/odishatv-khabar/media/post_attachments/uploadimage/library/16_9/16_9_0/IMAGE_1732370832.jpg)
ଝାଡ଼ଖଣ୍ଡରେ ପୁଣି ଜେଏମଏମ୍ ସରକାର
ଝାଡ଼ଖଣ୍ଡରେ ପୁଣି ଜେଏମଏମ୍ ସରକାର । ମହାମେଣ୍ଟର ମହାବିଜୟ । ୮୧ ବିଧାନସଭା ଆସନରୁ ଜେଏମଏମ୍ ନେତୃତ୍ବାଧୀନ ଗଠବନ୍ଧନ ଜିତିଛି ୫୬ ସିଟ୍ । ଏନଡିଏ ଖାତାରେ ପଡିଛି ୨୪ ଆସନ । ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀ ହୋଇ ପାରନ୍ତି ହେମନ୍ତ ସୋରେନ । ତାଙ୍କ ପତ୍ନୀ ତଥା ଓଡ଼ିଆ ଝିଅ କଳ୍ପନା ସୋରେନ୍ ବି ଗାଣ୍ଡେରୁ ଜିତିଛନ୍ତି। ବିଜୟର ଶ୍ରେୟ ପତ୍ନୀ କଳ୍ପନା ଓ ଟିମକୁ ଦେଇଛନ୍ତି ହେମନ୍ତ । ସେପଟେ ଜନମତକୁ ସ୍ୱୀକାର କରିଛି ବିଜେପି ।
ଝାଡ଼ଖଣ୍ଡରେ ପୁଣି ସୋରେନ୍ ସରକାର। ବାଜି ଜିତିଲା ମହାମେଣ୍ଟ। ଜେଏମଏମ୍ ନେତୃତ୍ୱାଧୀନ ଗଠବନ୍ଧନକୁ ବିପୁଳ ବହୁମତ। ପୁଣି ଥରେ ଝାଡ଼ଖଣ୍ଡ ଭୋଟରଙ୍କ ଦିଲ୍ ଜିତିଲେ ହେମନ୍ତ ସୋରେନ୍। ଏକ୍ ହି ନାରା, ହେମନ୍ତ ଦୋବାରା, ଏହି ସ୍ଲୋଗାନ ଆଗରେ କାମ ଦେଲାନି ବିଜେପିର ରୋଟି, ବେଟି ଓ ମିଟ୍ଟି ନାରା । ଲଗାତାର ଦ୍ୱିତୀୟ ଥର ଝାଡ଼ଖଣ୍ଡ କ୍ଷମତା ଗାଦି ଦଖଲ କରିଛି ଜେଏମଏମ୍-କଂଗ୍ରେସ ମହାମେଣ୍ଟ । ବିଜୟ ପରେ ଜୋରଦାର ସେଲିବ୍ରେସନ୍ ହୋଇଛି । ବାଜା ବଜାଇ, ବାଣ ଫୁଟାଇ, ପରସ୍ପରକୁ ମିଠା ଖୁଆଇ ବିଜୟ ଉତ୍ସବ ମନାଇଛନ୍ତି ଦଳୀୟ ନେତା ଓ କର୍ମୀ ।
ଅଧିକ ପଢ଼ନ୍ତୁ: ମହାରାଷ୍ଟ୍ରରେ ପରାଜୟ ପରେ ରାହୁଲଙ୍କୁ ଟ୍ରୋଲ୍ କଲେ ଗୁଜରାଟର ମନ୍ତ୍ରୀ, କହିଲେ...
