Advertisment

Akhilesh Yadav Odisha Visit: ବିଜେଡିରେ ଅସନ୍ତୋଷର ନିଆଁ କୁହୁଳୁଥିବା ବେଳେ କାହିଁକି ଆସିଥିଲେ ଅଖିଳେଶ ?

ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ଓଡିଶା ଗସ୍ତକୁ ନେଇ ରାଜନୀତି ସରଗରମ ରହିଛି । ଯେତେବେଳେ ନ୍ୟାସନାଲ ହେରାଲ୍ଡ ମାମଲାରେ ଚାର୍ଜସିଟ କରିବା ପ୍ରସଙ୍ଗରେ କଂଗ୍ରେସ ଦେଶବ୍ୟାପୀ ପ୍ରତିବାଦ ଜାରି ରଖିଛି ଏବଂ ଦେଶର ବିଭିନ୍ନ ଇଡି ଅଫିସ ଆଗରେ ଦଳର ନେତା, କର୍ମୀ ପ୍ରତିବାଦ କରୁଛନ୍ତି ଆଉ ଓଡିଶାରେ ମଧ୍ୟ ସମାନ ସ୍ଥିତି ଦେଖାଦେଇଛି ଏହି ସମୟରେ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା ସପା ସଭାପତିଙ୍କ ସହିତ ବସି ସାମ୍ବାଦିକ ସମିଳନୀ କରିବା ରାଜନୈତିକ ଚର୍ଚ୍ଚାକୁ ଖୋରାକ ଯୋଗାଇଛି।

author-image
Dilip Sabat
ଅଦ୍ୟତନ ହୋଇଛି
ଓଡ଼ିଶାରେ ଅଖିଳେଶ

ଓଡ଼ିଶାରେ ଅଖିଳେଶ

ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି (ସପା)ର ସଭାପତି ନେତା ଅଖିଳେଶ ଯାଦବଙ୍କ ଓଡିଶା ଗସ୍ତ ରାଜନୈତିକ ହଟଚମଟ ସୃଷ୍ଟି କରିଛି । ବିଜୁ ଜନତା ଦଳ(ବିଜେଡି)ରେ ବିଦ୍ରୋହ ଓ ବିଭାଜନର ସ୍ଥିତି, ଦେଶବ୍ୟାପୀ ସୃଷ୍ଟି ହୋଇଥିବା ଜାତିଭିତ୍ତିକ ଜନଗଣନା ଓ ସାମାଜିକ ନ୍ୟାୟ ଆନ୍ଦୋଳନକୁ ନେଇ ଓଡିଶାରେ ରାଜନୈତିକ ଉଷ୍ମତା ମଧ୍ୟରେ ଶ୍ରୀ ଯାଦବଙ୍କ ଗସ୍ତକୁ ବିଶେଷ ଗୁରୁତ୍ୱ ଦିଆଯାଇଛି । ତେବେ ସବୁଠାରୁ ଉଲ୍ଲେଖନୀୟ ବିଷୟ ହେଉଛି କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ନିମନ୍ତ୍ରଣରେ ଓଡିଶା ଆସି ବିଭିନ୍ନ ଅଣବିଜେପି ଦଳର ନେତୃତ୍ୱଙ୍କ ସହିତ ବସି ଆଲୋଚନା, ସାମ୍ବାଦିକ ସମ୍ମିଳନୀ ରାଜ୍ୟ ରାଜନୀତିକୁ କି ଇସାରା ଦେଉଛି? କଣ ହେବ ଏହାର ରଣକୌଶଳ? ବିଜେଡିର ବିଭାଜନ ସ୍ଥିତି ସପା ଓ ଅନ୍ୟାନ୍ୟ ଦଳ ପାଇଁ ସୁଯୋଗ ସୃଷ୍ଟି କରିବ କି? ବିଜେଡିରୁ କୌଣସି ନେତା ଏହି ଗୋଷ୍ଠୀ ଆଡକୁ ଆକର୍ଷିତ ହେଉଛନ୍ତି କି? ରାଜ୍ୟ ବିଜେପି ଉପରେ ଏହା କି ପ୍ରଭାବ ପକାଇବ? ତାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଯାଇଛି। 

