ଚମ୍ପୁଆ ବିଧାୟକ ସନାତନ ମହାକୁଡଙ୍କୁ ନେଇ ଏବେ ରାଜ୍ୟ ବ୍ୟାପି ଚର୍ଚ୍ଚା ଆରମ୍ଭ ହୋଇଛି । ବିଧାନସଭାକୁ ପ୍ରବେଶ କରିବା ବେଳେ ସନା ମହାକୁଡଙ୍କୁ ପଚାରିଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, କାହିଁକି ମିଟିଂକୁ ଆସିଲନି । ସନା ଦେହ ଖରାପ ଥିବାର କହିଥିଲେ । ତୁମେ ବିଜେପିକୁ ଯାଉଛ କି ବୋଲି ପଚାରି ଚାଲିଯାଇଥିଲେ ନବୀନ । ଏହି ଅଳ୍ପ ସମୟର କଥାବାର୍ତ୍ତା ରାଜ୍ୟ ରାଜନୀତିକୁ ଉଷ୍ମ କରିଦେଇଛି । ହଠାତ୍ କାହିଁକି ଏମିତି ପଚାରିଲେ ନବୀନ ? ନବୀନ ନିବାସକୁ ଡାକି କଥା ହୋଇ ପାରିଥାଆନ୍ତେ । ବିଜେପି କଥା କାହିଁକି ଉଠାଇଲେ ? ସନାଙ୍କୁ ଡରୁଛନ୍ତି କି ବିଜେଡି ମୁଖିଆ ? ନା ବିଜେପିକୁ ଡରୁଛନ୍ତି ? ଏତେ ଭୟ କାହିଁକି ? ଏମିତି ଅନେକ ପ୍ରଶ୍ନ ଉଠୁଛି ଏହି ପ୍ରସଙ୍ଗକୁ ନେଇ ।
ସନା ମହାକୁଡ ଗତ ନିର୍ବାଚନରେ ଚମ୍ପୁଆରୁ ବିଜେଡି ଟିକେଟରେ ନିର୍ବାଚିତ ହୋଇଛନ୍ତି । ନିର୍ବାଚନର କିଛି ଦିନ ପୂର୍ବରୁ ସେ ବିଜେଡିରେ ମିଶିଥିଲେ । ୨୦୧୪ରେ ସେ ସ୍ୱାଧୀନ ବିଧାୟକ ଭାବେ ଜିତିଥିଲେ । ସେତେବେଳେ ଅଭିନେତା ତତ୍ତ୍ୱପ୍ରକାଶ ଶତପଥୀ ଓରଫ ପପୁ ପମପମଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି । ପପୁ ମାତ୍ର ୧୦,୨୩୩ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ । ସନା ପାଇଥିଲେ ୬୯,୬୩୫ ଖଣ୍ଡ ଭୋଟ । ଏହି ନିର୍ବାଚନମଣ୍ଡଳୀରେ ସନା ଜଣେ ପ୍ରଭାବଶାଳୀ ନେତା । ତାଙ୍କ ସମର୍ଥକମାନଙ୍କ ଦ୍ୱାରା ଗଠନ କରାଯାଇଥିଲା ସନା ସେନା । ସନା ବିଧାନସଭାକୁ ନିର୍ବାଚିତ ହେବା ପରେ ୨୦୧୫ରେ ସେ ଜିଲ୍ଲାର ବିକାଶ ପାଇଁ ଆନ୍ଦୋଳନ କରିଥିଲେ । ଏହି ଆନ୍ଦୋଳନ ପ୍ରାୟ ୨ ମାଧ ଧରି ଚାଲିଥିଲା । ଏପରିକି ଜିଲ୍ଲାରେ ଅର୍ଥନୈତିକ ଅବରୋଧ ବି ହୋଇଥିଲା । କେନ୍ଦୁଝର ଜିଲ୍ଲାରେ ଏକ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା, ଏକ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା, କୃଷି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଓ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ସେ ଦାବି କରିଥିଲେ ।
Also Read
ନୂଆ ଦଳ ଗଠନ ଆଣିଥିଲା ବିପଦ
