• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଧାମନଗର ଭୋଟ୍ ପୂର୍ବରୁ ରାଜଧାନୀ ରେ ହାଇ ପଲିଟିକାଲ୍ ଡ୍ରାମା । ଗୋଟିଏ ପଟେ ବିଜେପି ର ବିକ୍ଷୋଭ ଓ ଶକ୍ତି ପ୍ରଦର୍ଶନ, ଅନ୍ୟପଟେ ବିଜେଡି ର କେନ୍ଦ୍ର ସରକାର ବିରୋଧରେ ଆନ୍ଦୋଳନ । ଅର୍ଚ୍ଚନା ନାଗଧର୍ମେନ୍ଦ୍ର ସାହୁ ମାମଲାରେ ବଡବଡିଆଙ୍କୁ ଘଣ୍ଟ ଘୋଡା ଯାଉଥିବା ଅଭିଯୋଗ କରି ରାଜଧାନୀରେ ଜୋରଦାର୍ ବିକ୍ଷୋଭ କରିଛି ବିଜେପି । ନବୀନ ନିବାସ ଘେରାଉ ପାଇଁ ଉଦ୍ୟମ ବେଳେ ପୋଲିସ୍ ସହ ଦଳୀୟ କର୍ମୀଙ୍କର ଧସ୍ତାଧସ୍ତି ହୋଇଥିଲା । ସେପଟେ ଏହାକୁ କାଉଣ୍ଟର କରିବା ପାଇଁ ବିଜେଡି ଆଜି ଭୁବନେଶ୍ୱର ସମେତ ୧୮ଟି ଜିଲ୍ଲାର ସଦର ମହକୁମାରେ କେନ୍ଦ୍ର ସରକାରଙ୍କ ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଥିଲା ।

ଅଧିକ ପଢ଼ନ୍ତୁ: ଅର୍ଚ୍ଚନା ନାଗ କେଳେଙ୍କାରୀ ନେଇ କାର୍ଟୁନ ପୋଷ୍ଟର

ଭୁବନେଶ୍ୱର ଶିଶୁ ଭବନ ଛକରେ ଘଣ୍ଟାଏରୁ ଅଧିକ ସମୟ ଧରି ପୋଲିସ୍-ବିଜେପି କର୍ମୀ ମଧ୍ୟରେ ଛକାପଞ୍ଝା । ଠେଲାପେଲା ଓ ଧସ୍ତାଧସ୍ତି ।  ବିକ୍ଷୋଭକାରୀଙ୍କୁ ଅଟକାଇବାକୁ ନାକେଦମ୍ ପୋଲିସ୍ । ଶେଷରେ ଗିରଫ ହେଲେ ବିଜେପ ନେତା ଓ କର୍ମୀ । ଆଜି ରାଜଧାନୀରେ ଏଭଳି ଢଙ୍ଗରେ ପ୍ରତିବାଦ କରିବା ସହିତ ଶକ୍ତି ପ୍ରଦର୍ଶନ କରିଛି ବିଜେପି । 

ଦିନ ପ୍ରାୟ ୧୨ଟା ବେଳେ ଦଳୀୟ ଅଫିସ୍‌ରୁ ବିଶାଳ ଶୋଭାଯାତ୍ରାରେ ବାହାରିଥିଲେ ବିଜେପି ନେତା ଓ କର୍ମୀ । ବାଜୁଥିଲା ଢୋଲ, ଘଣ୍ଟ ସାଙ୍ଗକୁ ଝାଞ୍ଜ ।  ବହୁ ଚର୍ଚ୍ଚିତ ବ୍ଲାକମେଲର୍ ଅର୍ଚ୍ଚନା ନାଗ ସହ ବିଜେଡି ନେତାଙ୍କ ସଂପୃକ୍ତି ଅଭିଯୋଗ ନେଇ ଦଳ ପକ୍ଷରୁ ଆୟୋଜନ କରାଯାଇଥିଲା ପଥପ୍ରାନ୍ତ ନାଟକ । ଅର୍ଚ୍ଚନାଙ୍କ ସହ ବିଜେଡି ନେତା-ମନ୍ତ୍ରୀଙ୍କ ଫଟୋ ଲଗାଇ କଟାକ୍ଷ କରି ପ୍ରଦର୍ଶିତ ହୋଇଥିଲା ପୋଷ୍ଟର ।