Advertisment

ୱକଫ ସଂଶୋଧନ ବିଲରେ ମତ ପରିବର୍ତ୍ତନକୁ ନେଇ ବିଜେଡିରେ ଗତ କିଛିଦିନ ଧରି ବିଦ୍ରୋହ ଉଗ୍ର ଦେବାରେ ଲାଗିଛି । ଗୋଟିଏ ଗୋଷ୍ଠୀ ନିଷ୍ପତ୍ତି ପରିବର୍ତ୍ତନ ଓ ଦଳର ପରିଚାଳନା ପଛରେ ଜଣଙ୍କୁ ଦାୟୀ କରିବା ସହିତ ସୁପ୍ରିମୋଙ୍କ ସମ୍ମୁଖରେ ତାଙ୍କୁ ବିରୋଧ କରିଛନ୍ତି । ଧର୍ମନିରପେକ୍ଷତାକୁ ସମ୍ମାନ ଦେଇଆସୁଥିବା ଦଳ ଏକ୍ଷେତ୍ରରେ ନିଷ୍ପତ୍ତି ବଦଳାଇବା ନେଇ ଦଳର ଅନେକ ନେତା ସଭାପତିଙ୍କୁ ଚିଠି ଲେଖିଛନ୍ତି । ତେବେ ଏ ସବୁକୁ ପଛରେ ପକାଇ ଦଳର ସୁପ୍ରିମୋ ସମ୍ପୃକ୍ତ ବ୍ୟକ୍ତିଙ୍କୁ କ୍ଲିନ୍ ଚିଟ ଦେବା ନେତାମାନଙ୍କ ଅସନ୍ତୋଷକୁ ଦବାଇପାରି ନାହିଁ । ଯାହାଫଳରେ ଦଳ ଆଶା ଆଶଙ୍କା ଦେଇ ଗତି କରୁଛି । 

ନିକଟରେ ସରିଥିବା ବିଧାନସଭା ବଜେଟ ଅଧିବେଶନରେ ମହିଳା ସୁରକ୍ଷା ପାଇଁ ଗୃହ କମିଟି ଗଠନ ଦାବୀରେ ଗୃହ ଭିତରେ ଓ ବାହାରେ କଂଗ୍ରେସ ତମ୍ବିତୁଫାନ କରୁଥିବାବେଳେ ବିଜେଡି ଉଠାଇଥିଲା ଜାତିଭିତିକ ଜନଗଣନା ପ୍ରସଙ୍ଗ । ବିଜେଡି ବିଧାୟକମାନେ ହାତରେ ଫ୍ଲାକାର୍ଡ ଧରି ଗୃହ କମ୍ପାଇଥିଲେ । ସେହିଭଳି ଜାନୁଆରୀରେ ସଂସଦୀୟ ଓବିସି କଲ୍ୟାଣ କମିଟିକୁ ଭେଟି ବିଜେଡି ତରଫରୁ ଏସସି ବିସିକୁ ଓବିସିରେ ଅନ୍ତର୍ଭୁକ୍ତ କରି ଓଡିଶାକୁ ସ୍ୱତନ୍ତ୍ର ଭାବରେ ବିଚାରକୁ ନେବା ଏବଂ ଜାତିଭିତ୍ତିକ ଜନଗଣନା ପାଇଁ ପ୍ରସ୍ତାବ ଦିଆଯାଇଥିଲା ।

Advertisment

ଏହାରି ଭିତରେ ବିଜେଡିର ବରିଷ୍ଠ ନେତା ତଥା ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ (ରାଜା) ଦଳର ସୁପ୍ରିମୋ ନବୀନ ପନାୟକଙ୍କୁ ଲେଖିଥିବା ଚିଠି ଚର୍ଚ୍ଚାରେ ରହିଛି । ଯେଉଁଥିରେ ଜାତି, ଜନଜାତି, ପଛୁଆବର୍ଗ, ସଂଖ୍ୟାଲଘୁ ଓ ମହିଳାଙ୍କୁ ସେମାନଙ୍କ ସଂଖ୍ୟା ଅନୁପାତରେ ବିଜେଡିର ରାଜ୍ୟ, ଜିଲ୍ଲା ଓ ବ୍ଳକ କମିଟିରେ ପ୍ରାଧାନ୍ୟ ଦେବାକୁ ସେ ଦର୍ଶାଇଥିଲେ । ଅର୍ଥାତ ଜାତି ଭିତ୍ତିକ ଜନଗଣନା ଓ ସାମାଜିକ ନ୍ୟାୟ ସମ୍ପର୍କରେ ବିଜେଡି ଯେଉଁ ଦାବୀ ବିଧାନସଭାରେ ଉଠାଇ ଶାସକ ଦଳକୁ ଘେରିଥିଲା ସେହି ପ୍ରକ୍ରିୟା ଦଳୀୟ ଫୋରମରେ ଲାଗୁ କରିବାକୁ ସେ କହିଥିଲେ । ଏହା ସହିତ କିଛି ଲୋକ ଦଳର ସଂଗଠନକୁ ହାଇଜ୍ୟାକ କରିବା କଥା ମଧ୍ୟ ବିଧାୟକ ରାଜା ସ୍ୱାଇଁ ଚିଠିରେ ଉଲ୍ଲେଖ କରିଥିଲେ ।

