Advertisment

ଅର୍ଚ୍ଚନା ନାଗ କେଳେଙ୍କାରୀ ନେଇ କାର୍ଟୁନ ପୋଷ୍ଟର

ଅର୍ଚ୍ଚନା ନାଗ କେଳେଙ୍କାରୀ ମାମଲାରେ ଶାସକ ଦଳର ମାଳ ମାଳ ମନ୍ତ୍ରୀ, ବିଧାୟକ, ନେତା ସାମିଲ ଅଛନ୍ତି ବୋଲି ଏକ କାର୍ଟୁନ ପୋଷ୍ଟରରେ ଦର୍ଶାଯାଇଛି ।

author-image
Chandan Shishu
ଅଦ୍ୟତନ ହୋଇଛି
Archana Nag's Cartoon Poster

cartoon poster depicts archana nag case

ନବୀନ ନିବାସ ଘେରାଉ କରିଛି ବିଜେପି। ଘେରାଉ ସମୟରେ ଦେଖିବାକୁ ମିଳିଛି ଚିତ୍ର। ଆନ୍ଦୋଳନ ବେଳେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ର କାର୍ଟୁନ ଚିତ୍ରକୁ ନେଇ ଫ୍ଲାକାର୍ଡ ତିଆରି କରିଛି ବିଜେପି। ପୁରୀ ଜିଲ୍ଲା ୧୧ ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ଏବଂ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ବିଜେପି ଏହି ଆନ୍ଦୋଳନ କରିଛି। ଧର୍ମେନ୍ଦ୍ରଙ୍କ ମୃତ୍ୟୁରେ ମନ୍ତ୍ରୀ ସମୀର ଦାସଙ୍କ ସମ୍ପୃକ୍ତି ଅଭିଯୋଗ କରି ତାଙ୍କ ଗିରଫ ଦାବି କରିଛି ବିଜେପି। ତାସହ ଅର୍ଚ୍ଚନା ନାଗ କେଳେଙ୍କାରୀରେ ଜଡିତ ସମସ୍ତ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଦଳ। ତଦନ୍ତରେ ଶିଥିଳତା ଦେଖାଦେଉଥିବା ନେଇ ଅଭିଯୋଗ କରିଛି ବିଜେପି।

Advertisment

ଧାମନଗରରେ ବିଜେଡ଼ି ର ଟଙ୍କା ବଣ୍ଟା, ଧର୍ମେନ୍ଦ୍ର ସାହୁ ମୃତ୍ୟୁ ଘଟଣାରେ ମନ୍ତ୍ରୀ ସମୀର ଦାଶଙ୍କୁ ବଞ୍ଚାଇବା ସହିତ ଅର୍ଚ୍ଚନା ମାମଲାରେ ସମ୍ପୃକ୍ତ ବିଜେଡ଼ି ନେତାଙ୍କୁ ଘଣ୍ଟ ଘୋଡାଇବା ପାଇଁ ଫସଲ ବୀମାର ସୁଆଙ୍ଗ ରଚୁଛି ବିଜେଡ଼ି ବୋଲି ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି।  ସେ କହିଛନ୍ତି, ଧାମନଗରରେ ବିଜେଡ଼ିର ଟଙ୍କା ବଣ୍ଟାରୁ ମୁହଁ ଲୁଚାଇବା, ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ଘଟଣାରେ ମନ୍ତ୍ରୀ ସମୀର ଦାଶଙ୍କୁ ବଞ୍ଚାଇବା ଓ ଅର୍ଚ୍ଚନା ମାମଲାରେ ସମ୍ପୃକ୍ତ ବିଜେଡ଼ି ନେତାଙ୍କୁ ଘଣ୍ଟ ଘୋଡାଇବା ପାଇଁ ବିଜେଡ଼ି ଫସଲ ବୀମାର ସୁଆଙ୍ଗ ରଚୁଛି ।

ଶ୍ରୀ ହରିଚନ୍ଦନ ଗଣମାଧ୍ୟମକୁ କହିଛନ୍ତି ଯେ, କୃଷି ବୀମା ଯୋଜନା ପ୍ରାକୃତିକ ଦୁର୍ବିପାକ ଓ ରୋଗପୋକ ଦାଉରୁ ଫସଲ ନଷ୍ଟ ହେଲେ ଚାଷୀ ମାନଙ୍କୁ କ୍ଷତିପୂରଣ ଦେବା ପାଇଁ ଉଦ୍ଦିଷ୍ଟ। ବୀମା କମ୍ପାନୀ ଏବଂ ଚାଷୀମାନଙ୍କ ମଧ୍ୟରେ ବୀମାରାଶିକୁ ନେଇ ସମସ୍ୟା ଉପୁଜିଲେ କେନ୍ଦ୍ର ସରକାର ସଂଶୋଧିତ ପରିଚାଳନା ନିୟମାବଳୀ ପ୍ରସ୍ତୁତ କରିଛନ୍ତି । ଏହି ଗାଇଡ ଲାଇନ ଅଧୀନରେ ରାଜ୍ୟସ୍ତରୀୟ ବୈଷୟିକ ପରାମର୍ଶ କମିଟି(ଏସଟିଏସି) ଦ୍ୱାରା ବିଚାର ହୋଇ ସମାଧାନ ହୋଇପାରିବ । ଉକ୍ତ କମିଟିରେ କୃଷି ବିଭାଗର ପ୍ରମୁଖ ସଚିବ, ରାଜ୍ୟର ବିଶ୍ୱବିଦ୍ୟାଳୟ ପ୍ରଫେସର, ଷ୍ଟେଟ୍ ରିମୋଟସେନ୍ସିଂର ବରିଷ୍ଠ ଅଧିକାରୀ ଓ ଆସିଏଆରର ପ୍ରତିନିଧି ରହିବାର ନିୟମ ରହିଛି।

