ନିଜ ଦଳ ବଞ୍ଚାଇବା ପାଇଁ ଦିଲ୍ଲୀ ମୁଁହା ନବୀନ ପଟ୍ଟନାୟକ । ଓଡ଼ିଶାରେ ବିଜେଡି ସଂଗଠନ ଭୁଶୁଡିବା ପରେ ଇଣ୍ଡି ମେଣ୍ଟ ସାହାଯ୍ୟରେ ଦଳର ଅସ୍ତିତ୍ୱ ବଞ୍ଚାଇବା ପାଇଁ ଚେଷ୍ଟା କରୁଛନ୍ତି ନବୀନ । ଏଭଳି ବୟାନ ଦେଇଛନ୍ତି ବିଜେପି ବିଧାୟକ ସରୋଜ ପାଢ଼ୀ । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କ ମନ୍ତ୍ରିମଣ୍ଡଳ ସଦସ୍ୟଙ୍କୁ ଭେଟି ତାଙ୍କ ବୈଠକରେ ସାମିଲ ନେଇ ସହମତି ଜଣାଇବା ପରେ ନବୀନ ଇଣ୍ଡି ମେଣ୍ଟ ମୁଁହା ହେଉଥିବା ସଂକେତ ଦେଇଛନ୍ତି । ଦଳ ବଞ୍ଚାଇବା ପାଇଁ ସାହାରା ନେବାକୁ ଯାଉଛନ୍ତି । ସେ ଯାହାର ସାହାରା ନିଅନ୍ତି ତାକୁ ଧ୍ବଂସ କରନ୍ତି । ବିଜେପି ସହ ରହି ବିଜେପିକୁ ଧ୍ବଂସ କରିବେ ଭାବିଲା ବେଳକୁ ସେ ସରକାରରୁ ପଳାଇଲେ ବୋଲି କହିଛନ୍ତି ସରୋଜ ପାଢୀ । ଓଡ଼ିଶାବାସୀ ଜାଣି ସାରିଲେଣି ବିଜେଡିର ଅସ୍ତିତ୍ବ ରହିବନାହିଁ । ତେବେ ବିଜେପି ବିଧାୟକ ସରୋଜ ପାଢ଼ୀଙ୍କ ଏହି ଅଭିଯୋଗକୁ ନେଇ ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
Also Read
ଅଧିକ ପଢ଼ନ୍ତୁ: ବଦ୍ରିଙ୍କ ବିସ୍ଫୋରକ ବୟାନ; କହିଲେ, ରାଜାଙ୍କୁ ଫୁଲ୍ ପ୍ରୋତ୍ସାହନ ଦେଇଥିଲେ ଜିଲ୍ଲାପାଳ ଓ ଏସପି
ସୂଚନା ଅନୁସାରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ତଥା DMK ମୁଖ୍ୟ ଷ୍ଟାଲିନଙ୍କ ନିର୍ଦ୍ଦେଶ କ୍ରମେ ଗତ ମାର୍ଚ୍ଚ ୧୧ରେ ଦଳୀୟ ସାଂସଦ ଦୟାନିଧି ମାରନ୍ ଓ ତାମିଲନାଡୁର ଶିଳ୍ପମନ୍ତ୍ରୀ TRB ରାଜା ନବୀନ ନିବାସ ଆସି ନବୀନଙ୍କୁ ଭେଟିଥିଲେ । ସୀମା ପୁନଃ ନିର୍ଦ୍ଧାରଣ ପ୍ରସଙ୍ଗରେ ଚେନ୍ନାଇରେ ଚଳିତ ମାସ ୨୨ ତାରିଖରେ ଡିଏମକେ ଯେଉଁ ବୈଠକ ଡାକିଛି ସେଥିରେ ଯୋଗ ଦେବାକୁ ନବୀନଙ୍କୁ ନିମନ୍ତ୍ରଣ କରିଥିଲେ ଦୁଇ ନେତା । ଆଉ ନବୀନ ମଧ୍ୟ ଏହି ବୈଠକକୁ ସମର୍ଥନ ଜଣାଇଥିଲେ । ବିଜେଡି କହିଥିଲା ଜନସଂଖ୍ୟା ଆଧାରରେ ନିର୍ବାଚନ ମଣ୍ଡଳୀ ସୀମା ପୁନଃନିର୍ଦ୍ଧାରଣ କରାଗଲେ ଓଡ଼ିଶା ବି କ୍ଷତିଗ୍ରସ୍ତ ହେବ । ଆନୁପାତିକ ଭାବେ ଯେତିକି ବିଧାନସଭା ଓ ସଂସଦୀୟ କ୍ଷେତ୍ରରେ ସିଟ୍ ମିଳିବା କଥା ମିଳିବ ନାହିଁ।
୨୦୨୬ରେ ଜନସଂଖ୍ୟା ଆଧାରରେ ସୀମା ପୁନଃ ନିର୍ଦ୍ଧାରଣ ପାଇଁ କେନ୍ଦ୍ର ସରକାରଙ୍କ ପ୍ରସ୍ତାବ ରହିଛି । ଯାହାକୁ ତାମିଲନାଡୁ ସମେତ ଦକ୍ଷିଣ ଭାରତର କିଛି ରାଜ୍ୟ ବିରୋଧ କରୁଛନ୍ତି । ଯୁକ୍ତି ଦର୍ଶାଉଛନ୍ତି ଏହା ହେଲେ ଜନସଂଖ୍ୟା ନିୟନ୍ତ୍ରଣ କରୁଥିବା ରାଜ୍ୟଗୁଡିକରେ ସିଟ୍ ସଂଖ୍ୟା କମିବ ଏବଂ ଜନସଂଖ୍ୟା ବହୁଳ ରାଜ୍ୟରେ ସିଟ୍ ବଢିବ । ଯେଉଁଥିପାଇଁ ଷ୍ଟାଲିନ୍ କେନ୍ଦ୍ରର ଏହି ଆଭିମୁଖ୍ୟକୁ ବିରୋଧ କରି ଓଡ଼ିଶା ସମେତ ପ୍ରଭାବିତ ହେବାକୁ ଥିବା ୭ ରାଜ୍ୟର ସହଯୋଗ ଲୋଡ଼ୁଛନ୍ତି । ଓଡ଼ିଶା ବ୍ୟତୀତ ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ପଞ୍ଜାବ, କର୍ଣ୍ଣାଟକ, କେରଳ ଓ ତେଲେଙ୍ଗାନାର ରାଜନୈତିକ ଦଳ ଓ ସରକାରୀ ଦଳକୁ ମଧ୍ୟ ବୈଠକକୁ ନିମନ୍ତ୍ରଣ କରିଛନ୍ତି ଷ୍ଟାଲିନ ।