ସାମ୍ପ୍ରତିକ ସ୍ଥିତିକୁ ଦେଖିଲେ ବିଜେଡିର ଏଭଳି ବିଭାଜନ ପରିସ୍ଥିତିରେ ଯଦି କୌଣସି ନେତା ଅନ୍ୟଦଳ ପ୍ରତି ଆକୃଷ୍ଟ ହୁଅନ୍ତି ଯିଏ କି ଧର୍ମନିରପେକ୍ଷ ଓ ସାମାଜିକ ନ୍ୟାୟ ଚିନ୍ତାଧାର ଉପରେ ବିଶ୍ୱାସ କରନ୍ତି ସେମାନଙ୍କ ପାଇଁ ସପା ଟିମ୍ ଏକ ସୁଯୋଗ ହେବ ବୋଲି ଅନୁମାନ କରାଯାଉଛି । ଯଦିଓ ବର୍ତ୍ତମାନ ସୁଦ୍ଧା ସେଭଳି ପରିସ୍ଥିତି ଦେଖାଦେଇ ନାହିଁ । 

ଜାତୀୟସ୍ତରରେ ବିପକ୍ଷ ଦଳଗୁଡିକ ଜାତିଭିତ୍ତିକ ଜନଗଣନା ତଥା ସାମାଜିକ ନ୍ୟାୟ ପ୍ରସଙ୍ଗରେ ଆନ୍ଦୋଳନ ଚଳାଇଛନ୍ତି । ବିଶେଷ କରି ଜାତୀୟ କଂଗ୍ରେସ ଏହାକୁ ପ୍ରମୁଖ ପ୍ରସଙ୍ଗ ଭାବରେ ଉଥାପିତ କରୁଛି । ବିଭିନ୍ନ ରାଜ୍ୟରେ ଏହି ପ୍ରସଙ୍ଗରେ ରାଜନୈତିକ ବାଦ ବିବାଦ ସାମ୍ନାକୁ ଆସୁଛି । ବିହାର, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ପରେ ନିକଟରେ କର୍ଣ୍ଣାଟକରେ ଜାତି ଜନଗଣନା ସର୍ଭେକ୍ଷଣ ହୋଇଛି । ଯଦିଓ ବିହାର ଜାତି ଜନଗଣନା ରିପୋର୍ଟକୁ କଂଗ୍ରେସ ସ୍ୱୀକାର କରିନାହିଁ । କଂଗ୍ରେସ ଦଳ କ୍ଷମତାକୁ ଆସିଲେ ପୁନଃ ଜନଗଣନା କରିବ ବୋଲି ଚଳିତ ବର୍ଷ ଫେବୃଆରୀରେ ରାହୁଲ ଗାନ୍ଧୀଙ୍କ ବିହାରଗସ୍ତ ବେଳେ ମନ୍ତବ୍ୟ ସାମ୍ନାକୁ ଆସିଛି । ସେପଟେ ଜାତି ଜନଗଣନା ପରେ କର୍ଣ୍ଣାଟକରେ କଂଗ୍ରେସ ସରକାର ପାଇଁ ସୃଷ୍ଟି ଅଡୁଆ ପରିସ୍ଥିତି ସାମ୍ନାକୁ ଆସିଛି । ଦୁଇଟି ପ୍ରଭାବଶାଳୀ ସମ୍ପ୍ରଦାୟ, ଲିଙ୍ଗାୟତ ଏବଂ ଭୋକ୍କାଲିଗା, ରାଜ୍ୟର ସିଦ୍ଧରମୈୟା ସରକାରଙ୍କ ବିରୁଦ୍ଧରେ ଏକ ମୋର୍ଚ୍ଚା ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛନ୍ତି । 

