• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବିଜେଡି ସଭାରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ପରୋକ୍ଷରେ ବିଜେଡି ନେତା ଅରୂପ ପଟ୍ଟନାୟକଙ୍କ ଖୋଲା ଧମକ। ରାଜନୈତିକ ସଭାରେ ଭାଷଣ ରଖି ଜୟନାରାୟଣଙ୍କ ପ୍ରତି ବିଦ୍ରୁପ ଓ ସମ୍ମାନହାନୀ ଭଳି ମନ୍ତବ୍ୟ ରଖିଛନ୍ତି ମୁମ୍ବାଇର ଏହି ପୂର୍ବତନ ପୋଲିସ୍ କମିଶନର । ଅରୂପଙ୍କ ଏଭଳି ମନ୍ତବ୍ୟକୁ ନେଇ ଜୟନାରାୟଣ ବି ଜବାବ ରଖିଛନ୍ତି ।

ସେ ବମ୍ବେରେ ଥିବା ବେଳେ ଲୋକେ ତାଙ୍କ କାମ ସମ୍ପର୍କରେ ଜାଣିଛନ୍ତି ବୋଲି କହିଛନ୍ତି ଜୟନାରାୟଣ । ଏପଟେ ଏ ଘଟଣାକୁ ନେଇ ରାଜ୍ୟ ରାଜନୀତି ଜୋର ଧରିଛି । ବିଧାନସଭାରେ ବିରୋଧୀ ଦଳ ନେତାଙ୍କ ନାଁ ନନେଇ ପରୋକ୍ଷରେ ତାଙ୍କୁ ଖୋଲାଖୋଲି ଧମକ ଦିଆଯାଇଛି । ଦରଦାମ ବୃଦ୍ଧି ପ୍ରସଙ୍ଗରେ ବିଜେଡି ର କେନ୍ଦ୍ର ବିରୋଧୀ ଆନ୍ଦୋଳନ ବେଳେ ଆଜି ବିଏମ୍ସି ଅଫିସ ଆଗରେ ଚାଲିଥିଲା ପ୍ରତିବାଦ ସଭା ।

ଅଧିକ ପଢ଼ନ୍ତୁ: ଜୟଙ୍କୁ ଆକ୍ରମଣ ପାଇଁ ସର୍କିଟ୍‌ ହାଉସରେ ପଶିଥିଲେ ବିଜେଡି କର୍ମୀ ! ପଦରୁ ହଟାଇବା ପାଇଁ ହଙ୍ଗାମା

ଏ ସଭାରେ ବିରୋଧୀ ଦଳ ନେତାଙ୍କ ସମ୍ମାନହାନୀ ହେବା ଭଳି ଖୋଲାଖୋଲି ମନ୍ତବ୍ୟ ରଖିଥିଲେ ଅରୂପ । ସଭାରେ ବିଜେଡିର ବହୁ ନେତା, କର୍ମୀ ଓ ଗଣମାଧ୍ୟମ ପ୍ରତିନିଧି ବି ଉପସ୍ଥିତ ଥିଲେ । ଏଠାରେ ସେ ଜୟନାରାୟଣ ମିଶ୍ରଙ୍କ ନାଁ ନେଇ ନଥିଲେ ବି, ତାଙ୍କ ବିରୋଧରେ କେଉଁ କେଉଁ ଦଫା ଲାଗିବ, ତାର ସମ୍ପୂର୍ଣ୍ଣ ତାଲିକା ରଖିଥିଲେ ଅରୂପ ।

ଖାଲି ସେତିକି ନୁହେଁ, ଏ ସଭାରେ ନିଜକୁ ସେ ଜଣେ ରାଜନୈତିକ ନେତା ନୁହେଁ, ବରଂ ଜଣେ ପୋଲିସ ଅଫିସର ଦମ୍ଭରେ ସେ ଏ କଥା କହୁଥିବା କହିଛନ୍ତି ଅରୁପ । ତା ସହ କାଲିର ଘଟଣା ପରେ ସେ ପୋଲିସ ଭାଇମାନଙ୍କୁ ଚାହିଁ ପାରୁନଥିବା କହି, ସେମାନଙ୍କୁ ଉସୁକାଇବା ଭଳି ମନ୍ତବ୍ୟ ବି ରଖିଛନ୍ତି । ଉପସ୍ଥିତ ବିଜେଡି କର୍ମୀ ତାଳି ମାରି ଉତ୍ସାହିତ ହେଉଛନ୍ତି ।

ଗତକାଲି ସମ୍ବଲପୁର ଜିଲ୍ଲାପାଳଙ୍କ ଅଫିସ ଆଗରେ ବିଜେପିର ଆନ୍ଦୋଳନ ବେଳେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଓ ଧନୁପାଲି ଆଇଆଇସିଙ୍କ ମଧ୍ୟରେ ଠେଲାପେଲା ବିବାଦ ଏବେ ଥାନାରେ ପହଞ୍ଚିଛି । ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ଆଜି ଅରୂପଙ୍କ ଏଭଳି ଧମକ ଓ ତାଚ୍ଛଲ୍ୟପୂର୍ଣ୍ଣ ମନ୍ତବ୍ୟର ଜବାବ ରଖିଛନ୍ତି ଜୟନାରାୟଣ ।

କହିଛନ୍ତି, ବମ୍ବେରେ ସେ ପୋଲିସ କମିଶନର ଥିବା ବେଳେ ତାଙ୍କ କାମ ଓ ସେ କେତେ ଦମ୍ଭିଲା ଲୋକ ସେ ସମ୍ପର୍କରେ ଲୋକେ ଜାଣିଛନ୍ତି । ସରକାରୀ ଛତ୍ରଛାୟାରେ ରହି ଦମ୍ଭ ଦେଖାଇବା ମାନେ କି ନାହିଁ । ସେପଟେ ନିଜ ମନ୍ତବ୍ୟକୁ ନେଇ ବିବାଦ ପରେ, ସେ କେଉଁ ପରିସ୍ଥିତିରେ ଏହା କହିଲେ, ସେ ନେଇ ପ୍ରତିକ୍ରିୟା ରଖିଛନ୍ତି ଅରୂପ ।

ଏବେ ବିଜେଡିରେ ମୋ ପରିବାର ଆବାହକ ଥିବା ଅରୂପ ପଟ୍ଟନାୟକ ଏହା ପୂର୍ବରୁ ବିଜୁ ଯୁବ ବାହିନୀ ମୁଖ୍ୟ ଥିବା ବେଳେ ମଧ୍ୟ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଥିଲେ । ସରକାରୀ ଦଳରେ ଥାଇ ବି ଥାନା ଓ ସରକାରୀ ଡାକ୍ତରଖାନାରେ ଲୋକେ ଭୋଗୁଥିବା ଅସୁବିଧା ସଂପର୍କରେ କହି ସରକାରଙ୍କୁ ହରଡ଼ଘଣାରେ ପକାଇଥିଲେ ।