ମହାରାଷ୍ଟ୍ରରେ ନୂଆ ସରକାର ଶପଥ ନେବାକୁ ସଜବାଜ ହେଲାଣି ହେଲେ ଏଯାଏଁ ଘୋଷଣା ହୋଇନି ମୁଖ୍ୟମନ୍ତ୍ରୀଙ୍କ ନାଁ । ଫଳାଫଳ ବାହାରିବାର ୧୦ ଦିନ ପରେ ବି ସିଏମ ସସପେନ୍ସ ଲାଗି ରହିଛି । ଆସନ୍ତା ୫ ତାରିଖରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବାକୁ ଥିବା ବେଳେ ଏଯାଏଁ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ହୋଇନାହିଁ । ଏପଟେ ଶପଥ ଗ୍ରହଣ ସମାରୋହ ପାଇଁ ଜୋରଦାର ପ୍ରସ୍ତୁତି ହେଉଛି ।
ବିଜେପିର ଏକ ପ୍ରତିନିଧି ଦଳ ଶପଥ ଉତ୍ସବ ହେବାକୁ ଥିବା ସଭାସ୍ଥଳକୁ ଯାଇ ପ୍ରସ୍ତୁତିର ଅନୁଧ୍ୟାନ କରିଛନ୍ତି । ଏପଟେ ଅସୁସ୍ଥ ଅଛନ୍ତି ମହାରାଷ୍ଟ୍ରର କାମଚଳା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ । ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସିନ୍ଦେଙ୍କୁ ଜ୍ୱର ହୋଇଥିବା ବେଳେ କିଛି ପରୀକ୍ଷା କରିବାକୁ ସେ ଡାକ୍ତରଖାନା ଯାଇଥିବା ସୂଚନା ମିଳିଛି । ଅସୁସ୍ଥ ଥିବାରୁ ମହାୟୁତି ନେତାଙ୍କର ଏକ ବୈଠକକୁ ବାତିଲ କରିଦେଇଛନ୍ତି ସିନ୍ଦେ ।
ଅଧିକ ପଢନ୍ତୁ: ଭୁବନେଶ୍ୱର ପହଞ୍ଚିଲେ ରାଷ୍ଟ୍ରପତି; ଓଡ଼ିଶାରେ ରହିବେ ୫ ଦିନ
Also Read
ଅନ୍ୟପଟେ ଅଜିତ ପାଓ୍ୱାର ଆଜି ସରକାର ଗଠନ ପ୍ରକ୍ରିୟା ସମ୍ପର୍କରେ ବିଜେପି ଶୀର୍ଷ ନେତାଙ୍କ ସହ ଆଲୋଚନା ପାଇଁ ଦିଲ୍ଲୀ ଯାଉଥିବା ସୂଚନା ମିଳିଛି । ଏପଟେ ମୁମ୍ବାଇ ପାର୍ଟି ଅଫିସରେ ମହାରାଷ୍ଟ ବିଜେପି ନେତାଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଚେହେରା ଉପରୁ ପରଦା ହଟିବ ବୋଲି ଆଶା କରାଯାଉଛି ।
ମହାରାଷ୍ଟ୍ରରେ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଚାଲିଥିବା ସସ୍ପେନ୍ସ ମଧ୍ୟରେ ଗତ ନଭେମ୍ବର ୨୬ରେ ମୁଖ୍ୟମନ୍ତ୍ରୀ ପଦରୁ ଏକନାଥ ସିନ୍ଦେ ଇସ୍ତଫା ଦେଇଥିଲେ । ଏକନାଥ ସିନ୍ଦେ ରାଜ ଭବନ ଯାଇ ରାଜ୍ୟପାଳ ସିପି ରାଧାକୃଷ୍ଣନଙ୍କ ନିକଟରେ ଇସ୍ତଫା ଦାଖଲ କରିଥିଲେ । ମହାୟୁତିର ବିପୁଳ ବିଜୟ ପରେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିଥିଲେ ଏକନାଥ । ଇସ୍ତଫା ଦେବା ସମୟରେ ସିନ୍ଦେଙ୍କ ସହ ଡେପୁଟି ସିଏମ୍ ଅଜିତ ପାୱାର ଏବଂ ଦେବେନ୍ଦ୍ର ଫଡନାଭିସ୍ ମଧ୍ୟ ଉପସ୍ଥିତ ଥିଲେ । ଏକନାଥ ସିନ୍ଦେଙ୍କ ସହ ତାଙ୍କ ପୂରା ମନ୍ତ୍ରିମଣ୍ଡଳ ମଧ୍ୟ ଇସ୍ତଫା ଦେଇଥିଲେ ।