ଇତି ଅବସରରେ ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ଓଡିଶା ଗସ୍ତକୁ ନେଇ ରାଜନୀତି ସରଗରମ ରହିଛି । ଯେତେବେଳେ ନ୍ୟାସନାଲ ହେରାଲ୍ଡ ମାମଲାରେ ·ଚାର୍ଜସିଟ କରିବା ପ୍ରସଙ୍ଗରେ କଂଗ୍ରେସ ଦେଶବ୍ୟାପୀ ପ୍ରତିବାଦ ଜାରି ରଖିଛି ଏବଂ ଦେଶର ବିଭିନ୍ନ ଇଡି ଅଫିସ ଆଗରେ ଦଳର ନେତା, କର୍ମୀ ପ୍ରତିବାଦ କରୁଛନ୍ତି ଆଉ ଓଡିଶାରେ ମଧ୍ୟ ସମାନ ସ୍ଥିତି ଦେଖାଦେଇଛି ଏହି ସମୟରେ କଂଗ୍ରେସନେତା ଶ୍ରୀକାନ୍ତ ଜେନା ସପା ସଭାପତିଙ୍କ ସହିତ ବସି ସାମ୍ବାଦିକ ସମିଳନୀ କରିବା ରାଜନୈତିକ ଚର୍ଚ୍ଚା ସୃଷ୍ଟି କରିଛି । ଓଡିଶାରେ ସାମାଜିକ ନ୍ୟାୟ କ୍ଷେତ୍ରରେ ଦୀର୍ଘ ଦିନ ଧରି ଲଢେଇ କରିଆସୁଥିବା ଶ୍ରୀକାନ୍ତ ଜେନା ରାଜ୍ୟରେ ସପା ନେତୃତ୍ୱ ନେବେ କି? 

ସପା ସଭାପତି ସାମ୍ବାଦିକ ସମ୍ମିଳନୀରେ ଓଡିଶା ଆସିବାର ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ । ସେ କହିଥିଲେ, ମୁଁ ଶ୍ରୀକାନ୍ତ ଜେନାଙ୍କ ଡାକରାରେ ଆସିଛି ଏବଂ ତାଙ୍କ ସହିତ ମୁଁ ରହିଛି । ଓଡିଶାକୁ ନେଇ ଏମିତି କିଛି ପ୍ରସ୍ତାବ ରହିଛି ଜାହାକୁ ଆମେ ନିଶ୍ଚୟ ସ୍ୱୀକାର କରିଥିବୁ ବୋଲି ଆସିଛୁ । ଆମେ ମଧ୍ୟ କିଛି ପ୍ରସ୍ତାବ ରଖିଥିବୁ । ଓଡିଶାରେ ଅନେକ ଦଳ ଅଛନ୍ତି, ସବୁ ମିଳିମିଶି କାମ କରିବୁ । ଶ୍ରୀ ଯାଦବ ଡବଲ ଇଂଜିନ ସରକାରଙ୍କୁ ଖୁବ ସମାଲୋଚନା କରିଥିଲେ ଏବଂ ସିପିଆଇ, ସିପିଏମ୍, ଫରୱାର୍ଡ ବ୍ଲକ, ଏନ୍ସିପି ରାଜ୍ୟ ନେତୃତ୍ୱଙ୍କ ସହିତ ବସି ଆଲୋଚନା କରିଥିଲେ । ତାଙ୍କର ଏହି ଗସ୍ତ ବିରୋଧୀ ସଙ୍ଗଠନ ପାଇଁ ଶକ୍ତି ସଂଚାର କରିବା ସହିତ ଆଗାମୀ ଦିନରେ ରାଜ୍ୟରେ ସାମାଜିକ ନ୍ୟାୟ ଆନ୍ଦୋଳନ ମୁଖ୍ୟ ମୁଦ୍ଦା ଭାବରେ ମୁଣ୍ଡ ଟେକିବ ବୋଲି କୁହାଯାଉଛି । 

BJD Odisha Politics Akhilesh Yadav Samajwadi Party
Advertisment
Advertisment