ଇଭିଏମ୍ ପେଡ଼ି ଖୋଲିବା ପରଠୁ ବିଭିନ୍ନ ବିଧାନସଭା ସିଟରେ ଆଗରେ ରହିଥିଲେ ମହାମେଣ୍ଟ ପ୍ରାର୍ଥୀ । ରେଜଲ୍ଟ ଆସିବା ସହ ରାଞ୍ଚି ସମେତ ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଯାଇଥିଲା ସେଲିବ୍ରେସନ୍ । ବରହେଟରୁ ହେମନ୍ତ ସୋରେନ, ଗାଣ୍ଡେରୁ ପତ୍ନୀ କଳ୍ପନା ସୋରେନ୍ ଜିତିଛନ୍ତି। ସଢ଼େଇକଳାରୁ ପୁଣି ଥରେ ବିଧାୟକ ହୋଇଛନ୍ତି ଜେଏମଏମ୍ ଛାଡି ବିଜେପି କ୍ୟାମ୍ପ ଆସିଥିବା ଭେଟେରାନ୍ ଚମ୍ପାଇ ସୋରେନ୍ । ଓଡ଼ିଶା ରାଜ୍ୟପାଳ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କ ବୋହୂ ପୂର୍ଣ୍ଣିମା ସାହୁ ଜାମସେଦରପୁର ଇଷ୍ଟରୁ କଂଗ୍ରେସ ନେତା ଅଜୟ କୁମାରଙ୍କୁ ମାତ ଦେଇଛନ୍ତି । ହେମନ୍ତ ସୋରେନ୍ ବିଜୟର ଶ୍ରେୟ ପତ୍ନୀ କଳ୍ପନା ସୋରେନ ଓ ଟିମକୁ ଦେଇଛନ୍ତି ।କଳ୍ପନା କହିଛନ୍ତି, ଜନତା ବିକାଶର ରାସ୍ତାକୁ ବାଛିଛନ୍ତି । ଝାଡ଼ଖଣ୍ଡରେ ଜନତାଙ୍କ ସରକାର ହେବ।
ଚଳିତ ନିର୍ବାଚନରେ ଝାଡ଼ଖଣ୍ଡ ଦେଖିଥିଲା ବିଗ୍ ଫାଇଟ୍। କ୍ଷମତା ବଜାୟ ରଖିବାକୁ ପୂରା ଦମ୍ ଖଟାଇଥିଲେ ହେମନ୍ତ। ସେପଟେ ମହାମେଣ୍ଟ ହାତକୁ ଶାସନ ଡୋରି ଛଡ଼ାଇ ଆଣିବାକୁ ବିଜେପି ବଡ଼ ବ୍ଲୁ ପ୍ରିଣ୍ଟ କରିଥିଲା । ବିଜେପିର ରୋଟି, ବେଟି ଓ ମାଟି ମୁଦ୍ଦା ଝାଡ଼ଖଣ୍ଡ ଦଖଲ ଅଭିଯାନକୁ ଫାଇଦା ଦେଲାନି । ହେମନ୍ତଙ୍କ ବିଜୟରେ ବଡ଼ ଶ୍ରେୟ ମହିଳା ଭୋଟରଙ୍କୁ ଯାଇଥିବା କୁହାଯାଉଛି । ସ୍କୁଲ ଛାତ୍ରୀଙ୍କୁ ସାଇକେଲ୍, ଗୋଟିଏ ସନ୍ତାନର ଜନନୀଙ୍କୁ ଆର୍ଥିକ ସହାୟତା, ବେରୋଜଗାର ମହିଳାକୁ ମାସିକ ଭତ୍ତା ଦେବାକୁ ଘୋଷଣା କରିଥିଲା ଜେଏମଏମ୍ । ତେବେ ମ୍ୟାଜିକ୍ ଭଳି କାମ କଲା ମୈୟା ସମ୍ମାନ ଯୋଜନା । ଯେଉଁଥିରେ ମହିଳାଙ୍କୁ ମାସିକ ୨୫ଶହ ଟଙ୍କା ଦେବାକୁ ଗ୍ୟାରେଣ୍ଟି ଦେଇଥିଲେ ହେମନ୍ତ । ଏହି ସ୍କିମ ଝାଡ଼ଖଣ୍ଡର ଆଦିବାସୀ ବହୁଳ ଭୋଟରଙ୍କୁ ଛୁଇଁଥିବା କୁହାଯାଉଛି। ସେପଟେ ଜନମତକୁ ସ୍ୱାଗତ କରୁଛୁ ବୋଲି କହିଛନ୍ତି ଚମ୍ପାଇ ସୋରେନ୍ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)