• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆଜି ଧାମନଗର ଉପନିର୍ବାଚନ । ଧାମନଗରବାସୀ ଆଜି ଥୟ କରିବେ କିଏ କରିବ ତାଙ୍କୁ ଶାସନ । ଶାସକ ବିଜେଡି ନା ବିରୋଧୀ ବିଜେପି ନା ଜାତୀୟ କଂଗ୍ରେସ ନା ସ୍ୱାଧୀନ ନେତା। ବିଜେପି ବିଧାୟକ ବିଷ୍ଣୁ ଚରଣ ସେଠିଙ୍କ ଅକାଳ ବିୟୋଗ ପରେ ଏଠାରେ ଉପନିର୍ବାଚନ ପାଇଁ ନିଷ୍ପତ୍ତି ନେଇଥିଲେ ନିର୍ବାଚନ କମିଶନ । ଏହି ଉପନିର୍ବାଚନ ଆଗାମୀ ୨୦୨୪ ସାଧାରଣ ନିର୍ବାଚନର ଟ୍ରେଲର ସାଜିବ ବୋଲି ରାଜନୀତି ବିଶେଷଜ୍ଞଙ୍କ ମତ । ତେବେ କ’ଣ ହେବ ରେଜଲ୍ଟ, ତାହା ତ ଆସନ୍ତା ୬ ତାରିଖରେ ଜଣାପଡ଼ିବ। କିନ୍ତୁ ଆଜି ଧାମନଗରବାସୀ ବାଛିବେ ତାଙ୍କ ବିଧାୟକ ।

ଅଧିକ ପଢ଼ନ୍ତୁ: ଧାମନଗର ଉପନିର୍ବାଚନ ଫଳାଫଳକୁ ନେଇ ଫେକ୍‌ ସର୍ଭେ

ଉପନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ୫ ଯୋଦ୍ଧା । କଂଗ୍ରେସରୁ ବାବା ହରେକୃଷ୍ଣ ସେଠି ପ୍ରାର୍ଥୀ ହୋଇଥିବା ବେଳେ ବିଜେଡିରୁ ଅବନ୍ତି ଦାସ ପ୍ରାର୍ଥୀ ହୋଇଛନ୍ତି । ସେହିଭଳି ବିଜେପିରୁ ପୂର୍ବତନ ବିଧାୟକ ତଥା ସ୍ୱର୍ଗତ ବିଷ୍ଣୁ ଚରଣ ସେଠିଙ୍କ ପୁଅ ସୂର୍ଯ୍ୟବଂଶୀ ସୁରଜ ପ୍ରାର୍ଥୀ ହୋଇ ରାଜନୈତିକ ମାହୋଲକୁ ଅଧିକ ଗରମ କରିଛନ୍ତି । ସେପଟେ ବିଜେଡିରୁ ବିଦ୍ରୋହ କରି ସ୍ୱାଧୀନ ପ୍ରାର୍ଥୀ ହୋଇଛନ୍ତି ରାଜେନ୍ଦ୍ର ଦାସ । ଯିଏ କି ବିଜେଡି ପାଇଁ ବଡ଼ କଣ୍ଟା ପାଲଟିଥିବା ଆଲୋଚନା ହେଉଛି । ଇଏ ତ ଗଲେ ହାଇଲାଇଟ୍‌ସରେ ଥିବା ୪ ପ୍ରାର୍ଥୀ । ୟାଙ୍କ ସହ ଆଉ ଜଣେ ସ୍ୱାଧୀନ ପ୍ରାର୍ଥୀ ମଧ୍ୟ ମଇଦାନରେ ଅଛନ୍ତି । ସେ ହେଉଛନ୍ତି ପବିତ୍ର ମୋହନ ଦାସ । 

ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କୁ ନିର୍ବାଚନ କମିଶନ ‘ଡଙ୍ଗା’ ଚିହ୍ନ ଦେଇଥିବା ବେଳେ ଅନ୍ୟ ସ୍ୱାଧୀନ ପ୍ରର୍ଥୀ ପବିତ୍ର ମୋହନଙ୍କୁ ମିଳିଛି ‘ଏସି’ ଚିହ୍ନ । ଉଭୟ ନେତା ନିଜ ନିଜ ସମର୍ଥକଙ୍କୁ ନେଇ କରିଛନ୍ତି ଜୋରଦାର ପ୍ରଚାର । ତେବେ ଏସବୁଠୁ ଟିକେ ଆଗରେ ଥିଲେ ରାଜେନ୍ଦ୍ର । ଯାହାକୁ ମ୍ୟାନେଜ କରିପାରିଲାନି ବିଜେଡି । ଦଳ ଟିକଟ ନଦେବାରୁ ବିଦ୍ରୋହ କରି ସ୍ୱାଧୀନ ଭାବେ ନାମାଙ୍କନ ଦାଖଲ କଲେ। ଆଉ ମାଆଙ୍କ ଆର୍ଶୀବାଦ ନେଇ ମଇଦାନକୁ ଓହ୍ଲାଇଲେ । ନିର୍ବାଚନ ମଇଦାନରେ ଏହି ରାଜେନ୍ଦ୍ର, ବିଜେଡି ବେକରେ କଣ୍ଟା ଭଳି ଲାଗିଲେ । ବିଜେଡି ତାଙ୍କୁ ନା ଢ଼ୋକି ପାରିଲା ନା କାଢ଼ି ପାରିଲା । 

