/odishatv-khabar/media/post_attachments/uploadimage/library/16_9/16_9_0/IMAGE_1680318031.jpg)
Fake Certificate
ବଲାଙ୍ଗିର ଫେକ୍ ସାର୍ଟିଫିକେଟ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚକୁ ତଦନ୍ତ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର । ଆଜି ବଲାଙ୍ଗିର ଯିବ କ୍ରାଇମବ୍ରାଞ୍ଚର ଏକ ସ୍ୱତନ୍ତ୍ର ଟିମ୍ । ଆବଶ୍ୟକ ପଡ଼ିଲେ ରାଜ୍ୟ ବାହାରକୁ ଯାଇ ମଧ୍ୟ ଖୋଳତାଡ଼ କରିବ ।
ତେବେ ରାଜ୍ୟରେ ଏବେ ଏହି ଫେକ୍ ସାର୍ଟିଫିକେଟ୍ ମାମଲାକୁ ନେଇ ରାଜନୀତି ତେଜିଛି । ସରକାରୀ ଦଳକୁ ବିରୋଧୀ ଘେରିଛନ୍ତି । ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇ ସରକାରୀ ଦଳକୁ ବିରୋଧୀ ଘାଇଲା କରିଛନ୍ତି ।
ଫେକ୍ ସାର୍ଟିଫିକେଟ୍ ରାକେଟର ମାଷ୍ଟରମାଇଣ୍ଡ ମନୋଜ ମିଶ୍ରଙ୍କ ସହ ପୂର୍ବତନ ମନ୍ତ୍ରୀ ଓ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହାରାଙ୍କ ଫଟୋ ଥିବା କହି ସରକାରଙ୍କୁ ନିଶାନା କରିଥିଲେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର । ଠିକ୍ ସେଇ ସମୟରେ ବିଜେଡି ବିଧାୟକ ଅରୁଣ ସାହୁ, ମନୋଜ ମିଶ୍ରଙ୍କ ସହ ନରସିଂହଙ୍କ ଫଟୋ ଦେଖାଇ କାଉଣ୍ଟର କରିଥିଲେ । ଆଉ ନରସିଂହ ମଧ୍ୟ କହିଥିଲେ ଯଦି ମୋର ଫଟୋ ଅଛି ତେବେ ମୁଁ ତଦନ୍ତକୁ ସାମ୍ନା କରିବାକୁ ପ୍ରସ୍ତୁତ ଅଛି । କିନ୍ତୁ ମୁଖ୍ୟମନ୍ତ୍ରୀ, ଗୃହ ରାଷ୍ଟ୍ର ମନ୍ତ୍ରୀ ଓ ପୂର୍ବତନ ମନ୍ତ୍ରୀ ମଧ୍ୟ ତଦନ୍ତ ପରିସରକୁ ଆସନ୍ତୁ ବୋଲି ଦାବି କରିଥିଲେ ନରସିଂହ । ଆଉ ଏଇ ପ୍ରସଙ୍ଗକୁ ନେଇ ଗୃହ ଭିତରେ ପ୍ରବଳ ହୋହଲ୍ଲା ଓ ପାଟିତୁଣ୍ଡ ପାଇଁ ଗୃହକୁ ୪ଟା ପର୍ଯ୍ୟନ୍ତ ମୁଲତବି ରଖିଥିଲେ ବାଚସ୍ପତି।
ସେପଟେ ବଲାଙ୍ଗିର, ଫୁଲବାଣୀ, କେନ୍ଦ୍ରାପଡ଼ା ଓ କଳାହାଣ୍ଡି ପରେ କୋରାପୁଟ ରେ ବି ସାମ୍ନାକୁ ଆସିଛି ଜାଲ ମାଟ୍ରିକ ସାର୍ଟିଫିକେଟ୍ କେଳେଙ୍କାରୀ। ତାହା ବି ସେଇ ପୋଷ୍ଟାଲ ନିଯୁକ୍ତିକୁ ନେଇ। କୋରାପୁଟ ପୋଷ୍ଟାଲ ଡିଭିଜନ ପକ୍ଷରୁ ୩୨ ଟି ପଦବୀ ପାଇଁ ନିଯୁକ୍ତି ଲାଗି ସାର୍ଟିଫିକେଟ୍ ଯାଞ୍ଚ ବେଳେ ମୋଟ୍ ୨୨ ଜଣ ଜାଲ ସାର୍ଟିଫିକେଟ୍ ପ୍ରମାଣପତ୍ର ଦେଇଥିବା ନଜରକୁ ଆସିବାରୁ ଏନେଇ ଥାନାରେ ଏତଲା ଦିଆଯାଇଛି । ଜାଲ୍ ସାର୍ଟିଫିକେଟର ଚେର ଜିଲ୍ଲାକୁ ଜିଲ୍ଲା ଲମ୍ବିଚାଲିଛି । ଏପଟେ ବଣିକ କୋଚିଂ ସେଣ୍ଟର ନାଁରେ ନୂଆ ନୂଆ ଅଭିଯୋଗ ଆସୁଛି। ଆଉ ଏ ଦୁଇଟିରେ ବିଜେଡି ଲିଙ୍କର ଅଭିଯୋଗ ଶାସକ ଦଳକୁ ହରଡ ଘଣାରେ ପକାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)