• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କ୍ରାଇମବ୍ରାଞ୍ଚ କରିବ ଜାଲ୍ ସାର୍ଟିଫିକେଟ୍ ମାମଲାର ତଦନ୍ତ । ଏହାକୁ ନେଇ ପ୍ରତିକ୍ରିୟା ରଖିଛି କଂଗ୍ରେସ । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ଜାଲ ସାର୍ଟିଫିକେଟର ମୁଖ୍ୟ ଅଭିଯୁକ୍ତଙ୍କ ଘରକୁ ଯାଉଥିଲେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ । ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ସହ ମଧ୍ୟ ଅଭିଯୁକ୍ତଙ୍କ ଫଟୋ ଆସିଲା । କେଉଁ ପରିସ୍ଥିତିରେ ଫଟୋ ନିଆଗଲା ତାର ସ୍ପଷ୍ଟୀକରଣ କଂଗ୍ରେସ ଦାବି କରିଥିଲେ ମଧ୍ୟ ମନ୍ତ୍ରୀ କିଛି କହିଲେ ନାହିଁ ବୋଲି ଅଭିଯୋଗ କରିଛନ୍ତି ନରସିଂହ ।

କାହା ବିରୋଧରେ ଅଭିଯୋଗ ଥିଲେ କ୍ରାଇମବ୍ରାଞ୍ଚ ଅନୁସନ୍ଧାନ କରିବା କଥା । ନବ ଦାସ, ମମିତା ମେହେର କେଶରେ ଅନୁସନ୍ଧାନ କଲେ ନାହିଁ । ଅନୁସନ୍ଧାନ ନକଲେ ସନ୍ଦେହ ରହିବ ବୋଲି କହିଛନ୍ତି ନରସିଂହ । ଅନ୍ୟପଟେ ନରସିଂହଙ୍କ ଅଭିଯୋଗ ନେଇ ବିଜେଡି ପକ୍ଷରୁ ପ୍ରତିକ୍ରିୟା ମିଳିପାରିନାହିଁ ।

ଅଧିକ ପଢ଼ନ୍ତୁ: ନକଲି ସାର୍ଟିଫିକେଟ୍‌ ବିକ୍ରି ମାମଲା, କ୍ରାଇମ୍‌ବ୍ରାଞ୍ଚ ତଦନ୍ତ କଲେ କିଛି ବାହାରିବନି କହିଲେ ଜୟ

ସୂଚନାଯୋଗ୍ୟ, ବଲାଙ୍ଗିର ଫେକ୍ ସାର୍ଟିଫିକେଟ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ଏନେଇ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଆଜି ବଲାଙ୍ଗିର ଯିବ କ୍ରାଇମବ୍ରାଞ୍ଚର ଏକ ସ୍ୱତନ୍ତ୍ର ଟିମ୍ । ଆବଶ୍ୟକ ପଡ଼ିଲେ ରାଜ୍ୟ ବାହାରକୁ ଯାଇ ମଧ୍ୟ ଖୋଳତାଡ଼ କରିବ ଟିମ୍ । ତେବେ ରାଜ୍ୟରେ ଏବେ ଏହି ଫେକ୍‌ ସାର୍ଟିଫିକେଟ୍‌ ମାମଲାକୁ ନେଇ ରାଜନୀତି ତେଜିଛି । ସରକାରୀ ଦଳକୁ ବିରୋଧୀ ଘେରିଛନ୍ତି । ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇ ସରକାରୀ ଦଳକୁ ବିରୋଧୀ ଘାଇଲା କରିଛନ୍ତି । 

ଫେକ୍ ସାର୍ଟିଫିକେଟ୍ ରାକେଟର ମାଷ୍ଟରମାଇଣ୍ଡ ମନୋଜ ମିଶ୍ରଙ୍କ ସହ ପୂର୍ବତନ ମନ୍ତ୍ରୀ ଓ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହାରାଙ୍କ ଫଟୋ ଥିବା କହି ପୂର୍ବରୁ ମଧ୍ୟ ସରକାରଙ୍କୁ ନିଶାନା କରିଥିଲେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର । ଠିକ୍ ସେଇ ସମୟରେ ବିଜେଡି ବିଧାୟକ ଅରୁଣ ସାହୁ, ମନୋଜ ମିଶ୍ରଙ୍କ ସହ ନରସିଂହଙ୍କ ଫଟୋ ଦେଖାଇ କାଉଣ୍ଟର କରିଥିଲେ । ଆଉ ନରସିଂହ ମଧ୍ୟ କହିଥିଲେ ଯଦି ମୋର ଫଟୋ ଅଛି ତେବେ ମୁଁ ତଦନ୍ତକୁ ସାମ୍ନା କରିବାକୁ ପ୍ରସ୍ତୁତ ଅଛି । କିନ୍ତୁ ମୁଖ୍ୟମନ୍ତ୍ରୀ, ଗୃହ ରାଷ୍ଟ୍ର ମନ୍ତ୍ରୀ ଓ ପୂର୍ବତନ ମନ୍ତ୍ରୀ ମଧ୍ୟ ତଦନ୍ତ ପରିସରକୁ ଆସନ୍ତୁ ବୋଲି ଦାବି କରିଥିଲେ ନରସିଂହ । ଆଉ ଏଇ ପ୍ରସଙ୍ଗକୁ ନେଇ ଗୃହ ଭିତରେ ପ୍ରବଳ ହୋହଲ୍ଲା ଓ ପାଟିତୁଣ୍ଡ ପାଇଁ ଗୃହକୁ ୪ଟା ପର୍ଯ୍ୟନ୍ତ ମୁଲତବି ରଖିଥିଲେ ବାଚସ୍ପତି ।