ସୂଚନା ଅନୁସାରେ ମହାରାଷ୍ଟ୍ରରେ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନରେ ମହାୟୁତି ମେଣ୍ଟର ମହାବିଜୟ ହୋଇଥିଲା । ମୋଟ ୨୮୮ ଆସନରୁ ମହାୟୁତି ମେଣ୍ଟକୁ ୨୩୦ ସିଟ୍ ମିଳିଥିବା ବେଳେ ବିଜେପି ଏକାକୀ ଜିତିଛି ୧୩୨ ସିଟ୍ । ମହାରାଷ୍ଟ୍ରରେ ଲଗାତାର ତୃତୀୟ ଥର ପାଇଁ ସର୍ବବୃହତ ଦଳ ଭାବେ ଉଭା ହୋଇଛି ବିଜେପି । ସେପଟେ ମାତ୍ର ୫୧ ଆସନ ସହ ମହାବିପର୍ଯ୍ୟୟର ସାମ୍ନା କରିଛି ମହାବିକାଶ ଅଘାଡ଼ି ।
ଭୋଟ୍ ସେୟାରରେ ଷଷ୍ଠ ସ୍ଥାନକୁ ଖସିଯାଇଛି ଉଦ୍ଧବ ସେନା । ଗୋଆ, ଗୁଜରାଟ, ହରିୟାଣା, ଛତିଶଗଡ଼ ଓ ମଧ୍ୟପ୍ରଦେଶ ପରେ ଷଷ୍ଠ ରାଜ୍ୟଭାବେ ତୃତୀୟ ଥର କ୍ଷମତାକୁ ଆସିଛି ବିଜେପି । ମହାରାଷ୍ଟ୍ରରେ ନିଜର ୨୦୧୪ ଓ ୨୦୧୯ ରେକର୍ଡକୁ ଭାଙ୍ଗିଛି ପଦ୍ମ । ମହାୟୁତି ୨ଶହରୁ ଅଧିକ ସିଟ୍ ଜିତିଥିବାରୁ, ୧୯୭୨ ମସିହା ପରେ ମହାରାଷ୍ଟ୍ରରେ ପ୍ରାକ୍-ନିର୍ବାଚନୀ ମେଣ୍ଟ ପାଇଁ ଏହା ସର୍ବବୃହତ୍ ବିଜୟ ।
ମହାୟୁତିର ମହା ବିଜୟ ପରେ ଏବେ ସବୁଠି ଗୋଟିଏ କଳ୍ପନା ଜଳ୍ପନା ଲାଗି ରହିଛି । କିଏ ହେବ 'ମହା' ମୁଖ୍ୟମନ୍ତ୍ରୀ ? ସିଏମ୍ ଓ ଡେପୁଟିଙ୍କ ମଧ୍ୟରେ ହେବ କି ଗାଦି ଅଦଳବଦଳ ? ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ରେସରେ ସବୁଠୁ ଆଗରେ ଅଛନ୍ତି ବର୍ତ୍ତମାନର ଉପମୁଖ୍ୟମନ୍ତ୍ରୀ ତଥା ମହାରାଷ୍ଟ୍ରରେ ବିଜେପିର ସେନାପତି ଦେବେନ୍ଦ୍ର ଫଡ଼ନାଭିସ୍ ।
କର୍ପୋରେଟରରୁ ନାଗପୁରର ସର୍ବକନିଷ୍ଠ ମେୟର ଏବଂ ୨୦୧୪ରେ ମହାରାଷ୍ଟ୍ରର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ। କୁହାଯାଏ, ୨୦୨୨ ସତ୍ତାପଲଟ୍ ପଛରେ ବି ଥିଲା ଦେବେନ୍ଦ୍ର ଫଡ଼ନାଭିସଙ୍କ ପ୍ରମୁଖ ଭୂମିକା । ଏସବୁ ସତ୍ତ୍ୱେ ସେତେବେଳେ ଡେପୁଟି ସିଏମ୍ ପଦ ପାଇଁ ରାଜି ହୋଇ, ଦଳକୁ କ୍ଷମତାକୁ ଆଣିବାକୁ ସେ ବଡ଼ ବଳିଦାନ ଦେଇଥିବା ଚର୍ଚ୍ଚା ହୁଏ ।