Politics
ବିଧାନସଭା ଘେରାଉ ପାଇଁ ଯିବା ବେଳେ ପ୍ରଥମେ ବିଜେପି-ପୋଲିସ୍ ଖଣ୍ଡଯୁଦ୍ଧ । ତାପରେ ଟପ୍ ଲେଭେଲ୍ ନେତାଙ୍କୁ ଟାର୍ଗେଟ୍ କରି ବିଜେପି-ବିଜେଡି ଭିତରେ ଆରୋପ-ପ୍ରତ୍ୟାରୋପ । ଏହି ବିବାଦ ଥମିବା ବଦଳରେ ବଢିବାରେ ଲାଗିଛି। ଦଳର ଯୁବ ମୋର୍ଚ୍ଚା ସଦସ୍ୟଙ୍କ ଉପରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଓ ଗିରଫଦାରିକୁ ନେଇ ପୁଣି ଥରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି । କର୍ମୀଙ୍କ ଉପରେ ପୋଲିସର ଆକ୍ରମଣ ସୁଚିନ୍ତିତ ଯୋଜନା ଓ ଷଡ଼ଯନ୍ତ୍ର ଥିଲା ବୋଲି ଆଜି ଏକ ସମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛି ଦଳ ।
ଯୁବମୋର୍ଚ୍ଚା ସଦସ୍ୟଙ୍କ ବିରୋଧରେ ଆଇପିସିର ୩୦୭ ଅର୍ଥାତ ହତ୍ୟା ଉଦ୍ୟମ ଦଫା ଲଗାଇବା ଏକ ଷଡ଼ଯନ୍ତ୍ର । ବରିଷ୍ଠ ପୋଲିସ ଅଧିକାରୀମାନେ ବି ଏହା ପଛରେ ଥିବା ବିଜେପି ଅଭିଯୋଗ କରିଛି । ନବ ଦାସ ହତ୍ୟାକାଣ୍ଡ, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଓ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ନେଇ ଆସନ୍ତାକାଲିଠାରୁ ପୁଣି ଥରେ ଦଳ ଆନ୍ଦୋଳନକୁ ଓହ୍ଲାଇବ ।
ଅଧିକ ପଢ଼ନ୍ତୁ: ୨୦୨୪ ନିର୍ବାଚନ ପୂର୍ବରୁ ବିଜେଡି ଖେଳୁଛି କି ଜାତି କାର୍ଡ ? ସରକାର ଆଣିବେ କି ସ୍ପେଶାଲ ସ୍କିମ୍ ?
ସବୁ ପୋଲିସ ଥାନାରେ ଡିଜିପି, ପୋଲିସ୍ କମିଶନର୍ ଓ ଭୁବନେଶ୍ୱର ଡିସିପିଙ୍କ ବିରୋଧରେ FIR ଦେବେ ଦଳୀୟ ନେତା । ଶନିବାର ସମସ୍ତ ଏସ୍ପି ଅଫିସ୍ ଆଗରେ ବିକ୍ଷୋଭ କରିବେ । ଯଦି ନ୍ୟାୟ ନମିଳେ ତେବେ ଦଳ କୋର୍ଟଙ୍କ ଦ୍ୱାରସ୍ଥ ହେବ ବୋଲି କହିଛି ।
ଅନ୍ୟପକ୍ଷରେ ଝାରପଡା ଜେଲ୍ରେ ଥିବା ବିଜେପି ଯୁବ ମୋର୍ଚ୍ଚାର ନେତା ଓ କର୍ମୀମାନଙ୍କୁ ଆଜି ବିଜେପି ବିଧାୟକ ଦଳ ଭେଟିଛି । ବିରୋଧୀ ଦଳ ନେତା ଅଭିଯୋଗ କରିଛନ୍ତି, ଓଡ଼ିଶା ପୋଲିସ ବିଜେଡି କର୍ମୀ ଭଳି କାମ କରୁଛି । ପୋଲିସ୍ ସାଦା ପୋଷାକରେ ଆସି ଯୁବ ମୋର୍ଚ୍ଚା କାର୍ଯ୍ୟକର୍ତ୍ତାଙ୍କୁ ଗୋଇଠା ମାରିଥିବା ସେ ଅଭିଯୋଗ କରିଛନ୍ତି । ସେପଟେ କଂଗ୍ରେସ୍, ରାଜ୍ୟରେ ହିଟଲର୍ ଶାସନ ଚାଲିଥିବା ଅଭିଯୋଗ କରିଛି ।
ମନ୍ତ୍ରୀନବ ଦାସ ହତ୍ୟା ଘଟଣା କୁ ନେଇ ରାଜ୍ୟ ସରକାର ଅଡୁଆରେ । ମାସେ ପରେ ବି କ୍ରାଇମର ମୋଟିଭ୍ ଜଣାପଡୁନଥିବାରକୁ ସନ୍ଦେହ ଘେରରେ କ୍ରାଇମବ୍ରାଂଚ । ପୁରା ପ୍ରସଙ୍ଗରେ ରାଜ୍ୟ ସରକାର ବ୍ୟାକଫୁଟ୍ରେ ଥିବାରୁ ବିରୋଧୀ ତାକୁ ଅସ୍ତ୍ର ଭାବେ ବ୍ୟବହାର କରୁଛନ୍ତି । ଆଗକୁ ନିର୍ବାଚନ ଥିବାରୁ ଏହି ଘଟଣା, ଅଂଜନା ମିଶ୍ର ଘଟଣା ଭଳି ହେବାକୁ ଯାଉଛି ବୋଲି ରାଜନୈତିକ ସମୀକ୍ଷକ କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)