କେତେକ ଦାବି ପୂରଣ ହେବ ବୋଲି ସରକାର ପ୍ରତିଶ୍ରୁତି ଦେବା ପରେ ସେ ଧାରଣାରୁ ଉଠିଥିଲେ । ସେତେବେଳେ ବିଜେପି ନେତା ତଥା ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କୁ ସମର୍ଥନ କରିଥିଲେ । କିନ୍ତୁ ଜିଲ୍ଲାର ବିଜେଡି ବିଧାୟକମାନେ ତାଙ୍କୁ ସମର୍ଥନ କରିନଥିଲେ । ସରକାରଙ୍କ ଉପରେ ଚାପ ସୃଷ୍ଟି କରିବାରେ ସକ୍ଷମ ହୋଇଥିଲେ ସନା । ଏହା ପରେ ସେ ବିଜେଡିରେ ମିଶୁଥିବା ନେଇ ଚର୍ଚ୍ଚା ହୋଇଥିଲା । କିନ୍ତୁ ସେ ବିଜେଡିରେ ମିଶିନଥିଲେ । ୨୦୧୮ରେ ସେ ଜନ ସମୃଦ୍ଧି ପାର୍ଟି ନାମରେ ଏକ ରାଜନୈତିକ ଦଳ ଗଠନ କରିଥିଲେ । ସନା କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାରେ ୩ ଟି ଲୋକସଭା ଆସନ ଓ ୪୭ଟି ବିଧାନସଭା ଆସନରେ ପ୍ରାର୍ଥୀ ଦେବେ ବୋଲି ତାଙ୍କ ସମର୍ଥକମାନେ କହି ବୁଲିଲେ । ଏହା ପରେ ସୃଷ୍ଟି ହୋଇଥିଲା ସନାଙ୍କ ସମସ୍ୟା । ରାଜ୍ୟ ସରକାରଙ୍କ ପକ୍ଷରୁ ବାରମ୍ୱାର ତାଙ୍କର ବ୍ୟାବସାୟିକ ସଂସ୍ଥା ଓ ଅନ୍ୟାନ୍ୟ ସ୍ଥାନରେ ରେଡ୍ କରାଗଲା । ତାଙ୍କ ନାମରେ କେଶ୍ ପରେ କେଶ୍ ରୁଜୁ ହେଲା । ସେ ଚାପରେ ରହିଲେ ।
ଅଧିକ ପଢ଼ନ୍ତୁ: ହଲର ବଲର ନେତାଙ୍କୁ ନେଇ ଚିନ୍ତାରେ ବିଜେଡି ସୁପ୍ରିମୋ
ପ୍ରାର୍ଥୀ ଦେଇଥିଲେ ସନା !
ରାଜନୈତିକ ପର୍ଯ୍ୟବେକ୍ଷକମାନେ କୁହନ୍ତି, ଏହା ପରେ ହୋଇଥିଲା ରାଜନୈତିକ ଡିଲ୍ । ସନା ଯାହାକୁ ବାଛିବେ, ସେ ହେବେ ଚମ୍ପୁଆରେ ବିଜେଡିର ବିଧାୟକ ପ୍ରାର୍ଥୀ । ତେଣୁ ସନା ତାଙ୍କର ଜଣେ ସମର୍ଥିତ ମହିଳା ପ୍ରାର୍ଥୀଙ୍କୁ ବାଛିଲେ । ସେ ବିଜେଡି ପ୍ରାର୍ଥୀ ହୋଇ ଜିତିଲେ । ପ୍ରଥମ ଥର ଚମ୍ପୁଆରେ ସନାଙ୍କ ସମର୍ଥନରେ ଜିତିଲା ବିଜେଡି । କିନ୍ତୁ ଜିତିବା ପରେ ସନାଙ୍କ ସହିତ ବିଜୟୀ ବିଧାୟିକାଙ୍କର ମତପାର୍ଥକ୍ୟ ହୋଇଥିଲା ବୋଲି ଆଲୋଚନା ହୁଏ । ଏହା ପଛରେ କୁଆଡ଼େ ବିଜେଡି ରାଜ୍ୟସ୍ତରୀୟ ନେତାଙ୍କ ହାତ ଥିଲା ବୋଲି ସନାଙ୍କ ସମର୍ଥକମାନେ କହି ବୁଲିଲେ । ସନାଙ୍କର ଚମ୍ପୁଆରେ ଭଲ ସଂଗଠନ ଥିବାରୁ ସେ ପୁଣି ଅନ୍ୟ ଦଳରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ଆଶଙ୍କା କରିଥିଲା ବିଜେଡି । ତେଣୁ ବିଧାନସଭା ନିର୍ବାଚନ ପୂର୍ବରୁ ସନାଙ୍କୁ ବିଜେଡି ଦଳରେ ସାମିଲ୍ କରିଥିଲା ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହୁଏ । ସନା ବିଜେଡି ଟିକେଟରେ ଚମ୍ପୁଆରୁ ନିର୍ବାଚିତ ହେଲେ ।
