• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ମେ ୧୦ ଝାରସୁଗୁଡ଼ା ଉପନିର୍ବାଚନ ଭୋଟ୍ ପାଇଁ ଆଜିଠୁ ଆରମ୍ଭ ହୋଇଛି ନାମାଙ୍କନ ପର୍ବ । ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ତିନି ପ୍ରମୁଖ ଦଳ ଭିତରୁ ଆଜି କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସେପଟେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଆଜି ନବୀନ ନିବାସ ଯାଇ ଟିକେଟ୍ ସଂଗ୍ରହ କରିଥିବା ବେଳେ ସେ ୧୮ ତାରିଖରେ ଏବଂ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଆସନ୍ତା ୧୭ ତାରିଖରେ ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ସୂଚନା ମିଳିଛି ।

କଂଗ୍ରେସ ପ୍ରାର୍ଥୀଙ୍କ ନାମାଙ୍କନ, ବିଜେଡି ପ୍ରାର୍ଥୀଙ୍କ ଟିକେଟ ସଂଗ୍ରହ ଆଉ ବିଜେପିର ନିର୍ବାଚନମଣ୍ଡଳୀରେ ପ୍ରେସମିଟ୍ । ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଆଜିଠୁ ସରଗରମ୍ ହୋଇଛି ନିର୍ବାଚନୀ ମାହୋଲ । ନିର୍ବାଚନରେ ପ୍ରତିଦ୍ୱନ୍ଦିତା ପାଇଁ ପୂର୍ବରୁ ପ୍ରାର୍ଥୀ ଘୋଷଣା କରିସାରିଥିବା ୩ ପ୍ରମୁଖ ଦଳ ଭିତରୁ ଆଜି ପ୍ରଥମେ ନାମାଙ୍କନପତ୍ର ଦାଖଲ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ । ନାମାଙ୍କନ ଅବସରରେ କଂଗ୍ରେସ ଆଜି ସଦଳବଳେ ଏକାଠି ହୋଇ ଶକ୍ତି ପ୍ରଦର୍ଶନ ବି କରିଛି ।

ଅଧିକ ପଢ଼ନ୍ତୁ: ଝାରସୁଗୁଡ଼ା ଲଢ଼େଇରେ ପାର୍ଟି ନୁହେଁ ମାଟି ଚର୍ଚ୍ଚା

ଦଳୀୟ ପ୍ରାର୍ଥୀଙ୍କ ନାମାଙ୍କନ ପର୍ବରେ ସାମିଲ ହେବାକୁ ଦଳର ସଭାପତି ଶରତ ପଟ୍ଟନାୟକ, ବିଧାୟକ ତାରା ବାହିନୀପତି, ସୁର ରାଉତରାୟ, ବିଜୟ ପଟ୍ଟନାୟକଙ୍କ ସହ ଜିଲ୍ଲା ଓ ଜିଲ୍ଲା ବାହାରର ବହୁ ତୁଙ୍ଗ ନେତା ଝାରସୁଗୁଡ଼ା ଆସିଥିଲେ । ସ୍ଥାନୀୟ ମନମୋହନ ସ୍କୁଲ ପଡ଼ିଆରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ଉପଜିଲ୍ଲାପାଳଙ୍କ ଅଫିସ ଯାଏଁ ଯାଇଥିଲା । ସେଠାରେ ଦଳୀୟ ନେତାଙ୍କ ଗହଣରେ ନାମାଙ୍କନ ଦାଖଲ କରିଥିଲେ ତରୁଣ । ଏଇ ଅବସରରେ ୨୩ ବର୍ଷର ବିଜେଡି ଶାସନରେ ଝାରସୁଗଡ଼ା ଆଦୌ ବିକାଶ ଦେଖିନି କହି ବର୍ଷିଥିଲେ କଂଗ୍ରେସ ନେତା ।

ଏପଟେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଆଜି ଦଳୀୟ ଟିକେଟ୍ ସଂଗ୍ରହ କରିଛନ୍ତି । ଦୀପାଳି ଆଜି ନବୀନ ନିବାସ ଯାଇ ଦଳର ସଭାପତିଙ୍କୁ ସାକ୍ଷାତ କରିବା ସହ ଟିକେଟ ପାଇବା ପରେ ନବୀନଙ୍କୁ ଗଡ଼ ବଜାୟ ରଖିବାର ପ୍ରତିଶ୍ରୁତି ଦେଇଛନ୍ତି । ସେପଟେ ବିଜେପି ଆଜି ଝାରସୁଗୁଡ଼ାରେ ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେଡି ସରକାରକୁ ଟାର୍ଗେଟ୍ କରିଛି । ଝାରସୁଗୁଡ଼ାର ଆଇନଶୃଙ୍ଖଳା ପରିସ୍ଥିତିକୁ ମୁଖ୍ୟ ପ୍ରସଙ୍ଗ କରି ଏଠି ନିର୍ବାଚନକୁ ଓହ୍ଲାଇବ ବୋଲି ଘୋଷଣା କରିଛି ବିଜେପି ।

ତା ସହ ସ୍ଥାନୀୟ ନିଯୁକ୍ତି, ବିସ୍ଥାପିତ ସମସ୍ୟା, ଜଳସେଚନ ଅଭାବ ଆଦି ପ୍ରସଙ୍ଗ ସହ ଝାରସୁଗୁଡ଼ାର ବିକାଶ ପ୍ରସଙ୍ଗରେ ସରକାରଙ୍କୁ କଡ଼ା ସମାଲୋଚନା କରିଛି । ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବିଜେପି ପାର୍ଥୀ ଟଙ୍କଧର ତ୍ରିପାଠୀ ଆସନ୍ତା ୧୭ ତାରିଖ ଏବଂ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ୧୮ ତାରିଖରେ ପ୍ରାର୍ଥିପତ୍ର ଦାଖଲ କରିବେ ବୋଲି ସୂଚନା ରହିଛି ।

ଝାରସୁଗୁଡ଼ାରୁ ଭାଗିରଥୀ ସାହୁଙ୍କ ରିପୋର୍ଟ, ଓଟିଭି

  • Reported by:
  • JAGDISH DAS