ସେହିଭଳି ବିଭିନ୍ନ ନେତାଙ୍କ ମୁଖା ପିନ୍ଧି, ନାଚି ନାଚି ପ୍ରତିବାଦ କରିଥିଲେ ବିଜେପି କର୍ମୀ । ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ମାମଲାରେ ମନ୍ତ୍ରୀ ସମୀର ଦାସଙ୍କ ସଂପୃକ୍ତି ଅଭିଯୋଗ ଓ ଅର୍ଚ୍ଚନା ନାଗ ମାମଲାରେ ରାଜନେତା ଓ ବଡବଡିଆଙ୍କୁ ସରକାର ଘଣ୍ଟ ଘୋଡ଼ାଉଥିବା ଅଭିଯୋଗ କରି ଗର୍ଜନ କରିଥିଲା ବିଜେପି । ପୋଲିସର ବିଫଳତାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରାଯାଇଥିଲା ।

ମୁଖ୍ୟମନ୍ତ୍ରୀଙ୍କ ମୌନବ୍ରତ ଭାଙ୍ଗିବା ପାଇଁ ନବୀନ ନିବାସ ଘେରାଉ କରିବାକୁ ଉଦ୍ୟମ କରଥିଲା ଦଳ । ତେବେ ଶିଶୁଭବନ ଛକଠାରେ ପୋଲିସ ସେମାନଙ୍କୁ  ଅଟକାଇବା ସହ ଶତାଧିକ କର୍ମୀଙ୍କୁ ଗିରଫ କରିଥିଲା । ଏହି ସମୟରେ କେତେକ କର୍ମୀ ମନ୍ତ୍ରୀ ସମୀର ଦାସ ଓ ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଘର ଆଡକୁ ଯିବା ପାଇଁ ଉଦ୍ୟମ କରିଥିଲେ । ହେଲେ ପୋଲିସ ଚାରିପଟୁ ଘେରି ଯାଇ ସମସ୍ତଙ୍କୁ ଗିରଫ କରିଥିଲା । ତେବେ ବିଜେପିର ଏହି ଆନ୍ଦୋଳନକୁ ପ୍ରହସନ ବୋଲି କହିଛି ବିଜେଡି ।

ସେପଟେ ବିଜେପିର ଆନ୍ଦୋଳନକୁ କାଉଣ୍ଟର କରିବା ପାଇଁ କେନ୍ଦ୍ର ସରକାରଙ୍କ ବିରୋଧରେ ଆଜି ରାଜରାସ୍ତାକୁ ଓହ୍ଲାଇଥିଲା ବିଜେଡି । କୃଷି ବୀମା ଟଙ୍କା ଚାଷୀଙ୍କୁ ମିଳୁନଥିବା ଅଭିଯୋଗ କରି ଭୁବନେଶ୍ୱର ସମେତ ୧୮ଟି ଜିଲ୍ଲାର ସଦର ମହକୁମାରେ କରିଛି ଆନ୍ଦୋଳନ । ବିଜେଡିର ଅଭିଯୋଗ କୃଷି ବୀମା ଟଙ୍କା ପାଇବାରେ କେନ୍ଦ୍ର ସରକାର ସହଯୋଗ କରୁନାହାନ୍ତି । ଚାଷୀଙ୍କୁ ସଠିକ୍ ସମୟରେ ଫସଲ ବୀମା ରାଶି ମିଳୁନାହିଁ । ଏନେଇ ରାଜଭବନ ଆଗରେ ଧାରଣା ଦେବା ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରିଛି ବିଜେଡି । ଜବାବରେ ବିଜେପି କହିଛି ବିଜେଡି ସରକାର ବୀମା ନେଇ ସଂଶୋଧିତ ନିୟମ ଭାଙ୍ଗିଛି ।  ଯେଉଁଥି ପାଇଁ ରାଜ୍ୟର ଚାଷୀ ବୀମା ଅର୍ଥ ପାଇବାରେ ବିଳମ୍ବ ହେଉଛନ୍ତି ।

ବିଜେପିର ଆନ୍ଦୋଳନ ହେଉ ଅବା ବିଜେଡିର ଧାରଣା, ଆଜି ଦିନ ତମାମ ରାଜଧାନୀରେ ଦେଖିବାକୁ ମିଳିଥିଲା ପଲିଟିକାଲ୍ ହାଇଡ୍ରାମା । ଦୁଇ ଦିନ ପରେ ଧାମନଗର ଭୋଟ୍ ଥିବାରୁ ଉଭୟ ଦଳ ନିଜ ନିଜ ଢଙ୍ଗରେ ଶକ୍ତି ପ୍ରଦର୍ଶନ କରି ନିର୍ବାଚନରେ ପ୍ରଭାବ ପକାଇବାକୁ ଉଦ୍ୟମ କରିଥିବା ଚର୍ଚ୍ଚା ହେଉଛି ।