ତେବେ ଏହି ୫ ପ୍ରାର୍ଥୀଙ୍କ ଆଜି ଭାଗ୍ୟ ନିର୍ଦ୍ଧାରଣ କରିବେ ଧାମନଗର ନିର୍ବାଚନ ମଣ୍ଡଳିର ୨ ଲକ୍ଷ ୩୮ ହଜାର ୪୧୭ ଭୋଟର । ସେମାନଙ୍କ ମଧ୍ୟରେ ରହିଛନ୍ତି ୧ ଲକ୍ଷ ୨୩ ହଜାର ୩୮ ଜଣ ପୁରୁଷ ଓ ୧ ଲକ୍ଷ ୧୫ ହଜାର ୩୪୬ ଜଣ ମହିଳା । ଆଉ ୩୩ ଜଣ ତୃତୀୟ ଲିଙ୍ଗ । ଏହି ସମସ୍ତ ଭୋଟରଙ୍କ ପାଇଁ ମୋଟ ୨୫୨ଟି ବୁଥ୍‌ର ବ୍ୟବସ୍ଥା କରାଯାଇଛି । ସେଥିମଧ୍ୟରୁ ୧୨୬ଟି ବୁଥ୍‌ରେ ୱେବ୍ କାଷ୍ଟିଂର ବ୍ୟବସ୍ଥା କରାଯାଇଛି । ଭୋଟିଂ ବେଳେ ଯେଭଳି କୌଣସି ପ୍ରକାର ଅପ୍ରିତିକର ପରିସ୍ଥିତି ନଉପୁଜେ, ସେଥିପାଇଁ ଏହି ବ୍ୟବସ୍ଥା କରାଯାଇଛି ।

ମୁକ୍ତ ଓ ଅବାଧ ନିର୍ବାଚନ ପାଇଁ ନିର୍ବାଚନ କମିଶନ୍‌ଙ୍କ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଏହାସହ ୧୧୦ଟି ବୁଥ୍‌କୁ ସମ୍ବେଦନଶୀଳ ଚିହ୍ନଟ କରାଯାଇ ସେହିସବୁ ବୁଥ୍‌ରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକ଼ଡି କରାଯାଇଛି । ଅନ୍ୟପଟେ ୨୫୨ ବୁଥ୍‌କୁ ଚଲାଇବା ପାଇଁ ପ୍ରିଜାଇଡିଂ ଅଫିସର, ପୁଲିଂ ଅଫିସର ଓ ଅନ୍ୟ ସହଯୋଗୀ କର୍ମଚାରୀଙ୍କୁ ମିଶାଇ ମୋଟ ୧୧୦୮ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି  ।

ସେହିଭଳି ସୁରକ୍ଷା ବ୍ୟବସ୍ଥାରେ ହଜାରେ ପୋଲିସଙ୍କୁ ନିୟୋଜିତ କରାଯିବା ସହ ୪ କଂପାନି କେନ୍ଦ୍ରୀୟ ଫୋର୍ସ, ୨୨ ପ୍ଲାଟୁନ୍ ଷ୍ଟେଟ୍ ଆର୍ମଡ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଭଦ୍ରକ ଏସ୍‌ପି ଚରଣସିଂ ମିନା ଗତକାଲି ବିଭିନ୍ନ ସମ୍ବେଦନଶୀଳ ବୁଥ୍ ବୁଲି ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁଯାୟୀ ବୁଥ୍‌ର ଶହେ ମିଟର ମଧ୍ୟରେ କଥାବାର୍ତ୍ତାକୁ ବାରଣ କରାଯାଇଛି । ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇସାରିଛି । ଏହା ସଂଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ । ତେବେ ଧାମନଗରରେ କାହାର ହେବ ଜିତ୍ ? ବିଷ୍ଣୁଙ୍କ ଗଡ଼ରେ କିଏ ମାରିବ ବାଜି ? ଏହା ଉପରେ ଏବେ ସମସ୍ତଙ୍କ ନଜର ।