ଏ ସଂପର୍କ ଆଜିର ନୁହେଁ
ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ମତରେ, ନିର୍ବାଚନରେ ସରକାର ବଦଳିଗଲା । ବିଜେଡି ବିରୋଧୀ ଦଳକୁ ଚାଲିଗଲା । ମୁଖ୍ୟମନ୍ତ୍ରୀ ହେଲେ କେନ୍ଦୁଝର ଜିଲ୍ଲାର ବିଜେପି ନେତା ମୋହନ ମାଝୀ । ଜିଲ୍ଲାର ବିକାଶ ପାଇଁ ସନା ଚଳାଇଥିବା ଆନ୍ଦୋଳନକୁ ୨୦୧୫ରେ ସମର୍ଥନ କରିଥିଲେ ମୋହନ ମାଝୀ । ସେତେବେଳର ଏଜେଣ୍ଡାକୁ ନେଇ ଅଞ୍ଚଳର ବିକାଶ ପାଇଁ ସନା ମୁଖ୍ୟମନ୍ତ୍ରୀଙ୍କର ଅଧିକ ନିକଟତର ହୋଇଥିବା ଆଲୋଚନା ହେଉଛି । ଏପରିକି ଗତ ଡିସେମ୍ୱର ମାସରେ ଚମ୍ପୁଆରେ ଏକ ହାଇସ୍କୁଲର ବାର୍ଷିକ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସନା ମହାକୁଡଙ୍କୁ କେକ୍ ବୋଳୁଥିବାର ଭିଡିଓ ଭାଇରାଲ୍ ହୋଇଥିଲା । ଅନେକ ବାର ସନା ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଭେଟିଛନ୍ତି ।
ବିଜେଡି ଭୟଭୀତ କାହିଁକି ?
କିନ୍ତୁ କଥା ହେଉଛି, ଗତ ୮ ମାସ ଭିତରେ ସନା ବିଜେଡିର ଭୁବନେଶ୍ୱରରେ ହେଉଥିବା ବୈଠକକୁ ପ୍ରାୟ ଯାଉନଥିଲେ । ନବୀନ ନିବାସରୁ ଫୋନ୍ ଗଲେ, ଦେହ ଅସୁସ୍ଥ ଥିବାର ସେ ଦର୍ଶାଉଥିଲେ । କିନ୍ତୁ ଚମ୍ପୁଆରେ ନିଜ ସମର୍ଥକଙ୍କ ଦ୍ୱାରା ବିଜେଡିର ବୈଠକ କରୁଥିଲେ । କିନ୍ତୁ ଜିଲ୍ଲାର କୌଣସି ବିଜେଡି ବୈଠକକୁ ଯାଉନଥିଲେ ବୋଲି ତାଙ୍କର ନିକଟତମ ମହଲରୁ ଜଣାପଡିଛି । ତେଣୁ ନିଜର ଭଲ ସଂଗଠନ ଥିବାରୁ ସେ ବିଜେଡି ସଂଗଠନ ଉପରେ ନିର୍ଭରଶୀଳ ନୁହଁନ୍ତି ବୋଲି ତାଙ୍କୁ ପାଖରୁ ଜାଣିଥିବା ଅନେକ ଲୋକ ମତ ଦେଉଛନ୍ତି । ସେ ଏବେ ବିଜେଡି ସତ , କିନ୍ତୁ ସନା କେବେ ବି ବିଜେଡିର ବିଚାରଧାରାରେ ନଥିଲେ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ ମତ ଦିଅନ୍ତି । କେହି କେହି ମଧ୍ୟ କହୁଛନ୍ତି, ସନାଙ୍କ ସହ କିଛି ବିଧାୟକ ଭଲ ସଂପର୍କରେ ଅଛନ୍ତି । କାଳେ ସିଏ କିଛି ନିଷ୍ପତ୍ତି ନେଇଯିବେ, ତାକୁ ନେଇ ଚିନ୍ତାରେ ରହିଛି ବିଜେଡି । ଏହାକୁ ନେଇ ରାଜନୀତି ଜୋର୍ ଧରିଛି । ଏ ସଂପର୍କରେ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ ।