• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଝାରସୁଗୁଡା ଉପନିର୍ବାଚନ ପାଇଁ ବିଜେଡି ଘୋଷଣା କଲା ପ୍ରାର୍ଥୀ । ବିଜେଡିରୁ ଦିବଙ୍ଗତ ନେତା ନବ ଦାସଙ୍କ ଝିଅ ଦୀପାଳି ପ୍ରାର୍ଥୀ ହୋଇଛନ୍ତି । ପୂର୍ବରୁ ଦୀପାଳିଙ୍କ ନାଁକୁ ନେଇ ଚର୍ଚ୍ଚା ଲାଗିରହିଥିଲା । ହେଲେ ଅନ୍ୟ ଉପନିର୍ବାଚନ ଭଳି ବିଜେଡି ଏଥର ପ୍ରାର୍ଥୀ ବାବଦରେ ବିଳମ୍ବ ନକରି ଶୀଘ୍ର ଘୋଷଣା କରିଛି । ତେବେ ବିଜେପି ସଂପାଦକ ଟଙ୍କଧର ତ୍ରିପାଠୀ ରେସରେ ଆଗରେ ଥିବାବେଳେ କଂଗ୍ରେସ ଗ୍ରାଉଣ୍ଡର ଫିଡ୍ ବ୍ୟାକ୍ ନେବା ପରେ ପ୍ରାର୍ଥୀ ଘୋଷଣା କରିବ ବୋଲି କୁହାଯାଉଛି ।

ଝାରସୁଗୁଡା ଉପନିର୍ବାଚନ ପାଇଁ ଦୀପାଳୀଙ୍କ ଉପରେ ଭରସା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ପରେ ଖାଲି ପଡ଼ିଥିବା ଆସନ ପାଇଁ ଆସନ୍ତା ମେ’ ୧୦ ତାରିଖରେ ହେବ ଭୋଟଗ୍ରହଣ । ଏହାକୁ ଦୃଷ୍ଟିରେ ରଖି ବିଜେଡି ଏଥର ବହୁ ଆଗରୁ ପ୍ରାର୍ଥୀ ଘୋଷଣା କରିଛି । ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତ ଥିବାରୁ ଓ ବିଜେଡି ପ୍ରାର୍ଥୀଙ୍କୁ ନେଇ କୌଣସି ଦ୍ୱନ୍ଦ୍ୱ ନଥିବାରୁ ଦୀପାଳିଙ୍କ ନାଁରେ ମୋହର ମାରିଛି ଦଳ । ଦୀପାଳି ବି ପୂର୍ବରୁ ହିଁ ଆରମ୍ଭ କରିଦେଇଥିଲେ ପ୍ରଚାର। ସେ ମଧ୍ୟ ବ୍ରଜରାଜନଗର ଉପନିର୍ବାଚନ ଓ ପଦ୍ମପୁର ଉପ ନିର୍ବାଚନ ପ୍ରଚାରରେ ସକ୍ରିୟ ଥିଲେ । ତେଣୁ ପୂର୍ବରୁ ନିର୍ବାଚନ ସିଧାସଳଖ ଲଢିନଥିଲେ ବି ସଙ୍ଗଠନରେ ଥିଲେ । ଏଭଳି ସ୍ଥିତିରେ ମହିଳା ସହ ଅନୁକମ୍ପା କାର୍ଡ ଖେଳିଛି ବିଜେଡି ।

ଅଧିକ ପଢ଼ନ୍ତୁ: କେତେ ଫଳପ୍ରଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଦେଶ ଗସ୍ତ ?

ଅନ୍ୟପଟେ ବିଜେପି ରାଜ୍ୟ ସଂପାଦକ ଟଙ୍କଧର ତ୍ରିପାଠୀ ରେସ୍‌ରେ ଆଗରେ ଥିବାବେଳେ କଂଗ୍ରେସ ଗ୍ରାଉଣ୍ଡର ଫିଡ୍ ବ୍ୟାକ୍ ନେବା ପରେ ପ୍ରାର୍ଥୀ ଘୋଷଣା କରିବ । ତେବେ କଂଗ୍ରେସରୁ ପୂର୍ବତନ ବିଧାୟକ ବିରେନ୍ ପାଣ୍ଡେଙ୍କ ପୁଅ ତରୁଣ ପାଣ୍ଡେ, ଜିଲ୍ଲା ସଭାପତି ଅଶୋକ ମିଶ୍ର, ଗତଥର ପ୍ରାର୍ଥୀ ହୋଇଥିବା ମହେନ୍ଦ୍ର ନାୟକଙ୍କ ନାଁକୁ ନେଇ ବି ଚର୍ଚ୍ଚା ଲାଗି ରହିଛି।

କିରିମିରା, ଲଇକେରା, କୁଲାବିରା, ଝାରସୁଗୁଡା ବ୍ଲକ ଓ ଝାରସୁଗୁଡା ପୌର ପରିଷଦର ୨୪ ୱାର୍ଡକୁ ନେଇ ଝାରସୁଗୁଡା ନିର୍ବାଚନ ମଣ୍ଡଳୀ । ଗତ ପଂଚାୟତ ନିର୍ବାଚନରେ ୫ଟି ଜିଲ୍ଲା ପରିଷଦ ଓ ପୌର ନିର୍ବାଚନରେ ଝାରସୁଗୁଡା ପୌର ପରିଷଦ ଦଖଲ କରିଥିଲା ବିଜେଡି । ଆଉ ନବ ଦାସ ୨୦୦୯, ୨୦୧୪, ୨୦୧୯ ନିର୍ବାଚନରେ ବାଜି ମାରିଥିଲେ। ତେବେ ଉପନିର୍ବାଚନ ପାଇଁ ବିଜେଡି ସ୍ୱତନ୍ତ୍ର ଷ୍ଟ୍ରାଟେଜୀ କରିଥିବାବେଳେ ନବଙ୍କ ଦେହାନ୍ତ ପରେ ଝାରସୁଗୁଡାରେ ଉପ ନିର୍ବାଚନରେ ଲଢେଇ ଜୋରଦାର ହେବ। କାରଣ ନବ ହତ୍ୟାକାଣ୍ଡକୁ ନେଇ ବିରୋଧୀ-ଶାସକ ମୁହାଁମୁହିଁ ସ୍ଥିତିରେ ଅଛନ୍ତି । ବିଜେପି ତ ପୂରା ଆଗ୍ରେସିଭ୍ ମୁଡରେ ରହିଛି। କଂଗ୍ରେସ ବି ନିଜର ସିଟ୍ ହୋଇଥିବାରୁ ଆଉ ଥରେ ଗଡ଼ ବଞ୍ଚାଇବାକୁ ଯୋଜନା କରିଛି।

ମେ ୧୦ରେ ଭୋଟ ଓ ୧୩ ତାରିଖରେ ହେବ ଗଣତି। ଏହି ନିର୍ବାଚନମଣ୍ଡଳୀରେ ରହିଛି ୨୫୩ଟି ବୁଥ୍। ପ୍ରାୟ ୨ଲକ୍ଷ ୨୧ ହଜାର ଭୋଟର ସେମାନଙ୍କ ମତଦାନ କରିବେ। ସାଧାରଣ ନିର୍ବାଚନ ପୂର୍ବରୁ ଝାରସୁଗୁଡ଼ା ଉପନିର୍ବାଚନ ସେମିଫାଇନାଲ୍ ହେବ। ଯାହା ରାଜ୍ୟ ରାଜନୀତିକୁ ଦେବ ଅନେକ ସଙ୍କେତ ।