Advertisment

କିନ୍ତୁ ଏହାକୁ ଅମାନ୍ୟ କରି ବିଜେଡି ସରକାର ନିୟମକୁ ଭାଙ୍ଗି ଜଣେ ଡାଇରେକ୍ଟର ସ୍ତରର ଅଧିକାରୀଙ୍କ ଦ୍ୱାରା ଏ ସମ୍ପର୍କିତ ବିବାଦ ସମାଧାନ କରିବାକୁ ଉଦ୍ୟମ କରିବା ଲଜ୍ଜ୍ୟାଜନକ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଏହି ପ୍ରସଙ୍ଗରେ ପତ୍ରାଳାପ ପରେ ରାଜ୍ୟ ସରକାରଙ୍କ ବୀମା ମାମଲା ଫଇସଲା କରି ନିର୍ଦ୍ଦେଶ ଜାରି କରିଛନ୍ତି । ଏ ସଂକ୍ରାନ୍ତରେ ସେପ୍ଟେମ୍ବର ୧୬ରେ କେନ୍ଦ୍ରକୁ ଚିଠି ଲେଖିବା ସହ ମୋଟ ୧୮୯ ମାମଲା ସମାଧାନ ହୋଇ ପାରିନଥିବା ଉଲ୍ଲେଖ କରାଯାଇଛି ।  ମୋଟ ୧୮୯ ମାମଲାର ତର୍ଜମା କରି କେନ୍ଦ୍ର ସରକାରଙ୍କ ବୈଷୟିକ ପରାମର୍ଶ କମିଟି ଆସନ୍ତା ନଭେମ୍ବର ୩ ତାରିଖରେ ବୈଠକ କରି ନିର୍ଣ୍ଣୟ ନେବା ପରେ ନିର୍ଦ୍ଦେଶନାମା ଜାରି କରିବେ ।

ସେ କହିଛନ୍ତି ଯେ ଚାଲି ନଜାଣି ବାଟର ଦୋଷ ଦେବା ବିଜେଡି ସରକାରର ଅଭ୍ୟାସଗତ ପରମ୍ପରା । ପ୍ରଥମେ ବିଜେଡ଼ି ସରକାର ନିୟମ କାନୁନ ଭାଙ୍ଗିବା କାରଣରୁ କୃଷି ବୀମା ମିଳିବାରେ ବିଳମ୍ବ ହୋଇଛି । ଅପରପକ୍ଷରେ ରାଜ୍ୟରେ ସମାଧାନ ହୋଇପାରିନଥିବା ମୋଟ ୧୮୯ ମାମଲା ଆସନ୍ତା ନଭେମ୍ବର ୩ରେ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଷ୍ପତ୍ତି ନିଆଯିବ ବୋଲି ଜଣାପଡିବା ପରେ ରାଜ୍ୟରେ ଚାଷୀ ମାନଙ୍କ ମଧ୍ୟରେ ବିଭ୍ରାଟ ସୃଷ୍ଟି କରାଯାଉଛି । ବିଜେଡି ସରକାର ନିଜେ ପଡିଥିବା ହରଡ଼ଘଣାରୁ ଦୃଷ୍ଟି ହଟାଇବା ପାଇଁ ଏହି ସୁଆଙ୍ଗ କରୁଛନ୍ତି ଓ ମିଛରେ କୃଷି ବୀମା ପ୍ରସଙ୍ଗ ଉଠାଉଛନ୍ତି।

ବାସ୍ତବ କଥା ହେଉଛି ଧାମନଗର ବିଧାନସଭା ଉପନିର୍ବାଚନରେ ବିଜେଡିର ମାଳ ମାଳ ଟଙ୍କା ବଣ୍ଟାର ଚିତ୍ର ଗଣମାଧ୍ୟମରେ ପ୍ରସାରିତ ହେଉଛି । ମନ୍ତ୍ରୀ ସମୀର ଦାଶ ତାଙ୍କ ଦଳର ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ସହ ଜଡ଼ିତ ଯୌନ କେଳେଙ୍କାରୀ ନେଇ ବିଜେଡି ସରକାର ସମାଲୋଚନାର ଶିକାର ହୋଇଛନ୍ତି । ଅର୍ଚ୍ଚନା ନାଗ କେଳେଙ୍କାରୀ ମାମଲାରେ ଶାସକ ଦଳର ମାଳ ମାଳ ମନ୍ତ୍ରୀ, ବିଧାୟକ, ନେତା ସାମିଲ ଅଛନ୍ତି । ମାତ୍ର ଏହି ସବୁ ପ୍ରସଙ୍ଗରୁ ଦୃଷ୍ଟି ହଟାଇବା ପାଇଁ ଶାସକ ବିଜୁ ଜନତା ଦଳ କୃଷି ବୀମା ନ ମିଳିବା ନେଇ ସୁଆଙ୍ଗ କରି ଜନମତକୁ ବିଭ୍ରାନ୍ତି କରିବାକୁ ଅପଚେଷ୍ଟା କରୁଛି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।  ଏପଟେ ଏନେଇ ଗତକାଲି ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଥିଲେ, ସମୟ ଆସିଲେ ସତ ସବୁ ପ୍ରମାଣିତ ହୋଇଯିବ।

(ରିପୋର୍ଟ: ହରିହର ଚାନ୍ଦ, ଭୁବନେଶ୍ୱର)

BJP Lady Blackmailer Archana Nag
Advertisment
Advertisment